ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ସଂଶୋଧିତ ଘରୋଇ ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ମାର୍ଗଦର୍ଶିକାକୁ କ୍ୟାବିନେଟ ମଞ୍ଜୁରି

Posted On: 06 APR 2023 9:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଓଏନଜିସି/ଓଆଇଏଲର ନାମାଙ୍କନ କ୍ଷେତ୍ର, ନୂଆ ଅନ୍ୱେଷଣ ଲାଇସେନ୍ସିଂ ନୀତି (ଏନଇଏଲପି) ବ୍ଲକ୍‌ ଏବଂ ପୂର୍ବ-ଏନଇଏଲପି ବ୍ଲକରୁ ଉତ୍ପାଦିତ ଗ୍ୟାସ ପାଇଁ ସଂଶୋଧିତ ଘରୋଇ ପ୍ରାକୃତିକ ବାଷ୍ପ ମୂଲ୍ୟ ନିର୍ଦ୍ଧାରଣ ମାର୍ଗଦର୍ଶିକାକୁ ଅନୁମୋଦନ କରିଛନ୍ତି । ଯେଉଁଠି ଉତ୍ପାଦନ ଶେୟାରିଂ ଚୁକ୍ତିନାମା (ପିଏସସି)ରେ ସରକାରଙ୍କ ଅନୁମୋଦିତ ଦର ଲାଗୁ ହେବାର ଆବଶ୍ୟକତା ରହିଛି ସେଠାରେ ଏହି ଦର ଲାଗୁ ହେବ । ଏପରି ପ୍ରାକୃତିକ ବାଷ୍ପର ଦର ଭାରତୀୟ ଅଶୋଧିତ ବାସ୍କେଟର ମାସିକ ହାରାହାରୀ ଦର ର ୧୦% ହେବ ଏବଂ ମାସିକ ଆଧାରରେ ବିଜ୍ଞପିତ କରାଯିବ । 

ଓଏନଜିସି ଏବଂ ଓଆଇଏଲ ଦ୍ୱାରା ସେମାନଙ୍କର ନାମାଙ୍କିତ ବ୍ଲକରୁ ଉତ୍ପାଦିତ ହେଉଥିବା ବାଷ୍ପ ପାଇଁ, ଲାଗୁ ମୂଲ୍ୟ ବ୍ୟବସ୍ଥା (ଏପିଏମ) ଦର ଏକ ନିର୍ଦ୍ଦିଷ୍ଟ ଫ୍ଲୋର ଏବଂ ସିଲିଂ ଅଧୀନରେ ରହିବ ବା ସୀମାବଦ୍ଧ ହେବ । ଓଏନସିଜି ଏବଂ ଓଆଇଏଲର ନାମାଙ୍କିତ କ୍ଷେତ୍ରର ନୂଆ କୂପ ଏବଂ କୂପ ହସ୍ତକ୍ଷେପରୁ ଉତ୍ପାଦିତ ଗ୍ୟାସ କ୍ଷେତ୍ରରେ ଏପିଏମ ଦର ଉପରେ ୨୦% ପ୍ରିମିୟମ ପାଇଁ ଅନୁମତି ରହିବ । ଏ ବାବଦରେ ଏକ ବିସ୍ତୃତ ବିଜ୍ଞପ୍ତି ପୃଥକ ଭାବେ ଜାରି କରାଯାଉଛି ।

ନୂଆ ମାର୍ଗଦର୍ଶିକାର ଉଦ୍ଦେଶ୍ୟ ହେଉଛି ଘରୋଇ ଗ୍ୟାସ ଉପଭୋକ୍ତାମାନଙ୍କ ପାଇଁ ଏକ ସ୍ଥିର ମୂଲ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବା । ତା’ଛଡ଼ା ଉତ୍ପାଦନ ବୃଦ୍ଧି ଲାଗି ଉତ୍ପାଦନକାରୀମାନଙ୍କୁ ପ୍ରୋତ୍ସାହନ ଦିଆଯିବା ସହିତ ପ୍ରତିକୂଳ ବଜାରରେ ଦେଖା ଦେଉଥିବା ଉତ୍ଥାନ-ପତନ ବିରୋଧରେ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରିବା ମଧ୍ୟ ଏହାର ଉଦ୍ଦେଶ୍ୟ।

