ସହଯୋଗ ମନ୍ତ୍ରଣାଳୟ

ଆଜି ଲୋକସଭାରେ ବହୁମୁଖୀ-ରାଜ୍ୟ ସମବାୟ ସମିତି(ସଂଶୋଧନ) ବିଧେୟକ, 2022 ସଂପର୍କରେ ଆଲୋଚନା ପରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଉତ୍ତର, ଆଲୋଚନା ପରେ ବିଧେୟକ ଗୃହୀତ ହେଲା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୋଦୟଙ୍କ ନେତୃତ୍ୱରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ବହୁମୁଖୀ-ରାଜ୍ୟ ସମବାୟ ସମିତିରେ ପାରଦର୍ଶିତା, ଉତରଦାୟିତ୍ୱ ଏବଂ ତାହାର ଲାଭ ବୃଦ୍ଧି ପାଇଁ ଏହି ବିଧେୟକକୁ ମଞ୍ଜୁରୀ ଦେଇଛନ୍ତି

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଏହି ସଦନ ଦ୍ୱାରା ଏଇ ବିଲ୍ ଗୃହୀତ ହେବା ଫଳରେ ହିଁ ଦେଶର ସମବାୟ ଆନ୍ଦେଳନରେ ଏକ ନୂତନ ଯୁଗର ଶୁଭାରମ୍ଭ ହେବ

ମୋଦୀ ସରକାର ପ୍ୟାକ୍ସଗୁଡିକୁ ପୁନର୍ଜୀବିତ କରିବା, ସେମାନଙ୍କୁ କାର୍ଯ୍ୟକ୍ଷମ ଏବଂ ବହୁମୁଖୀ କରିବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି

ଏହି ବିଧେୟକରେ, ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର, ସମିତିରେ ପାରଦର୍ଶିତା ଆଣିବା, ଅନୁଧ୍ୟାନ ପଦ୍ଧତୀକୁ ସୁଦୃଢ କରିବା, ବ୍ୟବସାୟରେ ସୁଗମତା ଭଳି ବିଷୟ ଲାଗି ବିସ୍ତୃତ ବ୍ୟବସ୍ଥା କରାଯାଇଛି

ବିଧେୟକରେ ସମିତିଗୁଡିକରେ ଜଣେ ଅନୁସୂଚିତ ଜାତି ଅବା ଅନୁସୂଚିତ ଜନଜାତିର ସଦସ୍ୟ ଏବଂ ଜଣେ ମହିଳାଙ୍କୁ ସଂରକ୍ଷଣ ଦେବାର ବ୍ୟବସ୍ଥା ରହିଛି, ଯାହାଦ୍ୱାରା ଏହି ବର୍ଗଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇବ

କର୍ମଚାରୀମାନଙ୍କର ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ଆଣିବା, କେନ୍ଦ୍ରୀୟ ରେଜିଷ୍ଟ୍ରାରଙ୍କ ଦ୍ୱାରା ଅନୁମୋଦିତ ପ୍ୟାନେଲରୁ ଅଡିଟରଙ୍କ ନିଯୁକ୍ତି କରିବା ଏବଂ ଅଡିଟ ଓ ଆକାଉଂଟର ନିର୍ଦ୍ଧାରିତ ମାନଦଣ୍ଡ ମାଧ୍ୟମରେ ଆର୍ଥିକ ଶୃଙ୍ଖଳା ଆଣିବା ଭଳି ବିଷୟରେ ବିଧେୟକରେ ବ୍ୟ

Posted On: 25 JUL 2023 7:59PM by PIB Bhubaneshwar

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ଲୋକସଭାରେ ବହୁମୁଖୀ ସମବାୟ ସମିତି (ସଂଶୋଧନ) ବିଧେୟକ, 2022 ଉପରେ ଆଲୋଚନାର ଉତ୍ତର ଦେଇଛନ୍ତି, ଆଲୋଚନା ପରେ ବିଲ୍ ଗୃହ ଅନୁମୋଦନ ଲାଭ କଲା ।

