କ୍ୟାବିନେଟ
azadi ka amrit mahotsav

ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ବୁଝାମଣାପତ୍ରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 11 OCT 2023 3:19PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଗଣତନ୍ତ୍ରର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଫ୍ରାନ୍ସ ଗଣତନ୍ତ୍ରର ଅର୍ଥନୀତି, ଅର୍ଥ ଏବଂ  ଶିଳ୍ପ ଏବଂ ଡିଜିଟାଲ ସାର୍ବଭୌମତ୍ୱ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ବିବରଣୀ :

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ ଘନିଷ୍ଠ ସହଯୋଗ ଏବଂ ସୂଚନା ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ଏବଂ ବୁଝାମଣାପତ୍ର ଅନୁଯାୟୀ ପ୍ରତ୍ୟେକ ଅଂଶଗ୍ରହଣକାରୀ ମାନଙ୍କ ନିଜ ଦେଶରେ ଡିଜିଟାଲ ଟେକ୍ନୋଲୋଜିର ଉପଲବ୍ଧତାକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟକୁ ପାରସ୍ପରିକ ସମର୍ଥନ କରିବା ।

ପ୍ରମୁଖ ପ୍ରଭାବ :

ଡିଜିଟାଲ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଭୟ ଜି୨ଜି ଏବଂ ବି୨ବି ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରାଯିବ । ବୁଝାମଣାପତ୍ରରେ ଉନ୍ନତ ସହଯୋଗର ପରିକଳ୍ପନା କରାଯାଇଛି ଯାହା ଦ୍ୱାରା ଆଇଟି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ :

ଏହି ବୁଝାମଣାପତ୍ର ଅଧୀନରେ ସହଯୋଗ ଉଭୟ ଅଂଶଗ୍ରହଣକାରୀ ମାନଙ୍କ ସ୍ୱାକ୍ଷର ତାରିଖରୁ ଆରମ୍ଭ ହେବ ଏବଂ ପାଞ୍ଚ (୫) ବର୍ଷ ଧରି ଚାଲିବ ।

ପୃଷ୍ଠଭୂମି :

ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ସହଯୋଗ ଢାଞ୍ଚା ଅଧୀନରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଉଦୀୟମାନ ଏବଂ ସୀମାନ୍ତ କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏମଇଆଇଟିୱାଇକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଡିଜିଟାଲ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏମଇଆଇଟିୱାଇ ବିଭିନ୍ନ ଦେଶର ପ୍ରତିପକ୍ଷ ସଂଗଠନ / ଏଜେନ୍ସି ମାନଙ୍କ ସହ ଦ୍ୱିପାକ୍ଷିକ କିମ୍ବା ବହୁପାକ୍ଷିକ ସମ୍ପର୍କରେ ରାଜିନାମା / ବୁଝାମଣା କରିଛି । ଏହି ପରିବର୍ତ୍ତିତ ପରିପ୍ରେକ୍ଷୀରେ , ଏଭଳି ପାରସ୍ପରିକ ସହଯୋଗ ମାଧ୍ୟମରେ ବ୍ୟବସାୟିକ ସୁଯୋଗ ଖୋଜିବା ଏବଂ ଡିଜିଟାଲ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବାର ଆବଶ୍ୟକତା ରହିଛି । 

ଭାରତ ଓ ଫ୍ରାନ୍ସ ଭାରତ - ୟୁରୋପୀୟ କ୍ଷେତ୍ରରେ ଦୀର୍ଘଦିନର ରଣନୈତିକ ସହଯୋଗୀ । ଭାରତ ଏବଂ ଫ୍ରାନ୍ସ ଏକ ସମୃଦ୍ଧ ଡିଜିଟାଲ ପାରିବେଶିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ନାଗରିକ ମାନଙ୍କୁ ସଶକ୍ତ କରିବା ଏବଂ ଡିଜିଟାଲ ଶତାବ୍ଦୀରେ ସେମାନଙ୍କର ପୂର୍ଣ୍ଣ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ସହଯୋଗ ଗଠନ କରିବାକୁ ପ୍ରତିଶ୍ରୁତିବଦ୍ଧ ।

୨୦୧୯ରେ ଘୋଷଣା କରାଯାଇଥିବା ସାଇବର ସୁରକ୍ଷା ଏବଂ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ଉପରେ ଭାରତ - ଫ୍ରାନ୍ସ ରୋଡ୍ ମ୍ୟାପ୍ ଆଧାରରେ ଭାରତ ଏବଂ ଫ୍ରାନ୍ସ ଉନ୍ନତ ଡିଜିଟାଲ୍ ଟେକ୍ନୋଲୋଜି, ବିଶେଷ କରି ସୁପରକମ୍ପ୍ୟୁଟିଂ, କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ କ୍ୱାଣ୍ଟମ୍ ଟେକ୍ନୋଲୋଜି ସମେତ ଆର୍ଟିଫିସିଆଲ ଇଂଟେଲିଜେନ୍ସକୁ ନେଇ ବିଶ୍ୱ ଭାଗୀଦାରୀତା (ଜିପିଏଆଇ) ଢାଂଚାକୁ ପାଳନ କରିବା  କ୍ଷେତ୍ରରେ ଏକ ଉଚ୍ଚାକାଂକ୍ଷୀ ଦ୍ୱିପାକ୍ଷିକ ସହଯୋଗକୁ ଅନୁସରଣ କରୁଛନ୍ତି ।

*****

SSP

 


(ରିଲିଜ ଆଡି: 1969544) ପରିଦର୍ଶକ କାଉଣ୍ଟର : 132