୨୦୩୦ ସୁଦ୍ଧା ଭାରତରେ ପ୍ରାଥମିକ ଇନ୍ଧନ ମିଶ୍ରଣରେ ପ୍ରାକୃତିକ ବାଷ୍ପର ଅଂଶଧନକୁ ବର୍ତ୍ତମାନର ୬.୫%ରୁ ବଢ଼ାଇ ୧୫ ପ୍ରତିଶତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ସୁଧାର ଫଳରେ ପ୍ରାକୃତିକ ବାଷ୍ପର ଉପଯୋଗ ବୃଦ୍ଧିରେ ସହାୟତା ମିଳିବ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନେଟ୍‌ ଜିରୋ ଲକ୍ଷ୍ୟ ହାସଲରେ ସହାୟତା ମିଳିପାରିବ ।

ଭାରତ ସରକାରଙ୍କ ଦ୍ୱାରା ଉପଭୋକ୍ତାମାନଙ୍କର ହିତ ରକ୍ଷା ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟରେ ଏହି ସଂସ୍କାର ଆଉ ଏକ ପ୍ରୟାସ ଯାହାକି ଭାରତରେ ଗ୍ୟାସ ଦର ଉପରେ ଅନ୍ତର୍ଜାତୀୟ ଗ୍ୟାସ ମୂଲ୍ୟ ବୃଦ୍ଧିର ପ୍ରଭାବକୁ କମ କରିବା ସହିତ ସିଟୀ ଗ୍ୟାସ ବିତରଣ କ୍ଷେତ୍ରକୁ ଅଧିକ ପରିମାଣରେ ଘରୋଇ ଗ୍ୟାସ ଆବଣ୍ଟନ କରିବ ।

ଏହି ସଂସ୍କାର ଦ୍ୱାରା ଘରକୁ ପାଇପ ଯୋଗେ ପ୍ରାକୃତିକ ବାଷ୍ପ (ପିଏନଜି) ଏବଂ ପରିବହନ ଲାଗି କମ୍ପ୍ରେସଡ୍‌ ପ୍ରାକୃତିକ ଗ୍ୟାସ (ସିଏନଜି)ର ମୂଲ୍ୟରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ। କମ ମୂଲ୍ୟ ଫଳରେ ସାର ସବସିଡି ବୋଝ ମଧ୍ୟ ହ୍ରାସ ପାଇବ ଏବଂ ଘରୋଇ ବିଦ୍ୟୁତ କ୍ଷେତ୍ରକୁ ମଧ୍ୟ ସହାୟତା ମିଳିପାରିବ । ଗ୍ୟାସ ଦରରେ ଗୋଟିଏ ଫ୍ଲୋର ବ୍ୟବସ୍ଥା ସହିତ ନୂଆ କୂପ ପାଇଁ ୨୦% ପ୍ରିମିୟମ ବ୍ୟବସ୍ଥା ଦ୍ୱାରା ଏହି ସଂସ୍କାର ଓଏନଜିସି ଏବଂ ଓଆଇଏଲକୁ ଆର୍ଥିକ ପ୍ରୋତ୍ସାହନ ଦେବ । ଯାହାଫଳରେ ସେମାନେ ଅପଷ୍ଟ୍ରିମ କ୍ଷେତ୍ରରେ ଅତିରିକ୍ତ ଦୀର୍ଘକାଳୀନ ନିବେଶ କରିପାରିବେ ଏବଂ ଏହାଦ୍ୱାରା ପ୍ରାକୃତିକ ବାଷ୍ପ ଉତ୍ପାଦନ ବୃଦ୍ଧି ପାଇବ । ପରିଣାମସ୍ୱରୂପ ଜୀବାଶ୍ମ ଇନ୍ଧନ ଉପରେ ଦେଶର ନିର୍ଭରଶୀଳତା କମିବ । ସଂଶୋଧିତ ମୂଲ୍ୟ ନିର୍ଦ୍ଧାରଣ ମାର୍ଗଦର୍ଶିକା ବାଷ୍ପ ଆଧାରିତ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ସହିତ ଅଙ୍ଗାରକାମ୍ଳ ନିର୍ଗମନକୁ କମାଇବ ।

