ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍”

Posted On: 26 MAR 2023 11:45AM by PIB Bhubaneshwar

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ପୁଣି ଥରେ ବହୁତ ବହୁତ ସ୍ୱାଗତ । ଆଜି ଏହି ଆଲୋଚନାକୁ ଆରମ୍ଭ କରିବା ସମୟରେ ମନରେ ଅନେକ ଭାବନା ଉଙ୍କି ମାରୁଛି । ଆମର ଓ ଆପଣଙ୍କର ‘ମନ୍ କି ବାତ୍’ର ଏହି ସମ୍ପର୍କ ୯୯ ତମ ସୋପାନରେ ଆସି ପହଂଚିଛି । ସାଧାରଣତଃ ଆମେ ଶୁଣିବାକୁ ପାଉଁ ଯେ, ୯୯ର ଏହି ସ୍ଥାନଟି ବହୁତ କଠିନ ହୋଇଥାଏ । କ୍ରିକେଟରେ ତ ନର୍ଭସ୍ ନାଇଂଟିଜ୍ କୁ ଅତ୍ୟନ୍ତ କଠିନ ସ୍ତର ମନେ କରାଯାଇଥାଏ । କିନ୍ତୁ ଯେଉଁଠି ଭାରତର ଜନ ଜନଙ୍କର ମନର କଥା ହେଉଥାଏ, ସେଠାକାର ପ୍ରେରଣା କିଛି ଭିନ୍ନ ହୋଇଥାଏ । ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟକୁ ନେଇ ଦେଶର ଜନସାଧାରଣଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଥିବାରୁ ମୁଁ ଖୁସି ଅନୁଭବ କରୁଛି । ମୋ ପାଖକୁ ଅନେକ ବାର୍ତା ଆସୁଛି, ଫୋନ କଲ ଆସୁଛି । ଆଜି ଯେତେବେଳେ ଆମେ ସ୍ୱାଧୀନତାର ଅମୃତକାଳ ପାଳନ କରୁଛୁ, ନୂତନ ସଂକଳ୍ପ ସହିତ ଆଗକୁ ବଢ଼ୁଛୁ, ସେତେବେଳେ ୧୦୦ତମ ‘ମନ୍ କି ବାତ୍’କୁ ନେଇ ଆପଣଙ୍କ ପରାମର୍ଶ ଏବଂ ଚିନ୍ତାଧାରାକୁ ଜାଣିବା ପାଇଁ ମୁଁ ମଧ୍ୟ ବହୁତ ଉତ୍ସୁକ । ଆପଣଙ୍କ ଏଭଳି ପରାମର୍ଶଗୁଡ଼ିକୁ ଜାଣିବା ପାଇଁ ମୁଁ ମଧ୍ୟ ବହୁତ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ଅବଶ୍ୟ ସବୁବେଳେ ଏଗୁଡ଼ିକ ପାଇଁ ପ୍ରତୀକ୍ଷା ରହିଥାଏ, କିନ୍ତୁ ଏଥର ଟିକିଏ ଅଧିକ ରହିଛି । ଆପଣଙ୍କର ଏହି ପରାମର୍ଶ ଆଉ ବିଚାର ହିଁ ଏପ୍ରିଲ ୩୦ ତାରିଖ ଦିନ ହେବାକୁ ଥିବା ‘ମନ୍ କି ବାତ୍’କୁ ଆହୁରି ସ୍ମରଣୀୟ କରିଦେବ ।

ମୋର ପ୍ରିୟ ଦେଶବାସୀଗଣ, ‘ମନ କି ବାତ୍’ରେ ଆମେ ଏଭଳି ହଜାର ହଜାର ଲୋକଙ୍କ ବିଷୟରେ ଆଲୋଚନା କରିଛୁ, ଯେଉଁମାନେ ଅନ୍ୟମାନଙ୍କ ସେବା ପାଇଁ ନିଜର ଜୀବନକୁ ସମର୍ପିତ କରିଦେଇଥାଆନ୍ତି । ଏଭଳି ଅନେକ ଲୋକ ଥାଆନ୍ତି, ଯେଉଁମାନେ ଝିଅମାନଙ୍କ ଶିକ୍ଷା ପାଇଁ ନିଜର ସାରା ପେନ୍ସନ୍ ଖର୍ଚ୍ଚ କରିଦେଇଥାଆନ୍ତି । କେହି ନିଜ ଜୀବନଯାକର ଉପାର୍ଜନକୁ ପରିବେଶ ଓ ପ୍ରାଣୀ ସେବା ପାଇଁ ସମର୍ପିତ କରିଦେଇଥାଏ । ଆମ ଦେଶରେ ପରମାର୍ଥକୁ ଏତେ ଉଚ୍ଚ ସ୍ଥାନ ଦିଆଯାଇଛି ଯେ, ଅନ୍ୟମାନଙ୍କ ସୁଖ ପାଇଁ ଲୋକେ ନିଜର ସର୍ବସ୍ୱ ଦାନ କରିବାରେ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ସେଇଥିପାଇଁ ତ ଆମକୁ ପିଲାଦିନେ ଶିବି ଓ ଦଧିଚିଙ୍କ ଭଳି ଦେହ-ଦାନୀଙ୍କ କାହାଣୀ କୁହାଯାଇଥାଏ।

ବନ୍ଧୁଗଣ, ଆଧୁନିକ ଚିକିତ୍ସା ବିଜ୍ଞାନର ଏହି ସମୟରେ ଅଙ୍ଗ ଦାନ କୌଣସି ବ୍ୟକ୍ତିକୁ ଜୀବନ ଦାନ କରିବାର ଗୋଟିଏ ବହୁତ ବଡ଼ ମାଧ୍ୟମ ହୋଇସାରିଛି । କୁହାଯାଏ ଯେ, ଯଦି ଜଣେ ବ୍ୟକ୍ତି ମୃତ୍ୟୁ ପରେ ନିଜର ଶରୀର ଦାନ କରେ, ତେବେ ସେଥିରୁ ୮ ରୁ ୯ ଜଣଙ୍କୁ ଗୋଟିଏ ନୂଆ ଜୀବନ ମିଳିବାର ସମ୍ଭାବନା ସୃଷ୍ଟି ହୋଇଥାଏ । ଦେଶରେ ଆଜି ଅଙ୍ଗଦାନ ପ୍ରତି ସଚେତନତା ବୃଦ୍ଧି ହେଉଥିବା ସନ୍ତୋଷଜନକ କଥା । ୨୦୧୩ରେ ଆମ ଦେଶରେ ଅଙ୍ଗଦାନର ମାମଲା ସଂଖ୍ୟା ୫ ହଜାରରୁ ବି କମ ଥିବାବେଳେ, ୨୦୨୨ରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୫ ହଜାରରୁ ଅଧିକ ହୋଇଯାଇଛି । ଅଙ୍ଗଦାନ କରୁଥିବା ଲୋକେ ଏବଂ ତାଙ୍କ ପରିବାରବର୍ଗ ପ୍ରକୃତରେ ବହୁତ ପୁଣ୍ୟ କାର୍ଯ୍ୟ କରିଛନ୍ତି ।

