ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ (ଭିଡିଓ କନଫରେନ୍ସିଂ ଜରିଆରେ)

Posted On: 26 SEP 2023 12:34PM by PIB Bhubaneshwar

ନମସ୍କାର !

ଆଜିର ଏହି ରୋଜଗାର ମେଳାରେ ଯେଉଁ ଆବେଦନକାରୀ ମାନଙ୍କୁ ସରକାରୀ ସେବାରେ ନିଯୁକ୍ତି ପତ୍ର ମିଳିଛି, ସେହି ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା । ଆପଣ ସମସ୍ତେ କଠିନ ପରିଶ୍ରମ ପରେ ଏହି ସଫଳତା ହାସଲ କରିଛନ୍ତି । ଆପଣମାନଙ୍କର  ଚୟନ ଲକ୍ଷ- ଲକ୍ଷ ଆବେଦନକାରୀମାନଙ୍କ ମଧ୍ୟରୁ କରାଯାଇଛି, ଏଥିପାଇଁ ଏହି ସଫଳତାର ଆପଣଙ୍କ ଜୀବନରେ ବହୁତ ବଡ଼ ଗୁରୁତ୍ୱ ରହିଛି।

ଆଜି ଦେଶରେ ଚାରିଆଡେ ଗଣେଶ ଉତ୍ସବର ଧୂମ ଚାଲୁ ରହିଛି । ଏହି ପବିତ୍ର ସମୟରେ ଆପଣ ସମସ୍ତଙ୍କ ନୂତନ ଜୀବନର ଶୁଭାରମ୍ଭ ବା ଶ୍ରୀଗଣେଶ ହେଉଛି । ଭଗବାନ ଗଣେଶ ହେଉଛନ୍ତି ସିଦ୍ଧିର ଦେବତା । ମୋର ଏହି କାମନା ଯେ, ଆପଣ ମାନଙ୍କର ସେବାର ସଂକଳ୍ପ, ରାଷ୍ଟ୍ରର ଲକ୍ଷ୍ୟକୁ ସିଦ୍ଧି ପର୍ଯ୍ୟନ୍ତ ନେଇଯିବ ।

ସାଥୀଗଣ,

ଆଜି ଆମ ଦେଶ ଐତିହାସିକ ଉପଲବ୍ଧି ଗୁଡିକର ଏବଂ ନିଷ୍ପତି ଗୁଡିକର ସାକ୍ଷୀ ପାଲଟୁଛି । କିଛି ଦିନ ପୂର୍ବରୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ରୂପରେ ଦେଶର ଅଧା ଜନସଂଖ୍ୟାକୁ ବହୁତ ବଡ଼ ଶକ୍ତି ମିଳିଛି । 30 ବର୍ଷ ଧରି ମହିଳା ସଂରକ୍ଷଣର ଯେଉଁ ବିଷୟ ପଡି ରହିଥିଲା, ତାହା ଏବେ ରେକର୍ଡ ଭୋଟ ସହିତ ଉଭୟ ସଦନରେ ଗୃହୀତ ହୋଇଛି ।

ଆପଣ କଳ୍ପନା କରନ୍ତୁ ଯେ, ଏହା କେତେ ବଡ଼ ଉପଲବ୍ଧି । ଏହି ଦାବି ସେତେବେଳଠାରୁ ହେଉଥିଲା, ଯେତେବେଳେ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ଜନ୍ମ ମଧ୍ୟ ହୋଇ ନ ଥିବ । ଏହି ନିଷ୍ପତି ଦେଶର ନୂତନ ସଂସଦର ପ୍ରଥମ ଅଧିବେଶନରେ ହୋଇଛି । ଏକ ପକ୍ଷରେ ନୂତନ ସଂସଦରେ, ଦେଶର ନୂତନ ଭବିଷ୍ୟତର ଶୁଭାରମ୍ଭ ହୋଇଛି ।    