ବର୍ତ୍ତମାନ ୨୦୧୪ର ନୂଆ ଘରୋଇ ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ ମାର୍ଗଦର୍ଶିକା ଅନୁଯାୟୀ ଘରୋଇ ଗ୍ୟାସ ଦର ନିର୍ଦ୍ଧାରଣ କରାଯାଉଛି ଯାହାକୁ ୨୦୧୪ରେ ସରକାର ମଞ୍ଜୁର କରିଥିଲେ । ୬ ମାସର ଅବଧି ପାଇଁ ଘରୋଇ ଗ୍ୟାସ ମୂଲ୍ୟ ଘୋଷଣା କରିବା ଲାଗି ୨୦୧୪ର ମୂଲ୍ୟ ନିର୍ଦ୍ଧାରଣ ମାର୍ଗଦର୍ଶିକାରେ ବ୍ୟବସ୍ଥା କରାଯାଇଥିଲା ଯାହାକି ଚାରିଟି ଗ୍ୟାସ କାରବାର କେନ୍ଦ୍ର – ହେନରୀ ହବ, ଆଲବେନା, ନେସନାଲ ବାଲାନ୍ସିଂ ପଏଣ୍ଟ (ୟୁକେ), ଏବଂ ରୁଷରେ ପ୍ରଚଳିତ ପରିମାଣ ମୂଲ୍ୟ ଆଧାରତ ଥିଲା। ୧୨ ମାସର ଅବଧି ଏବଂ ଗୋଟିଏ ତ୍ରୈମାସର ଅନ୍ତରାଳରେ ଏହି ଦର ଘୋଷଣା କରାଯାଉଥିଲା।

ଯେହେତୁ ୪ଟି ଗ୍ୟାସ ହବ୍‌ ଉପରେ ଆଧାରିତ ପୂର୍ବର ମାର୍ଗଦର୍ଶିକାରେ ଅଧିକ ସମୟ ଅନ୍ତରାଳ ଏବଂ ଅସ୍ଥିରତା ରହୁଥିଲା, ସେଥିପାଇଁ ଏହି ବ୍ୟବସ୍ଥାକୁ ଅଧିକ ଯୁକ୍ତିସଂଗତ କରିବା ଏବଂ ସଂସ୍କାର ଆଣିବାର ଆବଶ୍ୟକତା ଅନୁଭୂତ ହୋଇଥିଲା। ସଂଶୋଧିତ ମାର୍ଗଦର୍ଶିକା ଅଶୋଧିତ ଗ୍ୟାସ ସହ ଜଡ଼ିତ ମୂଲ୍ୟକୁ ନିର୍ଦ୍ଧାରଣ କରିଥାଏ ଯାହାକି ଏବେ ଅଧିକାଂଶ ଉଦ୍ୟୋଗ ଚୁକ୍ତିନାମାରେ ଏକ ଗ୍ରହଣୀୟ ପ୍ରଥା ଭାବେ ପ୍ରଚଳିତ ରହିଛି । ଏହା ଆମ ଦେଶର ଉପଭୋଗ ବାସ୍କେଟ୍‌ ପାଇଁ ଅଧିକ ପ୍ରାସଙ୍ଗିକ ଏବଂ ବାସ୍ତବ ସମୟ ଆଧାରରେ, ବିଶ୍ୱ ବ୍ୟବସାୟିକ ବଜାରରେ ଏହାର ଗଭୀର ଲିକ୍ୟୁଡିଟି ରହିଛି । ଏବେ ପରିବର୍ତ୍ତନକୁ ମଞ୍ଜୁରି ମିଳିବା ପରେ, ବିଗତ ମାସର ଭାରତୀୟ ଅଶୋଧିତ ବାସ୍କେଟ୍‌ ମୂଲ୍ୟର ତଥ୍ୟକୁ ଆଧାର କରି ଏପିଏମ ଗ୍ୟାସ ମୂଲ୍ୟ ନିର୍ଦ୍ଧାରଣ କରାଯିବ । 

*********

P.S.



(Release ID: 1914488) Visitor Counter : 122