ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

କେବୁଲ ଟେଲିଭିଜନ ନେଟ ୱାର୍କ ଆଇନ ୧୯୯୪ରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ସଂଶୋଧନ


ଏମ୍‌ଏସ୍‌ଓ ରେଜିଷ୍ଟ୍ରେସନ ବା ନବୀକରଣର ମିଆଦ ୧୦ବର୍ଷ ପାଇଁ ହେବ; ପରିବର୍ଦ୍ଧିତ ଇଣ୍ଟରନେଟ ଆକ୍‌ସେସ ପାଇଁ ଇନ୍‌ଫ୍ରାଷ୍ଟକଚର ସେୟାରିଂ ବ୍ୟବସ୍ଥା

ଏମ୍‌ଏସ୍‌ଓମାନଙ୍କ ପାଇଁ ସେବା ଅବ୍ୟାହତ ରଖିବାକୁ ଠିକ୍ ସମୟରେ ନବୀକରଣ କରିବାକୁ ପଡିବ

Posted On: 28 SEP 2023 11:25AM by PIB Bhubaneshwar

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କେବୁଲ ଟେଲିଭିଜନ ନେଟୱାର୍କ ଆଇନ ୧୯୯୪ରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି । ନୂଆ ବ୍ୟବସ୍ଥାରେ ମଲଟି ସିଷ୍ଟମ ଅପରେଟର (ଏମ୍‌ଏସ୍‌ଓ) କାରବାର ନବୀକରଣ ପାଇଁ ଏକ ୧୦ବର୍ଷିଆ ରେଜିଷ୍ଟେସନ ନିୟମ ଆରମ୍ଭ ହୋଇଛି । ଏହାଛଡା ଇଣ୍ଟରନେଟ୍ ଆକ୍‌ସେସ୍ ସେବା ବଢାଇବା ପାଇଁ ଏମ୍‌ଏସ୍‌ଓମାନେ ଇନ୍‌ଫ୍ରାଷ୍ଟକ୍‌ଚର (ଭିତ୍ତିଭୂମି) ସେୟାରିଂ ନିଜ ନିଜ ମଧ୍ୟରେ କରିପାରିବେ । ଏହା ଫଳରେ ବ୍ରଡ୍‌ବ୍ୟାଣ୍ଡ ସେବା ଯୋଗାଉଥିôବା କେବୁଲ ଅପରେଟରମାନେ ଶେଷତମ ସ୍ଥାନକୁ ଇଣ୍ଟରନେଟ୍ ସୁବିଧା ଯୋଗାଇ ପାରିବେ । ଏମ୍‌ଏସ୍‌ଓଙ୍କ ପାଇଁ ଏହି ପଞ୍ଜୀକରଣ ବା ରେଜିଷ୍ଟ୍ରେସନ ବ୍ୟବସ୍ଥାର ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା । 

୧) ନବୀକରଣ ବା ରେଜିଷ୍ଟ୍ରେସନ ପାଇଁ ଏମ୍‌ଏସ୍‌ଓମାନେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବ୍ରଡକାଷ୍ଟ ସେବା ପୋର୍ଟାଲରେ ଅନ୍‌ଲାଇନ୍‌ରେ ଆବେଦନ କରିବେ । 

୨)ଏମ୍‌ଏସ୍‌ଓଗୁଡିକୁ ୧୦ବର୍ଷ ପାଇଁ କାରବାର ନିମନ୍ତେ ପଞ୍ଜୀକରଣ ବା ନବୀକରଣର ଅନୁମତି ମିଳିବ । 

୩) ପଞ୍ଜୀକରଣ/ନବୀକରଣ ପାଇଁ ବାର୍ଷିକ ପ୍ରସେସିଂ ଫି ଏକଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । 

୪) ପ୍ରଚଳିତ ପଞ୍ଜୀକରଣ ମିଆଦ ଶେଷ ହେବାର ସାତରୁ ଦୁଇ ମାସ ମଧ୍ୟରେ ନବୀକରଣ ପାଇଁ ଆବେଦନ କରିବାକୁ ପଡିବ ।