ବନ୍ଧୁଗଣ, ଏଭଳି ପୁଣ୍ୟକାର୍ଯ୍ୟ କରୁଥିବା ଲୋକଙ୍କ ମନର କଥା ଜାଣିବା ଏବଂ ତାହାକୁ ଦେଶବାସୀଙ୍କ ସହ ଶେୟାର କରିବା ପାଇଁ ମଧ୍ୟ ବହୁତ ଦିନରୁ ମୋର ଇଚ୍ଛା ଥିଲା । ତେଣୁ, ‘ମନ୍ କି ବାତ୍’ରେ ଆଜି ଆମ ସହିତ ସୁନ୍ଦର କଣ୍ଢେଈ ଭଳି ଜଣେ କୁନି ଝିଅର ବାପା-ମାଆ ଆମ ସହିତ ଯୋଡ଼ି ହେବାକୁ ଯାଉଛନ୍ତି । ବାପାଙ୍କ ନାଁ ହେଉଛି ସୁଖବୀର ସିଂ ସାନ୍ଧୁ ଏବଂ ମାଆଙ୍କ ନାଁ ହେଉଛି ସୁପ୍ରିତ କୌର । ଏହ ପରିବାର ପଞ୍ଜାବର ଅମୃତସରଠାରେ ରହୁଛନ୍ତି । ଅନେକ ଦିନ ପରେ ଗୋଟିଏ ଖୁବ ସୁନ୍ଦର କଣ୍ଡେଈ ଭଳି ଝିଅ ପାଇ ବାପା-ମାଆଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥିଲା । ଘର ଲୋକେ ସ୍ନେହରେ ତା ନାଁ ରଖିଥିଲେ ଅବାବତ୍ କୌର । ଅବାବତ୍ ର ଅର୍ଥ ଅନ୍ୟମାନଙ୍କ ସେବା ସହ ଜଡ଼ିତ, ଅନ୍ୟମାନଙ୍କ କଷ୍ଟ ଦୂର କରିବା ସହ ଜଡ଼ିତ । ଯେତେବେଳେ ଅବାବତ୍ ମାତ୍ର ୩୯ ଦିନର ହୋଇଥିଲା, ସେତେବେଳେ ସେ ଏହି ଦୁନିଆ ଛାଡ଼ି ଚାଲିଗଲା । କିନ୍ତୁ ସୁଖବୀର ସିଂ ସାନ୍ଧୁ, ତାଙ୍କ ସ୍ତ୍ରୀ ସୁପ୍ରିତ କୌର ଏବଂ ତାଙ୍କ ପରିବାରବର୍ଗ ଗୋଟିଏ ପ୍ରେରଣାଦାୟୀ ନିଷ୍ପତି ଗ୍ରହଣ କଲେ । ଏହି ନିଷ୍ପତିଟି ଥିଲା ୩୯ ଦିନ ବୟସ୍କ ଝିଅର ଅଙ୍ଗଦାନର, ଅର୍ଗାନ ଡୋନେସନରେ। ଆମ ସହିତ ବର୍ତମାନ ଫୋନ୍ ଲାଇନ୍ରେ ରହିଛନ୍ତି ସୁଖବୀର ସିଂ ଏବଂ ତାଙ୍କ ଶ୍ରୀମତି  । ଆସନ୍ତୁ, ତାଙ୍କ ସହିତ କଥା ହେବା ।

ପ୍ରଧାନମନ୍ତ୍ରୀ    -        ସୁଖବୀର ଜୀ , ନମସ୍କାର ।

ସୁଖବୀର ସିଂ   -        ନମସ୍କାର, ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ । ସତ୍ ଶ୍ରୀ ଅକାଲ୍ ।

ପ୍ରଧାନମନ୍ତ୍ରୀ    -        ସତ୍ ଶ୍ରୀ ଅକାଲ୍ ଆଜ୍ଞା, ସତ୍ ଶ୍ରୀ ଅକାଲ୍ । ସୁଖବୀର ଜୀ, ମୁଁ ଆଜି ‘ମନ୍ କି ବାତ୍’ ବିଷୟରେ ଚିନ୍ତା କରୁଥିଲି, ସେତେବେଳେ ମୋତେ ଲାଗିଲା ଯେ, ଅବାବାତ୍ର କଥା ଏତେ ପ୍ରେରଣାଦାୟକ ଯେ, ତାହାକୁ ଆପଣଙ୍କ ମୁହଁରୁ ଶୁଣିବି । କାରଣ କୌଣସି ଘରେ ଝିଅର ଜନ୍ମ ଅନେକ ସ୍ୱପ୍ନ, ଅନେକ ଖୁସି ନେଇ ଆସିଥାଏ। କିନ୍ତୁ, ଝିଅ ଏତେ କମ ଦିନରେ ଚାଲିଯିବାର କଷ୍ଟ କେତେ ଭୟଙ୍କର ହୋଇଥିବ ସେ କଥା ମଧ୍ୟ ମୁଁ ଅନୁମାନ କରିପାରୁଛି । ଆପଣ ଯାହା ନିଷ୍ପତି ଗ୍ରହଣ କଲେ, ସେ ବିଷୟରେ ସମସ୍ତ କଥା ମୁଁ ଜାଣିବାକୁ ଚାହୁଁଛି ।