କେନ୍ଦ୍ର ସମବାୟ ମନ୍ତ୍ରୀ ବିଧେୟକ ଉପରେ ଲୋକସଭାରେ ହୋଇଥିବା ଆଲୋଚନାର ଉତ୍ତର ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୋଦୟଙ୍କ ନେତୃତ୍ୱରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ବହୁମୁଖୀ-ରାଜ୍ୟ ସମବାୟ ସମିତିରେ ପାରଦର୍ଶିତା, ଉତ୍ତରଦାୟିତ୍ୱ ଏବଂ ତାହାର ଲାଭ ବୃଦ୍ଧି ପାଇଁ ଏହି ବିଧେୟକକୁ ମଞ୍ଜୁରୀ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ବିଧେୟକରେ ସ୍ୱତନ୍ତ୍ର ନିର୍ବାଚନ କରିବା ପାଇଁ ନିର୍ବାଚନ ସଂସ୍କାର ଲାଗୁ କରିବା ଲାଗି ନିର୍ବାଚନ ପ୍ରାଧିକରଣର ବ୍ୟବସ୍ଥା କରାଯାଇଛି ଯାହା ପ୍ରାୟ ନିର୍ବାଚନ ଆୟୋଗଙ୍କ ଭଳି ଶକ୍ତିଶାଳୀ ହେବ ଏବଂ ଏଥିରେ ସରକାରୀ ହସ୍ତକ୍ଷେପ ରହିବ ନାହିଁ । ଏହା ବ୍ୟତୀତ, ଯଦି ନିର୍ଦ୍ଦେଶକ ମଣ୍ଡଳୀର ଏକ-ତୃତୀୟାଂଶ ସଂଖ୍ୟା ଖାଲି ରହିବ, ତେବେ ପୁଣି ନିର୍ବାଚନ କରିବାର ବ୍ୟବସ୍ଥା କରାଯାଇଛି । ଏହା ସହିତ, ବୋର୍ଡର ବୈଠକରେ ଅନୁଶାସନ, ସମବାୟ ସମିତିର କାର୍ଯ୍ୟକଳାପ ସୁଚାରୂ ରୂପେ ପରିଚାଳନା ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି । ସମିତିଗୁଡ଼ିକର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ 3 ମାସରେ ବୋର୍ଡ ବୈଠକ ଡକାଇବାର ଆବଶ୍ୟକତା ପଡ଼ିବ । ସେ କହିଛନ୍ତି ଯେ, ସମବାୟ ସମିତିର ଶାସନରେ ପାରଦର୍ଶିତା ଆଣିବା ପାଇଁ ଇକ୍ୱିଟି ଶେୟାର ଧାରକଙ୍କ ପାଇଁ ବହୁମତର ବ୍ୟବସ୍ଥା ରଖାଯାଇଛି ।

