ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତ୍ତି

Posted On: 23 JUN 2023 5:48PM by PIB Bhubaneshwar

ମହାମହିମ ରାଷ୍ଟ୍ରପତି ବାଇଡେନ, ଉଭୟ ଦେଶର ପ୍ରତିନିଧି, ଗଣମାଧ୍ୟମ ବଂଧୁଗଣ ନମସ୍କାର!

ପ୍ରଥମେ ମୁଁ ରାଷ୍ଟ୍ରପତି ବାଇଡେନଙ୍କୁ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କରେ ତାଙ୍କର ଅମାୟିକ କଥା ଓ ସକାରାତ୍ମକ ଚିନ୍ତାଧାରା ନିମନ୍ତେ ଧନ୍ୟବାଦ ଦେଉଛି ।

ବନ୍ଧୁଗଣ,

ଆଜିର ଦିନଟିର ଭାରତ-ଯୁକ୍ତରାଷ୍ଟ୍ର ସମ୍ପର୍କର ଇତିହାସରେ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଆମର ଆଜିର ଆଲୋଚନା ଏବଂ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏକ ନୂତନ ଅଧ୍ୟାୟ ଉନ୍ମୋଚନ କରିବା ସହ ଆମର ବୈଶ୍ୱିକ ରଣନୀତିକ ବିସ୍ତୃତ ଅଂଶୀଦାରୀକୁ ନୂତନ ଉତ୍ସାହରେ ଭରିଦେଇଛି ।

ବନ୍ଧୁଗଣ,

ଭାରତ-ଯୁକ୍ତରାଷ୍ଟ୍ର ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଭାଗୀଦାରିତା କେବଳ ଏହି ଦୁଇ ଦେଶ ନିମନ୍ତେ ନୁହେଁ ବରଂ ବୈଶ୍ୱିକ ଅର୍ଥନୀତି ନିମନ୍ତେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆମେରିକା ଆଜି ଭାରତର ସର୍ବବୃହତ୍ ବାଣିଜ୍ୟ ଅଂଶୀଦାର । ଆମେ ବାଣିଜ୍ୟକୁ ନେଇ ବାକି ରହିଥିବା ସମସ୍ୟାର ପରିସମାପ୍ତି ପାଇଁ ଏକ ନୂତନ ଆରମ୍ଭ ପାଇଁ ସ୍ଥିର କରିଛୁ । ଆଇସିଇଟି ଯାହାର ଅର୍ଥ ହେଲା ଦୂରଦର୍ଶୀ ଓ ନୂଆ କରି ଆସୁଥିବା ପ୍ରଯୁକ୍ତି ନେଇ, ପଦକ୍ଷେପ ବୈଷୟିକ ସହଯୋଗର ମୁଖ୍ୟ ବିଷୟ ହୋଇଛି । ଆମର ସହଯୋଗ କୃତ୍ରିମ ମେଧା, ସେମିକଣ୍ଡକ୍ଟର, ମହାକାଶ, କ୍ୱାଣ୍ଟମ ଓ ଦୂରସଂଚାର ଭଳି କ୍ଷେତ୍ରରେ ସମ୍ପ୍ରସାରଣ କରି ଆମେ ଆମର ଦୃଢ଼ ଓ ଭବିଷ୍ୟତ ଭାଗିଦାରିତା ତିଆରି କରୁଛୁ । ଆମେରିକୀୟ ମାଇକ୍ରନ, ଗୁଗୁଲ ଓ ଆପ୍ଲାଏଡ ମାଟ୍ରିଆଲ୍ସ ପ୍ରଭୃତି କମ୍ପାନୀଙ୍କ ଭାରତରେ ନିବେଶ ଭବିଷ୍ୟତ ଭାଗିଦାରିତାର ଏକ ପ୍ରତୀକ ।