ସୁଖବୀର ସିଂ   -        ସାର୍, ଭଗବାନ ତ ଆମକୁ ଗୋଟିଏ ଭଲ ସନ୍ତାନ ଦେଇଥିଲେ, ସୁନ୍ଦର କଣ୍ଢେଇ ଭଳି ଝିଅଟିଏ ଆମ ଘରକୁ ଆସିଥିଲା । ତାର ଜନ୍ମ ହେଲା ପରେ ଆମେ ଜାଣିପାରିଲୁ ଯେ, ତା ମସ୍ତିଷ୍କରେ ନାଡ଼ିଗୁଡ଼ିକ ଏଭଳି ଭାବେ ଛନ୍ଦି ହୋଇରହିଛି, ଯାହାଫଳରେ ତାର ହୃଦୟର ଆକାର ବଡ଼ ହୋଇଚାଲିଛି । ସୁସ୍ଥ ଦେଖାଯାଉଥିବା ଏତେ ସୁନ୍ଦର ଝିଅଟିର ଏଭଳି ସମସ୍ୟା ରହିଥିବା କଥା ଜାଣି ଆମକୁ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ଲାଗିଲା । ଆରମ୍ଭର ୨୪ ଦିନ ତ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ରହିଲା । ହଠାତ୍ ତା ହୃଦୟ କାମ କରିବା ବନ୍ଦ କରିଦେଲା । ଆମେ ତୁରନ୍ତ ତାକୁ ଡାକ୍ତରଖାନାକୁ ନେଇଗଲୁ । ସେଠାରେ ଡାକ୍ତରମାନେ ତାକୁ ରିଭାଇଭ୍ ତ କରିଦେଲେ କିନ୍ତୁ ତାର କ’ଣ ଅସୁବିଧା ହୋଇଛି, ତାହା ବୁଝିବାରେ ସମୟ ଲାଗିଲା । ଏତେ ଛୋଟ ପିଲାର ହଠାତ୍ ହୃଦଘାତ ଭଳି ବିରାଟ ସମସ୍ୟା ଦେଖାଦେଲା । ତେଣୁ ଆମେ ତାକୁ ଚିକିତ୍ସା ପାଇଁ ପିଜିଆଇ ଚଣ୍ଡିଗଡ଼କୁ ନେଇଗଲୁ । ସେଠାରେ ଶିଶୁଟି ସାହସର ସହିତ ଚିକିତ୍ସା ପାଇଁ ସଂଘର୍ଷ କଲା । କିନ୍ତୁ ଏତେ କମ ବୟସରେ ଏଭଳି ବ୍ୟାଧିର ଚିକିତ୍ସା ସମ୍ଭବ ନ ଥିଲା । ତାକୁ ରିଭାଇଭ୍ କରିବା ପାଇଁ ଡାକ୍ତରମାନେ ଅନେକ ଚେଷ୍ଟା କଲେ । ପିଲାଟି ଛଅ ମାସର ହୋଇଗଲେ ତାର ଅସ୍ତ୍ରୋପଚାର କଥା ଚିନ୍ତା କରାଯାଇ ପାରିଥାଆନ୍ତା । କିନ୍ତୁ ଈଶ୍ୱରଙ୍କ ଇଚ୍ଛା କିଛି ଭିନ୍ନ ଥିଲା । ସେ ମାତ୍ର ୩୯ ଦିନର ହୋଇଥିବା ବେଳେ ଡାକ୍ତର କହିଲେ ଯେ, ପୁଣି ଥରେ ତାର ହୃଦଘାତ ହୋଇଛି । ଏଥର ଆଶା ବହୁତ କମ୍ । ତେଣୁ ଆମେ ଦୁହେଁ ସ୍ୱାମୀ, ସ୍ତ୍ରୀ ଏହି ନିଷ୍ପତି ନେଲୁ କାହିଁକିନା ଆମେ ତାକୁ ସାହସର ସହିତ ମୁକାବିଲା କରିବା ଦେଖିଥିଲୁ । ବାରମ୍ବାର ଲାଗୁଥିଲା ସେ ଏବେ ଚାଲିଯିବ କିନ୍ତୁ ସେ ପୁଣି ରିଭାଇଭ୍ କରୁଥିଲା । ସେତେବେଳେ ଆମକୁ ଲାଗିଲା ଯେ, ଏହି ଶିଶୁଟି ଏଠିକି ଆସିବା ପଛରେ ହୁଏତ କିଛି ଉଦ୍ଦେଶ୍ୟ ରହିଛି । ସେମାନେ ଯେତେବେଳେ ସମ୍ପୂର୍ଣ୍ଣ ଭାବେ ଆଶା ତ୍ୟାଗ କରିଦେଲେ, ସେତେବେଳେ ଆମେ ଦୁହେଁ ଶିଶୁଟିର ଅଙ୍ଗଦାନ କରିବାର ନିଷ୍ପତି ଗ୍ରହଣ କଲୁ । ଏହାଦ୍ୱାରା ହୁଏତ ଆଉ କାହା ଜୀବନ ଆଲୋକିତ ହୋଇପାରେ । ତା ପରେ ଆମେ ପିଜିଆଇ ର ଆଡମିନିଷ୍ଟ୍ରେଟିଭ୍ ବ୍ଲକ ସହ ଯୋଗାଯୋଗ କଲୁ । ସେମାନେ ଆମକୁ ପରାମର୍ଶ ଦେଇ କହିଲେ ଯେ, ଏତେ ଛୋଟ ଶିଶୁଟିର କେବଳ କିଡନି ହିଁ ସଂଗ୍ରହ କରାଯାଇପାରେ । ପରମାତ୍ମା ସାହସ ଦେଲେ । ଗୁରୁ ନାନକ ସାହେବଙ୍କ ଚିନ୍ତାଧାରା ମଧ୍ୟ ଏହିଭଳି। ଏ କଥା ଚିନ୍ତା କରି ଆମେ ନିଷ୍ପତି ନେଲୁ ।

ପ୍ରଧାନମନ୍ତ୍ରୀ    –        ଗୁରୁମାନଙ୍କ ଶିକ୍ଷାକୁ ଆପଣ ବାସ୍ତବ କରି ଦେଖାଇଲେ । ସୁପ୍ରିତ ଜୀ ଅଛନ୍ତି କି? ତାଙ୍କ ସହିତ କଥା ହୋଇପାରିବି ?