ସାଥୀଗଣ,

ଆଜି ଏହି ରୋଜଗାର ମେଳାରେ ମଧ୍ୟ ଆମର ଝିଅମାନଙ୍କୁ ବ୍ୟାପକ ସଂଖ୍ୟାରେ ନିଯୁକ୍ତି ପତ୍ର ମିଳିଛି । ଆଜି ଭାରତର ଝିଅମାନେ ମହାକାଶଠାରୁ ନେଇ କ୍ରୀଡା ପର୍ଯ୍ୟନ୍ତ ଅନେକ ନୂତନ କିର୍ତିମାନ ସ୍ଥାପିତ କରୁଛନ୍ତି । ମୋତେ ନାରୀ ଶକ୍ତିର ଏହି ସଫଳତା ଉପରେ ବହୁତ- ବହୁତ ଗୌରବ ହେଉଛି । ସରକାରଙ୍କ ନୀତି ମଧ୍ୟ ଏହା ଯେ ନାରୀ ଶକ୍ତି ପାଇଁ ନୂଆ ନୂଆ ଦ୍ୱାର ଉନ୍ମୁକ୍ତ ହେଉ । ଆମର ଝିଅମାନେ ଏବେ ଦେଶର ସଶସ୍ତ୍ର ବଳମାନଙ୍କରେ କମିଶନଠାରୁ ନେଇ ରାଷ୍ଟ୍ରସେବାର ପଥରେ ଅଗକୁ ବଢୁଛନ୍ତି । ଆମ ସମସ୍ତଙ୍କର ଅନୁଭବ ହେଉଛି ଯେ, ନାରୀ ଶକ୍ତି ସଦାସର୍ବଦା ନୂତନ ଉର୍ଜ୍ଜା ସହିତ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତନ ଆଣିଛନ୍ତି । ଆମର ଅଧା ଜନସଂଖ୍ୟା ପାଇଁ ସରକାରଙ୍କର ସୁଶାସନ, ଏଥିପାଇଁ  ଆପଣମାନଙ୍କୁ ନୂତନ ଚିନ୍ତାଧାରା ଉପରେ କାର୍ଯ୍ୟ କରିବା ଆବଶ୍ୟକ ।

ସାଥୀଗଣ,

ଆଜି ଏକବିଂଶ ଶତାବ୍ଦୀରେ ଭାରତର ଆକାଂକ୍ଷାଗୁଡିକ ହେଉଛି ବହୁତ ଉଚ୍ଚ, ଆମ ସମାଜର, ସରକାରଙ୍କଠାରୁ ବହୁତ ଅଧିକ ଆଶା ଅଛି । ଆପଣମାନେ ସ୍ୱୟଂ ଦେଖୁଛନ୍ତି ଯେ, ଏହି ନୂତନ ଭାରତ ଆଜି କ’ଣ ଚମତ୍କାର କରୁଛି । ଏହା ହେଉଛି ସେହି ଭାରତ ଯିଏ କିଛି ଦିନ ପୂର୍ବେ ଚନ୍ଦ୍ରରେ ନିଜର ତ୍ରିରଙ୍ଗା ଉଡାଇଛି । ଏହି ନୂତନ ଭାରତର ସ୍ୱପ୍ନ ହେଉଛି ବହୁତ ଉଚ୍ଚ । ଦେଶ 2047 ସୁଦ୍ଧା ବିକଶିତ ଭାରତ ହେବାର ସଂକଳ୍ପ ନେଇଛି ।

ଆଗାମୀ କିଛି ବର୍ଷ ମଧ୍ୟରେ ଆମେ ତୃତୀୟ ସର୍ବ ବୃହତ ଅର୍ଥବ୍ୟବସ୍ଥା ହେବାକୁ ଯାଉଛେ । ଆଜି ଯେତେବେଳେ ଦେଶରେ ଏତେ କିଛି ହେଉଛି ସେତେବେଳେ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ଭୂମିକା ବହୁତ ବୃଦ୍ଧି ପାଇବାକୁ ଯାଉଛି । ଆପଣମାନଙ୍କୁ ସର୍ବଦା ନାଗରିକ ପ୍ରଥମେ ଭାବନା ସହିତ କାର୍ଯ୍ୟ କରିବାକୁ ହେବ । ଆପଣମାନେ ତ’ ହେଉଛନ୍ତି ଏଭଳି ଏକ ପିଢ଼ୀର ଅଂଶ, ଯେଉଁମାନେ ପ୍ରଯୁକ୍ତି ବିଦ୍ୟା ସହିତ ବଢ଼ିଛନ୍ତି । ଯେଉଁ ଗ୍ୟାଜେଟସ ଆପଣଙ୍କ ଅଭିଭାବକ ବହୁତ କଷ୍ଟରେ ପରିଚାଳିତ କରି ପାରୁଥିଲେ, ଆପଣମାନେ ତାହାକୁ ଖେଳଣା ଭଳି ବ୍ୟବହାର କରୁଛନ୍ତି ।

