ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ବିଜ୍ଞାପନ ପ୍ରକାଶ କରିବା ପୂର୍ବରୁ ବିଜ୍ଞାପନଦାତା/ବିଜ୍ଞାପନ ଏଜେନ୍ସିମାନଙ୍କ ଦ୍ୱାରା ସ୍ୱ-ଘୋଷଣାପତ୍ର ଦାଖଲ କରିବାକୁ ବାଧ୍ୟତାମୂଳକ କଲେ ସୁପ୍ରିମକୋର୍ଟ


୧୮ ଜୁନ୍, ୨୦୨୪ରୁ ସମସ୍ତ ନୂଆ ବିଜ୍ଞାପନ ପାଇଁ ସ୍ୱ-ଘୋଷଣା ପ୍ରମାଣପତ୍ର ବାଧ୍ୟତାମୂଳକ ହେବ

ଟିଭି/ରେଡିଓ ବିଜ୍ଞାପନ ପାଇଁ ବିଜ୍ଞାପନଦାତାମାନେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରସାରଣ ସେବା ପୋର୍ଟାଲରେ ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲ କରିବେ

ପ୍ରିଣ୍ଟ ଓ ଡିଜିଟାଲ୍ ମିଡିଆ ବିଜ୍ଞାପନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ପୋର୍ଟାଲରେ ଦାଖଲ ହେବ ପ୍ରମାଣପତ୍ର

Posted On: 03 JUN 2024 6:32PM by PIB Bhubaneshwar

 

କୌଣସି ବିଜ୍ଞାପନ ପ୍ରକାଶ କିମ୍ବା ପ୍ରସାରଣ କରିବା ପୂର୍ବରୁ ସମସ୍ତ ବିଜ୍ଞାପନଦାତା / ବିଜ୍ଞାପନ ଏଜେନ୍ସି 'ସେଲ୍ଫ-ଡିକ୍ଲାରେସନ୍ ସାର୍ଟିଫିକେଟ୍' ବା ‘ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରିଟ୍ ପିଟିସନ ସିଭିଲ ସଂଖ୍ୟା ୬୪୫/୨୦୨୨-ଆଇଏମଏ ଏବଂ ଏଏନଆର ବନାମ ୟୁଓଆଇ ଆଣ୍ଡ ଅନ୍ୟାନ୍ୟଙ୍କ ମାମଲାରେ ୦୭.୦୫.୨୦୨୪ ରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟିଭି ଓ ରେଡିଓ ବିଜ୍ଞାପନ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରସାରଣ ସେବା ପୋର୍ଟାଲରେ ଏବଂ ପ୍ରିଣ୍ଟ ଓ ଡିଜିଟାଲ/ଇଣ୍ଟରନେଟ୍ ବିଜ୍ଞାପନ ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆର ପୋର୍ଟାଲରେ ଏକ ନୂଆ ଫିଚର ବା ବୈଶିଷ୍ଟ୍ୟ ଆରମ୍ଭ କରିଛି । ବିଜ୍ଞାପନଦାତା/ବିଜ୍ଞାପନ ଏଜେନ୍ସିର ଜଣେ ଅଧିକୃତ ପ୍ରତିନିଧିଙ୍କ ଦ୍ୱାରା ସ୍ୱାକ୍ଷରିତ ପ୍ରମାଣପତ୍ର ଏହି ପୋର୍ଟାଲ ମାଧ୍ୟମରେ ଦାଖଲ କରିବା ଆବଶ୍ୟକ।