ଶ୍ରୀ ଅମିତ ଶାହା କହିଛନ୍ତି ଯେ ଏହି ବିଧେୟକରେ ସମିତିଗୁଡିକରେ ଜଣେ ଅନୁସୂଚିତ ଜାତି ଅବା ଅନୁସୂଚିତ ଜନଜାତିର ସଦସ୍ୟ ଏବଂ ଜଣେ ମହିଳାଙ୍କୁ ସଂରକ୍ଷଣ ଦେବାର ବ୍ୟବସ୍ଥା ରହିଛି, ଯାହାଦ୍ୱାରା ଏହି ବର୍ଗଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇବ । ସେ କହିଛନ୍ତି ଯେ ବିଭିନ୍ନ ସାମ୍ବିଧାନିକ ଆଶା ଆକାଂକ୍ଷାକୁ ଅନୁପାଳନ ନ କଲେ ବୋର୍ଡର ସଦସ୍ୟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ ପାରିବ । ଶ୍ରୀ ଶାହା କହିଛନ୍ତି ଯେ କର୍ମଚାରୀମାନଙ୍କର ନିଯୁକ୍ତି ପ୍ରକ୍ରିୟାରେ କୌଣସି ମଧ୍ୟ ରକ୍ତ ସମ୍ପର୍କୀୟ ଅବା ଦୂର ସମ୍ପର୍କୀୟଙ୍କୁ ନିଯୁକ୍ତି ଦିଆ ଯାଇ ପାରିବ ନାହିଁ । ସେ କହିଛନ୍ତି ଯେ ଏହି ବିଧେୟକରେ ସୂଚନା ଅଧିକାରକୁ ମଧ୍ୟ ସାମିଲ କରାଯାଇଛି ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଏହି ସଦନ ଦ୍ୱାରା ଏଇି ବିଲ୍ ଗୃହୀତ କରିବା ସହିତ ହିଁ ଦେଶର ସମବାୟ ଆନ୍ଦୋଳନରେ ଏକ ନୂତନ ଯୁଗର ଶୁଭାରମ୍ଭ ହେବ ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୋଦୟଙ୍କ ନେତୃତ୍ୱରେ ସମବାୟ ମନ୍ତ୍ରଣାଳୟ ଦ୍ୱାରା ଦେଶରେ ସମବାୟକୁ ସୁଦୃଢ଼ କରିବା ପାଇଁ ନିଆ ଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଲୋକସଭାକୁ ସୂଚନା ଦିଆଯାଇଛି । ସେ କହିଛନ୍ତି ଯେ ସ୍ୱାଧୀନତା ପରେ ଦେଶରେ ସମବାୟ କ୍ଷେତ୍ରରେ ସାମିଲ ସମସ୍ତ ଲୋକ ଚାହୁଁଥିଲେ ଯେ ସମବାୟକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଗ୍ରାଧିକାର ଦିଆଯାଉ ଏବଂ ଏକ ଭିନ୍ନ ସମବାୟ ମନ୍ତ୍ରଣାଳୟର ଗଠନ ହେଉ। ଶ୍ରୀ ଶାହା କହିଛନ୍ତି ଯେ ଦଶକ- ଦଶକ ଧରି ଏହି ପୁରୁଣା ଦାବୀକୁ ପୂରଣ କରି ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଏକ ଭିନ୍ନ ସମବାୟ ମନ୍ତ୍ରଣାଳୟ ସ୍ଥାପନ କରିଛନ୍ତି ।