ପ୍ରଯୁକ୍ତିବିଦ୍ୟା ଦ୍ୱାରା ଏହି ସହଜତାକୁ ଏବେ ଆପଣଙ୍କୁ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ବ୍ୟବହାର କରିବାକୁ ହେବ । ଆମକୁ ଚିନ୍ତା କରିବାକୁ ହେବ ଯେ ଆମେ ପ୍ରଶାସନକୁ ମଧ୍ୟ ପ୍ରଯୁକ୍ତିବିଦ୍ୟାର ସହାୟତାରେ କିପରି ନୂତନ ସୁଧାର କରି ପାରିବା? ଆପଣମାନଙ୍କୁ ଦେଖିବାକୁ ହେବ ଯେ ନିଜ- ନିଜ କ୍ଷେତ୍ରରେ ଆପଣ କିଭଳି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଦକ୍ଷତାକୁ ଆହୁରି ଅଭିବୃଦ୍ଧି କରି ପାରିବେ?

ସାଥୀଗଣ,

ପ୍ରଯୁକ୍ତିବିଦ୍ୟା ରୂପାନ୍ତରଣ ଦ୍ୱାରା ପ୍ରଶାସନ କିଭଳି ସହଜ ହୋଇଥାଏ, ଆପଣ ବିଗତ 9 ବର୍ଷରେ ଦେଖିଛନ୍ତି । ପୂର୍ବରୁ ରେଳ ଟିକଟ ନେବାପାଇଁ ବୁକିଂ କାଉଂଟରରେ ଲାଇନ ଲାଗୁଥିଲା । ପ୍ରଯୁକ୍ତିବିଦ୍ୟା ଏହି କଷ୍ଟକୁ ସହଜସାଧ୍ୟ କରି ଦେଇଛି । ଆଧାର କାର୍ଡ, ଡିଜିଟାଲ ଲକର ଏବଂ ଇ-କେୱାଇସି କାଗଜାତର ଜଟିଳତାକୁ ଶେଷ କରି ଦେଇଛି । ଗ୍ୟାସ ସିଲିଣ୍ଡର ବୁକିଂ ଠାରୁ ନେଇ ବିଜୁଳି ବିଲ ଦେୟ ପଇଠ ପର୍ଯ୍ୟନ୍ତ ସବୁ ଏବେ ଆପ୍ ସାହାଯ୍ୟରେ ହେବାରେ ଲାଗିଛି । ଡିବିଟି ଜରିଆରେ ସରକାରୀ ଯୋଜନାର ଅର୍ଥ ସିଧାସଳଖ ଲୋକଙ୍କ ଖାତାରେ ପହଂଚୁଛି । ଡିଜି ଯାତ୍ରା ଦ୍ୱାରା ଆମର ଯାତାୟାତ ତଥା କାର୍ଯ୍ୟ ସହଜ ହୋଇଛି । ଅର୍ଥାତ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଭ୍ରଷ୍ଟାଚାର ହ୍ରାସ ପାଇଛି, ବିଶ୍ୱାସନୀୟତା ବୃଦ୍ଧି ପାଇଛି, ଜଟିଳତା ହ୍ରାସ ପାଇଛି, ଆରାମଦାୟକ ପରିସ୍ଥିତି ବୃଦ୍ଧି ପାଇଛି ।

