ପ୍ରତିରକ୍ଷା ମନ୍ତ୍ରଣାଳୟ

ସିନ୍ଧୁଦୁର୍ଗରେ ଭାରତୀୟ ନୌସେନାର ଅପରେସନ ପ୍ରଦର୍ଶନ ୨୦୨୩ ଜଳମେବ ୟସ୍ୟ, ବଳମେବ ତସ୍ୟ


"ଯିଏ ସମୁଦ୍ରକୁ ନିୟନ୍ତ୍ରଣ କରେ ସେ ସବୁଠାରୁ ଶକ୍ତିଶାଳୀ"

Posted On: 29 NOV 2023 3:35PM by PIB Bhubaneshwar

ଭାରତୀୟ ନୌସେନା 4 ଡିସେମ୍ବର 2023ରେ ଭାରତର ପଶ୍ଚିମ ସମୁଦ୍ର କୂଳରେ ଥିବା ପ୍ରସିଦ୍ଧ ସିନ୍ଧୁଦୁର୍ଗ ଦୁର୍ଗରେ ଜାହାଜ ଏବଂ ଯୁଦ୍ଧବିମାନ ସହିତ ନୌସେନା ଅପରେସନାଲ ପ୍ରଦର୍ଶନ ମାଧ୍ୟମରେ ନିଜର କାର୍ୟ୍ୟକ୍ଷମ ଦକ୍ଷତା ଏବଂ ସାମର୍ଥ୍ୟ ପ୍ରଦର୍ଶନ କରିବ । ନୌସେନା ମୁଖ୍ୟ ଆଡମିରାଲ ଆର. ହରି କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ସେନାବାହିନୀର ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଏବଂ ସ୍ଥାନୀୟ ଲୋକ ମାନେ ତରକଲି ବେଳାଭୂମିର ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଆମର ସମୃଦ୍ଧ ସାମୁଦ୍ରିକ ଇତିହାସକୁ ପାଳନ କରିବା ଏବଂ ଔପନିବେଶିକ ଅଭ୍ୟାସରୁ ଦୂରେଇ ରହିବା 

ମରାଠା ଶାସକ ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା 1660ରେ ନିର୍ମିତ ସିନ୍ଧୁଦୁର୍ଗ ଦୁର୍ଗ ଭାରତର ସମୃଦ୍ଧ ସାମୁଦ୍ରିକ ଇତିହାସକୁ ମହିମାମଣ୍ଡିତ କରିବା ସହ ନୌସେନାର ଅଗ୍ରଣୀ ସମ୍ପତ୍ତି ସହିତ କାର୍ୟ୍ୟ କରିବାର ଆବଶ୍ୟକତାକୁ ମଧ୍ୟ ପୂରଣ କରେ ।

 

ଡିସେମ୍ବର 4ରେ ଭାରତୀୟ ନୌସେନା ନୌସେନା ଦିବସ ପାଳନ କରିଥାଏ। 1971 ଯୁଦ୍ଧ ସମୟରେ କରାଚି ବନ୍ଦର ଉପରେ ନୌସେନାର ଦୁଃସାହସିକ ଆକ୍ରମଣ 'ଅପରେସନ୍ ଟ୍ରାଇଡେଣ୍ଟ'କୁ ଏହି ଦିବସ ସ୍ମରଣ କରେ । କର୍ମଚାରୀଙ୍କ ବୀରତା ଓ ସାହସ ଏବଂ ପ୍ରତିକୂଳ ପରିସ୍ଥିତିରେ ଅସମ୍ଭବ ଲକ୍ଷ୍ୟ ହାସଲ କରିବାର ସଂକଳ୍ପକୁ ପାଳନ କରିବା ପାଇଁ ଓପି ଡେମୋ ବା ଅପରେସନ ପ୍ରଦର୍ଶନର ଆୟୋଜନ କରାଯାଉଛି । ଏହି କାର୍ୟ୍ୟକ୍ରମରେ ଭାରତୀୟ ନୌସେନାର ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଏବଂ ବିମାନକୁ ସିଧାସଳଖ ପ୍ରସାରଣ ମାଧ୍ୟମରେ ସାଧାରଣ ଜନତା ଏବଂ ଅନଲାଇନ୍ ଦର୍ଶକଙ୍କ ନିକଟରେ ପ୍ରଦର୍ଶିତ କରାଯିବ।

ଏହି କାର୍ଯ୍ୟକ୍ରମରେ ମିଗ୍-29କେ ଏବଂ ଏଲସିଏ ନୌସେନାର 40ଟି ବିମାନ ସହ 20ଟି ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବା ସହିତ ଯୁଦ୍ଧ ବେଳାଭୂମି ଅନୁଧ୍ୟାନ ଏବଂ ଭାରତୀୟ ନୌସେନାର ସାମୁଦ୍ରିକ କମାଣ୍ଡୋଙ୍କ ଆକ୍ରମଣର ଅଭ୍ୟାସ ଦେଖିବାକୁ ମିଳିବ । ଅନ୍ୟ ପ୍ରମୁଖ ଆକର୍ଷଣ ମଧ୍ୟରେ ନୌସେନା ବ୍ୟାଣ୍ଡ ପ୍ରଦର୍ଶନ, ନିରନ୍ତରତା ଅଭ୍ୟାସ ଏବଂ ଏସସିସି କ୍ୟାଡେଟମାନଙ୍କ ଦ୍ୱାରା ହର୍ଣ୍ଣ ପାଇପ୍ ନୃତ୍ୟ ଅନ୍ତର୍ଭୁକ୍ତ । ସିନ୍ଧୁଦୁର୍ଗ ଦୁର୍ଗରେ ଲେଜର ସୋ ପରେ ଆଙ୍କୋରେଜରେ ଜାହାଜ ଆଲୋକିତ କରି କାର୍ଯ୍ୟକ୍ରମ ଶେଷ ହେବ।

ପ୍ରଥମ ଥର ପାଇଁ ଭାରତୀୟ ନୌସେନା ଏକ ମେଗା ଇଭେଣ୍ଟ ଆୟୋଜନ କରିବ ଯାହା କୌଣସି ପ୍ରମୁଖ ନୌସେନା ଷ୍ଟେସନରେ ହେଉନାହିଁ । ସିନ୍ଧୁଦୁର୍ଗ ଦୁର୍ଗ ମୁମ୍ବାଇଠାରୁ 550 କିଲୋମିଟର ଏବଂ ଗୋଆ ନୌସେନା ଷ୍ଟେସନଠାରୁ ପ୍ରାୟ 135 କିଲୋମିଟର ଦୂରରେ ଅବସ୍ଥିତ । ଏସବୁ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରିବା ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ତଥା ନୌସେନା ପକ୍ଷରୁ ଯଥା ସମ୍ଭବ ପ୍ରୟାସ କରାଯାଇଛି ।

ନୌସେନା ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଆମ ନାଗରିକମାନଙ୍କ ମଧ୍ୟରେ ଅଧିକ ସୁଗମତାକୁ ପ୍ରୋତ୍ସାହିତ କରିବା, ସାମୁଦ୍ରିକ ଚେତନାକୁ ପୁନଃ ଜାଗ୍ରତ କରିବା ଏବଂ ଜାତୀୟ ନିରାପତ୍ତା ଦିଗରେ ନୌସେନାର ଅବଦାନ ଉପରେ ଆଲୋକପାତ କରିବା ।

AH

 

*****



(Release ID: 1980961) Visitor Counter : 87