ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଅଷ୍ଟାଦଶ ଏମଆଇଏଫଏଫରେ ଚଳଚ୍ଚିତ୍ର ନିର୍ମାଣ ସମ୍ପର୍କରେ ଅଭିଜ୍ଞତା ବାଣ୍ଟିଲେ ଜାତୀୟ ପୁରସ୍କାର ବିଜେତା ନେମିଲ ଶାହ



‘‘ଜୀବନକୁ ଏକ ଖେଳ ଭାବରେ ଖୋଜନ୍ତୁ, ଏହା ଆପଣଙ୍କ ନିର୍ମାଣ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବ’’

‘‘ସୃଷ୍ଟିକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ଜଣେ ସ୍ରଷ୍ଟାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା”

“ନିଜ ପାଇଁ ଆବେଗପୂର୍ଣ୍ଣ ଫିଲ୍ମ ତିଆରି କରନ୍ତୁ, ପରିଶେଷରେ ଏହା ନିଜର ଭାଗ୍ୟକୁ ଖୋଜିନେବ”

Posted On: 19 JUN 2024 1:53PM by PIB Bhubaneshwar

ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମ୍‌ଆଇଏଫ୍‌ଏଫ୍ ) ଅବସରରେ ଆୟୋଜିତ ଏକ ମାଷ୍ଟରକ୍ଲାସରେ ଆଜି ନିର୍ଦ୍ଦେଶକ ନେମିଲ ଶାହ କହିଛନ୍ତି ଯେ, ‘‘ମାନବ ଜୀବନ କେବଳ ଏକ ଚିତାକର୍ଷକ ଖେଳ, ଭାବନା ଏବଂ ଘଟଣାରେ ପରିପୂର୍ଣ୍ଣ ଏକ ରହସ୍ୟ ବ୍ୟତୀତ ଆଉ କିଛି ନୁହେଁ ଆସନ୍ତୁ ଏହାକୁ ଗ୍ରହଣ କରି କିଛି ନିଆରା ଏବଂ ଆକର୍ଷଣୀୟ ପରିବେଶ ସୃଷ୍ଟି କରିବା ।’’ ଯୁବ ଚଳଚ୍ଚିତ୍ର ନିର୍ମାତା ନିଜ ସୃଷ୍ଟିକୁ ସମ୍ପୂର୍ଣ୍ଣ ଭାବରେ ବୁଝିବାର ଗଭୀର ମହତ୍ତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ‘‘ଜଣେ ସ୍ରଷ୍ଟା ଭାବରେ, ଆପଣ ଆଗକୁ ବଢ଼ିବା ପୂର୍ବରୁ ଆପଣଙ୍କ ସୃଷ୍ଟିକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ଏବଂ ଅନୁଭବ କରିବା ଆବଶ୍ୟକ,’’ ବୋଲି କହିବା ସହିତ ସେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସେମାନଙ୍କର କଳାତ୍ମକ ପ୍ରକ୍ରିୟା ଉପରେ ଗଭୀର ଭାବରେ ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ ।

ନିର୍ଦ୍ଦେଶକ ନେମିଲ ଶାହ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣରେ ଧ୍ୱନିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ସେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସେମାନଙ୍କ କାର୍ଯ୍ୟରେ ଧ୍ୱନିର ଦିଗ ଉପରେ ଧ୍ୟାନ ଦେବାକୁ ଉତ୍ସାହିତ କରିଥିଲେ ଏବଂ ଚଳଚ୍ଚିତ୍ରର ସାମଗ୍ରିକ ପ୍ରଭାବକୁ ବଢ଼ାଇବାରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ନିଜେ ନିଜକୁ ଶୁଣନ୍ତୁ, ନିଜ ଆଖପାଖରେ ଥିବା ଧ୍ୱନି ବିଷୟରେ ସଚେତନ ରୁହନ୍ତୁ । କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଶବ୍ଦ ସୃଷ୍ଟି କରିବା ଏକ କଳା ବୋଲି ସେ କହିଥିଲେ ।

​​​​​​​

କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କଳା ଉପରେ ବକ୍ତବ୍ୟ ରଖି ଏହି ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସ୍ଥାନ, ସମୟ, ସରଞ୍ଜାମ ଏବଂ ଦର୍ଶକଙ୍କ ପସନ୍ଦ ଭଳି ସୀମା ଭିତରେ ସୀମିତ ନ ହୋଇ ସେମାନଙ୍କ ହୃଦୟରେ ପ୍ରତିଫଳିତ ହେଉଥିବା ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ । ‘‘ନିଜ ପାଇଁ ଆବେଗପୂର୍ଣ୍ଣ ଚଳଚ୍ଚିତ୍ର ତିଆରି କରନ୍ତୁ, ସେସବୁ ପରିଶେଷରେ ନିଜର ଭାଗ୍ୟ ଖୋଜିନେବେ । ଅଣ-ସୃଜନଶୀଳ ପ୍ରସଙ୍ଗ ପରିବର୍ତ୍ତେ ସୃଜନଶୀଳ ଉପାଦାନ ଉପରେ ଅଧିକ ଧ୍ୟାନ ଦିଅନ୍ତୁ’’ ବୋଲି ସେ ମତ ଦେଇଥିଲେ ।

