ଅର୍ଥ ମନ୍ତ୍ରଣାଳୟ

ଆର୍ଥିକ ବର୍ଷ ୨୦୧୪ ରୁ ଆର୍ଥିକ ବର୍ଷ ୨୦୨୫ ମଧ୍ୟରେ ମହିଳା ମାନଙ୍କର କଲ୍ୟାଣ ଓ ସଶକ୍ତିକରଣ ବଜେଟ୍ରେ ୨୧୮.୮ ପ୍ରତିଶତ ବୃଦ୍ଧି


ଜାତୀୟ ସ୍ତରରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ ୯୧୮ (୨୦୧୪-୧୫) ରୁ ୯୩୦ (୨୦୨୩ -୨୦୨୪) କୁ ବୃଦ୍ଧି ପାଇଛି

ମାତୃ ମୃତ୍ୟୁହାର ୨୦୧୪-୧୬ରେ ଏକ ଲକ୍ଷରେ ୧୩୦ ସଜୀବ ଜନ୍ମରୁ ୨୦୧୮-୨୦ରେ ଏକ ଲକ୍ଷରେ ୯୭ ସଜୀବ ଜନ୍ମକୁ ହ୍ରାସ ପାଇଛି

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ମହିଳା ମାନଙ୍କର ଅଂଶଗ୍ରହଣ ଆର୍ଥିକ ବର୍ଷ ୨୦୧୬ରେ ୪୨.୭ ପ୍ରତିଶତ ଥିବା ବେଳେ ଆର୍ଥିକ ବର୍ଷ ୨୦୨୪ରେ ଏହା ୫୨.୩ ପ୍ରତିଶତକୁ ବୃଦ୍ଧି ପାଇଛି

Posted On: 22 JUL 2024 2:43PM by PIB Bhubaneshwar

କଲ୍ୟାଣର ଭାରତୀୟ ବିଚାର ସଶକ୍ତିକରଣରେ ପରିଣତ ହେଉଥିବାବେଳେ , ଭାରତ ମହିଳାଙ୍କ ବିକାଶରୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ଗତି କରୁଛି ବୋଲି ଅର୍ଥନୈତିକ ସର୍ବେକ୍ଷଣ ୨୦୨୩ - ୨୦୨୪ ରେ ଉଲ୍ଲେଖ କରାଯାଇଛି । କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପିତ କରିଥିବା ଅର୍ଥନୈତିକ ସର୍ବେକ୍ଷଣ ୨୦୨୩ -୨୦୨୪ରେ ଭୂ -ରାଜନୈତିକ ଓ ବୈଶ୍ୱିକ ଆହ୍ୱାନ ସମୟରେ ବୁଝାମଣା ଏବଂ ସହମତି ମାଧ୍ୟମରେ ଦେଶକୁ ଚଳାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ସ୍ଥିରତା ପ୍ରଦର୍ଶନ କରୁଥିବା ବିସ୍ତାରିତ ଭାରତୀୟ ଅର୍ଥନୀତି ଉପରେ ଆଲୋକପାତ କରେ । ଅର୍ଥନୈତିକ ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ଯେ ଭାରତୀୟ ଅର୍ଥନୀତି କୋଭିଡ୍ ପରବର୍ତ୍ତୀ ପୁନରୁଦ୍ଧାରକୁ ସୁଦୃଢ଼ କରିଛି ଏବଂ ଏକ ଦୃଢ଼ ଏବଂ ସ୍ଥିର ସ୍ଥିତିରେ ରହିଛି ।

ନାରୀ ଶକ୍ତିର ଆହ୍ୱାନକୁ ସାକାର କରିବା ପାଇଁ ସରକାର ବିଭିନ୍ନ ବୃତ୍ତିରେ ମହିଳା ମାନଙ୍କର ଭାଗିଦାରୀ ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ଆଇନଗତ ହସ୍ତକ୍ଷେପ ଏବଂ ସକ୍ଷମ ବ୍ୟବସ୍ଥା କରିଛନ୍ତି ବୋଲି ସର୍ବେକ୍ଷଣରେ ଦର୍ଶାଯାଇଛି ।

