ଜଳ ଶକ୍ତି ମନ୍ତ୍ରଣାଳୟ

ଜଳ ଜୀବନ ମିଶନ ୬୦% ସଫଳତା ହାସଲ ପୂର୍ବକ ନୂଆ କୀର୍ତ୍ତିମାନ ସ୍ଥାପନ କଲା


୨୦୨୩ରେ ଜଳ ଜୀବନ ମିଶନରେ ପ୍ରତି ସେକେଣ୍ଡରେ ଗୋଟିଏ ପାଣି ଟ୍ୟାପ ସଂଯୋଗ ପ୍ରଦାନ କରାଯାଉଛି

୧୧.୬୬ କୋଟି ପରିବାର ଓ ୫୮ କୋଟି ଲୋକଙ୍କୁ ଏବେ ଘରେ ଟ୍ୟାପ ଯୋଗେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ସୁବିଧା ମିଳୁଛି

ସମସ୍ତଙ୍କୁ ନିରାପଦ ଓ ସୁଲଭ ପାନୀୟଜଳ ଯୋଗାଣରେ ଯେଉଁ ନିରନ୍ତର ବିକାଶ ଲକ୍ଷ୍ୟ(ଏସଡିଜି) ରହିଛି ଭାରତ ତାହାକୁ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ହାସଲ କରିବ

Posted On: 04 APR 2023 3:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଭାରତର ୬୦% ଗ୍ରାମାଞ୍ଚଳ ପରିବାର ଟ୍ୟାପ ଯୋଗେ ନିଜ ଘରେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ସୁବିଧା ପାଇଛନ୍ତି । ଦେଶର ମୋଟ ଗ୍ରାମର ୨୫% ଅର୍ଥାତ୍ ୧.୫୫ ଲକ୍ଷରୁ ଅଧିକ ଗାଁକୁ “ହର୍ ଘର୍ ଜଲ୍‌” ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସବୁ ପରିବାରକୁ ଟ୍ୟାପ ଜଳ ଯୋଗାଣ ସୁବିଧା ପ୍ରଦାନ କରାଯାଇଛି । ଚଳିତବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଜଳ ଜୀବନ ମିଶନରେ ପ୍ରତି ସେକେଣ୍ଡରେ ଗୋଟିଏ ପାଣି ଟ୍ୟାପ ଲୋକଙ୍କ ଘରକୁ ଯୋଗାଇ ଦିଆଯାଉଛି । ଏହା ଏକ ବିରଳ ସଫଳତା । ୨୦୨୩ର ପ୍ରଥମ ତିନିମାସ ମଧ୍ୟରେ ପ୍ରତ୍ୟେକ ଦିନ ହାରାହାରି ୮୬, ୮୯୪ ନୂଆ ପାଣି ଟ୍ୟାପ ସଂଯୋଗ ଯୋଗାଇବାରେ ସରକାର ସଫଳ ହୋଇଛନ୍ତି ।

ଜଳ ଜୀବନ ମିଶନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୯ ଅଗଷ୍ଟ ୧୫ରେ ଘୋଷଣା କରାଯାଇଥିଲା । ଏହି ଯୋଜନାର ଲକ୍ଷ୍ୟ ହେଲା ଦେଶର ଗ୍ରାମାଞ୍ଚଳରେ ସବୁ ପରିବାରକୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଆବଶ୍ୟକ ପରିମାଣରେ ଟ୍ୟାପ ଯୋଗେ ଯୋଗାଇ ଦେବା । ଏହି ଯୋଜନାରେ ଜଣେ ଲୋକଙ୍କୁ ଦୈନିକ ମୁଣ୍ଡ ପିଛା ୫୫ଲିଟର ହିସାବରେ ସ୍ୱଚ୍ଛ ପାନୀୟ ଜଳ ଟ୍ୟାପ ଯୋଗେ ମିଳୁଛି । ଯୋଗାଇ ଦିଆଯାଉଥିବା ଜଳର ମାନ ମଧ୍ୟ ନିର୍ଦ୍ଧାରିତ ହୋଇଛି । ଏହା ବ୍ୟତୀତ ଲୋକଙ୍କ ଘରକୁ ଯୋଗାଇ ଦିଆଯାଉଥିବା ପାଇପ ଜଳ ଯେପରି ଆବଶ୍ୟକ ପେସର ଓ ବେଗରେ ଆସିବ ସେଥିପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯାଉଛି ।

