ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି- ୨୦ ବାଣିଜ୍ୟ ଓ ନିବେଶ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Posted On: 24 AUG 2023 9:12AM by PIB Bhubaneshwar

ମହାମହିମ, ମହିଳା ଓ ଭଦ୍ର ବ୍ୟକ୍ତିଗଣ, ନମସ୍କାର !

ଗୋଲାପୀ ନଗରୀ ଜୟପୁରକୁ ହାର୍ଦ୍ଦିକ ସ୍ୱାଗତ! ଏହି ଅଞ୍ଚଳ ଏହାର ଗତିଶୀଳତା ଏବଂ ଉଦ୍ୟୋଗୀ ଲୋକ ମାନଙ୍କ ପାଇଁ ବେଶ୍ ଜଣାଶୁଣା ।

ବନ୍ଧୁଗଣ,

ସମଗ୍ର ଇତିହାସକୁ ଯଦି ଦେଖାଯାଏ, ତେବେ ବାଣିଜ୍ୟ ମାଧ୍ୟମରେ ଚିନ୍ତାଧାରା, ସଂସ୍କୃତି ଏବଂ ପ୍ରଯୁକ୍ତି ବିଦ୍ୟାର ଆଦାନପ୍ରଦାନ ହୋଇଛି । ଏହା ଲୋକ ମାନଙ୍କୁ ପରସ୍ପରର ନିକଟତର କରିଛି । ବାଣିଜ୍ୟ ଓ ଜଗତୀକରଣ ମଧ୍ୟ କୋଟି କୋଟି ଲୋକଙ୍କୁ ଅତ୍ୟଧିକ ଦାରିଦ୍ର‌୍ୟରୁ ମୁକ୍ତ କରିଛି ।

ମହାମହିମ,

ଆଜି ଆମେ ଭାରତୀୟ ଅର୍ଥନୀତି ଉପରେ ବିଶ୍ୱସ୍ତରୀୟ ଆଶା ଏବଂ ବିଶ୍ୱାସକୁ ଦେଖୁଛୁ । ଭାରତକୁ ଏକ ମୁକ୍ତ ଚିନ୍ତାଧାରା ସମ୍ପନ୍ନ, ଅନେକ ସୁଯୋଗ ଏବଂ ବିକଳ୍ପ ଗୁଡିକର ମିଶ୍ରଣ ଭାବରେ ଦେଖାଯାଏ । ବିଗତ ୯ ବର୍ଷ ମଧ୍ୟରେ,  ଭାରତ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ ହୋଇଛି । ଏହା ଆମର ନିରନ୍ତର ପ୍ରୟାସ ଗୁଡିକର ଫଳ । ଆମେ ୨୦୧୪ ମସିହାରେ ‘ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର' ର ଯାତ୍ରା ଆରମ୍ଭ କରିଥିଲୁ । ଆମେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିଛୁ ଏବଂ ସ୍ୱଚ୍ଛତା ବଢ଼ାଇଛୁ । ଆମେ ଡିଜିଟାଲୀକରଣକୁ ବ୍ୟାପକ କରିଛୁ ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିଛୁ । ଆମେ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ସ୍ଥାପନ କରିଛୁ ଏବଂ ଉଦ୍ୟୋଗ ଜୋନ୍ ନିର୍ମାଣ କରିଛୁ । ଆମେ ଲାଲ୍ ଫିତାରୁ ବାହାରି ଲାଲ୍ ଗାଲିଚା ଆଡକୁ ଯାଇଛୁ ଏବଂ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ (ଏଫଡିଆଇ)  ପ୍ରବାହକୁ ଉଦାର କରିଛୁ । ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଭଳି ପଦକ୍ଷେପ ଗୁଡିକ ଉତ୍ପାଦନକୁ ପ୍ରୋତ୍ସାହିତ କରିଛି । ସର୍ବୋପରି,  ଆମେ ନୀତିଗତ ସ୍ଥିରତା ଆଣିଛୁ । ଆଗାମୀ କିଛି ବର୍ଷ ମଧ୍ୟରେ ଭାରତକୁ ତୃତୀୟ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।

