କ୍ୟାବିନେଟ
azadi ka amrit mahotsav

୧୨ଟି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥ - ବେରିଲିୟମ, କ୍ୟାଡମିୟମ, କୋବାଲ୍ଟ, ଗାଲିୟମ, ଇଣ୍ଡିୟମ, ରେନିୟମ, ସେଲେନିୟମ, ଟାଣ୍ଟାଲମ୍‌, ଟେଲୁରିୟମ, ଟାଇଟାନିୟମ, ଟଙ୍ଗଷ୍ଟନ୍ ଏବଂ ଭାନାଡିୟମ୍ ଖନନ ପାଇଁ ରୟାଲଟି ଦରକୁ ଅନୁମୋଦନ କରିଛନ୍ତି

प्रविष्टि तिथि: 29 FEB 2024 3:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥ ଯଥା ବେରିଲିୟମ୍‌, କ୍ୟାଡମିୟମ, କୋବାଲ୍ଟ, ଗାଲିୟମ୍‌, ଇଣ୍ଡିୟମ୍‌, ରେନିୟମ, ସେଲେନିୟମ, ଟାଣ୍ଟାଲୁମ୍‌, ଟେଲୁରିୟମ୍‌, ଟାଇଟାନିୟମ୍‌, ଟଙ୍ଗଷ୍ଟନ୍ ଏବଂ ଭାନାଡିୟମ୍ ସମ୍ବନ୍ଧରେ ରୟାଲଟି ଦର ନିର୍ଦ୍ଧାରଣ କରିବା ପାଇଁ ଖଣି ଓ ଖଣିଜ (ବିକାଶ ଏବଂ ନିୟମାବଳୀ) ଆଇନ, ୧୯୫୭ ('ଏମ୍‌ଏମଡିଆର ଆକ୍ଟ')ର ଦ୍ୱିତୀୟ ଅନୁସୂଚୀ ସଂଶୋଧନକୁ ଅନୁମୋଦନ ମିଳିଛି । 

ଏହା ଦ୍ୱାରା ସମସ୍ତ ୨୪ଟି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥ ପାଇଁ ରୟାଲଟି ଦରକୁ ଯୁକ୍ତିସଙ୍ଗତ କରିବା ପାଇଁ ପ୍ରକ୍ରିୟା ଶେଷ ହୋଇଛି । ସୂଚନାଯୋଗ୍ୟ, ସରକାର ୨୦୨୨ ମାର୍ଚ୍ଚ ୧୫ ତାରିଖରେ ୪ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଯଥା ଗ୍ଲାକୋନାଇଟ୍‌, ପୋଟାସ୍‌, ମଲିବଡେନମ୍ ଏବଂ ପ୍ଲାଟିନମ୍ ଗ୍ରୁପ୍ ଅଫ୍ ମିନେରାଲ୍ସ ଏବଂ ୧୨ ଅକ୍ଟୋବର ୨୦୨୩ରେ ୩ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ; ଲିଥିୟମ୍‌, ନାଇଓବିୟମ୍ ଏବଂ ବିରଳ ଭୂ ଉପାଦାନର ରୟାଲଟି ଦରକୁ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ନିକଟରେ ଖଣି ଓ ଖଣିଜ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ, ୨୦୨୩, ଯାହା ୧୭ ଅଗଷ୍ଟ, ୨୦୨୩ରୁ କାର୍ଯ୍ୟକାରୀ ହୋଇଛି, ଏମଏମଡିଆର ଆଇନର ପ୍ରଥମ ଅନୁସୂଚୀର ଭାଗ ଘ’ରେ ୨୪ଟି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥକୁ ତାଲିକାଭୁକ୍ତ କରିଥିଲା । ଏହି ସଂଶୋଧନରେ ଏହି ୨୪ଟି ଖଣିଜ ପଦାର୍ଥର ଖଣି ଲିଜ୍ ଏବଂ କମ୍ପୋଜିଟ୍ ଲାଇସେନ୍ସ କେନ୍ଦ୍ର ସରକାର ନିଲାମ କରିବେ ବୋଲି ପ୍ରାବଧାନ ରହିଛି ।