ଶ୍ରୀ ଶାହା କହିଛନ୍ତି ଯେ ଭାରତରେ ସମବାୟ ଆନ୍ଦୋଳନ ହେଉଛି ପ୍ରାୟ 115 ବର୍ଷର ପୁରୁଣା ଏବଂ ଏହି ଆନ୍ଦୋଳନ ଅନେକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମ ଦେଶକୁ ପ୍ରଦାନ କରିଛି, ଯାହା ଆଜି ଲକ୍ଷ-ଲକ୍ଷ ଲୋକଙ୍କୁ ରୋଜଗାର ପ୍ରଦାନ କରୁଛି, ଯେପରିକି ଅମୁଲ, କୃଭକୋ, ଇଫକୋ । ସେ କହିଛନ୍ତି ଯେ ବିଗତ 75 ବର୍ଷରେ ସମବାୟ ଉପରେ କୌଣସି ଧ୍ୟାନ ଦିଆ ଯାଇନଥିଲା, ନା ଦେଶର ସଦନରେ ରାଜ୍ୟ ଏବଂ ରାଷ୍ଟ୍ରୀୟ ସ୍ତରରେ ଏହା ଉପରେ କୌଣସି ପ୍ରକାରର କୌଣସି ମନ୍ଥନ କରାଯାଇଥିଲା । ଶ୍ରୀ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ମହୋଦୟଙ୍କ ଦ୍ୱାରା ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ଗଠନ ପରେ ଆଗାମୀ 25 ବର୍ଷରେ, ଦେଶରେ ସ୍ୱାଧୀନତାର ଶହେ ବର୍ଷର ସମୟରେ, ସମବାୟ କ୍ଷେତ୍ର ପୁଣିଥରେ ସମ୍ପୁର୍ଣ୍ଣ ଯୋରଦାର ଭାବେ ଦେଶର ବିକାଶରେ ନିଜର ଯୋଗଦାନ ଦେବ ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ମୋଦୀ ମହୋଦୟଙ୍କ ନେତୃତ୍ୱରେ ବିଗତ 2 ବର୍ଷରେ ଦେଶରେ ସମବାୟ କ୍ଷେତ୍ରରେ ଆମୂଳଚୂଳ ପରିବର୍ତନ ହୋଇଛି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ୟାକ୍ସଗୁଡିକୁ ପୁନର୍ଜୀବିତ କରିବା, ସେମାନଙ୍କୁ କାର୍ଯ୍ୟକ୍ଷମ ଏବଂ ବହୁମୁଖୀ କରିବା ପାଇଁ ଅନେକ ପ୍ରୟାସ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଦେଶର 63000 ପ୍ୟାକ୍ସକୁ 2500 କୋଟି ଟଙ୍କା ବ୍ୟୟରେ କମ୍ପ୍ୟୁଟରାଇଜ୍ କରିବାର କାର୍ଯ୍ୟ କରିଛନ୍ତି, ଏହାଦ୍ୱାରା ପ୍ୟାକ୍ସ, ଜିଲ୍ଲା ସମବାୟ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କଗୁଡ଼ିକ ନାବାର୍ଡ ସହିତ ଯୋଡ଼ି ହୋଇଯିବ । ଶ୍ରୀ ଶାହା କହିଛନ୍ତି ଯେ କମ୍ପ୍ୟୁଟରାଇଜ୍ ହୋଇଯିବା ଦ୍ୱାରା ପ୍ୟାକ୍ସର ଅଡିଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍ ଲାଇନ୍ ହୋଇଯିବ ଏବଂ ଏମାନେ ଅନେକ ପ୍ରକାରର ନୂଆ ବ୍ୟବସାୟ କରି ପାରିବେ । ସେ କହିଛନ୍ତି ଯେ, ମୋଦୀ ସରକାର ପ୍ୟାକ୍ସଗୁଡ଼ିକ ପାଇଁ ମଡେଲ ବାଇ-ଲ’ ପ୍ରସ୍ତୁତ କରି ସମସ୍ତ ରାଜ୍ୟଙ୍କୁ ପଠାଇଛନ୍ତି ଏବଂ ପଶ୍ଚିମବଙ୍ଗ ଓ କେରଳକୁ ଛାଡ଼ି ସମସ୍ତ ରାଜ୍ୟ ଏହାକୁ ସ୍ୱୀକାର କରିଛନ୍ତି ଆଉ ଆଜି ସାରା ଦେଶରେ ପ୍ୟାକ୍ସଗୁଡ଼ିକ ପାଇଁ ଗୋଟିଏ ଆଇନ ଲାଗୁ ହୋଇଛି । ଶ୍ରୀ ଶାହା କହିଛନ୍ତି ଯେ ଏବେ ପ୍ୟାକ୍ସ ମଧ୍ୟ, ଏଫପିଓର କାର୍ଯ୍ୟ କରି ପାରିବେ ଆଉ 1100 ପ୍ୟାକ୍ସ ଏଫପିଓ ଭାବେ ପଞ୍ଜିକୃତ ହୋଇ ସାରିଛନ୍ତି ।