ପାଣ୍ଠି ଏବଂ ସରଞ୍ଜାମ ଭଳି ପ୍ରତିବନ୍ଧକ ଉପରେ ଆଲୋକପାତ କରି ନେମିଲ କହିଛନ୍ତି ଯେ, ସର୍ବନିମ୍ନ ସମ୍ବଳ ଏବଂ ବଜେଟ୍‌ରେ ମଧ୍ୟ ଉତ୍କୃଷ୍ଟ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରାଯାଇପାରିବ । ‘‘ବୈଷୟିକ ଜ୍ଞାନକୌଶଳରେ ପ୍ରଗତି ସହିତ, ଆଜିକାଲି ଜଣେ ମୋବାଇଲ ଏବଂ କିଛି ସର୍ବନିମ୍ନ ଆନୁଙ୍ଗିକ ଉପକରଣ ଏବଂ ଲେନ୍ସ ବ୍ୟବହାର କରି ଏକ ବହୁତ ଭଲ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିପାରିବ’’ ବୋଲି ସେ ମତ ଦେଇଥିଲେ ।

ଉପଯୁକ୍ତ ଯୋଜନା ଏବଂ ନିରନ୍ତର ନିଷ୍ଠା ଉପରେ ଗୁରୁତ୍ୱାରୋପ କରିବା ସହିତ ନେମିଲ ଶାହ ଚଳଚ୍ଚିତ୍ର ନିର୍ମାତାଙ୍କୁ ପରାମର୍ଶ ଦେଇଥିଲେ ଯେ, ‘‘କ୍ଷୁଦ୍ର ଚଳଚ୍ଚିତ୍ରକୁ ଫିଚର ଫିଲ୍ମ (କଥାଚିତ୍ର) କିମ୍ବା ସୀମିତ କଳାର ପ୍ରବେଶ ଦ୍ୱାର ଭାବରେ ଗ୍ରହଣ କରନ୍ତୁ ନାହିଁ । ଜୀବନ ଓ ସମାଜର ପର୍ଯ୍ୟବେକ୍ଷଣକୁ ନିଜ କଳା ମାଧ୍ୟମରେ ଚିତ୍ରଣ କରନ୍ତୁ । ଉପଯୁକ୍ତ ଯୋଜନା ସହିତ ଆଗକୁ ବଢ଼ନ୍ତୁ ଏବଂ ଚେଷ୍ଟା ଜାରି ରଖନ୍ତୁ’’, ବୋଲି ସେ ପରାମର୍ଶ ଦେଇଥିଲେ ।

ନେମିଲ ଶାହଙ୍କ ସମ୍ପର୍କରେ

ନେମିଲ ଶାହା ଜାମନଗରର ଜଣେ କଳାକାର, ଯିଏକି ମୁଖ୍ୟତଃ ଚଳଚ୍ଚିତ୍ର ଏବଂ ଭିଡିଓ ସଂସ୍ଥାପନ କ୍ଷେତ୍ରରେ କାମ କରନ୍ତି । ତାଙ୍କର ପ୍ରଥମ କ୍ଷୁଦ୍ର ଚଳଚ୍ଚିତ୍ର ଡାଲ - ଭାତଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ବିଭିନ୍ନ ପ୍ରଶଂସା ପାଇବା ସହ ଓସ୍କାରରେ ମଧ୍ୟ ଆନୁଷ୍ଠାନିକ ପ୍ରବେଶ କରିଥିଲା । ୨୦୨୩ ମସିହାରେ ସେ ପେରୁ ର ଆମାଜନ ରେନଫରେଷ୍ଟରେ ‘‘୯-୩’’ ନାମକ ଏକ ଭିଡିଓ ଚଳଚ୍ଚିତ୍ର କରିଥିଲେ, ଯାହା ନିକଟରେ ଆପିଚାଟପୋଙ୍ଗ ୱିରାସେଥାକୁଲଙ୍କ ଭଳି କଳାକାରଙ୍କ କୃତି ସହିତ ପ୍ରିମିୟର ହୋଇଥିଲା । ନିକଟରେ ସେ ଏକ ସୁପର ୮ ମିଲିମିଟର ଫିଲ୍ମ ଶେଷ କରିଛନ୍ତି, ଯାହା କି ଥାଇଲାଣ୍ଡ ବିଏନାଲେ, ୨୦୨୪ର ଏକ ଅଂଶ ଅଟେ । ତାଙ୍କର ପ୍ରଥମ ଫିଚର ଫିଲ୍ମ ସେଭେନ୍ ଟୁ ସେଭେନ୍‌ର ନିର୍ମାଣ ଖୁବଶୀଘ୍ର ନିର୍ମାଣ ଆରମ୍ଭ ହେବ । ୨୪ ବର୍ଷୀୟ ନେମିଲ ହେଉଛନ୍ତି ଅଷ୍ଟାଦଶ ଏମଆଇଏଫଏଫ ୨୦୨୪ର ସର୍ବକନିଷ୍ଠ ମାଷ୍ଟର କ୍ଲାସ ବକ୍ତା ।

 

******

SSP



(Release ID: 2026786) Visitor Counter : 18