ଅର୍ଥନୈତିକ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ମହିଳା ମାନଙ୍କର କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଯୋଜନା ନିମନ୍ତେ ବଜେଟରେ ୨୧୮.୮ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଏହା ଆର୍ଥିକ ବର୍ଷ ୨୦୧୪ରେ ୯୭,୧୩୪ କୋଟି ଟଙ୍କା (ବିଇ) ରୁ ୨୦୨୫ ଆର୍ଥିକ ବର୍ଷରେ ୩.୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଆର୍ଥିକ ବର୍ଷ ୨୦୨୪ ବିଇ (ବଜେଟ ଅନୁମାନ) ତୁଳନାରେ ଜେଣ୍ଡର ବଜେଟ୍ ଷ୍ଟେଟମେଣ୍ଟ (ଜିବିଏସ୍‌)ରେ ମଧ୍ୟ ୩୮.୭ ପ୍ରତିଶତ ବୃଦ୍ଧି ଘଟିଛି । ମୋଟ କେନ୍ଦ୍ର ବଜେଟରେ ଜେଣ୍ଡର ବଜେଟର ଅଂଶ ଆର୍ଥିକ ବର୍ଷ ୨୦୨୫ରେ ୬.୫ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଆର୍ଥିକ ବର୍ଷ ୨୦୦୬ରେ ଜିବିଏସ ପ୍ରଚଳନ ପର ଠାରୁ ସର୍ବାଧିକ ।

ସର୍ବେକ୍ଷଣରେ କୁହାଯାଇଛି ଯେ,  କନ୍ୟା ସନ୍ତାନର ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ସୁନିଶ୍ଚିତ କରିବା ସହିତ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆରମ୍ଭ ହୋଇଥାଏ । ଜାତୀୟ ସ୍ତରରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ (ଏସଆରବି) ୯୧୮ (୨୦୧୪ - ୧୫) ରୁ ୯୩୦ (୨୦୨୩ -୨୪, ଅସ୍ଥାୟୀ) କୁ ଉନ୍ନତ ହୋଇଛି ଏବଂ ମାତୃ ମୃତ୍ୟୁହାର ୨୦୧୪-୧୬ରେ ଏକ ଲକ୍ଷରେ ୧୩୦ ସଜୀବ ଜନ୍ମରୁ ୨୦୧୮ -୨୦ରେ ଏକ ଲକ୍ଷରେ ୯୭ ସଜୀବ ଜନ୍ମକୁ ହ୍ରାସ ପାଇଛି । ଅର୍ଥନୈତିକ ସର୍ବେକ୍ଷଣରୁ ଜଣାପଡିଛି ଯେ ସୁକନ୍ୟା ସମୃଦ୍ଧି ଯୋଜନା ସହିତ "ବେଟି ବଚାଓ, ବେଟି ପଢ଼ାଓ" କନ୍ୟା ସନ୍ତାନର ପୋଷଣ, ଶିକ୍ଷା ଏବଂ ସଞ୍ଚୟ ଦିଗରେ ସାମୂହିକ ଚେତନାକୁ ସଚେତନ କରିବାରେ ସହାୟକ ହୋଇଛି ।

ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ଯେ ଗତ ଏକ ଦଶନ୍ଧି ମଧ୍ୟରେ ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ସଂସ୍ଥାଗତ ପ୍ରସବକୁ ପ୍ରୋତ୍ସାହିତ କରିବା ଏବଂ ଭାରତର ସର୍ବବୃହତ ସର୍ତ୍ତମୂଳକ ନଗଦ ହସ୍ତାନ୍ତର କାର୍ଯ୍ୟକ୍ରମ ପିଏମ ମାତୃ ବନ୍ଦନା ଯୋଜନା ଦ୍ୱାରା ସହାୟତାରେ ସଂସ୍ଥାଗତ ପ୍ରସବକୁ ପ୍ରୋତ୍ସାହିତ କରିବା କାର୍ଯ୍ୟକ୍ରମ ଯୋଗୁଁ ୨୦୧୫ - ୧୬ରେ ସଂସ୍ଥାଗତ ପ୍ରସବ ହାର ୭୮.୯ ପ୍ରତିଶତଥିବା ବେଳେ ୨୦୧୯ - ୨୧ରେ ଏହା ୮୮.୬ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସେବାର ଉପଯୋଗ ଏବଂ ଜନ୍ମ ମଧ୍ୟରେ ବ୍ୟବଧାନ ବଢ଼ାଇବାର ସକାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସରକାରୀ ପଦକ୍ଷେପ ମହିଳାଙ୍କ ଅବସ୍ଥାରେ ଉନ୍ନତି ଆଣିବା ସହିତ ଲିଙ୍ଗ- ନିର୍ଦ୍ଦିଷ୍ଟ ଅସୁବିଧା, ଯାହା ସେମାନଙ୍କ ବିକାଶରେ ବାଧା ସୃଷ୍ଟି କରିଥାଏ,  ସେସବୁର ମୁକାବିଲା କରିବା ଉପରେ ଗୁରୁତ୍ୱାରୋପ କରିଛି । ଲିଙ୍ଗ - ନିର୍ଦ୍ଦିଷ୍ଟ ସମସ୍ୟାର ମୁକାବିଲା, 'ସ୍ୱଚ୍ଛ ଭାରତ ମିଶନ' ଅଧୀନରେ ଶୌଚାଳୟ ନିର୍ମାଣ, 'ଉଜ୍ଜ୍ୱଳା ଯୋଜନା' ଅଧୀନରେ ସ୍ୱଚ୍ଛ ରନ୍ଧନ ଗ୍ୟାସ ସଂଯୋଗ ବ୍ୟବସ୍ଥା ଏବଂ 'ଜଳ ଜୀବନ ମିଶନ' ଅଧୀନରେ ଟ୍ୟାପ୍ ମାଧ୍ୟମରେ ପାନୀୟ ଜଳ ସଂଯୋଗ ବ୍ୟବସ୍ଥା ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ଚିହ୍ନଟ କରାଯାଇଛି । ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ) ମାଧ୍ୟମରେ ମହିଳା ସମୂହରେ ଅଂଶଗ୍ରହଣ ଭଳି ଉତ୍ପାଦନଶୀଳ କାର୍ଯ୍ୟ ପାଇଁ ଏହି ପଦକ୍ଷେପଗୁଡ଼ିକ ନିରାପତ୍ତା ଏବଂ ସମ୍ମାନର ଚିନ୍ତାକୁ ଦୂର କରିବା ସହିତ ସମୟ ଏବଂ ଶକ୍ତି ସଂଚୟ କରିଛି ।

ମିଶନ ସକ୍ଷମ ଅଙ୍ଗନୱାଡ଼ି ଓ ପୋଷଣ ୨.୦ କାର୍ଯ୍ୟକ୍ରମକୁ ମହିଳାଙ୍କ ସ୍ୱାସ୍ଥ୍ୟ ସାମାଜିକ ସ୍ୱାସ୍ଥ୍ୟର ମୂଳଦୁଆ ବୋଲି ଅନ୍ତର୍ନିହିତ ସିଦ୍ଧାନ୍ତ ସହିତ ସକ୍ଷମ ପଦକ୍ଷେପ ଭାବରେ ତାଲିକାଭୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମଗୁଡ଼ିକ କେବଳ କ୍ୟାଲୋରି ପର୍ଯ୍ୟାପ୍ତତା ନୁହେଁ, ଏହା ସୂକ୍ଷ୍ମ ପୋଷକତତ୍ତ୍ୱ ଯଥେଷ୍ଟତା ମାଧ୍ୟମରେ ଉନ୍ନତ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ରୋଗ ପ୍ରତିରୋଧକ ଶକ୍ତି ଉପରେ ଧ୍ୟାନ କେନ୍ଦ୍ରିତ କରିଛି ।  ଅର୍ଥନୈତିକ ସର୍ବେକ୍ଷଣରେ ମହିଳା ସଶକ୍ତିକରଣର କେନ୍ଦ୍ରବିନ୍ଦୁ ହେଉଛି ମହିଳା ଶିକ୍ଷା ବୋଲି ଗୁରୁତ୍ୱାରୋପ କରାଯାଇଛି । ସର୍ବଶିକ୍ଷା ଅଭିଯାନ ଓ ଶିକ୍ଷା ଅଧିକାର କାର୍ଯ୍ୟକାରୀ ହେବା ଦ୍ୱାରା ବିଦ୍ୟାଳୟରେ ନାମଲେଖା କ୍ଷେତ୍ରରେ ସବୁ ସ୍ତରରେ ଲିଙ୍ଗଗତ ସମାନତା ହାସଲ ହୋଇଛି । ଉଚ୍ଚଶିକ୍ଷା କ୍ଷେତ୍ରରେ କ୍ରମାଗତ ୫ ବର୍ଷ ଧରି ପୁରୁଷ ଜିଇଆର୍ ତୁଳନାରେ ମହିଳା ଜିଇଆର୍ ଅଧିକ ରହିଛି ବୋଲି ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ।