ଜଳ ଜୀବନ ମିଶନରେ ମୋଟ ୩୬୦୦ ବିଲିୟନ ଟଙ୍କା ବା ୪୩. ୮୦ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏକ ବିଲିୟନର ଅର୍ଥ ୧୦୦କୋଟି । ଏହା ପୃଥିବୀର ସର୍ବବୃହତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ । ଏହି ଅଭିଯାନ ୨୦୧୯ରେ ଆରମ୍ଭ ହେବା ସମୟରେ ଦେଶର ମୋଟ ୧୯. ୪୩ କୋଟି ଗ୍ରାମାଞ୍ଚଳ ପରିବାର ମଧ୍ୟରୁ ମାତ୍ର ୩.୨୩ କୋଟି ବା ୧୬.୬୫% ଙ୍କ ଘରେ ଟ୍ୟାପ ଜଳ ସୁବିଧା ଥିଲା । ନିକଟ ଅତୀତରେ କରୋନା ମହାମାରୀ ଓ ୟୁକ୍ରେନ ଯୁଦ୍ଧ ଭଳି ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଜଳ ଜୀବନ ମିଶନକୁ ସଫଳ କରିବାକୁ ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମୂହ ଉଦ୍ୟମ ଜାରି ରଖିଥିଲେ । ସେମାନଙ୍କ ଉଦ୍ୟମ ସଫଳ ହୋଇଛି ଏବଂ ଏ କ୍ଷେତ୍ରରେ ପ୍ରଦର୍ଶନ ଉତ୍ତମ ରହିଛି । 

୨୦୨୩ ଏପ୍ରିଲ ୪ତାରିଖରେ ଭାରତ ହର୍ ଘର୍ ଜଲ୍ ଅଭିଯାନରେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି । ଏହି ପ୍ରକ୍ରିୟାରେ ୧୧.୬୬ କୋଟି ଗ୍ରାମୀଣ ପରିବାର (୬୦%)କୁ ସେମାନଙ୍କ ଘରେ ଟ୍ୟାପ ଜଳ ସଂଯୋଗ ଯୋଗାଇ ଦିଆଯାଇଛି । ପାଞ୍ଚଟି ରାଜ୍ୟ ଯଥା ଗୁଜରାଟ, ତେଲଙ୍ଗାନା, ଗୋଆ, ହରିୟାଣା ଓ ପଞ୍ଜାବ ଏବଂ ତିନିଟି କେନ୍ଦ୍ରଶାସିତ ଅଞ୍ଚଳ-ଆଣ୍ଡାମାନ ନିକୋବର, ଦାଦ୍ରା ଓ ନଗର ହାବେଳି ଏବଂ ପୁଡୁଚେରୀରେ ଏହି ଟ୍ୟାପ ସଂଯୋଗ ଶତ ପ୍ରତିଶତ ହୋଇଛି । ଅବଶିଷ୍ଟ ଗ୍ରାମାଞ୍ଚଳ ପରିବାରକୁ ଯଥା ଶୀଘ୍ର ଟ୍ୟାପ ଯୋଗେ ପାନୀୟଜଳ ଯୋଗାଇ ଦେବାକୁ ଉଦ୍ୟମ ଅବ୍ୟାହତ ରହିଛି ।

ଜଳ ଜୀବନ ମିଶନ କେବଳ ଏକ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ନୁହେଁ । ଏଥିରେ ଯେଉଁ ସବୁ ସେବା ରହିଛି ସେଥିରେ ଯଥେଷ୍ଟ ପରିମାଣର ନିରାପଦ ସ୍ୱଚ୍ଛ ପାନୀୟ ଜଳ ନିୟମିତ ଭାବେ ଯୋଗାଣ ଅନ୍ତର୍ଭୁକ୍ତ । 

