ପ୍ରତିରକ୍ଷା ମନ୍ତ୍ରଣାଳୟ

ଫ୍ରାନ୍ସ ଠାରୁ 26 ରାଫେଲ୍‌ ସାମୁଦ୍ରିକ ଯୁଦ୍ଧ ବିମାନ ଓ 3 ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ


ଯୁଦ୍ଧ ବିମାନ କ୍ରୟ ପ୍ରସ୍ତାବକୁ ଡିଏସିର ଅନୁମୋଦନ; ଭାରତୀୟ ନୌସେନାର ପ୍ରତିରକ୍ଷା ଓ ପରିଚାଳନା କ୍ଷମତା ବୃଦ୍ଧି ପାଇବ

ତିନୋଟି ଅତିରିକ୍ତ ସ୍କର୍ପିନ୍‌ ବୁଡ଼ାଜାହାଜ କିଣିବା ପ୍ରସ୍ତାବକୁ କ୍ରୟ (ଭାରତୀୟ) ବର୍ଗରେ ମଧ୍ୟ ମିଳିଲା ମଞ୍ଜୁରି

Posted On: 13 JUL 2023 2:58PM by PIB Bhubaneshwar

ଫ୍ରାନ୍ସ ଠାରୁ 26 ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ଓ 3ଟି ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ଯୁଦ୍ଧ ବିମାନ ଓ ବୁଡ଼ାଜାହାଜ କିଣାଯିବା ସମେତ ତିନୋଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । 26ଟି ରାଫେଲ୍‌ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ଲାଗି ଆବଶ୍ୟକତାର ମଞ୍ଜୁରି ବା ଆସେପ୍ଟାନ୍ସ ଅଫ୍‌ ନେସେସିଟୀ (ଏଓଏନ)କୁ ଡିଏସିର ମଞ୍ଜୁରି ମିଳିଛି । ରାଫେଲ ସାମୁଦ୍ରିକ ଯୁଦ୍ଧବିମାନ ସହିତ ସହାୟକ ଉପକରଣ, ଯୁଦ୍ଧାସ୍ତ୍ର, ସିମୁଲେଟର, ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ କିଣାଯିବ । ସେହିପରି ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଦସ୍ତାବିଜ ପ୍ରସ୍ତୁତ କରିବା, ଯୁଦ୍ଧବିମାନ ଚାଳନା ପାଇଁ ପ୍ରଶିକ୍ଷଣ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସ ସହାୟତା ଭାରତୀୟ ନୌସେନାକୁ ଯୋଗାଇ ଦିଆଯିବ । ଏଥିପାଇଁ ଭାରତ ସରକାର ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏକ ଆନ୍ତଃ-ସରକାରୀ ରାଜିନାମା (ଆଇଜିଏ) ସ୍ୱାକ୍ଷରିତ ହୋଇଛି । ଅନ୍ୟ ଦେଶମାନଙ୍କ ଦ୍ୱାରା ବିକ୍ରି କରାଯାଉଥିବା ସମାନ ଧରଣର ଯୁଦ୍ଧବିମାନର ତୁଳନାତ୍ମକ କ୍ରୟ ମୂଲ୍ୟ ସମେତ ସମସ୍ତ ପ୍ରାସଙ୍ଗିକ ଦିଗକୁ ଧ୍ୟାନରେ ରଖି ଫ୍ରାନ୍ସ ସରକାରଙ୍କ ସହିତ ରାଫେଲ ଯୁଦ୍ଧ ବିମାନର ଦର ଏବଂ ଅନ୍ୟ ସର୍ତ୍ତାବଳୀକୁ ନେଇ ଆଲୋଚନା କରାଯିବ । ଆହୁରି, ବିଧିବଦ୍ଧ ଆଲୋଚନା ପରେ ଭାରତରେ ଡିଜାଇନ୍‌ ହୋଇଥିବା ସରଞ୍ଜାମ ଲଗାଇବା ଏବଂ ବିଭିନ୍ନ ବ୍ୟବସ୍ଥା ପାଇଁ ଭାରତରେ ରକ୍ଷଣାବେକ୍ଷଣ, ମରାମତି ଓ ପରିଚାଳନା (ଏମଆରଓ) କେନ୍ଦ୍ର ପ୍ରତିଷ୍ଠା ଆଦି ପ୍ରସ୍ତାବକୁ ଚୁକ୍ତି ଦସ୍ତାବିଜରେ ସାମିଲ କରାଯିବ ।

ଅନ୍ୟପକ୍ଷରେ କ୍ରୟ (ଭାରତୀୟ) ବର୍ଗରେ ତିନୋଟି ଅତିରିକ୍ତ ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହଜ କିଣିବା ଲାଗି ଏଓଏନ୍‌କୁ ଡିଏସିର ମଞ୍ଜୁରି ମିଳିଛି । ମଜଗାଓଁ ଡକ୍‌ ଶିପ୍‌ ବିଲ୍ଡର୍ସ ଲିମିଟେଡ୍‌ (ଏମଡିଏଲ) ଦ୍ୱାରା ଏସବୁ ବୁଡ଼ାଜାହଜ ନିର୍ମାଣ କରାଯିବ । ଅଧିକ ସ୍ୱଦେଶୀ ଉପକରଣ ସହିତ ଅତିରିକ୍ତ ବୁଡ଼ାଜାହାଜ କିଣାଯିବା ଦ୍ୱାରା ଭାରତୀୟ ନୌସେନା ପାଇଁ ପ୍ରତିରକ୍ଷାସ୍ତରୀୟ ଏବଂ ପରିଚାଳନାଗତ ପ୍ରସ୍ତୁତିକୁ ବଜାୟ ରଖିବାରେ ସହାୟତା ମିଳିବ । ସେହିପରି ଘରୋଇ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ମଧ୍ୟ ଏମଡିଏଲକୁ ନିଜର କ୍ଷମତା ବୃଦ୍ଧି କରିବା ଓ ବୁଡ଼ାଜାହାଜ ନିର୍ମାଣ ଅଭିଜ୍ଞତା ହାସଲ କରିବାରେ ସହାୟକ ହେବ।

ଏହାବ୍ୟତୀତ ପୁଞ୍ଜି ଅଧିଗ୍ରହଣ ମାମଲାଗୁଡ଼ିକର ସବୁ ବର୍ଗରେ ଆବଶ୍ୟକ ସ୍ୱଦେଶୀ ଉପାଦାନ ଯୋଡ଼ିବା ଲକ୍ଷ୍ୟ ହାସଲ ପାଇଁ ମାର୍ଗଦର୍ଶିକା ନିର୍ଦ୍ଧାରଣ କରିବା ପ୍ରସ୍ତାବକୁ ମଧ୍ୟ ଡିଏସି ଅନୁମୋଦନ କରିଛି । ଏହା ସ୍ୱଦେଶୀ ନିର୍ମାଣ ଜରିଆରେ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ପ୍ରଯୁକ୍ତି ଓ ପ୍ରତିରକ୍ଷା ପ୍ଲାଟଫର୍ମ ଉପକରଣର ଦୀର୍ଘସ୍ଥାୟିତ୍ୱ ବଜାୟ ରଖିବା କ୍ଷେତ୍ରରେ ‘ଆତ୍ମନିର୍ଭରଶୀଳତା’ ହାସଲ କରିବାରେ ସହାୟକ ହେବ ।

**********

P.S.



(Release ID: 1939209) Visitor Counter : 147