ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି

Posted On: 22 JUN 2024 2:15PM by PIB Bhubaneshwar

 

ମହାମହିମ, ପ୍ରଧାନମନ୍ତ୍ରୀ ଶେଖ୍‌ହସିନା,

ଉଭୟଦେଶର ପ୍ରତିନିଧି,

ଆମର ମିଡିଆ ଅଂଶୀଦାରମାନେ,

ନମସ୍କାର !

ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଏବଂ ତାଙ୍କପ୍ରତିନିଧି ଦଳକୁ ମୁଁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ପ୍ରାୟ ଗତ ଏକ ବର୍ଷ ମଧ୍ୟରେ ଆମେ ୧୦ ଥର ସାକ୍ଷାତ କରିଛୁ । କିନ୍ତୁ ଆଜିର ବୈଠକ ହେଉଛି ସ୍ୱତନ୍ତ୍ର । କାରଣ ଆମ ସରକାରର ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଆମର ପ୍ରଥମ ରାଷ୍ଟ୍ର ଅତିଥି ।

ବନ୍ଧୁଗଣ,

ବାଂଲାଦେଶ ଆମର ‘ପଡୋଶୀ ପ୍ରଥମ’ ନୀତି, ଆକ୍ଟ ଇଷ୍ଟ ନୀତି, ଭିଜନ ସାଗର ଏବଂ ଇଣ୍ଡୋ - ପାସିଫିକ୍ ଭିଜନ ସଙ୍ଗମ ସ୍ଥଳରେ ଅବସ୍ଥିତ । ଗତ ଏକ ବର୍ଷ ମଧ୍ୟରେ ଆମେ ଜନକଲ୍ୟାଣର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଏକାଠି ସମ୍ପୂର୍ଣ୍ଣ କରିଛୁ । ଭାରତ ଓ ବାଂଲାଦେଶ ମଧ୍ୟରେ ଷଷ୍ଠ ସୀମାପାର ରେଳସଂଯୋଗ ଅଖାଉରା - ଅଗରତାଲା ମଧ୍ୟରେ ଆରମ୍ଭ ହୋଇଛି । ଖୁଲଣା - ମଙ୍ଗଳା ବନ୍ଦର ଦ୍ୱାରା ଭାରତର ଉତ୍ତର - ପୂର୍ବ ରାଜ୍ୟଗୁଡ଼ିକ ପାଇଁ କାର୍ଗୋ ସୁବିଧା ଆରମ୍ଭ ହୋଇଛି । ମଙ୍ଗଳା ବନ୍ଦରକୁ ପ୍ରଥମ ଥର ପାଇଁ ରେଳ ଯୋଗେ ସଂଯୋଗ କରାଯାଇଛି ।

୧୩୨୦ ମେଗାୱାଟ ମୈତ୍ରୀ ଥର୍ମାଲ ପାୱାର ପ୍ଲାଣ୍ଟର ଉଭୟ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ଆରମ୍ଭ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଭାରତୀୟ ଟଙ୍କାରେ ବାଣିଜ୍ୟ ଆରମ୍ଭ ହୋଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ଗଙ୍ଗା ନଦୀରେ ବିଶ୍ୱର ସବୁଠାରୁ ଲମ୍ବା ରିଭର କ୍ରୁଜ୍ ସଫଳତାର ସହ ସମ୍ପନ୍ନ ହୋଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ସୀମାପାର ବନ୍ଧୁତା ପାଇପ୍ ଲାଇନ ସମ୍ପୂର୍ଣ୍ଣ ହୋଇଛି । ଭାରତୀୟ ଗ୍ରିଡ୍ ଦେଇ ନେପାଳରୁ ବାଂଲାଦେଶକୁ ବିଦ୍ୟୁତ୍ ରପ୍ତାନି ଶକ୍ତି କ୍ଷେତ୍ରରେ ଉପ - ଆଞ୍ଚଳିକ ସହଯୋଗର ପ୍ରଥମ ଉଦାହରଣ ପାଲଟିଛି । ଗୋଟିଏ ବର୍ଷରେ, ଏତେ ସଂଖ୍ୟକ ଅଞ୍ଚଳରେ ଏତେ ପରିମାଣର ପଦକ୍ଷେପ କାର୍ଯ୍ୟକାରୀ ହେବା ଆମ ସମ୍ପର୍କର ଗତି ଓ ବ୍ୟାପକତାକୁ ଦର୍ଶାଉଛି ।