ସୁଖବୀର ସିଂ   -        ଆଜ୍ଞା ।

ସୁପ୍ରିତ  -        ହ୍ୟାଲୋ . . .

ପ୍ରଧାନମନ୍ତ୍ରୀ    -        ସୁପ୍ରିତ ଜୀ, ମୁଁ ଆପଣଙ୍କୁ ପ୍ରଣାମ କରୁଛି ।

ସୁପ୍ରିତ  -        ନମସ୍କାର ଆଜ୍ଞା, ନମସ୍କାର । ସାର୍, ଇଏ ଆମ ପାଇଁ ଗର୍ବର ବିଷୟ ଯେ ଆପଣ ଆମ ସହିତ କଥା ହେଉଛନ୍ତି ।

ପ୍ରଧାନମନ୍ତ୍ରୀ    -        ଆପଣ ଏତେ ବଡ଼ କାମ କରିଛନ୍ତି । ଆଉ ମୁଁ ମନେ କରୁଛି ଯେ, ଦେଶ ଯେତେବେଳେ ଏ କଥା ଶୁଣିବ, ସେତେବେଳେ ଅନେକ ଲୋକ ଅନ୍ୟ ଲୋକଙ୍କ ଜୀବନ ବଂଚାଇବା ପାଇଁ ଆଗେଇ ଆସିବେ । ଅବାବତ୍ର ଅବଦାନ ବହୁତ ବଡ଼ ।

ସୁପ୍ରିତ  -        ସାର୍ ଏଭଳି ନିଷ୍ପତି ଗ୍ରହଣ କରିବା ପାଇଁ ସାହସ ହୁଏତ ଗୁରୁ ନାନକ ବାଦଶାହ୍ ଜୀଙ୍କ କରୁଣାରୁ ହିଁ ମିଳିଲା ।

ପ୍ରଧାନମନ୍ତ୍ରୀ    -        ଗୁରୁଙ୍କ କୃପା ବିନା ତ କିଛି ସମ୍ଭବ ନୁହେଁ ।

ସୁପ୍ରିତ  -        ହଁ ଆଜ୍ଞା, ଠିକ୍ କଥା ।

ପ୍ରଧାନମନ୍ତ୍ରୀ    -        ସୁଖବୀର ଜୀ, ଆପଣ ଯେତେବେଳେ ଡାକ୍ତରଖାନାରେ ଥିବେ ଆଉ ଡାକ୍ତର ଆପଣଙ୍କୁ ଏଭଳି ଗୋଟିଏ ଖବର ଦେଇଥିବେ, ସେଭଳି ପରିସ୍ଥିତିରେ ବି ଆପଣ ଏବଂ ଆପଣଙ୍କ ପତ୍ନୀ ଗୋଟିଏ ସୁସ୍ଥ ମନରେ ଏତେ ବଡ଼ ନିଷ୍ପତି ଗ୍ରହଣ କଲେ । ଏହା ଅବଶ୍ୟ ଗୁରୁଙ୍କ ବାଣୀର ପ୍ରଭାବ ଯେ ଆପଣଙ୍କ ମନରେ ଏତେ ଉଦାର ଭାବନା ସୃଷ୍ଟି ହେଲା ଏବଂ ଅବାବତ୍ର ଅର୍ଥ ଯାହା ସାଧାରଣ ଭାଷାରେ ସାହାଯ୍ୟକାରୀ ହୋଇଥାଏ, ତାହା ଏକ ବାସ୍ତବତା ହେଲା । ସେହି ମୁହୁର୍ତର କଥା ମୁଁ ଶୁଣିବାକୁ ଚାହୁଁଛି ।

ସୁଖବୀର ସିଂ   -        ସାର୍, ଆମର ପରିବାରର ଜଣେ ବନ୍ଧୁ ହେଉଛନ୍ତି ପ୍ରିୟା ଜୀ । ସେ ମଧ୍ୟ ନିଜ ଅଙ୍ଗ ଦାନ କରିଥିଲେ, ଯାହା ଆମକୁ ପ୍ରେରଣା ଯୋଗାଇଥିଲା । ସେତେବେଳେ ଆମେ ଭାବିଲୁ ଯେ, ଶରୀର ତ ପଂଚତତ୍ୱରେ ବିଲୀନ ହୋଇଯିବ । ଯେତେବେଳେ କେହି ମୃତ୍ୟବରଣ କରେ, ତା ଶରୀରକୁ ଅଗ୍ନି ସଂସ୍କାର କରାଯାଏ କିମ୍ବା କବର ଦିଆଯାଏ । କିନ୍ତୁ ତା ଅଙ୍ଗ ଯଦି କାହା କାମରେ ଲାଗେ, ତାହେଲେ ଏହା ନିଶ୍ଚିତ ଭାବେ ଏକ ପୂଣ୍ୟକାର୍ଯ୍ୟ । ସେତେବେଳେ ଆମେ ବହୁତ ଗର୍ବ ଅନୁଭବ କଲୁ, ଯେତେବେଳେ ଡାକ୍ତର ଆମକୁ ଜଣାଇଲେ ଯେ, ଆପଣଙ୍କ ଝିଅ ଦେଶର ସର୍ବକନିଷ୍ଠ ଅଙ୍ଗଦାତା ହୋଇପାରିଛି, ଯାହାର ଅଙ୍ଗ ସଫଳତାର ସହ ଅନ୍ୟଠାରେ ପ୍ରତିରୋପଣ କରାଯାଇପାରିଛି । ତେଣୁ ଆମର ମଥା ଗର୍ବରେ ଉଚ୍ଚା ହୋଇଗଲା । ଆମେ ପିତା-ମାତା ଏତେ ଦିନଯାଏ କୌଣସି ସୁନାମ ଅର୍ଜନ କରିପାରି ନ ଥିଲୁ, ଅଥଚ, ଏହି କୁନି ଝିଅଟି ଆସି ଏତେ କମ୍ ଦିନରେ ଆମକୁ ସୁନାମ ଦେଇ ଚାଲିଗଲା। ଆଉ ତାଠୁ ବଡ଼ କଥା ହେଲା ଯେ, ତାହାରି ବିଷୟରେ ଆଜି ଆପଣଙ୍କ ସହିତ କଥାବାର୍ତା ହୋଇପାରିଲୁ । ଆମେ ଗର୍ବ ଅନୁଭବ କରୁଛୁ ।