ବନ୍ଧୁଗଣ,

ମହାମାରୀ ଠାରୁ ଆରମ୍ଭ କରି ଭୂ- ରାଜନୈତିକ ଉତ୍ତେଜନା ପର୍ଯ୍ୟନ୍ତ ସାମ୍ପ୍ରତିକ ବୈଶ୍ୱିକ ଆହ୍ୱାନ ବିଶ୍ୱ ଅର୍ଥନୀତିକୁ ପରୀକ୍ଷା କରିଛି । ଜି- ୨୦ ଅନୁସାରେ ଅନ୍ତର୍ଜାତୀୟ ବାଣିଜ୍ୟ ଓ ପୁଞ୍ଜି ନିବେଶ ଉପରେ ପୁନଃବିଶ୍ୱାସ ସୃଷ୍ଟି କରିବା ଆମର ଦାୟିତ୍ୱ । ଭବିଷ୍ୟତର ବିପଦକୁ ସହ୍ୟ କରିପାରୁଥିବା ସ୍ଥିର ଏବଂ ଅନ୍ତର୍ଭୁକ୍ତ ବୈଶ୍ୱିକ ମୂଲ୍ୟ ଶୃଙ୍ଖଳା ନିର୍ମାଣ କରିବାକୁ ହେବ ।

 ଏହି ପରିପ୍ରେକ୍ଷୀରେ, ବିଶ୍ୱ ସ୍ତରର ମୂଲ୍ୟ ଶୃଙ୍ଖଳା ଗୁଡିକର ମାନଚିତ୍ରଣ ନିମନ୍ତେ ଏକ ସାମାନ୍ୟ ରୂପରେଖ ପ୍ରସ୍ତୁତ କରିବାକୁ ଭାରତର ପ୍ରସ୍ତାବ ଗୁରୁତ୍ୱପୂର୍ଣ୍ଣ । ଏହି ଢାଞ୍ଚାର ଉଦ୍ଦେଶ୍ୟ ଦୁର୍ବଳତାକୁ ଆକଳନ କରିବା, ବିପଦକୁ ହ୍ରାସ କରିବା ଏବଂ ସହନଶୀଳତା ବୃଦ୍ଧି କରିବା ।