ଜଳ ଜୀବନ ମିଶନ ଅଭୂତପୂର୍ବ ବେଗ ଓ ଆକାରରେ କାର୍ଯ୍ୟକାରୀ ହେଉଛି । ମାତ୍ର ତିନିବର୍ଷ ମଧ୍ୟରେ ୮. ୪୨ କୋଟିରୁ ଅଧିକ ଗ୍ରାମୀଣ ପରିବାରର ୪୦ କୋଟିରୁ ଅଧିକ ଲୋକଙ୍କୁ (ପରିବାର ପିଛା ହାରାହାରୀ ଜନସଂଖ୍ୟା ୪. ୯୫ହିସାବରେ) ସ୍ୱଚ୍ଛ ଓ ନିରାପଦ ପାନୀୟଜଳ ଆବଶ୍ୟକ ପରିମାଣରେ ଟ୍ୟାପ ଯୋଗେ ସେମାନଙ୍କ ଘରେ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇଥିବା ଲୋକଙ୍କ ସଂଖ୍ୟା ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟାରୁ ଅଧିକ । 

ଗ୍ରାମାଞ୍ଚଳର ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ସବୁ ଗ୍ରାମୀଣ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ଆଶ୍ରମଶାଳା(ଆଦିବାସୀ ଆବାସିକ ସ୍କୁଲ)କୁ ଟ୍ୟାପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି । ଏହି ପାଣି ପାନୀୟ ଆବଶ୍ୟକତା ପୂରଣ କରିବା ସହ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ, ହାତଧୂୂଆ ଆଦି କାମରେ ଲାଗୁଛି । ଦେଶର ଗ୍ରାମାଞ୍ଚଳରେ ୯.୦୩ ଲକ୍ଷ ଅଙ୍ଗନବାଡି କେନ୍ଦ୍ର (୮୩.୭୧%)କୁ ଏହି ଯୋଜନାରେ ଟ୍ୟାପ ଯୋଗେ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯାଇଛି । 

ଜଳ ଜୀବନ ମିଶନ ନିରାପଦ ଜଳ ଯୋଗାଣ ଅଗ୍ରାଧିକାର ପାଇଛି । ଏହି ଯୋଜନା ଆରମ୍ଭ ସମୟରେ ଦେଶରେ ଆରସେନିକ ଓ ଫୋ୍ଲରାଇଡ ପ୍ରବଣ ଗାଁ ଥିଲା ଯଥାକ୍ରମେ ୧୪, ୦୨୦ ଓ ୭୯୯୬ । ଏହି ଯୋଜନା ଫଳରେ ଏହି ଗ୍ରାମଗୁଡିକର ସଂଖ୍ୟା ଯଥାକ୍ରମେ ୬୧୨ ଓ ୪୩୧କୁ ହ୍ରାସ ପାଇଛି । ଏସବୁ ଗାଁରେ ମଧ୍ୟ ନିରାପଦ ପାନୀୟ ଜଳ ଏବେ ଉପଲବ୍ଧ ହେଉଛି । ସଂକ୍ଷେପରେ କହିଲେ ଦେଶର ୧. ୭୯କୋଟି ଆର୍ସେନିକ ଓ ଫ୍ଲୋରାଇଡ୍ ପ୍ରଭାବିତ ଗ୍ରାମବାସୀ ଏବେ ପିଇବା ଓ ରୋଷେଇ କରିବାକୁ ନିରାପଦ ପାନୀୟ ଜଳ ପାଉଛନ୍ତି । 

