ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମନ୍ତ୍ରୀସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 14 FEB 2024 3:10PM by PIB Bhubaneshwar

ମହାମହିମଗଣ, ଉପସ୍ଥିତ ଭଦ୍ରମହିଳା ଓ ଭଦ୍ରବ୍ୟକ୍ତି , ସମସ୍ତଙ୍କୁ ମୋର ନମସ୍କାର

ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମନ୍ତ୍ରୀସ୍ତରୀୟ ବୈଠକରେ ସମସ୍ତଙ୍କୁ ଶୁଭେଚ୍ଛା । ସୂଚନାଯୋଗ୍ୟ, ଆଇଇଏ ଏହାର ପ୍ରତିଷ୍ଠାର ୫୦ତମ ବାର୍ଷିକୀ ପାଳନ କରୁଛି । ଏହି ମାଇଲଖୁଣ୍ଟ ପାଇଁ ଅଭିନନ୍ଦନ । ଏହି ବୈଠକରେ ସହ-ଅଧ୍ୟକ୍ଷତା କରିଥିବାରୁ ମୁଁ ଆୟର୍ଲାଣ୍ଡ ଏବଂ ଫ୍ରାନ୍ସକୁ ମଧ୍ୟ କୃତଜ୍ଞତା ଜଣାଉଛି ।

ବନ୍ଧୁଗଣ,

ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା । ନିରନ୍ତର ବିକାଶ  ପାଇଁ ଶକ୍ତି ନିରାପତ୍ତା ଏବଂ ସ୍ଥିରତା ଆବଶ୍ୟକ ହୋଇଥାଏ । ଗୋଟିଏ ଦଶନ୍ଧି ମଧ୍ୟରେ , ଆମେ ଏକାଦଶ ବୃହତ୍ତମ ଅର୍ଥନୀତିରୁ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛୁ । ସେହି ସମୟ ମଧ୍ୟରେ ଆମର ସୌର ଶକ୍ତି କ୍ଷମତା ଛବିଶ ଗୁଣ ବୃଦ୍ଧି ପାଇଛି । ଆମର ନବୀକରଣ ଯୋଗ୍ୟ ଶକ୍ତି କ୍ଷମତା ମଧ୍ୟ ଦ୍ୱିଗୁଣିତ ହୋଇଛି । ସମୟସୀମା ପୂର୍ବରୁ ଆମେ ଏ ଦିଗରେ ଆମର ପ୍ୟାରିସ୍ ପ୍ରତିଶ୍ରୁତିକୁ ଅତିକ୍ରମ କରିଛୁ ।

ବନ୍ଧୁଗଣ,

ବିଶ୍ୱ ଜନସଂଖ୍ୟାର ୧୭% ଭାରତରେ  ବସବାସ କରନ୍ତି । ଆମେ ଦୁନିଆର କିଛି ସବୁଠାରୁ ବଡ ଶକ୍ତି ଉପଲବ୍ଧତା କାର୍ଯ୍ୟକ୍ରମ ଚଳାଉଛୁ । ତଥାପି ଆମର କାର୍ବନ ନିର୍ଗମନ ବିଶ୍ୱର ମୋଟ  ନିର୍ଗମନର ମାତ୍ର ୪% ଅଟେ । ତଥାପି ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଆମେ ଦୃଢ଼ ପ୍ରତିଶ୍ରୁତିବଦ୍ଧ । ଏହା ଆମର ଏକ ସାମୂହିକ ଏବଂ ସକ୍ରିୟ ଆଭିମୁଖ୍ୟ । ଆନ୍ତର୍ଜାତିକ ସୌର ମେଣ୍ଟ ଭଳି ପଦକ୍ଷେପର ନେତୃତ୍ୱ ଭାରତ ନେଇସାରିଛି । ଆମର ମିଶନ ଏଲଆଇଏଫଇ ଏକ ସାମୂହିକ ପ୍ରଭାବ ପାଇଁ ପୃଥିବୀ - ସମର୍ଥକ ଜୀବନଶୈଳୀ ବିକଳ୍ପ ଗୁଡିକ ଉପରେ ଧ୍ୟାନ ଦିଏ । ଭାରତର ପାରମ୍ପରିକ ଜୀବନଶୈଳୀର ଏକ ଅଂଶ ହେଉଛି 'ରିଡ୍ୟୁସ୍‌, ରିୟୁଜ୍ ଆଣ୍ଡ ରିସାଇକଲ୍‌' (ହ୍ରାସ, ପୁନଃ ବ୍ୟବହାର, ପୁନଃଚକ୍ରଣ) । ଭାରତର ଜି-୨୦ ଅଧ୍ୟକ୍ଷତାରେ ମଧ୍ୟ ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦେଖିବାକୁ ମିଳିଥିଲା । ବୈଶ୍ୱିକ ଜୈବ ଇନ୍ଧନ ମେଂଟର ଶୁଭାରମ୍ଭ ଏହାର ଅନ୍ୟତମ ଆକର୍ଷଣ ଥିଲା । ଏହି ପଦକ୍ଷେପକୁ ସମର୍ଥନ କରିଥିବାରୁ ମୁଁ ଆଇଇଏକୁ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ,

ଅନ୍ତର୍ଭୁକ୍ତିକରଣ ଯେକୌଣସି ଅନୁଷ୍ଠାନର ବିଶ୍ୱସନୀୟତା ଏବଂ ସାମର୍ଥ୍ୟକୁ ବୃଦ୍ଧି କରିଥାଏ । ୧.୪ ବିଲିୟନ ଭାରତୀୟ ପ୍ରତିଭା, ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନକୁ ସାମନାକୁ ଆଣିଛନ୍ତି । ଆମେ ପ୍ରତ୍ୟେକ ମିଶନରେ ସ୍ତର ଏବଂ ଗତି, ପରିମାଣ ଏବଂ ଗୁଣବତ୍ତା ଆଣିଥାଉ । ମୁଁ ନିଶ୍ଚିତ ଯେ ଯେତେବେଳେ ଭାରତ ଏଥିରେ ଏକ ବଡ଼ ଭୂମିକା ଗ୍ରହଣ କରିବ ସେତେବେଳେ ଆଇଇଏ ଉପକୃତ ହେବ ।  ଆଇଇଏର ମନ୍ତ୍ରୀସ୍ତରୀୟ ବୈଠକର ସଫଳତା ପାଇଁ ମୁଁ ଶୁଭେଚ୍ଛା ଜଣାଉଛି । ଆସନ୍ତୁ ଏହି ମଞ୍ଚକୁ ବର୍ତ୍ତମାନର ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ନୂତନ ଭାଗୀଦାରୀ ଗଠନ କରିବା ପାଇଁ ଉପଯୋଗ କରିବା । ଆସନ୍ତୁ ଏକ ସ୍ୱଚ୍ଛ, ସବୁଜ ଏବଂ ଅନ୍ତର୍ଭୁକ୍ତ ବିଶ୍ୱ ନିର୍ମାଣ କରିବା ।

ଧନ୍ୟବାଦ

ଆପଣ ସମସ୍ତଙ୍କୁ ବହୁତ ଧନ୍ୟବାଦ ।

 

SSP



 



(Release ID: 2006173) Visitor Counter : 55