ମହାମହିମ,

ବାଣିଜ୍ୟ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପରିବର୍ତ୍ତନକାରୀ ଶକ୍ତିକୁ ଅସ୍ୱୀକାର କରି ହେବ ନାହିଁ । ଭାରତରେ ଅନଲାଇନ୍ ଏକକ ପରୋକ୍ଷ ଟିକସ - ଜିଏସଟି କାର୍ଯ୍ୟକ୍ଷମ ହେବା ଆନ୍ତଃରାଜ୍ୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏକକ ଆଭ୍ୟନ୍ତରୀଣ ବଜାର ସୃଷ୍ଟି କରିବାରେ ସହାୟକ ହୋଇଥିଲା । ଆମର ୟୁନିଫାଇଡ୍ ଲଜିଷ୍ଟିକ୍ସ ଇଣ୍ଟର-ଫେସ୍ ପ୍ଲାଟଫର୍ମ ବାଣିଜ୍ୟ ଲଜିଷ୍ଟିକ୍ସକୁ ଶସ୍ତା ଏବଂ ଅଧିକ ସ୍ୱଚ୍ଛ କରିଥାଏ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ‘ଡିଜିଟାଲ୍ କମର୍ସ ପାଇଁ ମୁକ୍ତ ନେଟୱର୍କ , ଯାହା ଆମର ଡିଜିଟାଲ୍ ମାର୍କେଟପ୍ଲେସ୍ ପାରିବେଶିକ ବ୍ୟବସ୍ଥାକୁ ଗଣତାନ୍ତ୍ରିକ କରିବ । ଦେୟ ପ୍ରଦାନ ବ୍ୟବସ୍ଥା ପାଇଁ ଆମର ୟୁନିଫାଇଡ୍ ପେମେଣ୍ଟ ଇଣ୍ଟର-ଫେସ୍ ସହିତ ଆମେ ଏହା କରି ସାରିଛୁ । ଇ- କମର୍ସ ପ୍ରକ୍ରିୟାକୁ ଡିଜିଟାଲୀକରଣ କରିବା ଏବଂ ଏହାର ବ୍ୟବହାର ବଜାର ପହଂଚକୁ ବୃଦ୍ଧି କରିବାର ସମ୍ଭାବନା ରହିଛି । ମୁଁ ଖୁସି ଯେ ଆପଣଙ୍କ ଗୋଷ୍ଠୀ  'ବାଣିଜ୍ୟ ଦସ୍ତାବିଜର ଡିଜିଟାଲୀକରଣ ପାଇଁ ଉଚ୍ଚସ୍ତରୀୟ ନିୟମ' ଉପରେ କାର୍ଯ୍ୟ କରୁଛି । ଏହି ନୀତିଗୁଡ଼ିକ ସୀମାପାର ଇଲେକ୍ଟ୍ରୋନିକ୍ ବାଣିଜ୍ୟ ପଦକ୍ଷେପ ଗୁଡିକୁ କାର୍ଯ୍ୟକାରୀ କରିବାରେ ଏବଂ ଅନୁପାଳନ ବୋଝ ହ୍ରାସ କରିବାରେ ଦେଶ ମାନଙ୍କୁ ସାହାଯ୍ୟ କରି ପାରିବ । ସୀମାପାର ଇ-କମର୍ସ ବୃଦ୍ଧି ପାଉଥିବା ବେଳେ ଆହ୍ୱାନ ମଧ୍ୟ ସୃଷ୍ଟି ହୋଇଛି । ବୃହତ୍ ଓ କ୍ଷୁଦ୍ର ବିକ୍ରେତା ମାନଙ୍କ ମଧ୍ୟରେ ସମାନ ପ୍ରତିଯୋଗିତା ସୁନିଶ୍ଚିତ କରିବା ପାଇଁ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ । ଉପଯୁକ୍ତ ମୂଲ୍ୟ ଖୋଜି ପାଇବା ଏବଂ ଅଭିଯୋଗ ପରିଚାଳନା ବ୍ୟବସ୍ଥା କ୍ଷେତ୍ରରେ ଉପଭୋକ୍ତାମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବାର ଆବଶ୍ୟକତା ରହିଛି ।

ମହାମହିମ,

ଭାରତ ଏକ ନିୟମ ଭିତ୍ତିକ, ମୁକ୍ତ, ଅନ୍ତର୍ଭୁକ୍ତ, ବହୁପାକ୍ଷିକ ବାଣିଜ୍ୟ ବ୍ୟବସ୍ଥାରେ ବିଶ୍ୱାସ କରେ, ଯାହାର ମୂଳରେ ଡବ୍ଲ୍ୟୁଟିଓ ରହିଛି । ଦ୍ୱାଦଶ ଡବ୍ଲୁଟିଓ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଭାରତ ଦକ୍ଷିଣ ବିଶ୍ୱର ଚିନ୍ତାକୁ ସମର୍ଥନ କରିଛି । ଲକ୍ଷ ଲକ୍ଷ କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆମେ ସହମତି ସୃଷ୍ଟି କରିବାରେ ସକ୍ଷମ ହୋଇଥିଲୁ । ବିଶ୍ୱ ଅର୍ଥନୀତିରେ ଏମଏସଏମଇର ପ୍ରମୁଖ ଭୂମିକାକୁ ଦୃଷ୍ଟିରେ ରଖି ଆମେ ସେମାନଙ୍କ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକ ୬୦ରୁ ୭୦ ପ୍ରତିଶତ ନିଯୁକ୍ତି ଦେଇଥାନ୍ତି ଏବଂ ବିଶ୍ୱର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି) ରେ ୫୦ ପ୍ରତିଶତ ଯୋଗଦାନ ଦିଅନ୍ତି ।