ଦକ୍ଷତା ଯୋଜନାଗୁଡ଼ିକ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବୋଲି ସ୍ୱୀକାର କରି ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ପ୍ରଶିକ୍ଷିତ ବ୍ୟକ୍ତିମାନଙ୍କ ମଧ୍ୟରେ ମହିଳାଙ୍କ ଅଂଶଗ୍ରହଣ ଆର୍ଥିକ ବର୍ଷ ୨୦୧୬ ରେ ୪୨.୭ ପ୍ରତିଶତ ଥିବା ବେଳେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମକେଭିୱାଇ) ଅଧୀନରେ ୨୦୨୪ ଆର୍ଥିକ ବର୍ଷରେ ୫୨.୩ ପ୍ରତିଶତକୁ ବୃଦ୍ଧି ପାଇଛି ।

ଜନଶିକ୍ଷା ଅନୁଷ୍ଠାନ (ଜେଏସ୍‌ଏସ୍‌) ଯୋଜନା ଅଧୀନରେ ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୮୨ ପ୍ରତିଶତ ହେଉଛନ୍ତି ମହିଳା । ଦୀର୍ଘମିଆଦୀ ପାରିବେଶିକ ବ୍ୟବସ୍ଥାରେ ଅର୍ଥାତ୍ ଆଇଟିଆଇ ଓ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ (ଏନ୍‌ଏସଟିଆଇ)ରେ ମହିଳାଙ୍କ ଅଂଶଗ୍ରହଣ ଆର୍ଥିକ ବର୍ଷ ୨୦୧୬ରେ ୯.୮ ପ୍ରତିଶତ ଥିବାବେଳେ  ଆର୍ଥିକ ବର୍ଷ ୨୦୨୪ରେ ଏହା ୧୩.୩ ପ୍ରତିଶତକୁ ବୃଦ୍ଧି ପାଇଛି । ନ୍ୟାସନାଲ ଆପ୍ରେଣ୍ଟିସିପ୍ ପ୍ରମୋସନ ସ୍କିମ୍ (ଏନ୍‌ଏପିଏସ୍‌) ଅଧୀନରେ ମହିଳାଙ୍କ ଅଂଶଗ୍ରହଣ ଆର୍ଥିକ ବର୍ଷ ୨୦୧୭ରେ ୭.୭ ପ୍ରତିଶତ ଥିବାବେଳେ ଆର୍ଥିକ ବର୍ଷ ୨୦୨୪ ରେ ଏହା ୨୦.୮ ପ୍ରତିଶତକୁ ବୃଦ୍ଧି ପାଇଛି ।

ଷ୍ଟେମ୍ କ୍ଷେତ୍ରରେ ମହିଳା ମାନଙ୍କର ସମ୍ପୃକ୍ତି ବୃଦ୍ଧି କରିବା ପାଇଁ ପ୍ରୟାସ କରୁଥିବା 'ଓମେନ୍ ଇନ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ - କିରଣ(ୱାଇଜ୍ କିରଣ)' କାର୍ଯ୍ୟକ୍ରମ ୨୦୧୮ ରୁ ୨୦୨୩ ମଧ୍ୟରେ ପ୍ରାୟ ୧୯୬୨ ଜଣ ମହିଳା ବୈଜ୍ଞାନିକଙ୍କୁ ଉପକୃତ କରିଛି ।

ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଠ୍ୟକ୍ରମରେ ଛାତ୍ରୀଙ୍କ ଅଭାବ ଦୂର କରିବା ଉଦ୍ଦେଶ୍ୟରେ ୨୦୨୦ରେ ଆରମ୍ଭ ହୋଇଥିବା ବିଜ୍ଞାନ ଜ୍ୟୋତି କାର୍ଯ୍ୟକ୍ରମରେ ଡିସେମ୍ବର ୨୦୨୩ ସୁଦ୍ଧା ୨୫୦ଟି ଜିଲ୍ଲାରୁ ନବମ - ଦ୍ୱାଦଶ ଶ୍ରେଣୀର ପ୍ରାୟ ୨୧,୬୦୦ ଛାତ୍ରୀ ନାମ ଲେଖାଇଛନ୍ତି ।

***

SSP



 

 



(Release ID: 2035357) Visitor Counter : 37