ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚନ୍ଦ୍ରଯାନ -3ର ଚନ୍ଦ୍ରରେ ସଫଳ ଅବତରଣ ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 23 AUG 2023 6:46PM by PIB Bhubaneshwar

ମୋର ପ୍ରିୟ ପରିବାରଜନ,

ଯେତେବେଳେ ଆମ ଆଖି ସାମ୍ନାରେ ଏପରି ଇତିହାସ ସୃଷ୍ଟି ହେଉଥିବା ଦେଖୁଛେ, ସେତେବେଳେ ଜୀବନ ଧନ୍ୟ ହୋଇଯାଇଥାଏ । ଏପରି ଐତିହାସିକ ଘଟଣାଗୁଡ଼ିକ, ରାଷ୍ଟ୍ର ଜୀବନକୁ ଚିରିଞ୍ଜୀବ ଚେତନାରେ ପରିଣତ କରିଦେଇଥାଏ । ଏହି ମୁହୂର୍ତ୍ତଟି ହେଉଛି ଅବିସ୍ମରଣୀୟ । ଏହି କ୍ଷଣ ହେଉଛି ଅଦ୍ଭୁତପୂର୍ବ । ଏହି କ୍ଷଣ ହେଉଛି ଏକ ବିକଶିତ ଭାରତର ଶଙ୍ଖନାଦ । ଏହି କ୍ଷଣ ହେଉଛି ନୂତନ ଭାରତର ଜୟଘୋଷର । ଏହି କ୍ଷଣ ହେଉଛି କ‌ଷ୍ଟକର ମହାସାଗର ଅତିକ୍ରମ କରିବାର । ଏହି କ୍ଷଣ ହେଉଛି ବିଜୟର ଚନ୍ଦ୍ର ପଥରେ ଚାଲିବାର । ଏହି କ୍ଷଣ ହେଉଛି 140 କୋଟି ହୃଦସ୍ପନ୍ଦନର ସାମର୍ଥ୍ୟର ଶକ୍ତି । ଏହି କ୍ଷଣ ହେଉଛି ଭାରତରେ ନୂତନ ଶକ୍ତି, ନୂତନ ବିଶ୍ୱାସ, ନୂତନ ଚେତନାର। ଏହି କ୍ଷଣ ହେଉଛି ଭାରତର ଉଦୟମାନ ଭାଗ୍ୟର ଆହ୍ବାନ । ଅମୃତକାଳର ପ୍ରଥମ ପ୍ରଭାରେ ସଫଳତାର ଏହି ଅମୃତବର୍ଷା ହୋଇଛି । ଆମେ ପୃଥିବୀରେ ଏକ ସଂକଳ୍ପ ନେଇଥିଲୁ, ଆଉ ଚନ୍ଦ୍ରରେ ତାହା ସାକାର କଲୁ । ଆଉ ଆମର ବୈଜ୍ଞାନିକ ସାଥୀମାନେ ମଧ୍ୟ କହିଛନ୍ତି ଯେ ଭାରତ ବର୍ତ୍ତମାନ ଚନ୍ଦ୍ରରେ ପହଞ୍ଚିଛି । ଆଜି ଆମେ ମହାକାଶରେ ନୂତନ ଭାରତର ନୂତନ ଉଡାଣର ସାକ୍ଷୀ ପାଲଟିଛୁ।

ସାଥୀଗଣ,

ମୁଁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଅଛି । କିନ୍ତୁ, ପ୍ରତ୍ୟେକ ଦେଶବାସୀଙ୍କ ଭଳି ମୋର ଧ୍ୟାନ ମଧ୍ୟ ଚନ୍ଦ୍ରଯାନ ମହାଅଭିଯାନ ଉପରେ ଲାଗି ରହିଥିଲା । ନୂତନ ଇତିହାସ ସୃଷ୍ଟି ହେବା ମାତ୍ରେ ପ୍ରତ୍ୟେକ ଭାରତୀୟ ଉତ୍ସବରେ ବୁଡି ରହିଛନ୍ତି, ପ୍ରତ୍ୟେକ ଘରେ ଉତ୍ସବ ଆରମ୍ଭ ହୋଇ ଯାଇଛି । ହୃଦୟର ସହିତ ମୁଁ ମଧ୍ୟ, ମୋର ଦେଶବାସୀଙ୍କ ସହିତ, ନିଜ ପରିବାରଜନଙ୍କ ସହିତ ଉତ୍ସାହର ସହିତ ଯୋଡି ହୋଇଛି । ମୁଁ ଟିମ୍ ଚନ୍ଦ୍ରଯାନକୁ, ଇସ୍ରୋକୁ ଏବଂ ଦେଶର ସମସ୍ତ ବୈଜ୍ଞାନିକଙ୍କୁ ହୃଦୟ ସହ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଏହି ମୁହୂର୍ତ୍ତ ପାଇଁ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିଛନ୍ତି । ଆନନ୍ଦ ଉଲ୍ଲାସ, ଉତ୍ସାହ ଏବଂ ଭାବୁକତାରେ ପରିପୂର୍ଣ୍ଣ ଏହି ଅଦ୍ଭୁତ ମୁହୂର୍ତ୍ତ ପାଇଁ ମୁଁ 140 କୋଟି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି !

ମୋର ପରିବାରଜନ,

ଆମର ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ ଏବଂ ପ୍ରତିଭା ଯୋଗୁଁ ଭାରତ, ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ପହଞ୍ଚିଛି, ଯେଉଁଠାରେ ଆଜି ପର୍ଯ୍ୟନ୍ତ ବିଶ୍ବର କୌଣସି ଦେଶ ପହଞ୍ଚି ପାରି ନାହାଁନ୍ତି । ଏବେ ଆଜିଠାରୁ ଚନ୍ଦ୍ର ସହ ଜଡିତ ପୌରାଣିକ କଥା ଗୁଡ଼ିକ ବଦଳିଯିବ, କାହାଣୀ ମଧ୍ୟ ବଦଳିବ ଏବଂ ନୂତନ ପିଢୀ ପାଇଁ ପ୍ରବାଦ ଗୁଡିକ ମଧ୍ୟ ବଦଳିଯିବ । ଭାରତରେ ଆମେ ସମସ୍ତେ ପୃଥିବୀକୁ ମା’ ଏବଂ ଚନ୍ଦ୍ରକୁ ମାମୁଁ ବୋଲି କହିଥାଉ । କେବେ‌‌ କୁହାଯାଇଥିଲା ଯେ ଚନ୍ଦା ମାମା ବହୁତ ଦୂରରେ…। ବର୍ତ୍ତମାନ ଗୋଟିଏ ଦିନ ମଧ୍ୟ ଏପରି ଆସିବ ଯେତେବେଳେ ପିଲାମାନେ କହିବେ - ଚନ୍ଦା ମାମା କେବଳ ଏକ 'ଭ୍ରମଣ' ପାଇଁ ଅଛି।

ବନ୍ଧୁଗଣ,

ଏହି ଆନନ୍ଦଦାୟକ କ୍ଷଣ ଅବସରରେ ମୁଁ ବିଶ୍ବର ସମସ୍ତ ଲୋକଙ୍କୁ, ପ୍ରତ୍ୟେକ ଦେଶ ତଥା ଅଞ୍ଚଳର ଲୋକଙ୍କୁ ସମ୍ବୋଧିତ କରିବାକୁ ଚାହେଁ । ଭାରତର ସଫଳ ଚନ୍ଦ୍ର ମିଶନ କେବଳ ଭାରତର ନୁହେଁ। ଏହା ହେଉଛି ଏମିତି ଏକ ବର୍ଷ ଯେଉଁଥିରେ ବିଶ୍ୱ ଭାରତର ଜି -20 ଅଧ୍ୟକ୍ଷତାର ସାକ୍ଷୀ ରହିଛି । 'ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ' ବିଷୟରେ ଆମର ଆଭିମୁଖ୍ୟ ସମଗ୍ର ବିଶ୍ୱରେ ସ୍ୱର ଉଠାଉଛି । ଏହି ମାନବ-କେନ୍ଦ୍ରିକ ଆଭିମୁଖ୍ୟ ଯାହାକୁ ଆମେ ପ୍ରତିନିଧିତ୍ୱ କରୁଛୁ ସର୍ବଭାରତୀୟ ସ୍ତରରେ ତାହାକୁ ସ୍ୱାଗତ କରାଯାଇଛି । ଆମର ଚନ୍ଦ୍ର ମିଶନ ମଧ୍ୟ ସମାନ ମାନବ-କେନ୍ଦ୍ରିକ ଆଭିମୁଖ୍ୟ ଉପରେ ଆଧାରିତ । ତେଣୁ, ଏହି ସଫଳତା ହେଉଛି ସମସ୍ତ ମାନବିକତାର, ମାନବଜାତିର। ଭବିଷ୍ୟତରେ ଏହା ଅନ୍ୟ ଦେଶମାନଙ୍କ ଦ୍ୱାରା ଚନ୍ଦ୍ର ମିଶନକୁ ସାହାଯ୍ୟ କରିବ । ମୁଁ ନିଶ୍ଚିତ ଯେ ଗ୍ଲୋବାଲ ସାଉଥରୁ ଆସିଥିବା ବିଶ୍ବର ସମସ୍ତ ଦେଶ ଏଭଳି ସଫଳତା ହାସଲ କରିବାକୁ ସକ୍ଷମ ଅଟନ୍ତି । ଆମେ ସମସ୍ତେ ଚନ୍ଦ୍ର ଏବଂ ତା’ଠାରୁ ଅଧିକ କିଛି ଆଶା କରିପାରିବା ।

