ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଭାରତୀୟ ଭାଷା ଉତ୍ସବ ଏବଂ ପ୍ରଯୁକ୍ତିବିଦ୍ୟା ଓ ଭାରତୀୟ ଭାଷା ସମ୍ମିଳନୀର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ


ଭାରତ ଭଳି ପୁରାତନ ସଭ୍ୟତାର ପ୍ରଯୁକ୍ତିବିଦ୍ୟା ସହ ଅତୁଟ ସମ୍ପର୍କ ରହିଛି- ଧର୍ମେନ୍ଦ୍ର ପ୍ରଧାନ

ଭାରତୀୟ ଭାଷା ଏବଂ ପ୍ରଯୁକ୍ତିବିଦ୍ୟାର ସମାଗମ ଦେଶର ପ୍ରତିଭାବାନଙ୍କ ପାଇଁ ଅପାର ସମ୍ଭାବନାର ଦ୍ୱାର ଖୋଲିବ

ଭାଷା ପାଇଁ ପ୍ରଯୁକ୍ତିବିଦ୍ୟା, ପ୍ରଯୁକ୍ତିବିଦ୍ୟାରେ ଭାଷା ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଭାଷା ଭାରତୀୟ ଭାଷା ପାଇଁ ଏକ ମଜବୁତ୍ ଇକୋସିଷ୍ଟମ ତିଆରି କରିବ

ଭାଷା,ସଂସ୍କୃତି ଓ ସଭ୍ୟତାରୁ ଜଣେ ବ୍ୟକ୍ତିଙ୍କ ପରିଚୟ ଜଣାପଡେ

ଜାତୀୟ ଶିକ୍ଷା ନୀତିରେ ସବୁ ଭାରତୀୟ ଭାଷାକୁ ରାଷ୍ଟ୍ରୀୟ ଭାଷା ବୋଲି ଅଭିହିତ କରାଯାଇଛି

ବିଶିଷ୍ଟ ତାମିଲ କବି ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜନ୍ମ ଦିବସ ତଥା ଭାରତୀୟ ଭାଷା ଦିବସ ପାଳନ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ

ଭାରତୀୟ ଭାଷା ଉତ୍ସବ ସେପ୍ଟେମ୍ବର ୨୮ରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ

ଏହି ଉତ୍ସବ ଶିକ୍ଷାରେ ଭାରତୀୟ ଭାଷା ଗୁଡିକୁ ସମୃଦ୍ଧ ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରିବ

ଭାରତୀୟ ଭାଷା ଟେକ୍ନଲୋଜି ସାମଗ୍ରୀ ଉପରେ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ

ନିଜର ଅଭିଜ୍ଞତାକୁ ୨୨ଟି ଭିନ୍ନ ଭିନ୍ନ ଭାଷାରେ ମତ ରଖିଲେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ

Posted On: 30 SEP 2023 4:05PM by PIB Bhubaneshwar

ଭାରତ ଭଳି ପୁରାତନ ସଭ୍ୟତାର ପ୍ରଯୁକ୍ତିବିଦ୍ୟା ସହ ଅତୁଟ ସମ୍ପର୍କ ରହିଛି । ଭାରତୀୟ ଭାଷା ଏବଂ ପ୍ରଯୁକ୍ତିବିଦ୍ୟା ଜ୍ଞାନକୌଶଳର ସମାଗମ ଦେଶର ପ୍ରତିଭାବାନଙ୍କ ପାଇଁ ଅପାର ସମ୍ଭାବନାର ଦ୍ୱାର ଖୋଲିବ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ୭୫ ଦିନିଆ ଭାରତୀୟ ଭାଷା ଉତ୍ସବ ଏବଂ ଦୁଇଦିନିଆ ପ୍ରଯୁକ୍ତିବିଦ୍ୟା ତଥା ଭାରତୀୟ ଭାଷା ଶିଖର ସମ୍ମିଳନୀକୁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ତାମିଲ କବି ମହାକବି ଚିନ୍ନାସ୍ୱାମୀ ସୁବ୍ରମଣ୍ୟ ଭାରତୀଙ୍କ ଜନ୍ମଦିନ ତଥା ଭାରତୀୟ ଭାଷା ଦିବସ ପାଳନ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ଏହି ଉତ୍ସବ ସେପ୍ଟେମ୍ବର ୨୮ରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ଏହା ଶିକ୍ଷାରେ ଭାରତୀୟ ଭାଷା ଗୁଡିକୁ ସମୃଦ୍ଧ ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରିବ । ସରକାରଙ୍କ ସମ୍ପୂର୍ଣ୍ଣ ଆଭିମୁଖ୍ୟ ସହ ପାଳନ ହେଉଥିବା ଏହି ଉତ୍ସବ ଭାରତୀୟ ଭାଷାକୁ ପ୍ରୋତ୍ସାହିତ କରିବା ସହ ଆମର ପୁରାତନ ଜ୍ଞାନ ପରମ୍ପରାର ଆଧାରରେ ସମୃଦ୍ଧ ଭବିଷ୍ୟତ ଦିଗରେ ଆଗକୁ ବଢିବାର ଉଦ୍ୟମ । ଟେକ୍ଲୋଲୋଜି ମାଧ୍ୟମରେ ଭାରତୀୟ ଜ୍ଞାନ ପ୍ରବାହକୁ ଆଜିର ଆବଶ୍ୟକତା ଅନୁସାରେ ରୂପ ଦେବ । ଭାଷା ପାଇଁ ପ୍ରଯୁକ୍ତିବିଦ୍ୟା, ପ୍ରଯୁକ୍ତିବିଦ୍ୟାରେ ଭାଷା ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଭାଷା ଭାରତୀୟ ଭାଷା ପାଇଁ ଏକ ମଜବୁତ୍ ଇକୋସିଷ୍ଟମ ତିଆରି କରିବ ।  