ପ୍ରଧାନମନ୍ତ୍ରୀ-   ସୁଖବୀର ଜୀ, ଆଜି ଆପଣଙ୍କ ଝିଅର କେବଳ ଗୋଟିଏ ଅଙ୍ଗ ଜୀବିତ ଅଛି, ଏମିତି ଆଦୌ ନୁହେଁ । ଆପଣଙ୍କ ଝିଅ ମାନବିକତାର ଅମରଗାଥାରେ ଅମରଯାତ୍ରୀ ପାଲଟିଯାଇଛି । ନିଜ ଶରୀରର ଏକ ଅଂଶ ମାଧ୍ୟମରେ ସେ ଆଜି ବି ଆମ ଗହଣରେ ଉପସ୍ଥିତ ରହିଛି । ଏହି ମହତର କାର୍ଯ୍ୟ ପାଇଁ ମୁଁ ଆପଣଙ୍କୁ ଏବଂ ଆପଣଙ୍କର ଧର୍ମପତ୍ନୀଙ୍କୁ ତଥା ଆପଣଙ୍କର ପୁରା ପରିବାରର ଭୁରି ଭୁରି ପ୍ରଶଂସା କରୁଛି ।

ସୁଖବୀର ସିଂ   -        Thank you Sir.

ପ୍ରଧାନମନ୍ତ୍ରୀ    -        ସାଥୀଗଣ, ଅଙ୍ଗଦାନ ପାଇଁ ସବୁଠୁ ବଡ଼ ସାହସିକତା ହେଉଛି ଯେ ସଂସାର ଛାଡ଼ିବା ପୂର୍ବରୁ ବି ଆମଦ୍ୱାରା କାହାରି ନା କାହାରି ଉପକାର ହୋଇଯାଉ, କାହାରି ନା କାହାରି ଜୀବନ ବଂଚିଯାଉ । ଯେଉଁ ବ୍ୟକ୍ତିମାନେ ଅଙ୍ଗଦାନର ପ୍ରତୀକ୍ଷା କରିଥାନ୍ତି ସେମାନେ ଅନୁଭବ କରିଥାନ୍ତି ଯେ ଅପେକ୍ଷାର ପ୍ରତ୍ୟେକଟି ମୁହୂର୍ତ ସହ ସମୟ ବିତାଇବା କେତେ କଷ୍ଟଦାୟକ ହୋଇଥାଏ ଏବଂ ଏମିତି ଘଡ଼ିସନ୍ଧି ମୁହୂର୍ତରେ ଯେତେବେଳେ କୌଣସି ସହୃଦୟ ବ୍ୟକ୍ତି ଅଙ୍ଗଦାନ ବା ଦେହଦାନ କରିବାକୁ ଆଗେଇଆସେ ତ ସେ ବ୍ୟକ୍ତି ଭିତରେ ଆମକୁ ଈଶ୍ୱରଙ୍କର ସ୍ୱରୂପ ଦର୍ଶନ ହୋଇଥାଏ । ଝାଡ଼ଖଣ୍ଡରେ ନିବାସ କରୁଥିବା ସ୍ନେହଲତା ଚୌଧୁରୀ ମଧ୍ୟ ଏଇମିତି ଥିଲେ ଯିଏ ଈଶ୍ୱରଙ୍କ ସ୍ୱରୂପରେ ଅନ୍ୟମାନଙ୍କୁ ଜୀବନ ପ୍ରଦାନ କରିଥିଲେ । ୬୩ ବର୍ଷୀୟା ସ୍ନେହଲତା ଚୌଧୁରୀଜୀ ନିଜର Heart, Kidney ଏବଂ Liver ଦାନ କରିଦେଇଗଲେ । ଆଜିର ଏହି ‘ମନ୍ କି ବାତ୍’ରେ ତାଙ୍କର ପୁଅ ଭାଇ ଅଭିଜିତ ଚୌଧୁରୀ ଆମ ସାଙ୍ଗରେ ଅଛନ୍ତି । ଆସନ୍ତୁ ତାଙ୍କଠୁ ଆମେ କିଛି ଶୁଣିବା ।

ପ୍ରଧାନମନ୍ତ୍ରୀ    -        ଅଭିଜିତ ଜୀ, ନମସ୍କାର ।

ଅଭିଜିତ୍         -        ପ୍ରଣାମ ସାର୍ ।

ପ୍ରଧାନମନ୍ତ୍ରୀ    -        ଅଭିଜିତ୍ ଜୀ, ଆପଣ ଜଣେ ଏଭଳି ମା’ର ସନ୍ତାନ, ଯିଏ ଆପଣଙ୍କୁ ଜନ୍ମ ଦେଇ ଏକପ୍ରକାର ଜୀବନ ପ୍ରଦାନ ତ କରିଛନ୍ତି, କିନ୍ତୁ ନିଜର ମୃତ୍ୟୁ ପରେ ବି ଆପଣଙ୍କର ମା’ ଅନେକ ଲୋକଙ୍କୁ ଜୀବନ ପ୍ରଦାନ କରିଯାଇଛନ୍ତି । ଜଣେ ପୁତ୍ର ଭାବରେ ଅଭିଜିତ୍ଜୀ ଆପଣ ତ ନିଶ୍ଚୟ ଗର୍ବ ଅନୁଭବ କରୁଥିବେ!