 ସେମାନଙ୍କୁ ଆମର ନିରନ୍ତର ସମର୍ଥନ ଦରକାର । ସେମାନଙ୍କ ସଶକ୍ତିକରଣ ହେଉଛି ସାମାଜିକ ସଶକ୍ତିକରଣ । ଆମ ପାଇଁ ଏମଏସଏମଇର ଅର୍ଥ ହେଉଛି - ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ସର୍ବାଧିକ ସହାୟତା । ଭାରତ ଆମର ଅନଲାଇନ୍ ପ୍ଲାଟଫର୍ମ - ସରକାରୀ ଇ-ମାର୍କେଟପ୍ଲେସ୍ ମାଧ୍ୟମରେ ଏମଏସଏମଇ ଗୁଡିକୁ ସର୍ବସାଧାରଣ କ୍ରୟରେ ସାମିଲ କରିଛି । ପରିବେଶ ଉପରେ 'ଜିରୋ ଡିଫେକ୍ଟ'  (ତ୍ରୁଟି ଶୂନ୍ୟ) ଏବଂ 'ଜିରୋ ଇଫେକ୍ଟ' (ପ୍ରଭାବ ଶୂନ୍ୟ) ର ନୀତି ଗ୍ରହଣ କରିବା ପାଇଁ ଆମେ ଆମର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ସହ କାମ କରୁଛୁ । ବିଶ୍ୱ ବାଣିଜ୍ୟ ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭାରତୀୟ ଅଧ୍ୟକ୍ଷତାର ପ୍ରାଥମିକତା ଅଟେ । ପ୍ରସ୍ତାବିତ 'ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକୁ ସୂଚନାର ନିରବଚ୍ଛିନ୍ନ ପ୍ରବାହକୁ ପ୍ରୋତ୍ସାହିତ କରିବା ପାଇଁ ଜୟପୁର ଇନିସିଏଟିଭ୍‌' ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ସମ୍ମୁଖୀନ ହେଉଥିବା ବଜାର ସମ୍ପର୍କିତ ଏବଂ ବ୍ୟବସାୟ ସମ୍ବନ୍ଧୀୟ ସୂଚନାରେ ପର୍ଯ୍ୟାପ୍ତ ଉପଲବ୍ଧତାର ଆହ୍ୱାନର ସମାଧାନ କରିବ । ମୋର ବିଶ୍ୱାସ ଯେ ବିଶ୍ୱ ବାଣିଜ୍ୟ ସହାୟତା ଡେସ୍କ (ଗ୍ଲୋବାଲ ଟ୍ରେଡ୍ ହେଲ୍ପ ଡେସ୍କ) ର ଉନ୍ନତିକରଣ ବିଶ୍ୱ ବାଣିଜ୍ୟରେ ଏମ୍‌ଏସ୍‌ଏମ୍‌ଇ ଗୁଡିକର ଭାଗିଦାରୀ ବୃଦ୍ଧି କରିବ ।

ମହାମହିମ,

ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ନିବେଶ ପ୍ରକ୍ରିୟା ଉପରେ ବିଶ୍ୱାସ ଫେରାଇ ଆଣିବା ଏକ ପରିବାର ଭାବରେ ଆମର ସାମୂହିକ ଦାୟିତ୍ୱ । ମୋର ବିଶ୍ୱାସ ଯେ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥା ଯେପରି ଧୀରେ ଧୀରେ ଏକ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ ଏବଂ ସମାବେଶୀ ଭବିଷ୍ୟତରେ ପରିଣତ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ଆପଣମାନେ ସାମୂହିକ ଭାବରେ କାର୍ଯ୍ୟ କରିବେ । ମୁଁ ଆପଣ ସମସ୍ତଙ୍କୁ ଆଲୋଚନାର ସଫଳତା ପାଇଁ କାମନା କରୁଛି । ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ !

***

SSP



(Release ID: 1951636) Visitor Counter : 97