ଆପଣମାନଙ୍କୁ ଏହି ଦିଗରେ ଆହୁରି ଅଧିକରୁ ଅଧିକ କାର୍ଯ୍ୟ କରିବାକୁ ଅଛି । ଗରିବଙ୍କ ପ୍ରତ୍ୟେକ ଆବଶ୍ୟକତା, ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କିପରି ସହଜ ହେବ, ଆପଣମାନଙ୍କୁ ଏହି କାର୍ଯ୍ୟ ପାଇଁ ନୂଆ- ନୂଆ କୌଶଳ ଖୋଜିବାକୁ ହେବ, ଅଭିନବ ଉପାୟ ଖୋଜିବାକୁ ହେବ, ଏବଂ ତାହାକୁ ଆଗକୁ ମଧ୍ୟ ବଢ଼ାଇବାକୁ ହେବ ।

ସାଥୀଗଣ,

ବିଗତ 9 ବର୍ଷରେ ଆମର ନୀତିଗୁଡ଼ିକ ବଡ଼ରୁ ବଡ଼ ଲକ୍ଷ୍ୟ ହାସଲ କରିବାର ପଥ ପ୍ରସ୍ତୁତ କରିଛି । ଆମର ନୀତିଗୁଡ଼ିକ ନୂତନ ଚିନ୍ତାଧାରା, ଅନବରତ ନିରୀକ୍ଷଣ, ମିଶନ ମୋଡରେ କାର୍ଯ୍ୟାନ୍ୱୟନ ଏବଂ ଜନ ଭାଗିଦାରୀ ଉପରେ ଆଧାରିତ । 9 ବର୍ଷରେ ସରକାର ମିଶନ ମୋଡରେ ନୀତିଗୁଡ଼ିକୁ ଲାଗୁ କରିଛନ୍ତି । ସେ ସ୍ୱଚ୍ଛତା ହେଉ, ଅବା ଜଳଜୀବନ ମିଶନ, ଏହି ସମସ୍ତ ଯୋଜନା ଗୁଡ଼ିକରେ ଶତ ପ୍ରତିଶତ ପରିପୂର୍ଣ୍ଣତାର ଲକ୍ଷ୍ୟ ଉପରେ କାର୍ଯ୍ୟ କରାଯାଉଛି । ସରକାରଙ୍କ ପ୍ରତ୍ୟେକ ସ୍ତରରେ ଯୋଜନାଗୁଡ଼ିକର ନିରୀକ୍ଷଣ କରାଯାଉଛି ।

ସ୍ୱୟଂ ମୁଁ ନିଜେ ମଧ୍ୟ ପ୍ରଗତି ମଂଚ ଦ୍ୱାରା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ଦୃଷ୍ଟି ରଖୁଛି । ଏହି ପ୍ରୟାସ ମଧ୍ୟରେ, କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ସବୁଠାରୁ ବଡ଼ ଦାୟିତ୍ୱ ଆପଣ ସମସ୍ତ ନବନିଯୁକ୍ତ କର୍ମଚାରୀଙ୍କ ଉପରେ ରହିଛି । ଯେତେବେଳେ ଆପଣମାନଙ୍କ ଭଳି ଲକ୍ଷ- ଲକ୍ଷ ଯୁବକ ସରକାରୀ ସେବା ସହିତ ଯୋଡ଼ି ହୋଇଥାଆନ୍ତି, ସେତେବେଳେ ନୀତିଗୁଡ଼ିକୁ ଲାଗୁ କରିବାର ଗତି ଏବଂ ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ । ଏହାଦ୍ୱାରା ସରକାରଙ୍କ ବ୍ୟତୀତ ମଧ୍ୟ ବାହାରେ ରୋଜଗାରର ସୁଯୋଗ ପ୍ରସ୍ତୁତ ହୋଇଥାଏ । ଏହା ସହିତ କାର୍ଯ୍ୟ କରିବାର ନୂତନ ବ୍ୟବସ୍ଥା ମଧ୍ୟ ସୃଷ୍ଟି ହୋଇଥାଏ ।