ଅଭିଜିତ୍         -        ହଁ, ସାର୍ ନିଶ୍ଚୟ ଗର୍ବ ଲାଗୁଛି ।

ପ୍ରଧାନମନ୍ତ୍ରୀ    -        ଆପଣ, ନିଜ ମାତାଙ୍କ ବିଷୟରେ ଆମକୁ କିଛି କୁହନ୍ତୁ । କିଭଳି ପରିସ୍ଥିତିରେ ସେ ଅଙ୍ଗଦାନ ର ନିଷ୍ପତି ନେଇଥିଲେ ।

ଅଭିଜିତ୍         -        ଝାଡ଼ଖଣ୍ଡରେ ଗୋଟିଏ ଛୋଟିଆ ଗାଁର ନାଁ ହେଉଛି ସରାଇକେଲା । ସେଠାରେ ମୋର ବାପା, ମା’ ଦୁହେଁ ରହୁଥିଲେ । ଗତ ପଚିଶ ବର୍ଷ ହେଲା ସେମାନେ ଦୁହେଁ ଲଗାତାର Morning Walk କରୁଥିଲେ ଏବଂ ନିଜର ଅଭ୍ୟାସ ଅନୁସାରେ ଭୋର୍ ୪ଟାରୁ Morning Walk ପାଇଁ ଘରୁ ବାହାରିଥିଲେ । ସେତେବେଳେ ଜଣେ ମୋଟର ସାଇକେଲ ବାଲା ପଛପାଖରୁ ମା’କୁ ଜୋରରେ ଧକ୍କା ଦେଲା । ମା’ତଳେ ପଡ଼ିଗଲା ଏବଂ ତା’ର ମୁଣ୍ଡରେ ଜୋର୍ରେ ଆଘାତ ଲାଗିଗଲା । ଆମେ ତୁରନ୍ତ ତାଙ୍କୁ ସରାଇକେଲାର ସଦର ଡାକ୍ତରଖାନାକୁ ନେଇଗଲୁ । ଡାକ୍ତର ସାହେବ ବ୍ୟାଣ୍ଡେଜ ବାନ୍ଧିଲେ । କିନ୍ତୁ ରକ୍ତ ବୋହିବା ବନ୍ଦ ହେଉନଥିଲା । ମା’କୁ କୌଣସି Sence ମଧ୍ୟ ନ ଥିଲା । ଆମେ ତୁରନ୍ତ ମା’ଙ୍କୁ Tata Main Hospitalକୁ ନେଇଗଲୁ । ସେଠାରେ ତାଙ୍କର ସର୍ଜରୀ କରାଗଲା । ୪୮ ଘଂଟାର Observation ପରେ ଡାକ୍ତର କହିଲେ ଯେ ଏଠାରେ Chance ବହୁତ କମ୍ ଅଛି । ଆମେ ମା’କୁ Airlift କରି AIIMS, Delhiକୁ ନେଇଆସିଲୁ । ଏଠାରେ ପ୍ରାୟ ୭-୮ ଦିନ ଧରି ତାଙ୍କର ସବୁପ୍ରକାର ଚିକିତ୍ସା ଚାଲିଲା । ଏହାପରେ position ଟିକେ ଠିକ୍ ଥିଲା ମାତ୍ର ଅଚାନକ ଭାବେ ତାଙ୍କର ରକ୍ତଚାପ ବହୁତ କମିଗଲା । ଏହାପରେ ଆମେ ଜାଣିବାକୁ ପାଇଲୁ ଯେ ତାଙ୍କର Brain Death ହୋଇଯାଇଛି । ସେତେବେଳେ ଡାକ୍ତର ସାହେବ ପ୍ରୋଟୋକଲ୍ ସହ ଆମକୁ ଅଙ୍ଗଦାନ ସମ୍ପର୍କରେ କହୁଥିଲେ । ଆମେ ସେହି ମୁହୂର୍ତରେ ହୁଏତ ବାପାଙ୍କୁ ଅଙ୍ଗଦାନ ବିଷୟରେ ଆଦୌ କହିପାରି ନ ଥାନ୍ତୁ କାରଣ ଆମକୁ ଲାଗୁଥିଲା ଯେ ଅଙ୍ଗଦାନ କଥାକୁ ଆଦୌ ସେ ଗ୍ରହଣ କରିପାରିବେ ନାହିଁ । ତେଣୁ ଆମେ ଯତ୍ପରୋନାସ୍ତି ତାଙ୍କୁ ଅନ୍ୟପ୍ରକାରରେ ଅଙ୍ଗଦାନ ବିଷୟରେ ଡାକ୍ତର କହୁଥିବା କଥା କହିଲୁ । ସେ ତୁରନ୍ତ କହିଲେ : ହଁ-ହଁ ..... ତୋ ମା’ର ବହୁତ ଇଚ୍ଛା ଥିଲା ଅଙ୍ଗଦାନ ପାଇଁ । ଆମେ ତା’ର ଇଚ୍ଛାକୁ ନିଶ୍ଚୟ ପୂରଣ କରିବା । ସେ ସମୟରେ ଆମେ ବହୁତ ଦୁଃଖି ଓ ମ୍ରିୟମାଣ ହୋଇପଡ଼ିଥିଲୁ ଯେ ମା’ ଆଉ ବଂଚିପାରିବ ନାହିଁ କିନ୍ତୁ ଯେତେବେଳେ ଅଙ୍ଗଦାନର ଚର୍ଚ୍ଚା ଆରମ୍ଭ ହୋଇଗଲା ତ ଆମ ମନରେ ଛାଇଯାଇଥିବା ନିରାଶା ଗୋଟିଏ positive sideକୁ ସ୍ଥାନାନ୍ତର ହୋଇଗଲା ଏବଂ ଆମେ positive environmentକୁ ଚାଲିଆସିଲୁ । ଏହିପରି ଭାବେ ବିଚାର-ଆଲୋଚନା ଭିତରେ ରାତି ୮ଟା ବେଳେ ଆମର counsellsing ହେଲା । ତା’ପରଦିନ ଆମେ ମା’ର ଅଙ୍ଗଦାନ କରିଦେଲୁ । ଏହି ମହତ୍ କାର୍ଯ୍ୟ ପଛରେ ମା’ଙ୍କର ବହୁତ ଉଚ୍ଚ ଭାବନା ରହିଥିଲା । ଆଗରୁ ବି ସେ ନେତ୍ରଦାନ ପରି ଅଙ୍ଗଦାନ ଆଦି ସାମାଜିକ କାର୍ଯ୍ୟରେ ବହୁତ ସକ୍ରିୟ ଥିଲେ । ବୋଧହୁଏ ତା’ର ସେହି ଚିନ୍ତନ ଫଳରେ ଆମେ ଏଡ଼େ ମହାନ୍ କାର୍ଯ୍ୟକୁ ତୁଲାଇପାରିଲୁ । ମୋର ବାପାଙ୍କର decission making ବ୍ୟକ୍ତିତ୍ୱ ହିଁ ଆମକୁ ଏଭଳି କାର୍ଯ୍ୟ ତୁଲାଇବାରେ ପ୍ରେରଣା ଯୋଗାଇଥିଲା ।

ପ୍ରଧାନମନ୍ତ୍ରୀ    -        ମା’ଙ୍କର Organ Donation ଦ୍ୱାରା କେତେ ଲୋକ ଉପକୃତ ହେଲେ?