ଭାରତ ଭଳି ଦେଶରେ ଭାଷା, ସଂସ୍କୃତି ଓ ସଭ୍ୟତା ଦ୍ୱାରା ଜଣେ ବ୍ୟକ୍ତିଙ୍କ ପରିଚୟ ଜଣାପଡେ । ବ୍ୟକ୍ତିର ଉଚ୍ଚାରଣ ଓ ପୋଷାକ ପିନ୍ଧିବାର ଶୈଳୀରୁ ସାମାଜିକ ସଂସ୍କୃତି ଓ ପରିଚୟର ପ୍ରତିଫଳନ ହୋଇଥାଏ । ଏହା ଆମ ଭାରତୀୟ ଜ୍ଞାନ ପରମ୍ପରାର ଏକ ପ୍ରମୁଖ ଅଂଶ । ଆମ ଦେଶରେ ଜ୍ଞାନର ବ୍ୟବସ୍ଥା ସାହିତ୍ୟରେ ଦେଖିବାକୁ ମିଳେ । ବୈଦିକ କାଳରେ ଲିଖିତ ସାହିତ୍ୟକୁ ଦେଖିଲେ ଅଖିଳ ଭାରତୀୟ ଓ ବସୁଧୈବ କୁଟୁମ୍ବକମର କଳ୍ପନା ହଜାର ହଜାର ବର୍ଷ ପୂର୍ବରୁ ହୋଇଥିବା ଜଣାପଡେ । ଅର୍ଥାତ୍ ଏହି ସବୁ ଅତୀତରେ ସାହିତ୍ୟରେ ଲେଖାଯାଉଥିଲା । ବିନା ଭାଷାରେ ସାହିତ୍ୟ ହୋଇପାରିବ ନାହିଁ । ସଂସ୍କୃତି ଭାଷା ଓ ସାହିତ୍ୟର ଦର୍ପଣ ସଦୃଶ । ସେହିପରି ବର୍ତ୍ତମାନ ସମୟରେ ଭାଷାକୁ ନେଇ ବିତର୍କ ହେଉଛି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତିରେ ସବୁ ଭାରତୀୟ ଭାଷାକୁ ରାଷ୍ଟ୍ରୀୟ ଭାଷା ବୋଲି ଅଭିହିତ କରାଯାଇଛି । ପିଲା ମାନଙ୍କ ମଧ୍ୟରେ ମାତୃଭାଷା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିଥାଏ ।

ଏହି ଅବସରରେ ଶିଳ୍ପ ସଂସ୍ଥା, ସରକାରୀ ସଂସ୍ଥା ଓ ଷ୍ଟାର୍ଟ୍ ଅପ୍ ଦ୍ୱାରା ଭାରତୀୟ ଭାଷା ଟେକ୍ନଲୋଜି ସାମଗ୍ରୀ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ କେନ୍ଦ୍ରମନ୍ତ୍ରୀ ବୁଲି ଦେଖିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ଅଭିଜ୍ଞତାକୁ ୨୨ଟି ଭିନ୍ନ ଭିନ୍ନ ଭାଷାରେ ମତ ରଖିଥିଲେ, ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ ।

RoM



(Release ID: 1962437) Visitor Counter : 142