ଏହି ପୋର୍ଟାଲ ୪ ଜୁନ୍ ୨୦୨୪ରେ କାର୍ଯ୍ୟକ୍ଷମ ହେବ। ୧୮ ଜୁନ୍, ୨୦୨୪ କିମ୍ବା ତା'ପରେ ଜାରି/ପ୍ରସାରଣ/ପ୍ରକାଶିତ ହେବାକୁ ଥିବା ସମସ୍ତ ନୂତନ ବିଜ୍ଞାପନ ପାଇଁ ସମସ୍ତ ବିଜ୍ଞାପନଦାତା ଏବଂ ବିଜ୍ଞାପନ ଏଜେନ୍ସିମାନଙ୍କ ଦ୍ୱାରା ସ୍ୱ-ଘୋଷଣା ପ୍ରମାଣପତ୍ର ପ୍ରାପ୍ତ କରିବା ଆବଶ୍ୟକ । ସମସ୍ତ ଅଂଶୀଦାରଙ୍କୁ ସ୍ୱ-ପ୍ରମାଣପତ୍ର ପ୍ରକ୍ରିୟା ସହିତ ପରିଚିତ ହେବା ପାଇଁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ପାଇଁ ଦୁଇ ସପ୍ତାହର ବଫର ଅବଧି ରଖାଯାଇଛି। ଜାରି ରହିଥିବା ବିଜ୍ଞାପନରେ ବର୍ତ୍ତମାନ ସ୍ୱ- ଘୋଷଣା ପ୍ରମାଣପତ୍ର ର ଆବଶ୍ୟକତା ନାହିଁ ।

ବିଜ୍ଞାପନରେ ବିଭ୍ରାନ୍ତିକର ଦାବି ନାହିଁ, ଏବଂ (ii) କେବୁଲ ଟେଲିଭିଜନ ନେଟୱାର୍କ ନିୟମ, 1994 ର ନିୟମ 7 ଏବଂ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସାମ୍ବାଦିକତା ଆଚରଣ ସଂହିତା ସମେତ ସମସ୍ତ ପ୍ରାସଙ୍ଗିକ ନିୟାମକ ନିର୍ଦ୍ଦେଶାବଳୀକୁ ବିଜ୍ଞାପନରେ ପାଳନ କରାଯାଇଛି ବୋଲି ଦର୍ଶାଇବା ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲର ଉଦ୍ଦେଶ୍ୟ। ସମ୍ପୃକ୍ତ ପ୍ରସାରଣକାରୀ, ମୁଦ୍ରାକର (ପ୍ରିଣ୍ଟର୍‌), ପ୍ରକାଶକ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସେମାନଙ୍କ ରେକର୍ଡ ପାଇଁ ବିଜ୍ଞାପନଦାତା ସ୍ୱ-ଘୋଷଣା ପ୍ରମାଣପତ୍ର ଅପଲୋଡ୍ କରିବାର ପ୍ରମାଣ ପ୍ରଦାନ କରିବା ଆବଶ୍ୟକ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବୈଧ ସ୍ୱ-ଘୋଷଣା ପ୍ରମାଣପତ୍ର ବିନା ଟେଲିଭିଜନ, ପ୍ରିଣ୍ଟ ମିଡିଆ କିମ୍ବା ଇଣ୍ଟରନେଟରେ କୌଣସି ବିଜ୍ଞାପନ ଚଳାଇବାକୁ ଅନୁମତି ଦିଆଯିବ ନାହିଁ।

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସ୍ୱଚ୍ଛତା, ଉପଭୋକ୍ତା ସୁରକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ବିଜ୍ଞାପନ ଅଭ୍ୟାସ ସୁନିଶ୍ଚିତ କରିବା ଦିଗରେ ଏକ ପଦକ୍ଷେପ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ବିଜ୍ଞାପନଦାତା, ପ୍ରସାରଣକାରୀ ଏବଂ ପ୍ରକାଶକମାନଙ୍କୁ ଏହି ନିର୍ଦ୍ଦେଶନାମାକୁ ନିଷ୍ଠାର ସହ ପାଳନ କରିବାକୁ ଅନୁରୋଧ କରିଛି।

ସ୍ୱ-ଘୋଷଣା ପ୍ରମାଣପତ୍ର ଉପରେ ବିସ୍ତୃତ ମାର୍ଗଦର୍ଶିକା ପାଇଁ ଏଠାରେ କ୍ଲିକ୍ କରନ୍ତୁ

(ବିଏସପି ଏବଂ ପିସିଆଇ ପୋର୍ଟାଲ ପାଇଁ QR କୋଡ୍ ସହିତ ଏମ୍ବେଡ୍ ଲିଙ୍କ୍)

 

**********

P.S/Swadhin/PIB Bhubaneswar

 



(Release ID: 2022702) Visitor Counter : 202