ସାଥୀଗଣ,

ବୈଶ୍ୱିକ ଅର୍ଥବ୍ୟବସ୍ଥାଗୁଡ଼ିକରେ କଷ୍ଟକର ସମୟ ମଧ୍ୟରେ ଆଜି ଭାରତର ଜିଡିପି ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଆମର ଉତ୍ପାଦନ ଏବଂ ରପ୍ତାନୀ ଉଭୟ କ୍ଷେତ୍ରରେ ବହୁତ ବଡ଼ ବୃଦ୍ଧି ହେଉଛି । ଦେଶ ଆଜି ନିଜର ଆଧୁନିକ ଭିତିଭୂମି ଉପରେ ଯେତେ ନିବେଶ କରୁଛି, ତାହା ପୂର୍ବରୁ କେବେ କରାଯାଇ ନ ଥିଲା । ଆଜି ଦେଶରେ ନୂଆ- ନୂଆ କ୍ଷେତ୍ରର ବିସ୍ତାର ହେଉଛି । ଆଜି ନବୀକରଣୀୟ ଶକ୍ତି, ଜୈବିକ କୃଷି, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ ସମେତ ଅନେକ କ୍ଷେତ୍ରରେ ଅଦ୍ଭୂତପୂର୍ବ ଗତି ଦେଖିବାକୁ ମିଳୁଛି ।

ମୋବାଇଲ ଫୋନ ଠାରୁ ନେଇ ଯୁଦ୍ଧବିମାନ ପରିବହନ ପର୍ଯ୍ୟନ୍ତ, କରୋନା ଟିକା ଠାରୁ ନେଇ ଫାଇଟର ଜେଟ୍ ପର୍ଯ୍ୟନ୍ତ ଭାରତର ଆତ୍ମନିର୍ଭର ଅଭିଯାନର ଶକ୍ତି ସମସ୍ତଙ୍କ ସାମ୍ନାରେ ଅଛି । ଏଭଳି କୁହାଯାଉଛି ଯେ 2025 ପର୍ଯ୍ୟନ୍ତ କେବଳ ଭାରତର ମହାକାଶ ଅର୍ଥନୀତି ହିଁ 60 ହଜାର କୋଟିରୁ ବହୁତ ବଡ଼ ହୋଇଯିବ । ଅର୍ଥାତ ଆଜି ଦେଶର ଯୁବକମାନଙ୍କ ପାଇଁ କ୍ରମାଗତ ନୂଆ- ନୂଆ ସୁଯୋଗ ସୃଷ୍ଟି ହେଉଛି, ରୋଜଗାରର ନୂତନ ସମ୍ଭାବନା ମଧ୍ୟ ସୃଷ୍ଟି ହେଉଛି ।

ସାଥୀଗଣ,

ସ୍ୱାଧୀନତାର ଅମୃତକାଳରେ ଆଗାମୀ 25 ବର୍ଷ ହେଉଛି ଯେତେ ଗୁରୁତ୍ୱପୂର୍ଣ୍ଣ, ସେତିକି ହିଁ ହେଉଛି ଆପଣମାନଙ୍କର ଆଗାମୀ 25 ବର୍ଷର କ୍ୟାରିୟର ଗୁରୁତ୍ୱପୂର୍ଣ୍ଣ । ଆପଣମାନଙ୍କୁ ଟିମ୍ ୱାର୍କ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ହେବ । ଆପଣମାନେ ଦେଖିଛନ୍ତି, ଚଳିତ ମାସରେ ଆମ ଦେଶରେ G-20 ବୈଠକଗୁଡ଼ିକର ସଫଳ ଆୟୋଜନ ଶେଷ ହୋଇଛି । ଦିଲ୍ଲୀ ସମେତ ଦେଶର 60 ସହରରେ 200ରୁ ଅଧିକ ବୈଠକ ଆୟୋଜିତ କରାଯାଇଥିଲା ।