ବନ୍ଧୁଗଣ,

ଆଜି ଆମେ ନୂତନ କ୍ଷେତ୍ରରେ ସହଯୋଗ ପାଇଁ ଏକ ଭବିଷ୍ୟତ ଦୃଷ୍ଟିକୋଣ ପ୍ରସ୍ତୁତ କରିଛୁ । ସବୁଜ ଭାଗିଦାରୀ, ଡିଜିଟାଲ ଭାଗିଦାରୀ, ସବୁଜ ଅର୍ଥନୀତି, ମହାକାଶ ଭଳି ଅନେକ କ୍ଷେତ୍ରରେ ସହଯୋଗ ପାଇଁ ହୋଇଥିବା ଚୁକ୍ତି ଦ୍ୱାରା ଉଭୟ ଦେଶର ଯୁବବର୍ଗ ଉପକୃତ ହେବେ । ଭାରତ - ବାଂଲାଦେଶ 'ମୈତ୍ରୀ ସାଟେଲାଇଟ୍‌' ଆମ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇଯିବ । ଯୋଗାଯୋଗ, ବାଣିଜ୍ୟ ଏବଂ ସହଯୋଗ ଉପରେ ଆମେ ଲକ୍ଷ୍ୟ କେନ୍ଦ୍ରୀଭୂତ କରୁଛୁ । ଗତ ୧୦ ବର୍ଷ ମଧ୍ୟରେ ଆମେ ୧୯୬୫ ପୂର୍ବରୁ ଥିବା ଯୋଗାଯୋଗକୁ ପୁନରୁଦ୍ଧାର କରିଛୁ । ଆମେ ବର୍ତ୍ତମାନ ଅଧିକ ଡିଜିଟାଲ ଏବଂ ଶକ୍ତି ସଂଯୋଗ ଉପରେ ଧ୍ୟାନ ଦେବୁ । ଏହାଦ୍ୱାରା ଉଭୟ ଦେଶର ଅର୍ଥନୀତିକୁ ପ୍ରୋତ୍ସାହନ ମିଳିବ । ଆମର ଅର୍ଥନୈତିକ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବା ପାଇଁ ଉଭୟ ପକ୍ଷ ସିଇପିଏ (ସିପା) ଉପରେ ଆଲୋଚନା ଆରମ୍ଭ କରିବାକୁ ରାଜି ହୋଇଛନ୍ତି । ବାଂଲାଦେଶର ସିରାଜଗଞ୍ଜ ଠାରେ ଏକ ଆଭ୍ୟନ୍ତରୀଣ କଣ୍ଟେନର ଡିପୋ ନିର୍ମାଣକୁ ଭାରତ ସମର୍ଥନ ଦେବ ।

ବନ୍ଧୁଗଣ,

ଭାରତ ଓ ବାଂଲାଦେଶକୁ ୫୪ଟି ନଦୀ ସଂଯୋଗ କରିଥାଏ । ବନ୍ୟା ପରିଚାଳନା, ଆଗୁଆ ଚେତାବନୀ ଏବଂ ପାନୀୟ ଜଳ ପ୍ରକଳ୍ପରେ ଆମେ ସହଯୋଗ କରି ଆସୁଛୁ । ୧୯୯୬ରେ ହୋଇଥିବା ଗଙ୍ଗା ଜଳ ଚୁକ୍ତିର ନବୀକରଣ ପାଇଁ ଆମେ ବୈଷୟିକ ସ୍ତରରେ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ । ବାଂଲାଦେଶର ତିସ୍ତା ନଦୀର ସଂରକ୍ଷଣ ଓ ପରିଚାଳନା ନେଇ ଏକ ବୈଷୟିକ ଗୋଷ୍ଠୀ ଖୁବ୍ ଶୀଘ୍ର ବାଂଲାଦେଶ ଗସ୍ତ କରିବ ।