ମୋର ପରିବାରଜନ,

ଚନ୍ଦ୍ରଯାନ ମହାଅଭିଯାନର ଏହି ସଫଳତା, ଭାରତର ଉଡାଣକୁ ଚନ୍ଦ୍ର କକ୍ଷପଥଠାରୁ ଆଗକୁ ନେଇଯିବ । ଆମେ ଆମର ସୌର ମଣ୍ଡଳର ସୀମାର ପରୀକ୍ଷା କରିବୁ ଏବଂ ମଣିଷ ପାଇଁ ବ୍ରହ୍ମାଣ୍ଡର ଅସୀମ ସମ୍ଭାବନାକୁ ହୃଦୟଙ୍ଗମ କରିବାକୁ ଆମକୁ ନିଶ୍ଚୟ କାର୍ଯ୍ୟ କରିବାକୁ ପଡିବ। ଆମେ ଭବିଷ୍ୟତ ପାଇଁ ଅନେକ ବଡ ଏବଂ ମହତ୍ବାକାଂକ୍ଷୀ ଲକ୍ଷ୍ୟ ସ୍ଥିର କରିଛୁ । ଖୁବ୍ ଶୀଘ୍ର, ଇସ୍ରୋ ସୂର୍ଯ୍ୟ ସଂପର୍କରେ ବିସ୍ତୃତ ଅଧ୍ୟୟନ ପାଇଁ 'ଆଦିତ୍ୟ L-1' ମିଶନ୍ ଆରମ୍ଭ କରିବାକୁ ଯାଉଛି। ଏହା ପରେ ଶୁକ୍ର ମଧ୍ୟ ଇସ୍ରୋର ଅନ୍ୟତମ ଲକ୍ଷ୍ୟ ମଧ୍ୟରୁ ଗୋଟିଏ। | ଗଗନଯାନ ମାଧ୍ୟମରେ ଦେଶ ମଧ୍ୟ ଏହାର ପ୍ରଥମ ମାନବ ସହିତ ମହାକାଶ ଉଡ଼ାଣ ମିଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଭାରତ ବାରମ୍ବାର ପ୍ରମାଣିତ କରୁଛି ଯେ ଆକାଶର କୌଣସି ସୀମା ନାହିଁ।

ସାଥୀଗଣ,

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ହେଉଛି ଦେଶର ଉଜ୍ଜ୍ୱଳ ଭବିଷ୍ୟତର ଆଧାର । ସେଥିପାଇଁ ଦେଶ ଆଜିର ଏହି ଦିନକୁ ସବୁଦିନ ପାଇଁ ସ୍ମରଣ କରିବ । ଏହି ଦିନ ଆମ ସମସ୍ତଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଯିବାକୁ ପ୍ରେରଣା ଦେବ । ଏହି ଦିନ ଆମକୁ ଆମର ସଂକଳ୍ପ ହାସଲ କରିବାର ମାର୍ଗ ଦେଖାଇବ । ଏହି ଦିନ ହେଉଛି ଏହି କଥାର ପ୍ରତୀକ ଯେ, ପରାଜୟରୁ ଶିକ୍ଷା ଲାଭ କରି କିପରି ବିଜୟ ହାସଲ କରି ହୁଏ । ପୁଣିଥରେ ଦେଶର ସମସ୍ତ ବୈଜ୍ଞାନିକମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଭବିଷ୍ୟତ ମିଶନ ପାଇଁ ଶୁଭେଚ୍ଛା !

ବହୁତ ବହୁତ ଧନ୍ୟବାଦ। 

*****

AH



(Release ID: 1951562) Visitor Counter : 100