ଗସ୍ତ କାଳରେ ମୁଁ ଯୁକ୍ତରାଷ୍ଟ୍ରର ଅନ୍ୟାନ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଭେଟିବାର ସୁଯୋଗ ପାଇଛି । ମୋର ସେମାନଙ୍କ ସହ ମତ ବିନିମୟ କାଳରେ ଭାରତ ପ୍ରତି ସେମାନଙ୍କ ସକାରାତ୍ମକ ମନୋଭାବ ଥିବା ମୁଁ ଲକ୍ଷ୍ୟ କରିଛି । ସରକାର, ବ୍ୟବସାୟ ଏବଂ ଶିକ୍ଷାନୁଷ୍ଠାନ ଏକାଠି ହୋଇ ଆମର ବୈଷୟିକ ଭାଗୀଦାରିତାକୁ ଅର୍ଥପୂର୍ଣ୍ଣ କରିବା ନେଇ ଆମେ ଉଭୟ ଏକମତ । ସ୍ୱଚ୍ଛଶକ୍ତି ଅବସ୍ଥାନ୍ତର ନେଇ ଭାରତ ଓ ଆମେରିକା ଏକ ସହମତିଭିତ୍ତିକ ପଦକ୍ଷେପ ନେବାକୁ ଆମେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛୁ । ଏଥିରେ ସବୁଜ ଉଦଜାନ, ପବନ ଶକ୍ତି, ବ୍ୟାଟେରୀ ଭଣ୍ଡାରଣ ଓ କାର୍ବନ କ୍ୟାପଚର୍ ଅନ୍ତର୍ଭୁକ୍ତ ।

ବୈଶ୍ୱିକ ଅନିଶ୍ଚିତତା ସତ୍ତ୍ୱେ ବିଶ୍ୱସ୍ତ ଅଂଶୀଦାର ଭାବେ ଭାରତ ଓ ଆମେରିକା ନିର୍ଭରଶୀଳ, ଦୃଢ଼ ଓ ନମନୀୟ ବୈଶ୍ୱିକ ଯୋଗାଣ ଓ ମୂଲ୍ୟବୋଧଭିତ୍ତିକ ବ୍ୟବସ୍ଥା ରଖିବାକୁ ଆମେ ମଧ୍ୟ ନିଷ୍ପତ୍ତି ନେଇଛୁ । ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ନିବିଡ଼ ପ୍ରତିରକ୍ଷା ସହଯୋଗ ପାରସ୍ପରିକ ବିଶ୍ୱାସ ଓ ଉଭୟଙ୍କ ରଣନୀତିକ ଅଗ୍ରାଧିକାରର ପ୍ରତୀକ । ପ୍ରାଚୀନ କ୍ରେତା ବିକ୍ରେତା ସମ୍ପର୍କକୁ ଛାଡ଼ି ଆଜି ଆମେ ବୈଷୟିକ ଜ୍ଞାନ ହସ୍ତାନ୍ତର, ମିଳିତ ବିକାଶ ଓ ଉତ୍ପାଦନ ଉପରେ ଦୃଷ୍ଟି ଦେଉଛୁ । ଜେନେରାଲ ଇଲେଟ୍ରିକର ଭାରତରେ ବୈଷୟିକ ଜ୍ଞାନ ହସ୍ତାନ୍ତର ଜରିଆରେ ଇଞ୍ଜିନ୍ ତିଆରି ନିଷ୍ପତ୍ତି ଏକ ଉଲ୍ଲେଖନୀୟ ରାଜିନାମା । ଏହା ଭବିଷ୍ୟତରେ ଉଭୟ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ଭବିଷ୍ୟତରେ ଆମର ପ୍ରତିରକ୍ଷା ସହଯୋଗକୁ ଏକ ନୂତନ ମୋଡ ଦେବ । ଉଭୟ ଦେଶର ପ୍ରତିରକ୍ଷା ଶିଳ୍ପ ଓ ଷ୍ଟାର୍ଟଅପ ଏହି ସହଯୋଗରେ ପ୍ରମୁଖ ସହଯୋଗୀ । ସେମାନଙ୍କ ଏକତ୍ରିକରଣ ଆମ ପ୍ରତିରକ୍ଷା ଶିଳ୍ପ ରୋଡମ୍ୟାପର ମୁଖ୍ୟ ଲକ୍ଷ୍ୟ । ଆମର ମହାକାଶ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଦୀର୍ଘ ଦିନର ନିବିଡ଼ ସମ୍ପର୍କ ରହିଛି । ଆଜି, ଆମେ “ଆଟେମିସ ରାଜିନାମା”ରେ ପ୍ରବେଶ କରି ମହାକାଶ ସହଯୋଗରେ ବିଶେଷ ଆଗୁଆ ଅଛୁ । ସଂକ୍ଷେପରେ କହିବାକୁ ଗଲେ ଭାରତ-ଯୁକ୍ତରାଷ୍ଟ୍ର ଭାଗୀଦାରିତା ନିମନ୍ତେ ଆକାଶ ହିଁ ଏକମାତ୍ର ସୀମା ।

