ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀ ଠାରେ ଜାମ୍ମୁ - କାଶ୍ମୀରର ସୁରକ୍ଷା ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି


ଜାମ୍ମୁ ଡିଭିଜନରେ କ୍ଷେତ୍ର ପ୍ରଭୂତ୍ୱ ଯୋଜନା ଏବଂ ଶୂନ୍ୟ ଆତଙ୍କବାଦ ଯୋଜନା ଜରିଆରେ କାଶ୍ମୀର ଉପତ୍ୟକାରେ ହାସଲ ହୋଇଥିବା ସଫଳତାକୁ ଦୋହରାଇବାକୁ ଏଜେନ୍ସିଗୁଡ଼ିକୁ କେନ୍ଦ୍ର ଗୃହ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

ଅଭିନବ ଉପାୟରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କରିବାକୁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ

ମିଶନ ମୋଡରେ କାମ କରିବା ଏବଂ ସମନ୍ୱିତ ଢଙ୍ଗରେ ତ୍ୱରିତ ପ୍ରତିକ୍ରିୟା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରୀ ସମସ୍ତ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ, ଜାମ୍ମୁ- କାଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ପର୍ଯ୍ୟାୟରେ ରହିଛି, ସାମ୍ପ୍ରତିକ ଘଟଣା ଦର୍ଶାଉଛି ଯେ ଆତଙ୍କବାଦ ଅତ୍ୟନ୍ତ ସଂଗଠିତ ଆତଙ୍କବାଦୀ ହିଂସାରୁ କେବଳ ଛଦ୍ମ ଯୁଦ୍ଧରେ ପରିଣତ ହେବାକୁ ବାଧ୍ୟ ହୋଇଛି, ଆମେ ଏହାକୁ ମୂଳପୋଛ କରିବାକୁ ସଂକଳ୍ପବଦ୍ଧ

ଶ୍ରୀ ଅମିତ ଶାହ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବା ଏବଂ ସେହି ଅଞ୍ଚଳର ସୁରକ୍ଷା ଭଳି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଦୋହରାଇ ଗୃହ ମନ୍ତ୍ରୀ କହିଥିଲେ ଯେ, ଜାମ୍ମୁ - କାଶ୍ମୀରରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସରକାର କୌଣସି ଉପାୟ ଛାଡ଼ିବେ ନାହିଁ

ଜାମ୍ମୁ - କାଶ୍ମୀରରେ ଲୋକସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟର ଅଂଶଗ୍ରହଣ କରିଥିବା ବେଳେ ଏହା ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ସୁରକ୍ଷା ଏଜେନ୍ସି ଏବଂ ଜାମ୍ମୁ - କାଶ୍ମୀର ପ୍ରଶାସନକୁ ପ୍ରଶଂସା କଲେ କେନ୍ଦ୍ର ଗୃହ ମନ୍ତ୍ରୀ

Posted On: 16 JUN 2024 5:11PM by PIB Bhubaneshwar

କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀ ଠାରେ ଜାମ୍ମୁ -କାଶ୍ମୀରର ସୁରକ୍ଷା ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ  ଗଭର୍ଣ୍ଣର ମନୋଜ ସିହ୍ନା, ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ, ସେନା ମୁଖ୍ୟ (ଅଧିକାରପ୍ରାପ୍ତ) ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ସିଏପିଏଫର ମହାନିର୍ଦ୍ଦେଶକ, ଜାମ୍ମୁ - କାଶ୍ମୀରର ମୁଖ୍ୟ ଶାସନ ସଚିବ, ଜାମ୍ମୁ – କାଶ୍ମୀରର ଡିଜିପିଙ୍କ ସମେତ ବରିଷ୍ଠ ସେନା ଅଧିକାରୀମାନେ ଉପସ୍ଥିତ ଥିଲେ ।

ଜାମ୍ମୁ ଡିଭିଜନରେ କ୍ଷେତ୍ର ପ୍ରଭୂତ୍ୱ ଯୋଜନା (ଏରିଆ ଡୋମିନେସନ ପ୍ଲାନ୍‌) ଏବଂ ଶୂନ୍ୟ ଆତଙ୍କବାଦ ଯୋଜନା  (ଜିରୋ ଟେରର ପ୍ଲାନ୍‌) ଜରିଆରେ କାଶ୍ମୀର ଉପତ୍ୟକାରେ ହାସଲ ହୋଇଥିବା ସଫଳତାକୁ ଦୋହରାଇବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ସୁରକ୍ଷା ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଅଭିନବ ଉପାୟରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଉଦାହରଣ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଶ୍ରୀ ଅମିତ ଶାହ ସମସ୍ତ ସୁରକ୍ଷା ଏଜେନ୍ସିମାନଙ୍କୁ ମିଶନ ମୋଡରେ କାର୍ଯ୍ୟ କରିବାକୁ ଏବଂ ସମନ୍ୱିତ ଢଙ୍ଗରେ ତ୍ୱରିତ ପ୍ରତିକ୍ରିୟା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ଜାମ୍ମୁ - କାଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ପର୍ଯ୍ୟାୟରେ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସାମ୍ପ୍ରତିକ ଘଟଣାରୁ ଜଣାପଡ଼ୁଛି ଯେ ଆତଙ୍କବାଦ ଅତ୍ୟନ୍ତ ସଂଗଠିତ ଆତଙ୍କବାଦୀ ହିଂସା ଭଳି କାର୍ଯ୍ୟରୁ କେବଳ ଛଦ୍ମ ଯୁଦ୍ଧରେ ପରିଣତ ହେବାକୁ ବାଧ୍ୟ ହୋଇଛି । ଏହାକୁ ମଧ୍ୟ ମୂଳପୋଛ କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।

ଶ୍ରୀ ଅମିତ ଶାହ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବା ଏବଂ ସେହି ଅଞ୍ଚଳର ସୁରକ୍ଷା ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇ ଗୃହ ମନ୍ତ୍ରୀ କହିଛନ୍ତି ଯେ ଜାମ୍ମୁ - କାଶ୍ମୀରରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସରକାର କୌଣସି ଉପାୟ ଛାଡ଼ିବେ ନାହିଁ ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ , ଭାରତ ସରକାରଙ୍କ ପ୍ରୟାସ କାଶ୍ମୀର ଉପତ୍ୟକାରେ ବହୁତ ସକାରାତ୍ମକ ଫଳାଫଳ ଆଣିଛି ଏବଂ ଆତଙ୍କବାଦ ସମ୍ବନ୍ଧୀୟ ଘଟଣାରେ ଉଲ୍ଲେଖନୀୟ ହ୍ରାସ ଘଟିଛି । କାଶ୍ମୀର ଉପତ୍ୟକାକୁ ପର୍ଯ୍ୟଟକଙ୍କ ରେକର୍ଡ ପ୍ରବାହ ହେବା ଆଇନଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ହୋଇଥିବା ପ୍ରତିଫଳିତ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଜାମ୍ମୁ - କାଶ୍ମୀରରେ ଲୋକସଭା ନିର୍ବାଚନରେ ରେକର୍ଡ ମତଦାନ ହୋଇଥିବାବେଳେ ଏହା  ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ସୁରକ୍ଷା ଏଜେନ୍ସି ଏବଂ ଜାମ୍ମୁ - କାଶ୍ମୀର ପ୍ରଶାସନକୁ ଶ୍ରୀ ଶାହ ପ୍ରଶଂସା କରିଥିଲେ ।

*****

SSP

 



(Release ID: 2025765) Visitor Counter : 42