ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
ଡିପିଆଇଆଇଟି ଫ୍ଲିପକାର୍ଟ ଏବଂ ଭାରତୀୟ ଖେଳନା ଶିଳ୍ପ ସହିତ କର୍ମଶାଳା ଆୟୋଜନ କରିଛି
ଭାରତୀୟ ଖେଳନା ଶିଳ୍ପକୁ ସୁଦୃଢ଼ କରିବା ପାଇଁ ଇ-କମର୍ସ ବଜାରରୁ ଉଦୀୟମାନ ସୁଯୋଗର ଲାଭ ଉଠାଇବାକୁ ଗୁରୁତ୍ଵ
प्रविष्टि तिथि:
12 JUN 2024 4:10PM by PIB Bhubaneshwar
ବଢୁଥିବା ଭାରତୀୟ ଖେଳନା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଡିପିଆଇଆଇଟି ଆଜି ନୂଆଦିଲ୍ଲୀରେ "ଫ୍ଲିପକାର୍ଟ ଏବଂ ଭାରତୀୟ ଖେଳନା ଶିଳ୍ପ ସହିତ ଏକ କର୍ମଶାଳା" ଆୟୋଜନ କରିଛି, ଯାହା ଖେଳନା କ୍ଷେତ୍ରରେ ଅଧିକ ଅଭିବୃଦ୍ଧି, ଘରୋଇ ଉପଭୋକ୍ତା ବୃଦ୍ଧି ଏବଂ କର୍ମଚାରୀଙ୍କୁ ଦକ୍ଷ/ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଭାରତୀୟ ଖେଳନା ଶିଳ୍ପର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଇ-କମର୍ସ ବଜାରରୁ ଉଦୀୟମାନ ସୁଯୋଗଗୁଡ଼ିକୁ କିପରି ଉପଯୋଗ କରାଯାଇପାରିବ ତାହା ଉପରେ ଆଲୋଚନାରେ ବିଶେଷ ଧ୍ୟାନ ଦିଆଯାଇଥିଲା ।
ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡି.ପି.ଆଇ.ଆଇ.ଟି)ର ସଚିବ ରାଜେଶ କୁମାର ସିଂହ ଅଂଶଗ୍ରହଣକାରୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଖେଳନା ଶିଳ୍ପ ପାଇଁ ଏକ ଉନ୍ନତ ପରିବେଶ ସୃଷ୍ଟି କରିବା ପାଇଁ ଭାରତ ସରକାର ଦୃଢ଼ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ଏହି କ୍ଷେତ୍ରକୁ ଏକ ଚାମ୍ପିୟନ କ୍ଷେତ୍ର ଭାବରେ ଚିହ୍ନଟ କରିଛନ୍ତି, ଯେଉଁଥିରେ 'ମେଡ୍ ଇନ୍ ଇଣ୍ଡିଆ' ଖେଳନା ପାଇଁ ଏକ ବିଶ୍ୱସ୍ତରୀୟ ବଜାର ସୃଷ୍ଟି କରିବାର ଦୀର୍ଘମିଆଦୀ ଲକ୍ଷ୍ୟ ରହିଛି। ଏହି କ୍ଷେତ୍ରର ସୁଦୃଢ଼ତା ବୃଦ୍ଧି ପାଇଁ ସବୁ ଦିଗରେ ଶିଳ୍ପ ସହ ମିଶି କାର୍ଯ୍ୟ କରି ଏକ ସାମଞ୍ଜସ୍ୟ ପୂର୍ଣ୍ଣ ଦୃଷ୍ଟିକୋଣ ଅନୁସରଣ କରାଯାଉଛି।
ଡିପିଆଇଆଇଟିର ଯୁଗ୍ମ ସଚିବ ଶ୍ରୀ ସଞ୍ଜୀବ କହିଛନ୍ତି ଯେ ଭାରତୀୟ ଖେଳନା ଶିଳ୍ପର ସଫଳତା ରପ୍ତାନି ବୃଦ୍ଧି, ଉତ୍ପାଦନ ଇକୋସିଷ୍ଟମର ଦୃଢ଼ତା ବୃଦ୍ଧି ଏବଂ ଆମଦାନୀ ନିର୍ଭରଶୀଳତା ହ୍ରାସ ରେ ପ୍ରତିଫଳିତ ହେଉଛି । ମୁଁ ଏହା କହିବାକୁ ଆନନ୍ଦିତ ଯେ ଭାରତୀୟ ଖେଳନା ଶିଳ୍ପ ଆମେରିକା, ବ୍ରିଟେନ, ଜର୍ମାନୀ, ନେଦରଲାଣ୍ଡ, ଡେନମାର୍କ ଏବଂ ଏପରିକି ଚୀନ୍ ସମେତ ୧୦୦ରୁ ଅଧିକ ଦେଶରେ ଏହାର ବିଶ୍ୱସ୍ତରୀୟ ଉପସ୍ଥିତିବିସ୍ତାର କରିଛି । ଖେଳନା ଶିଳ୍ପର ପରବର୍ତ୍ତୀ ପଦକ୍ଷେପ ହେଉଛି ଅନଲାଇନ୍ ମାଧ୍ୟମର ପ୍ରଭାବଶାଳୀ ବ୍ୟବହାର ମାଧ୍ୟମରେ ଅନ୍ତର୍ଜାତୀୟ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବା।
"ଫ୍ଲିପକାର୍ଟ ଏବଂ ଇଣ୍ଡିଆନ୍ ଟୟ ଇଣ୍ଡଷ୍ଟ୍ରିର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳା ଘରୋଇ ଖେଳନା ନିର୍ମାତାମାନଙ୍କୁ ଅନଲାଇନ୍ ବିକ୍ରିର ସୂକ୍ଷ୍ମତାକୁ ବୁଝିବାରେ ସାହାଯ୍ୟ କରିଥିଲା, ଯାହା ଦ୍ୱାରା "ଖେଳନା ଅର୍ଥନୀତି" ନିର୍ମାଣ ଦିଗରେ ଏକ ପାଦ ଆଗକୁ ବଢ଼ିଥିଲା । ଏହି କର୍ମଶାଳାରେ ଫ୍ଲିପକାର୍ଟ ଏବଂ ଘରୋଇ ଖେଳନା ଶିଳ୍ପର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।
*****
NS/SLP
(रिलीज़ आईडी: 2025359)
आगंतुक पटल : 75