ଏହି ସମୟରେ ବିଦେଶୀ ଅତିଥିମାନେ ଆମ ଦେଶର ବିବିଧତାର ରଙ୍ଗ ଦେଖିଛନ୍ତି । G-20 ଆମର ପରମ୍ପରା, ସଙ୍କଳ୍ପ ଏବଂ ଆତିଥ୍ୟ ଭାବନାର ଆୟୋଜନ ଥିଲା । G-20 ଶୀଖର ସମ୍ମିଳନୀର ସଫଳତା ମଧ୍ୟ ସରକାରୀ ଏବଂ ଘରୋଇ କ୍ଷେତ୍ରର ଭିନ୍ନ- ଭିନ୍ନ ବିଭାଗଗୁଡ଼ିକର ହେଉଛି ସଫଳତା । ସମସ୍ତେ ଏହି ଆୟୋଜନ ପାଇଁ ଏକ ଟିମ୍ ଭାବେ କାର୍ଯ୍ୟ କରିଛନ୍ତି । ମୁଁ ଖୁସି ଯେ ଆଜି ଆପଣମାନେ ମଧ୍ୟ ସରକାରୀ କର୍ମଚାରୀମାନଙ୍କର ଟିମ୍ ଇଣ୍ଡିଆର ଅଂଶ ହେବାକୁ ଯାଉଛନ୍ତି ।

ସାଥୀଗଣ,

ଆପଣ ସମସ୍ତଙ୍କୁ ଦେଶର ବିକାଶ ଯାତ୍ରାରେ ସରକାରଙ୍କ ସହିତ ସିଧାସଳଖ ଯୋଡ଼ି ହୋଇ କାର୍ଯ୍ୟ କରିବାକର ସୁଯୋଗ ମିଳିଛି । ମୋର ଆପଣମାନଙ୍କୁ ଅନୁରୋଧ ଯେ ଏହି ଯାତ୍ରାରେ ଆପଣମାନେ ଶିକ୍ଷା ଲାଭ କରି କାର୍ଯ୍ୟ କରିବାର ଅଭ୍ୟାସକୁ ଜାରି ରଖିବେ । ଅନ୍ ଲାଇନ୍ ଲର୍ଣ୍ଣିଂ ପୋର୍ଟାଲ- ‘ଆଇଜିଓଟି କର୍ମଯୋଗୀ’ (‘iGoT Karmayogi’) ଦ୍ୱାରା ଆପଣ ନିଜ ପସନ୍ଦର ପାଠ୍ୟକ୍ରମ ସହିତ ଯୋଡ଼ି ହୋଇ ପାରିବେ । ମୁଁ ଚାହୁଁଛି ଯେ ଆପଣ ସମସ୍ତେ ଏହି ସୁବିଧାର ଲାଭ ଉଠାଇବେ । ପୁଣି ଥରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଭାରତର ସଂକଳ୍ପକୁ ସିଦ୍ଧି ପର୍ଯ୍ୟନ୍ତ ଆଣିବା ପାଇଁ ଆପଣ ସମସ୍ତଙ୍କୁ ମୋର ବହୁତ- ବହୁତ ଶୁଭକାମନା । ଆପଣମାନଙ୍କ ପରିବାରଜନଙ୍କୁ ମଧ୍ୟ ଅନେକ- ଅନେକ ଶୁଭକାମନା, ବହୁତ- ବହୁତ ଶୁଭେଚ୍ଛା । ଆପଣ ସ୍ୱୟଂ ମଧ୍ୟ ପ୍ରଗତି କରନ୍ତୁ ଆଉ ଆପଣଙ୍କର ଏହି 25 ବର୍ଷର ଯାହା ଆପଣମାନଙ୍କ ପାଇଁ ଆଉ ଦେଶ ପାଇଁ ମଧ୍ୟ । ଏଭଳି ବିରଳ ସଂଯୋଗ ବହୁତ କମ୍ ମିଳିଥାଏ, ଆପଣମାନଙ୍କୁ ମିଳିଛି । ଆସନ୍ତୁ ସାଥୀଗଣ, ସଂକଳ୍ପ ନେଇ ଆଗେଇ ଚାଲିବା । ଦେଶ ପାଇଁ ଜୀଇଁକରି ଦେଖାଇବା, ଦେଶ ପାଇଁ କିଛି କରି ଦେଖାଇବା । ବହୁତ- ବହୁତ ଶୁଭକାମନା ।

ବହୁତ- ବହୁତ ଧନ୍ୟବାଦ ।

 

*****

AH



(Release ID: 1961084) Visitor Counter : 76