ରୟାଲଟି ଦର ନିର୍ଦ୍ଧାରଣ ପାଇଁ କେନ୍ଦ୍ର କ୍ୟାବିନେଟର ଆଜିର ଅନୁମୋଦନ ଫଳରେ କେନ୍ଦ୍ର ସରକାର ଦେଶରେ ପ୍ରଥମ ଥର ପାଇଁ ଏହି ୧୨ଟି ଖଣିଜ ପଦାର୍ଥ ନିମନ୍ତେ ବ୍ଲକ ନିଲାମ କରିପାରିବେ । ଖଣିଜ ପଦାର୍ଥ ଉପରେ ରୟାଲଟି ହାର ବ୍ଲକ୍ ନିଲାମରେ ନିଲାମକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବିଚାର । ଏହାବ୍ୟତୀତ ଖଣି ମନ୍ତ୍ରଣାଳୟ ତରଫରୁ ଏହି ଖଣିଜ ପଦାର୍ଥର ହାରାହାରି ବିକ୍ରୟ ମୂଲ୍ୟ (ଏଏସପି) ହିସାବ ନିମନ୍ତେ ଉପାୟ ମଧ୍ୟ ପ୍ରସ୍ତୁତ କରାଯାଇଛି ଯାହା ନିଲାମ ମାନଦଣ୍ଡ ନିର୍ଦ୍ଧାରଣ କରିବାରେ ସକ୍ଷମ ହେବ ।

ଏମଏମଡିଆର ଆଇନର ଦ୍ୱିତୀୟ ଅନୁସୂଚୀରେ ବିଭିନ୍ନ ଖଣିଜ ପଦାର୍ଥ ପାଇଁ ରୟାଲଟି ଦର ପ୍ରଦାନ କରାଯାଇଛି । ଦ୍ୱିତୀୟ ଅନୁସୂଚୀର ସାମଗ୍ରୀ ନଂ ୫୫ରେ ବ୍ୟବସ୍ଥା କରାଯାଇଛି ଯେ ଯେଉଁ ଖଣିଜ ପଦାର୍ଥରେ ରୟାଲଟି ଦର ନିର୍ଦ୍ଦିଷ୍ଟ ଭାବରେ ପ୍ରଦାନ କରାଯାଇନାହିଁ ସେମାନଙ୍କ ରୟାଲଟି ଦର ହାରାହାରି ବିକ୍ରୟ ମୂଲ୍ୟ (ଏଏସପି)ର ୧୨% ହେବ । ତେଣୁ, ଯଦି ଏଗୁଡ଼ିକ ପାଇଁ ରୟାଲଟି ହାର ନିର୍ଦ୍ଦିଷ୍ଟ ଭାବରେ ପ୍ରଦାନ କରାନଯାଏ, ତେବେ ସେମାନଙ୍କର ଡିଫଲ୍ଟ ରୟାଲଟି ଦର ଏଏସପିର ୧୨% ହେବ, ଯାହା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ତୁଳନାରେ ଯଥେଷ୍ଟ ଅଧିକ ଅଟେ । ସେହିପରି ୧୨%ର ଏହି ରୟାଲଟି ହାର ଅନ୍ୟ ଖଣିଜ ଉତ୍ପାଦନକାରୀ ଦେଶ ସହ ତୁଳନୀୟ ନୁହେଁ । 

