ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ - ସାଉଦି ଆରବ ରଣନୀତିକ ଭାଗିଦାରୀ ପରିଷଦର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ଉଦବୋଧନ

Posted On: 11 SEP 2023 3:34PM by PIB Bhubaneshwar

ମହାନୁଭବ

ଉଭୟ ଦେଶର ପ୍ରତିନିଧି,

ଗଣମାଧ୍ୟମର ବନ୍ଧୁଗଣ,

ଆଜି ଭାରତ - ସାଉଦି ଆରବ ରଣନୀତିକ ଭାଗିଦାରୀ ପରିଷଦର ନେତା ମାନଙ୍କର ପ୍ରଥମ ବୈଠକରେ ଅଂଶଗ୍ରହଣ କରି ମୋତେ ବହୁତ ଖୁସି ଅନୁଭବ ହେଉଛି ।

୨୦୧୯ ରେ ମୋର ସାଉଦି ଆରବ ଗସ୍ତ ସମୟରେ ଆମେ ଏହି ପରିଷଦ ସମ୍ପର୍କରେ ଘୋଷଣା କରିଥିଲୁ ।

ଏହି ଚାରି ବର୍ଷ ମଧ୍ୟରେ, ଏହା ଆମର ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାର ଏକ ପ୍ରଭାବଶାଳୀ ମାଧ୍ୟମ ଭାବରେ ଉଭା ହୋଇଛି । 

ମୁଁ ଖୁସି ଯେ ଏହି ପରିଷଦ ଅଧୀନରେ ଉଭୟ କମିଟିର ଅନେକ ବୈଠକ ଅନୁଷ୍ଠିତ ହୋଇ ଯାଇଛି, ଯେଉଁ କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଆମର ପାରସ୍ପରିକ ସହଯୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ସମୟର ପରିବର୍ତ୍ତିତ ଆବଶ୍ୟକତା ଗୁଡିକ ଅନୁଯାୟୀ, ଆମେ ଆମ ସମ୍ପର୍କରେ ନୂତନ ଏବଂ ଆଧୁନିକ ଦିଗ ଯୋଗ କରୁଛୁ ।

ଭାରତ ପାଇଁ ସାଉଦି ଆରବ ଆମର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଭାଗୀଦାର ମାନଙ୍କ ମଧ୍ୟରୁ ଅନ୍ୟତମ ।

ଦୁନିଆର ଦୁଇଟି ବୃହତ୍ତମ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ଆମର ପାରସ୍ପରିକ ସହଯୋଗ ସମଗ୍ର ଅଞ୍ଚଳର ଶାନ୍ତି ଏବଂ ସ୍ଥିରତା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ମହାନୁଭବ 

ମହାମହିମଙ୍କ ସହିତ ବୈଠକରେ ଆମେ ଆମର ଘନିଷ୍ଠ ଭାଗିଦାରୀକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଅନେକ ପଦକ୍ଷେପ ଚିହ୍ନଟ କରିଥିଲୁ ।

ଆଜି ଆମର ଏହି ବୈଠକ ଆମ ସମ୍ପର୍କକୁ ଏକ ନୂତନ ଶକ୍ତି, ଏକ ନୂତନ ଦିଗ ପ୍ରଦାନ କରିବ ଏବଂ ମାନବିକତାର ଉନ୍ନତି ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆମକୁ ପ୍ରେରଣା ଯୋଗାଇବ ।

ଗତ କାଲି ଆମେ ମିଳିତ ଭାବେ ଭାରତ- ପଶ୍ଚିମ ଏସିଆ ଏବଂ ୟୁରୋପ ମଧ୍ୟରେ ଏକ ଅର୍ଥନୈତିକ କରିଡର ପ୍ରତିଷ୍ଠା କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ଆରମ୍ଭ କରିଛୁ ।

ଏହି କରିଡର କେବଳ ଦୁଇ ଦେଶକୁ ସଂଯୋଗ କରିବ ନାହିଁ, ବରଂ ଏସିଆ, ପଶ୍ଚିମ ଏସିଆ ଏବଂ ୟୁରୋପ ମଧ୍ୟରେ ଅର୍ଥନୈତିକ ସହଯୋଗ, ଶକ୍ତି କ୍ଷେତ୍ରରେ ବିକାଶ ଏବଂ ଡିଜିଟାଲ ସଂଯୋଗକୁ ମଧ୍ୟ ମଜଭୁତ କରିବ ।

ମହାମହିମ, ଆପଣଙ୍କ ନେତୃତ୍ୱରେ ଏବଂ ଆପଣଙ୍କ ଦୃଷ୍ଟିକୋଣ (ଭିଜନ ୨୦୩୦) ମାଧ୍ୟମରେ ସାଉଦି ଆରବ ଯେଉଁ ଦ୍ରୁତଗତିରେ ଅର୍ଥନୈତିକ ଏବଂ ସାମାଜିକ ପ୍ରଗତି କରୁଛି, ସେଥି ପାଇଁ ମୁଁ ହୃଦୟରୁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ସାଉଦି ଆରବରେ ବାସ କରୁଥିବା ଭାରତୀୟ ମାନଙ୍କର ସ୍ୱାର୍ଥ ଏବଂ କଲ୍ୟାଣ ରକ୍ଷା ପାଇଁ ଆପଣଙ୍କର ପ୍ରତିବଦ୍ଧତା ପାଇଁ ଆମେ ଆପଣ ନିକଟରେ ବହୁତ ବହୁତ କୃତଜ୍ଞ ।

ଆଞ୍ଚଳିକ ତଥା ବିଶ୍ୱ ସ୍ଥିରତା, ସମୃଦ୍ଧତା ଏବଂ ମାନବ କଲ୍ୟାଣ ପାଇଁ ଭାରତ ଏବଂ ସାଉଦି ଆରବ ମଧ୍ୟରେ ବନ୍ଧୁତା ଗୁରୁତ୍ୱପୂର୍ଣ୍ଣ ।

ଜି - ୨୦ ସମ୍ମିଳନୀର ସଫଳତା ପାଇଁ ଆପଣ ମାନଙ୍କର ଅବଦାନ ନିମନ୍ତେ ମୁଁ ପୁଣି ଥରେ ମହାନୁଭବ ଏବଂ ଆପଣ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ।

ମୁଁ ବର୍ତ୍ତମାନ ଆପଣ ମାନଙ୍କୁ ଉଦ୍‌ବୋଧନ ଦେବାକୁ ନିମନ୍ତ୍ର

ଣ କରୁଛି ।

***

SSP

 

 



(Release ID: 1956449) Visitor Counter : 105