ଅଭିଜିତ୍         -        ମା’ଙ୍କର Heart, ଦୁଇଟି Kidney, Liver ଏବଂ ଦୁଇ ଆଖି ଆମେ donate କରିଥିଲୁ। ସର୍ବମୋଟ୍ ଭାବେ ଚାରିଜଣଙ୍କୁ ନୂଆ ଜୀବନ ପ୍ରାପ୍ତ ହେଲା ଓ ଦୁଇଜଣ ଦୃଷ୍ଟିଶକ୍ତି ଫେରିପାଇଲେ ।

ପ୍ରଧାନମନ୍ତ୍ରୀ    -        ଅଭିଜିତ ଜୀ, ଆପଣଙ୍କର ମା’ ଓ ଆପଣଙ୍କର ବାପା, ଦୁହେଁ ଆମ ସମସ୍ତଙ୍କ ପାଇଁ ନମସ୍ୟ । ମୁଁ ତାଙ୍କୁ ପ୍ରଣାମ କରୁଛି । ଆପଣଙ୍କ ବାପା ଏଭଳି ଦୃଢ଼ନିଶ୍ଚୟ ହୋଇ ଏତେ ବଡ଼ ନିର୍ଣ୍ଣୟ ନେଇ ଆପଣଙ୍କ ପରିବାରର ଯେଭଳି ନେତୃତ୍ୱ ନେଲେ ତାହା ବାସ୍ତବରେ ବହୁତ ପ୍ରେରଣାଦାୟୀ । ମା’ ତ ସତରେ ମା’ ହିଁ ହୋଇଥାଏ। ମା’ ଆପଣାଛାଏଁ ଏକ ପ୍ରେରଣାର ପ୍ରତିମୂର୍ତି । କିନ୍ତୁ ମା’ ନିଜର ଆଗାମୀ ବଂଶଧରଙ୍କ ପାଇଁ ଯେଉଁ ପରମ୍ପରା ପରିବାରବର୍ଗଙ୍କୁ ଦେଇଥାଏ ତାହା ପିଢ଼ି ପିଢ଼ି ଧରି ଏକ ଶକ୍ତି ଭାବରେ ଆମକୁ ଦୃଢ଼ୀଭୂତ କରିଥାଏ । ଅଙ୍ଗଦାନ କ୍ଷେତ୍ରରେ ଆପଣଙ୍କ ମା’ଙ୍କର ପ୍ରେରଣା ଆଜି ସାରା ଦେଶରେ ସଂଚରିଯାଉଛି । ଆପଣଙ୍କର ଏଭଳି ପବିତ୍ର କାର୍ଯ୍ୟ ପାଇଁ ମୁଁ ଆପଣଙ୍କର ସମଗ୍ର ପରିବାରକୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଅଭିଜିତ୍ ଜୀ, ଧନ୍ୟବାଦ । ଆପଣଙ୍କର ବାପାଙ୍କୁ ମୋର ପ୍ରଣାମ ନିଶ୍ଚୟ ଜଣାଇଦେବ ।

ଅଭିଜିତ୍         -        ନିଶ୍ଚୟ, ନିଶ୍ଚୟ, ଧନ୍ୟବାଦ ସାର

ପ୍ରଧାନମନ୍ତ୍ରୀ    -        ବନ୍ଧୁଗଣ, ୩୯ ଦିନର ଅବାବତ୍ କୌର ହୁଅନ୍ତୁ ବା ୬୩ ବର୍ଷୀୟା ସ୍ନେହଲତା ଚୌଧୁରୀ, ଏମାନଙ୍କ ପରି ଦାନବୀର ହିଁ ଆମକୁ ଜୀବନର ମହତ୍ୱ ସମ୍ପର୍କରେ ବୁଝାଇଦିଅନ୍ତି । ଆମ ଦେଶର ଆଜି ବହୁତ ଅଧିକ ସଂଖ୍ୟାରେ ଏହିଭଳି ଲୋକ ଅଛନ୍ତି ଯେଉଁମାନେ ସୁସ୍ଥ ଜୀବନର ଆଶା ନେଇ ଅଙ୍ଗଦାନର ପ୍ରତୀକ୍ଷାରେ କାଳାତିପାତ କରୁଛନ୍ତି । ମୋତେ ସନ୍ତୋଷ ମିଳୁଛି ଯେ ଅଙ୍ଗଦାନକୁ ଆହୁରି ସରଳ ଓ ଉତ୍ସାହିତ କରିବା ଦିଗରେ ସମଗ୍ର ଦେଶରେ ଏକକ policy ଉପରେ କାର୍ଯ୍ୟ ଚାଲିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟମାନଙ୍କର domicile ସମ୍ପର୍କିତ ସର୍ତକୁ ହଟାଇଦେବା ପାଇଁ ମଧ୍ୟ ନିର୍ଣ୍ଣୟ ନିଆଯାଇଛି । ଅର୍ଥାତ୍ ଏବେ ଦେଶର କୌଣସି ବି ରାଜ୍ୟକୁ ଯାଇ ରୋଗୀ ଅଙ୍ଗ ପ୍ରାପ୍ତ କରିବା ପାଇଁ କ୍ସରଶସଗ୍ଦଗ୍ଧରକ୍ସ କରିପାରିବ । ସରକାରଙ୍କ ତରଫରୁ ଅଙ୍ଗଦାନ ପାଇଁ ୬୫ ବର୍ଷରୁ କମ୍ ଆୟୁ ସୀମାକୁ ମଧ୍ୟ ସମାପ୍ତ କରିବା ଦିଗରେ ନିର୍ଣ୍ଣୟ ନିଆଯାଇଛି । ଏହିପରି ପ୍ରଚେଷ୍ଟା ମଧ୍ୟରେ ମୁଁ ସମଗ୍ର ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ କ୍ଟକ୍ସଶବଦ୍ଭ ୟକ୍ଟଦ୍ଭକ୍ଟକ୍ସ, ଅଧିକରୁ ଅଧିକ ସଂଖ୍ୟାରେ ଆଗକୁ ଆସନ୍ତୁ । ଆପଣମାନଙ୍କର ଗୋଟିଏ ନିଷ୍ପତି ଅନେକ ଲୋକଙ୍କର ଜୀବନକୁ ବଂଚାଇପାରିବ । ଜୀବନ ଗଢ଼ିପାରିବ ।