ଦେଶର ଅର୍ଥନୈତିକ ବିକାଶ ଏବଂ ଜାତୀୟ ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବେ ଅତ୍ୟାବଶ୍ୟକ ହୋଇପଡିଛି । କ୍ୟାଡମିୟମ, କୋବାଲ୍ଟ, ଗାଲିୟମ, ଇଣ୍ଡିୟମ, ସେଲେନିୟମ ଏବଂ ଭାନାଡିୟମ୍ ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ବ୍ୟାଟେରୀ, ସେମିକଣ୍ଡକ୍ଟର, ସୌର ପ୍ୟାନେଲ ଇତ୍ୟାଦିରେ ବ୍ୟବହୃତ ହୁଏ । ଶକ୍ତି ପରିବର୍ତ୍ତନ ଏବଂ ୨୦୭୦ ସୁଦ୍ଧା ନିଟ୍ - ଶୂନ୍ୟ ନିର୍ଗମନ ହାସଲ ଦିଗରେ ଭାରତର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏହି ଖଣିଜ ପଦାର୍ଥଗୁଡ଼ିକ ଗୁରୁତ୍ୱ ଲାଭ କରିଛି । ବେରିଲିୟମ୍‌, ଟାଇଟାନିୟମ, ଟଙ୍ଗଷ୍ଟନ୍‌, ଟାଣ୍ଟାଲମ୍ ଇତ୍ୟାଦି ଖଣିଜ ପଦାର୍ଥ ନୂତନ ଜ୍ଞାନକୌଶଳ, ଇଲେକ୍ଟ୍ରୋନିକ୍ସ ଓ ପ୍ରତିରକ୍ଷା ଉପକରଣରେ ବ୍ୟବହୃତ ହେଉଛି । ସ୍ୱଦେଶୀ ଖଣି ଖନନକୁ ପ୍ରୋତ୍ସାହିତ କରିବା ଦ୍ୱାରା ଆମଦାନୀ ହ୍ରାସ ପାଇବ ଏବଂ ସମ୍ପୃକ୍ତ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପ ସ୍ଥାପନ ହେବ । ଏହି ପ୍ରସ୍ତାବ ଦ୍ୱାରା ଖଣି କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍‌ଆଇ) ଏବଂ ମିନେରାଲ୍ ଏକ୍ସପ୍ଲୋରେସନ୍ ଆଣ୍ଡ କନସଲଟାନ୍ସି ଲିମିଟେଡ୍ (ଏମ୍‌ଇସିଏଲ୍‌) ନିକଟରେ କୋବାଲ୍ଟ, ଟାଇଟାନିୟମ, ଗ୍ୟାଲିୟମ, ଭାନାଡିୟମ୍ ଏବଂ ଟଙ୍ଗଷ୍ଟନ୍ ଭଳି ଏକ କିମ୍ବା ଅଧିକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଥିବା ୧୩ଟି ବ୍ଲକ୍‌ର ଅନୁସନ୍ଧାନ ରିପୋର୍ଟ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ଏହି ଏଜେନ୍ସିଗୁଡ଼ିକ ଦେଶରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ପଦାର୍ଥ ପାଇଁ ଅନୁସନ୍ଧାନ ଜାରି ରଖିଛନ୍ତି ।

କେନ୍ଦ୍ର ସରକାର ଲିଥିୟମ୍‌, ଆରଇଇ, ନିକେଲ, ପ୍ଲାଟିନମ୍ ଗ୍ରୁପ୍ ଅଫ୍ ଏଲିମେଣ୍ଟସ୍‌, ପୋଟାସ, ଗ୍ଲାକୋନାଇଟ୍‌, ଫସଫୋରାଇଟ୍‌, ଗ୍ରାଫାଇଟ୍‌, ମଲିବଡେନମ୍ ଇତ୍ୟାଦି ଖଣିଜ ପଦାର୍ଥ ପାଇଁ ୨୦୨୩ ନଭେମ୍ବରରେ ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ବ୍ଲକ୍ ନିଲାମର ପ୍ରଥମ କିସ୍ତି ଆରମ୍ଭ କରିଛନ୍ତି, ଯାହାକୁ ଉଦ୍ୟୋଗ କ୍ଷେତ୍ରରୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି ଖଣିଜ ବ୍ଲକ୍ ନିଲାମ କରାଯାଉଛି । ନିଲାମର ପ୍ରଥମ ପର୍ଯ୍ୟାୟ ନିଲାମ ପାଇଁ ବିଡ୍ ଦାଖଲର ଶେଷ ତାରିଖ (ବିଡ୍ ଧାର୍ଯ୍ୟ ତାରିଖ) ୨୬ ଫେବୃଆରୀ, ୨୦୨୪ ଥିଲା ।

********

SSP

 

 


(रिलीज़ आईडी: 2010435) आगंतुक पटल : 104
इस विज्ञप्ति को इन भाषाओं में पढ़ें: Punjabi , Telugu , Bengali , English , Urdu , हिन्दी , Marathi , Assamese , Manipuri , Gujarati , Tamil , Kannada , Malayalam