ଶ୍ରୀ ଅମିତ ଶାହା କହିଛନ୍ତି ଯେ ମୋଦୀ ମହାଶୟ ଦେଶର କୋଟି- କୋଟି ଲୋକଙ୍କୁ ଗ୍ୟାସ ସିଲିଣ୍ଡର ଦେଇଛନ୍ତି ଆଉ ଏବେ ପ୍ୟାକ୍ସଗୁଡ଼ିକ ଏଲପିଜି ବିତରଣର କାର୍ଯ୍ୟ ମଧ୍ୟ କରି ପାରିବେ । ସେହିପରି, ମୋଦୀ ମହୋଦୟ ଦେଶର କୋଟି- କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ମଧ୍ୟ ଦେଉଛନ୍ତି ଆଉ ଏବେ ଏହି ଖୁଚୁରା ଆଉଟଲେଟ ଉପରେ ମଧ୍ୟ ପ୍ୟାକ୍ସର ଅଧିକାର ରହିବ । ଏବେ ପ୍ୟାକ୍ସ ଜନ ଔଷଧି କେନ୍ଦ୍ର ମଧ୍ୟ ଚଳାଇ ପାରିବେ ଏବଂ ଜଳ ସମିତି ଗଠନ କରି ଜଳ ବିତରଣ କାର୍ଯ୍ୟ ମଧ୍ୟ କରି ପାରିବେ । ସେ କହିଛନ୍ତି ଯେ ମୋଦୀ ମହୋଦୟ ପ୍ୟାକ୍ସଗୁଡ଼ିକୁ ଭଣ୍ଡାରଣ କ୍ଷମତା ସହିତ ଯୋଡ଼ିବାର କାର୍ଯ୍ୟ ମଧ୍ୟ କରୁଛନ୍ତି ଆଉ ଏବେ ଏହି ଭଣ୍ଡାରଣର କାର୍ଯ୍ୟ ମଧ୍ୟ କରିବେ । ଶ୍ରୀ ଶାହା କହିଛନ୍ତି ଯେ ଚଳିତ ବଜେଟରେ ମୋଦୀ ମହାଶୟ ବର୍ଷ ବର୍ଷ ଧରି ସମବାୟ ସହିତ ହେଉଥିବା ଅନ୍ୟାୟକୁ ସମାପ୍ତ କରିବା ଏବଂ ସମବାୟ ଓ କର୍ପୋରେଟର ଟିକସକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଏବଂ ଉତର ପ୍ରଦେଶର କୃଷକମାନେ ନିଜର ଆଖୁକୁ ସମବାୟ ମିଲକୁ ବିକ୍ରି କରୁଛନ୍ତି, କିନ୍ତୁ ଏହା ଉପରେ 30 ପ୍ରତିଶତ ଆୟକର ଲାଗୁ କରାଯାଉଥିଲା । ସେ କହିଛନ୍ତି ଯେ ମୋଦୀ ମହୋଦୟ କୃଷକମାନଙ୍କୁ ଦିଆ ଯାଉଥିବା ଲାଭ ଉପରେ ଲାଗୁ ହେଉଥିବା ଟିକସକୁ ସମ୍ପୂର୍ଣ୍ଣ ଭାବେ ସମାପ୍ତ କରି ଦେଇଛନ୍ତି ଏବଂ ଖାଲି ଏତିକି ନୁହେଁ, ପୂର୍ବରୁ ପଇଠ କରାଯାଇଥିବା ଟିକସକୁ ମଧ୍ୟ ଫେରସ୍ତ କରିବାର ବ୍ୟବସ୍ଥା ମୋଦୀ ମହାଶୟ କରିଛନ୍ତି ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ମୋଦୀ ସରକାର ସମବାୟକୁ ସୁଦୃଢ଼ କରିବା ପାଇଁ ୩ଟି ନୂତନ ବହୁମୁଖୀ ରାଜ୍ୟ ସମିତି ଗଠନ କରିବାର ନିଷ୍ପତି ନେଇଛନ୍ତି । ପ୍ରଥମ ସମିତି କୃଷକ ଏବଂ ଉତ୍ପାଦନର ରପ୍ତାନୀ କରିବାର ମଂଚ ଭାବେ କାର୍ଯ୍ୟ କରିବ, ଦ୍ୱିତୀୟ ସମିତି ବିହନ ଉତ୍ପାଦନ ସହିତ କ୍ଷୁଦ୍ର ଚାଷୀମାନଙ୍କୁ ସାମିଲ କରିବ ଏବଂ ଏଥିରେ 1 ଏକର ଜମି ଥିବା କୃଷକମାନଙ୍କୁ ମଧ୍ୟ ବିହନ ଉତ୍ପାଦନ ସହିତ ସାମିଲ କରାଯିବ । ତୃତୀୟ ସମିତି, ଜୈବିକ ଚାଷର ଉତ୍ପାଦକୁ ଦେଶ ଏବଂ ବିଦେଶରେ ବିକ୍ରିବଟା (ମାର୍କେଟିଙ୍ଗ) କରି କୃଷକମାନଙ୍କୁ ସେମାନଙ୍କର ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ କରିବ । ଶ୍ରୀ ଶାହା କହିଛନ୍ତି ଯେ ଏହା ବ୍ୟତୀତ ମୋଦୀ ମହୋଦୟ ସମବାୟ ଶିକ୍ଷା ପାଇଁ ଆଗାମୀ ଦିନରେ ସମବାୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାର ନିଷ୍ପତି ନେଇଛନ୍ତି । ରାଷ୍ଟ୍ରୀୟ ସମବାୟ ଡାଟାବେସର ଶୁଭାରମ୍ଭ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଖୁବ୍ ଶୀଘ୍ର କରାଯିବ । ସେ କହିଛନ୍ତି ଯେ ଦେଶରେ 2003 ରୁ 2020 ମଧ୍ୟରେ କେବେ ମଧ୍ୟ ରାଷ୍ଟ୍ରୀୟ ସମବାୟ ନୀତି ନ ଥିଲା, କିନ୍ତୁ ମୋଦୀ ମହୋଦୟଙ୍କ ନେତୃତ୍ୱରେ ଚଳିତ ବର୍ଷ ଦିପାବଳୀ ପୂର୍ବରୁ ନୂତନ ରାଷ୍ଟ୍ରୀୟ ସମବାୟ ନୀତି ଦେଶବାସୀଙ୍କ ସାମ୍ନାକୁ ଆସିଯିବ, ଯାହା ଆଗାମୀ 25 ବର୍ଷର ସମବାୟ ମାନଚିତ୍ରକୁ ଦେଶ ସାମ୍ନାରେ ରଖିବ ।