ବନ୍ଧୁଗଣ,

ଆମ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ଲୋକ ସମ୍ପର୍କ । ପ୍ରାୟ ୪୦ ଲକ୍ଷ ଭାରତୀୟ ବଂଶୋଦ୍ଭବ ଜନସାଧାରଣଙ୍କ ଆଜି ଆମେରିକାର ପ୍ରଗତିରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । ଆଜି ହ୍ୱାଇଟ୍ ହାଉସରେ ଏତେ ଅଧିକ ସଂଖ୍ୟକ ଭାରତୀୟଙ୍କ ଉପସ୍ଥିତି ପ୍ରମାଣ କରୁଛି ଯେ ପ୍ରବାସୀ ଭାରତୀୟମାନେ ଆମ ସମ୍ପର୍କର ମୁଖ୍ୟ ବଳ । ଏହି ସମ୍ପର୍କକୁ ଅହମ୍ମଦାବାଦରେ ଏହି ସମ୍ପର୍କକୁ ଅଧିକ ନିବିଡ଼ କରିବା ପାଇଁ ଆମେରିକାର ବେଙ୍ଗାଲୁରୁ ଓ ଅହମ୍ମଦାବାଦରେ ବାଣିଜ୍ୟ ଦୂତାବାସ ଖୋଲିବା ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ସେହିପରି ସିଆଇଟେଲରେ ମଧ୍ୟ ଭାରତର ଏକ ବାଣିଜି୍ୟକ ଦୂତାବାସ ଖୋଲ ହେବ ।

