ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏପ୍ରିଲ ୨୧ ତାରିଖରେ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ


ପ୍ରଶାସନିକ ସେବା ଦିବସ ଭାବେ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମ ପ୍ରଶାସନିକ ଅଧିକାରୀମାନଙ୍କୁ ରାଷ୍ଟ୍ର ର୍ନିମାଣ ଦିଗରେ ଉତ୍ସାହିତ କରିବା ଓ ପ୍ରେରଣା ଯୋଗାଇବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଉପଯୁକ୍ତ ମଞ୍ଚ ଭାବରେ କାର୍ଯ୍ୟ କରିବ

ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

Posted On: 18 APR 2023 7:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶାସନିକ ସେବା ଦିବସ ଅବସରରେ ୨୧ ଏପ୍ରିଲ, ୨୦୨୩ ପୂର୍ବାହ୍ନ ୧୧ ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଶାସନିକ ଅଧିକାରୀଙ୍କୁ ସମ୍ବୋଧିତ କରିବେ ।

ରାଷ୍ଟ୍ର ର୍ନିମାଣରେ ପ୍ରଶାସନିକ ଅଧିକାରୀଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ କ୍ରମାଗତ ଭାବରେ ପ୍ରଶଂସା କରୁଛନ୍ତି ଏବଂ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ଉତ୍ସାହିତ କରୁଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ଯାହାକି ସାରା ଦେଶରେ ପ୍ରଶାସନିକ ଅଧିକାରୀଙ୍କୁ ଉତ୍ସାହ ଏବଂ ପ୍ରେରଣା ଯୋଗାଇବ ଯାହା ଦ୍ୱାରା ସେମାନେ ସମାନ ଆଗ୍ରହର ସହିତ ଦେଶର ସେବା ଜାରି ରଖିବେ, ବିଶେଷ କରି ଅମୃତ କାଳର ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ । ସାଧାରଣ ନାଗରିକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଜିଲ୍ଲା ତଥା ସଂଗଠନଗୁଡ଼ିକ ଦ୍ୱାରା କରାଯାଇଥିବା ଅସାଧାରଣ ତଥା ଅଭିନବ କାର୍ଯ୍ୟକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଛି ।

ଚିହ୍ନିତ ହୋଇଥିବା ଚାରୋଟି ଅଗ୍ରାଧିକାର ଯୋଜନାରେ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ପୁରସ୍କାର ପ୍ରଦାନ କରାଯିବ: ହର ଘର ଜଳ ଯୋଜନା ମାଧ୍ୟମରେ ସ୍ୱଚ୍ଛ ଜଳକୁ ପ୍ରୋତ୍ସାହିତ କରିବା; ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ମାଧ୍ୟମରେ ସୁସ୍ଥ ଭାରତକୁ ପ୍ରୋତ୍ସାହନ କରିବା; ସମଗ୍ର ଶିଖା ମାଧ୍ୟମରେ ଏକ ସମାନ ଏବଂ ଅନ୍ତର୍ଭୂକ୍ତ ଶ୍ରେଣୀଗୃହ ପରିବେଶ ସହିତ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହିତ କରିବା; ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ମାଧ୍ୟମରେ ସାମଗ୍ରିକ ବିକାଶ – ସଂତୃପ୍ତିକରଣ ଆଭିମୁଖ୍ୟ ଉପରେ ବିଶେଷ ଧ୍ୟାନ ଦେଇ ସାମଗ୍ରିକ ଅଗ୍ରଗତି । ଉପରୋକ୍ତ ଚାରୋଟି ଚିହ୍ନିତ କାର୍ଯ୍ୟକ୍ରମ ପାଇଁ ଆଠଟି ପୁରସ୍କାର ପ୍ରଦାନ କରାଯିବ ଏବଂ ଉଦ୍ଭାବନ ପାଇଁ ସାତୋଟି ପୁରସ୍କାର ପ୍ରଦାନ କରାଯିବ ।

HS



(Release ID: 1918749) Visitor Counter : 92