ଶ୍ରୀ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୋଦୟ ଦେଶର କୋଟି- କୋଟି ଲୋକଙ୍କୁ 9 ବର୍ଷ ମଧ୍ୟରେ ଦାରିଦ୍ର‌୍ୟରୁ ମୁକ୍ତ କରିବାର ବହୁତ ବଡ଼ ଯଜ୍ଞ କରିଛନ୍ତି । ସେ କହିଛନ୍ତି ଯେ ଦେଶରେ ରୋଜଗାର ସୃଷ୍ଟି କରିବାର ଏକମାତ୍ର ମାଧ୍ୟମ ହେଉଛି କୃଷି ଏବଂ ସମବାୟ କ୍ଷେତ୍ର ଆଉ ଏଥିପାଇଁ ହିଁ ପ୍ରଧାନମନ୍ତ୍ରୀ ମହୋଦୟ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ଗଠନ କରିଛନ୍ତି ।

ଲୋକସଭା ଦ୍ୱାରା ଆଜି ଗୃହୀତ ହୋଇଥିବା ବହୁମୁଖୀ ସମବାୟ ସମିତି (ସଂଶୋଧନ) ବିଧେୟକ 2022ରେ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର, ସମିତିରେ ପାରଦର୍ଶିତା ଆଣିବା, ଅନୁଧ୍ୟାନ ପଦ୍ଧତିକୁ ସୁଦୃଢ କରିବା, ବ୍ୟବସାୟରେ ସୁଗମତା ଭଳି ବିଷୟ ଲାଗି ବିସ୍ତୃତ ବ୍ୟବସ୍ଥା କରାଯାଇଛି ।