ବନ୍ଧୁଗଣ,

ପ୍ରତିରକ୍ଷା ଉତ୍ପାଦନ ଠାରୁ ଆରମ୍ଭ କରି ସଶସ୍ତ୍ର ବାହିନୀର ଆଧୁନିକୀକରଣ ପର୍ଯ୍ୟନ୍ତ ପ୍ରତିରକ୍ଷା ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ବିସ୍ତୃତ ଆଲୋଚନା କରିଥିଲୁ । ଆତଙ୍କବାଦ ମୁକାବିଲା, ଉଗ୍ରବାଦ ଏବଂ ସୀମାର ଶାନ୍ତିପୂର୍ଣ୍ଣ ପରିଚାଳନା ଉପରେ ଆମର ସମ୍ପର୍କକୁ ସୁଦୃଢ଼ କରିବାକୁ ଆମେ ନିଷ୍ପତ୍ତି ନେଇଛୁ । ଭାରତ ମହାସାଗର ଅଞ୍ଚଳ ପାଇଁ ମଧ୍ୟ ଆମର ସମାନ ଦୃଷ୍ଟିକୋଣ ରହିଛି । ଭାରତ - ପ୍ରଶାନ୍ତ ମହାସାଗର ପଦକ୍ଷେପରେ ସାମିଲ ହେବା ପାଇଁ ବାଂଲାଦେଶର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ବିମ୍‌ଷ୍ଟେକ ସମେତ ଅନ୍ୟ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ଆମେ ଆମର ସହଯୋଗ ଜାରି ରଖିବୁ ।

ବନ୍ଧୁଗଣ,

ଆମର ମିଳିତ ସଂସ୍କୃତି ଏବଂ ଲୋକମାନଙ୍କ ମଧ୍ୟରେ ସ୍ଫୁର୍ତ୍ତିଶୀଳ ଭାବବିନିମୟ ହେଉଛି ଆମ ସମ୍ପର୍କର ମୂଳଦୁଆ । ଆମେ ବୃତ୍ତି, ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ । ଚିକିତ୍ସା ପାଇଁ ବାଂଲାଦେଶରୁ ଭାରତକୁ ଆସୁଥିବା ଲୋକମାନଙ୍କ ପାଇଁ ଭାରତ ଇ – ମେଡିକାଲ ଭିସା ସୁବିଧା ଆରମ୍ଭ କରିବ । ବାଂଲାଦେଶର ଉତ୍ତର - ପଶ୍ଚିମ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ଆମେ ରଙ୍ଗପୁରରେ ଏକ ନୂତନ ଆସିଷ୍ଟାଣ୍ଟ ହାଇକମିଶନ ଖୋଲିବାକୁ ନିଷ୍ପତ୍ତି ନେଇଛୁ । ଆଜି ସନ୍ଧ୍ୟାରେ ଖେଳାଯିବାକୁ ଥିବା କ୍ରିକେଟ ୍ ବିଶ୍ୱକପ୍ ମ୍ୟାଚ୍ ପାଇଁ ମୁଁ ଉଭୟ ଦଳକୁ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ବାଂଲାଦେଶ ହେଉଛ ଭାରତର ବୃହତ୍ତମ ବିକାଶ ସହଯୋଗୀ ଏବଂ ଆମେ ବାଂଲାଦେଶ ସହ ଆମର ସମ୍ପର୍କକୁ ଉଚ୍ଚ ପ୍ରାଥମିକତା ଦେଉଛୁ । ବଙ୍ଗବନ୍ଧୁଙ୍କର ଏକ ସ୍ଥିର, ସମୃଦ୍ଧ ଏବଂ ପ୍ରଗତିଶୀଳ ବାଂଲାଦେଶର ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ଭାରତର ପ୍ରତିବଦ୍ଧତାକୁ ଦୋହରାଉଛି । ୨୦୨୬ରେ ବାଂଲାଦେଶ ବିକାଶଶୀଳ ରାଷ୍ଟ୍ର ହେବାକୁ ଯାଉଛି । "ସୋନାର ବଙ୍ଗଳା"କୁ ନେତୃତ୍ୱ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଅଭିନନ୍ଦନ ଜଣାଉଛି ।ମୋର ବିଶ୍ୱାସ ଯେ ଆମେ ସମସ୍ତେ ମିଶି ' ବିକଶିତ ଭାରତ ୨୦୪୭' ଏବଂ 'ସ୍ମାର୍ଟ ବାଂଲାଦେଶ ୨୦୪୧'ର ସଂକଳ୍ପକୁ ବାସ୍ତବ ରୂପ ଦେବୁ ।

ବହୁତ ବହୁତ ଧନ୍ୟବାଦ ।

***

SSP


 



(Release ID: 2027955) Visitor Counter : 33