ଜଳ ଜୀବନ ମିଶନରେ ଦେଶରେ ୨୦୭୮ଟି ୱାଟର ଟେଷ୍ଟିଂ ଲ୍ୟାବ ବିକଶିତ ହୋଇଛି । ସେଥିମଧ୍ୟରୁ ୧୧୨୨ଟି ଏନ୍‌ଏବିଏଲ୍ ମାନ୍ୟତାପ୍ରାପ୍ତ । ଜଳର ମାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ୨୧ଲକ୍ଷରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ତାଲିମ ପ୍ରଦାନ କରାଯାଇଛି । ସେମାନେ ଗ୍ରାମାଞ୍ଚଳରେ ଫିଲଡ ଟେଷ୍ଟ କିଟ୍ସ ସାହାଯ୍ୟରେ ଜଳର ମାନ ପରୀକ୍ଷା କରୁଛନ୍ତି । ୨୦୨୨-୨୩ରେ କେବଳ ୧. ୦୩ କୋଟି ଜଳ ନମୁନା ଫିଲ୍ଡ ଟେଷ୍ଟ କିଟ୍ସ ଓ ୬୧ ଲକ୍ଷ ନମୁନା ପରୀକ୍ଷାଗାରରେ ପରୀକ୍ଷା କରାଯାଇଛି । ମିଶନ ପକ୍ଷରୁ ଏକ ସ୍ୱତନ୍ତ୍ର “ସ୍ୱଚ୍ଛ ଜଲ୍ ସେ ସୁରକ୍ଷା”ଅଭିଯାନ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ୪. ୨୮ଲକ୍ଷ ଗାଁରେ ମୌସୁମି ପରବର୍ତ୍ତୀ କାଳରେ ପାନୀୟ ଜଳରେ ହେଉଥିବା ଜୈବିକ ସଂକ୍ରମଣର ଟେଷ୍ଟିଂ ୨୦୨୨-୨୩ରେ କରାଯାଇଛି । ଏହାଛଡା ୫ ୩୩ ଲକ୍ଷ ଗାଁରେ ଏହି ଅଭିଯାନରେ ଜଳରେ ଥିବା ରାସାୟନିକ ସଂକ୍ରମଣକୁ ଠାବ କରିବାକୁ ପାଣି ଟେଷ୍ଟିଂ ହୋଇଛି ।

 ଗ୍ରାମାଞ୍ଚଳରେ ଜଳଯୋଗାଣକୁ ସୁସଂହତ କରିବା ପାଇଁ ୫. ୨୪ଲକ୍ଷରୁ ଅଧିକ ପାଣି ସମିତି ଗଠନ କରାଯାଇଛି। ଏଥିରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଇଛି । ଏହାଛଡା ଜଳଯୋଗାଣ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଜଳ ଜୀବନ ମିଶନରେ ୫. ୧୨ଲକ୍ଷ ଗ୍ରାମ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ ହୋଇଛି । ଲୋକଙ୍କ ସହଯୋଗ ଫଳରେ ଜଳଜୀବନ ମିଶନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏହି ଅଭିଯାନର ଉତ୍ତମ ପ୍ରଭାବ ସମାଜ ଉପରେ ବିଶେଷଭାବେ ପଡୁଛି । ଏହାଫଳରେ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି ଏବଂ ଗ୍ରାମାଞ୍ଚଳ ଲୋକଙ୍କ ରୋଗ ସମସ୍ୟା କମିଛି । ଏହା ମଧ୍ୟ ଗ୍ରାମାଞ୍ଚଳରେ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିଛି । ଏହା ସଫଳତାର ସହିତ କାର୍ଯ୍ୟକାରୀ ହେଉଥିବାରୁ ୨୦୩୦ସୁଦ୍ଧା ସମସ୍ତଙ୍କୁ ନିରାପଦ ପାନୀୟଜଳ ଯୋଗାଇ ଦେବାର ଯେଉଁ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଭାରତ ରଖିଛି, ତାହା ଯଥେଷ୍ଟ ପୂର୍ବରୁ ପୂରଣ ହେବ ବୋଲି ଆଶା କରାଯାଉଛି ।

 

******

SM/SLP



(Release ID: 1913703) Visitor Counter : 114