ବିଧେୟକରେ ସମିତିର ସଦସ୍ୟମାନଙ୍କ ମଧ୍ୟରେ ଅନୁଶାସନ, ନିର୍ଦ୍ଦେଶକ ବୋର୍ଡରେ ଦୁର୍ବଳ ଏବଂ ସୀମାନ୍ତ ଅଂଚଳରେ ପ୍ରତିନିଧିତ୍ୱ ଏବଂ ପେଶାଦାରମାନଙ୍କ ସମ୍ବନ୍ଧରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ, ବିଧେୟକରେ କର୍ମଚାରୀମାନଙ୍କର ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ଆଣିବା, କେନ୍ଦ୍ରୀୟ ରେଜିଷ୍ଟ୍ରାରଙ୍କ ଦ୍ୱାରା ଅନୁମୋଦିତ ପ୍ୟାନେଲରୁ ଅଡିଟରଙ୍କ ନିଯୁକ୍ତି କରିବା ଏବଂ ଅଡିଟ ଓ ଆକାଉଂଟର ନିର୍ଦ୍ଧାରିତ ମାନଦଣ୍ଡର ମାଧ୍ୟମରେ ଆର୍ଥିକ ଶୃଙ୍ଖଳା ଆଣିବା ଭଳି ବିଷୟରେ ବ୍ୟବସ୍ଥା କରାଯାଇଛି ।

ଲୋକସଭାରେ ପ୍ରସ୍ତୁତ ବିଧେୟକରେ, ଏକକାଳୀନ ଅଡିଟରେ ତ୍ୱରିତ ସୁଧାର ଭଳି କାର୍ଯ୍ୟାନୁଷ୍ଠାନ, କେନ୍ଦ୍ରୀୟ ରେଜିଷ୍ଟ୍ରାରଙ୍କ ଦ୍ୱାରା କପଟପୂର୍ଣ୍ଣ ଏବଂ ଅବୈଧ କାର୍ଯ୍ୟକଳାପରେ ଲିପ୍ତ ସମିତିର ଗଠନ, କାର୍ଯ୍ୟକାରିତା ଏବଂ ଆର୍ଥିକ ସ୍ଥିତିର ଯାଂଚ ଓ ଅନୁଧ୍ୟାନ କରିବା ଭଳି ଅନୁଶାସନକୁ ଅନୁପାଳନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆ ଯାଇଛି । ଏହା ସହିତ, ବ୍ୟବସାୟରେ ସୁଗମତା ଆଣିବା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଗୁଡିକରେ ସଂଶୋଧନ, ଆବେଦନ ଗୁଡିକର ତ୍ୱରିତ ସମାଧାନ, ଇଲୋକଟ୍ରୋନିକ୍ସ ମାଧ୍ୟମରେ ଆବେଦନ, ଦସ୍ତାବେଜ, ଯାଂଚ ଆଦି ଅପଲୋଡ କରିବାର ବ୍ୟବସ୍ଥା ବିଲରେ ରହିଛି ।

ଏହି ବିଧେୟକରେ ସରକାରଙ୍କ ପୂର୍ବ ଅନୁମୋଦନ ସହିତ ସରକାରୀ ଅଂଶଧନ ମୁକ୍ତ କରିବା, ବହୁମୁଖୀ ରାଜ୍ୟ ସମବାୟ ସମିତିର ଶୁଣାଣିକୁ ସୁଯୋଗ ପ୍ରଦାନ କରିବା ପରେ ବାତିଲ ଏବଂ ସମବାୟ ବ୍ୟାଙ୍କଗୁଡିକ ଉପରେ ବିଆର ଅଧିନିୟମ, 1949 ଲାଗୁ କରିବା ଭଳି ବ୍ୟବସ୍ଥା ମଧ୍ୟ କରାଯାଇଛି ।

*****

AH



(Release ID: 1942663) Visitor Counter : 95