ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲକ୍ଷ୍ୟଦ୍ୱୀପ ଅଗତୀ ବିମାନବନ୍ଦରର ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 02 JAN 2024 5:52PM by PIB Bhubaneshwar

ବରିଷ୍ଠ ଅଧିକାରୀଗଣ ଏବଂ ମୋର ପରିବାରବର୍ଗ !

ନମସ୍କାରମ୍‌!

ଲକ୍ଷ୍ୟଦ୍ୱୀପ ଅନେକ ସମ୍ଭାବନାରେ ପରିପୂର୍ଣ୍ଣ । କିନ୍ତୁ ସ୍ୱାଧୀନତା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲକ୍ଷ୍ୟଦ୍ୱୀପର ଭିତିଭୂମି ଉପରେ ସେତେଟା ଧ୍ୟାନ ଦିଆଗଲା ନାହିଁ । ଯଦିଓ ନୌପରିବହନ ଏଠାକାର ଜୀବନରେଖା ହୋଇ ରହିଆସିଛି । ଏହାସତ୍ୱେ ଏଠି ବନ୍ଦର ଭିତିଭୂମି ମଧ୍ୟ ଦୁର୍ବଳ ରହିଥିଲା । ଶିକ୍ଷା ହେଉ, ସ୍ୱାସ୍ଥ୍ୟ ହେଉ, ଏପରିକି ପେଟ୍ରୋଲ ଓ ଡିଜେଲ୍ ପାଇଁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହିସବୁ ଆହ୍ୱାନ ଗୁଡିକର ବର୍ତମାନ ଆମ ସରାକର ସମାଧାନ କରୁଛନ୍ତି । ଲକ୍ଷ୍ୟଦ୍ୱୀପର ପ୍ରଥମ ପିଓଏଲ୍‌, ବୃହତ ଭଣ୍ଡାରଣ କେନ୍ଦ୍ର, କବରତୀ ଏବଂ ମିନିକାଁୟ ଦ୍ୱୀପରେ ନିର୍ମାଣ କରାଯାଇଛି । ବର୍ତମାନ ଏଠାରେ ଅନେକ କ୍ଷେତ୍ରରେ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହେଉଛି ।

ମୋ ପରିବାରଜନ,

ଗତ ଦଶନ୍ଧି ମଧ୍ୟରେ ଅଗତୀରେ ଅନେକ ବିକାଶମୂଳକ ପ୍ରକଳ୍ପ ସମ୍ପୂର୍ଣ୍ଣ  ହୋଇଛି । ବିଶେଷ ଭାବରେ ଆମର ମତ୍ସ୍ୟଜୀବୀ ବନ୍ଧୁମାନଙ୍କ ପାଇଁ ଆମେ ଏଠାରେ ଆଧୁନିକ ସୁବିଧାମାନ ସୃଷ୍ଟି କରିଛୁ । ବର୍ତମାନ ଅଗତୀରେ ବିମାନବନ୍ଦର ସହିତ ବରଫ କାରଖାନା ମଧ୍ୟ ରହିଛି । ଏହାଦ୍ୱାରା ସାମୁଦ୍ରିକ ଖାଦ୍ୟ ରପ୍ତାନି ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ସହିତ ଜଡିତ ଶିଳ୍ପ ଗୁଡିକ ପାଇଁ ଏଠାରେ ଅନେକ ନୂତନ ସମ୍ଭାବନା ସୃଷ୍ଟି ହେଉଛି । ଏବେ ତ ଏଠାରୁ ଟୁନା ମାଛ ରପ୍ତାନି ମଧ୍ୟ ଆରମ୍ଭ ହୋଇଛି । ଏହି କାରଣରୁ ଲକ୍ଷ୍ୟଦ୍ୱୀପର ମତ୍ସ୍ୟଜୀବୀ ବନ୍ଧୁମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଇବା ପାଇଁ ପଥ ଉନ୍ମୁକ୍ତ ହୋଇଛି ।

 

ମୋ ପରିବାରଜନ,

 

ଏଠାରେ ବିଦ୍ୟୁତ୍ ଏବଂ ଉର୍ଜାର ଅନ୍ୟାନ୍ୟ ଆବଶ୍ୟକତାର ପୂରଣ ପାଇଁ ଏକ ବିଶାଳ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ଏବଂ ବିମାନ ଇନ୍ଧନ ଭଣ୍ଡାରଣ କେନ୍ଦ୍ର ମଧ୍ୟ ନିର୍ମାଣ ହୋଇଛି । ଏଥିରୁ ମଧ୍ୟ ଆପଣମାନଙ୍କୁ ବହୁତ ସୁବିଧା ମିଳିଛି । ମୋତେ କୁହାଯାଇଛି ଯେ ଅଗତୀ ଦ୍ୱୀପରେ ଥିବା ସମସ୍ତ ଘରେ ପାଇପ୍ ଜଳ ସୁବିଧା ମଧ୍ୟ ଉପଲବ୍ଧ ହୋଇସାରିଛି । ଗରିବଙ୍କ ଘର ହେଉ, ସେମାନଙ୍କ ପାଖରେ ଶୌଚାଳୟ ହେଉ, ବିଦ୍ୱ୍ୟତ୍‌, ଗ୍ୟାସ୍ ଭଳି ସୁବିଧା ଗୁଡିକରୁ କେହି ବି ବଂଚିତ ନରୁହନ୍ତୁ ଏହା ହିଁ ସରକାରଙ୍କ ପ୍ରୟାସ । ଅଗତୀ ସମେତ ସମଗ୍ର ଲକ୍ଷ୍ୟଦ୍ୱୀପର ବିକାଶ ପାଇଁ ଭାରତ ସରକାର ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ମୋର ଆସନ୍ତାକାଲି କବରତୀରେ ଏଭଳି ଅନେକ ବିକାଶମୂଳକ ପ୍ରକଳ୍ପ ଗୁଡିକୁ ଲକ୍ଷ୍ୟଦ୍ୱୀପର ଆପଣ ସମସ୍ତ ବନ୍ଧୁଙ୍କୁ ଭେଟି ଦେବାର ଅଛି । ଏହି ପ୍ରକଳ୍ପ ଗୁଡିକ ଦ୍ୱାରା ଲକ୍ଷ୍ୟଦ୍ୱୀପରେ ଇଂଟ୍‌ରନେଟ୍‌ର ସୁବିଧା ଉନ୍ନତ ହେବ । ଏଠାକାର ପର୍ଯ୍ୟଟନ କ୍ଷେତ୍ର ଅଧିକ ସମୃଦ୍ଧ ହେବ । ଆଜି ରାତିରେ ଆପଣମାନଙ୍କ ଗହଣରେ ଲକ୍ଷ୍ୟଦ୍ୱୀପରେ ହିଁ ମୋର ବିଶ୍ରାମ ନେବାର ଅଛିି । ଆସନ୍ତାକାଲି ସକାଳେ ପୁଣି ଆପଣମାନଙ୍କ ସହ ଭେଟ ହେବ, ଲକ୍ଷ୍ୟଦ୍ୱୀପର ଲୋକମାନଙ୍କ ସହ କଥାବାର୍ତା ହେବ । ମୋର ସ୍ୱାଗତ ସମ୍ମାନ କରିବାକୁ  ଆପଣମାନେ ଏତେ ଅଧିକ ସଂଖ୍ୟାରେ ଆସିଥିବାରୁ, ମୁଁ ଆପଣମାନଙ୍କୁ ଅନେକ-ଅନେକ ଧନ୍ୟବାଦ ଜଣାଉଛି ।

JP



(Release ID: 1992657) Visitor Counter : 83