ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


ଉଭୟ ନେତା ପଶ୍ଚିମ ଏସିଆର କଠିନ ପରିସ୍ଥିତି ଏବଂ ଇସ୍ରାଏଲ-ହମାସ ସଂଘର୍ଷ ଉପରେ ମତ ବିନିମୟ କରିଛନ୍ତି

ଉତ୍ତେଜନା ହ୍ରାସ, ନିରନ୍ତର ମାନବିକ ସହାୟତା, ଶାନ୍ତି ଓ ନିରାପତ୍ତାର ଶୀଘ୍ର ପୁନରୁଦ୍ଧାର ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି

ଚାବାହାର ବନ୍ଦର ସମେତ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତିକୁ ନେତାମାନେ ସ୍ୱାଗତ କରିଛନ୍ତି

Posted On: 06 NOV 2023 6:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ଲାମିକ ରିପବ୍ଲିକ୍ ଅଫ୍ ଇରାନ୍ ର ରାଷ୍ଟ୍ରପତି ମହାମହିମ ଡକ୍ଟର ସୟଦ ଇବ୍ରାହିମ ରାଇସିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି ।

 

ଉଭୟ ନେତା ପଶ୍ଚିମ ଏସିଆ ଅଞ୍ଚଳର କଠିନ ପରିସ୍ଥିତି ଏବଂ ଇସ୍ରାଏଲ-ହାମାସ ସଂଘର୍ଷ ଉପରେ ମତ ବିନିମୟ କରିଥିଲେ।

 

ଆତଙ୍କବାଦୀ ଘଟଣା, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନିକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଥିଲେ । ସେ ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ନିରନ୍ତର ଆଭିମୁଖ୍ୟକୁ ଦୋହରାଇଥିଲେ।

 

ରାଷ୍ଟ୍ରପତି ରାଇସି ପରିସ୍ଥିତିର ସମୀକ୍ଷା କରିଥିଲେ।

 

ଉତ୍ତେଜନାକୁ ରୋକିବା, ନିରନ୍ତର ମାନବିକ ସହାୟତା ସୁନିଶ୍ଚିତ କରିବା ଏବଂ ଶାନ୍ତି ଓ ସ୍ଥିରତାର ଶୀଘ୍ର ପୁନରୁଦ୍ଧାର ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ ।  

 

ବହୁମୁଖୀ ଦ୍ୱିପାକ୍ଷିକ ସହଯୋଗରେ ଅଗ୍ରଗତିର ସମୀକ୍ଷା ଓ ସକାରାତ୍ମକ ଆକଳନ ମଧ୍ୟ ନେତାମାନେ କରିଥିଲେ। ଆଞ୍ଚଳିକ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ଇରାନର ଚାବାହାର ବନ୍ଦରଉପରେ ଦିଆଯାଇଥିବା ଗୁରୁତ୍ୱ ଏବଂ ପ୍ରାଥମିକତାକୁ ସେମାନେ ସ୍ୱାଗତ କରିଥିଲେ ।

 

ଆଞ୍ଚଳିକ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ପାଇଁ ମିଳିତ ଆଗ୍ରହକୁ ଦୃଷ୍ଟିରେ ରଖି ଉଭୟ ପକ୍ଷ ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

HS



(Release ID: 1975212) Visitor Counter : 89