ବନ୍ଧୁଗଣ,

ଆଜି ବୈଠକରେ ଆମେ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ନେଇ ଆଲୋଚନା କରିଛୁ । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ଆମ ଉଭୟଙ୍କ ପ୍ରାଥମିକତା । ସମଗ୍ର ବିଶ୍ୱ ନିମନ୍ତେ ଏହି ଅଞ୍ଚଳର ବିକାଶ ଓ ସଫଳତା ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ଉଭୟେ ସହମତ । କ୍ୱାଡ୍ ସହଯୋଗୀମାନଙ୍କ ସହ ଆମେ ଏହି ଅଞ୍ଚଳର ସମସ୍ତ ଦେଶ ସହ ସହଯୋଗ ପାଇଁ ଆମର ସହମତି ରହିଛି । ଆତଙ୍କବାଦ ଓ ଉଗ୍ରବାଦ ମୁକାବିଲା ନେଇ ଭାରତ ଓ ଆମେରିକା କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରୁଛନ୍ତି । କୋଭିଡ୍ ବୈଶ୍ୱିକ ମହାମାରୀ ଓ ୟୁକ୍ରେନ ଯୁଦ୍ଧ ନେଇ ଦକ୍ଷିଣ ଗୋଲାର୍ଦ୍ଧର ଦେଶଗୁଡ଼ିକ ବିଶେଷ କରି ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଆମ ମତରେ ସବୁ ଦେଶ ଏହିସବୁ ସମସ୍ୟା ସମାଧାନ କରିବା ପାଇଁ ଆଗଭର ହେବା ଆବଶ୍ୟକ । ୟୁକ୍ରେନରେ ସମସ୍ୟା ଉପୁଜିବା ଦିନ ଠାରୁ ଭାରତ କଥାବାର୍ତ୍ତା ଓ କୂଟନୀତି ଦ୍ୱାରା ଏହାର ସମାଧାନ ନିମନ୍ତେ ଯୁକ୍ତି ବାଢ଼ି ଆସିଛି । ଶାନ୍ତି ଫେରାଇ ଆଣିବା ଲାଗି ସମସ୍ତ ସହାୟତା ପାଇଁ ଆମେ ପ୍ରସ୍ତୁତ । ଭାରତର ଅଧ୍ୟକ୍ଷତାରେ ଚାଲିଥିବା ଜି-୨୦ ବୈଠକରେ ଆମେ ‘ଗୋଟିଏ ପୃଥିବୀ ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ’ ନୀତି ଉପରେ ଗୁରୁତ୍ୱାରୋପ କରିଆସୁଛୁ ଓ ଦକ୍ଷିଣ ଗୋଲାର୍ଦ୍ଧ ସପକ୍ଷରେ କହିଆସୁଛୁ । ଆଫ୍ରିକୀୟ ଦେଶକୁ ଜି-୨୦ର ସମ୍ପୂର୍ଣ୍ଣ ସଦସ୍ୟତା ପ୍ରଦାନ ନେଇ ରାଷ୍ଟ୍ରପତି ବାଇଡେନଙ୍କ ମୋ ପ୍ରସ୍ତାବକୁ ସମର୍ଥନ ଦେବା ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ,

ଆମର ସମ୍ମିଳିତ ଉଦ୍ୟମର ମୌଳିକ ମନ୍ତ୍ର ହେଉଛି ଗଣତନ୍ତ୍ର ଏହାର ମୂଲ୍ୟ ଓ ପଦ୍ଧତିକୁ ମଜଭୁତ କରିବା । ବିଶ୍ୱର ଦୁଇଟି ବୃହତ ଗଣତନ୍ତ୍ର ଭାରତ ଓ ଆମେରିକା ମିଶି ବିଶ୍ୱ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଦିଗରେ ବହୁମୂଲ୍ୟ ଅବଦାନ ଦେଇପାରିବେ । ମୁଁ ନିଶ୍ଚିତ ଯେ ଏହି ସବୁ ମୂଲ୍ୟବୋଧ ଜରିଆରେ ଆମେ କେବଳ ଦୂର ଦେଶ ନୁହଁ ବରଂ ସମଗ୍ର ବିଶ୍ୱବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସମର୍ଥ ହେବା ।

ରାଷ୍ଟ୍ରପତି ବାଇଡେନ

ଆଜିର ଫଳପ୍ରଦ ଆଲୋଚନା ନିମନ୍ତେ ମୁଁ ଆପଣଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି । ଚଳିତ ବର୍ଷ ଜି-୨୦ ଶିଖର ବୈଠକରେ ଆପଣଙ୍କ ଉପସ୍ଥିତିକୁ ସ୍ୱାଗତ କରିବା ପାଇଁ ମୋ ସହ ସମଗ୍ର ଭାରତ ଚାହିଁବସିଛି । ରାଷ୍ଟ୍ରପତି ଯେତେବେଳେ ମୋତେ ଯାଇ କଂଗ୍ରେସରେ ବକ୍ତବ୍ୟ ରଖିବାକୁ ପଡ଼ିବ ବୋଲି କହିସାରିଲେଣି, ସେ ଦୃଷ୍ଟିରୁ ଆଉ ଅଧିକ ସମୟ ନ ନେଇ ମୁଁ ମୋର ବକ୍ତବ୍ୟ ଶେଷ କରୁଛି । ମୁଁ ପୁଣିଥରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଉଛି ।

 

SM/MB



(Release ID: 1934902) Visitor Counter : 103