ସରକାର ଏହି ନବୀକରଣ ବ୍ୟବସ୍ଥା ବ୍ୟାବସାୟିକ ସୁଗମତାକୁ ଆଖି ଆଗରେ ରଖି କରିଛନ୍ତି । ଏହା ଫଳରେ କେବୁଲ ଅପରେଟର ନିରବଚ୍ଛିନ୍ନ ବ୍ୟବସାୟ ସୁବିଧା ପାଇବେ ଏବଂ ଏଥିରେ କୌଣସି ବିଘ୍ନ ଘଟିବ ନାହିଁ । ଏହା ଦ୍ୱାରା ଏହି କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ପାଇଁ ଆକର୍ଷଣୀୟ ସୁଯୋଗ ସୁବିଧା ସୃଷ୍ଟି ହେବ । 

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ ଯେଉଁ ଏମ୍‌ଏସ୍‌ଓ ମାନଙ୍କର ପଞ୍ଜୀକରଣ ସାତ ମାସ ମଧ୍ୟରେ ଶେଷ ହେଉଛି ସେମାନେ ବ୍ରଡ୍‌କାଷ୍ଟ ସେବା ପୋର୍ଟାଲ ମାଧ୍ୟମରେ ଅନ୍‌ଲାଇନ୍ ଆବେଦନ କରିବେ । କିଛି ସହାୟତା ଆବଶ୍ୟକ ହେଲେ ପୋର୍ଟାଲରେ ହେଲ୍‌ପଲାଇନ ନମ୍ବର ଦିଆଯାଇଛି । ଏହା ଛଡା  sodas-moiab[at]gov[dot]in . ଇମେଲରେ ଯୋଗାଯୋଗ କରିହେବ । 

ପୂର୍ବରୁ କେବଳ ନୂଆ ଏମ୍‌ଏସ୍‌ଓ ରେଜିଷ୍ଟ୍ରେସନ ପାଇଁ ୧୯୯୪ର କେବୁଲ ଟେଲିଭିଜନ ନେଟୱାର୍କ ଆଇନର ଅନୁମତି ଦିଆଯାଇଥିଲା । ସେହି ଆଇନର ପଞ୍ଜୀକରଣର ମିଆଦ ଉଲ୍ଲେଖ ନ ଥିଲା । ଏହାଛଡା ଏଥିରେ ଅନ୍‌ଲାଇନ ଆବେଦନକୁ ବାଧ୍ୟତାମୂଳକ କରାଯାଇ ନ ଥିଲା । 

ସଂଶୋଧିତ ଆଇନରେ କେବୁଲ ଅପରେଟରମାନେ ଯାହାଙ୍କ ପାଖରେ ବ୍ରଡବ୍ୟାଣ୍ଡ ସେବା ଯୋଗାଣର ସୁବିଧା ଅଛି ସେମାନେ ଏହାକୁ ଅନ୍ୟମାନଙ୍କ ସହ ସେୟାର କରି ବ୍ୟାବସାୟିକ ଲାଭ ଉଠାଇ ପାରିବେ । ଏହାଛଡା ଶେଷତମ ସ୍ଥାନ ଓ ବ୍ୟକ୍ତିଙ୍କ ପାଖରେ ଇଣ୍ଟରନେଟ ସେବା ପହଂଚିପାରିବ । ଏହି ଇନ୍‌ଫ୍ରାଷ୍ଟ୍ରକଚର ସେୟାରିଂ ବ୍ୟବସ୍ଥା ଦ୍ୱାରା ସମ୍ବଳର ଦକ୍ଷ ଉପଯୋଗ ହୋଇପାରିବ । ଏହା ଦ୍ୱାରା ମଧ୍ୟ ବ୍ରଡ ସେବା ନିମନ୍ତେ ଅତିରିକ୍ତ ଭିତ୍ତିଭୂମିର ଆବଶ୍ୟକତା ରହିବ ନାହିଁ ।

 

*****

TKM/SLP



(Release ID: 1961844) Visitor Counter : 98