ମୋର ପ୍ରିୟ ଦେଶବାସୀ, ଏହାହେଉଛି ପବିତ୍ର ନବରାତ୍ରର ସମୟ । ଶକ୍ତି ଉପାସନାର ସମୟ । ଆଜି, ଭାରତର ଯେଉଁ ସାମର୍ଥ୍ୟବାନ ସ୍ୱରୂପ ନୂଆ ଭାବରେ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହୋଇ ଉଦ୍ଭାସିତ ହେବାରେ ଲାଗିଛି, ତହିଁରେ ବହୁତ ବଡ଼ ଭୂମିକା ନାରୀଶକ୍ତିର ହିଁ ରହିଛି । ଏତେ ସମୟ ଭିତରେ ଏଇମିତି ଅନେକ ଉଦାହରଣ ଆମ ସାମ୍ନାରେ ଉପସ୍ଥିତ ହୋଇସାରିଛି । ଆପଣମାନେ ସୋସିଆଲ ମିଡ଼ିଆରେ ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍ ସୁରେଖା ଯାଦବଙ୍କୁ ନିଶ୍ଚୟ ଦେଖିଥିବେ । ସୁରେଖାଜୀ, ଏକ ନୂତନ କୀର୍ତିମାନ ସ୍ଥାପନ କରି ବନେ୍ଦ ଭାରତ ଏକ୍ସପ୍ରେସ୍ର ପ୍ରଥମ ମହିଳା ଲୋକୋ ପାଇଲଟ୍ ହୋଇପାରିଛନ୍ତି । ଏହି ମାସରେ producer ଗୁନୀତ୍ ମୋଂଗା ଏବଂ director କାର୍ତିକୀ ଗୋଁଜାଲ୍ବିସ୍ ତାଙ୍କର documentary “Elephant Whispers” ପାଇଁ Oscar ଜିତି ଭାରତବର୍ଷର ନାଁକୁ ଗୌରବମଣ୍ଡିତ କରିଛନ୍ତି । ଦେଶ ପାଇଁ ଆଉ ଏକ ଉପଲବ୍ଧି Bhaba Atomic Research Centreର Scientist ଭଉଣୀ ଜ୍ୟୋତିର୍ମୟୀ ମହାନ୍ତି ମଧ୍ୟ ହାସଲ କରିଛନ୍ତି । ଜ୍ୟୋତିର୍ମୟୀଜୀ Chemistry ଏବଂ Chemical Engineering Fieldର IUPACର ବିଶେଷ Award ପାଇଛନ୍ତି । ଏହି ବର୍ଷର ପ୍ରାରମ୍ଭରେ ହିଁ ଭାରତର Under-19  ମହିଳା କ୍ରିକେଟ୍ ଟିମ୍ T-20 World Cup ଜିତି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଯଦି ଆପଣମାନେ ରାଜନୀତି ଆଡ଼େ ଆଖି ପକାଇବେ, ତେବେ ନାଗାଲାଣ୍ଡରେ ଏକପ୍ରକାର ନୂତନ ଅଧ୍ୟାୟ ଆରମ୍ଭ ହୋଇଯାଇଛି । ନାଗାଲାଣ୍ଡରେ ୭୫ ବର୍ଷ ଭିତରେ ପ୍ରଥମଥର ପାଇଁ ଦୁଇଜଣ ମହିଳା ବିଧାୟକ ବିଜୟଲାଭ କରି ବିଧାନସଭା ପହଂଚିଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କୁ ନାଗାଲାଣ୍ଡର ସରକାରରେ ମନ୍ତ୍ରୀପଦ ମଧ୍ୟ ପ୍ରାପ୍ତ ହୋଇଛି ଅର୍ଥାତ୍ ରାଜ୍ୟବାସୀଙ୍କୁ ପ୍ରଥମଥର ପାଇଁ ଜଣେ ମହିଳା ମନ୍ତ୍ରୀ ମଧ୍ୟ ମିଳିଛି ।

ବନ୍ଧୁଗଣ, କିଛିଦିନ ପୂର୍ବରୁ ମୋର ସାକ୍ଷାତ୍ ସେହି ଦୁଃସାହସୀ ଝିଅମାନଙ୍କ ସହ ହୋଇଥିଲା ଯେଉଁମାନେ ତୁର୍କୀର ବିନାଶକାରୀ ଭୂମିକମ୍ପ ପରେ ସେଠାକାର ପୀଡ଼ିତ ଲୋକମାନଙ୍କର ସାହାଯ୍ୟ ପାଇଁ ପହଂଚିଥିଲେ । ଏମାନେ ସମସ୍ତେ NDRF ଦଳରେ ସାମିଲ ଥିଲେ । ତାଙ୍କର ସାହସ ଏବଂ କୁଶଳତାପୂର୍ଣ୍ଣ କାର୍ଯ୍ୟଶୈଳୀକୁ ସାରା ବିଶ୍ୱ ପ୍ରଶଂସା କରୁଛି । ଭାରତ UN Mission ପରି ଶାନ୍ତିସେନାରେ Women-only Platoon ମଧ୍ୟ ସ୍ଥାପନ କରିସାରିଛି ।

ଆଜି, ଦେଶର ଝିଅମାନେ ଆମର ତିନୋଟିଯାକ ସେନାବାହିନୀରେ ନିଜର ଶୌର୍ଯ୍ୟ ଓ ସାହସର ପ୍ରଦର୍ଶନ କରିଚାଲିଛନ୍ତି । Group Captian ଶାଲିଜା ଧାମୀ Combat Unitରେ Command Appointment ପାଇଥିବା ପ୍ରଥମ ମହିଳା ବାୟୁସେନା ଅଧିକାରୀ ହୋଇପାରିଛନ୍ତି । ତାଙ୍କ ପାଖରେ ପାଖାପାଖି ୩ ହଜାର ଘଂଟାର flying experiece ରହିଛି । ସେହିପରି ଭାରତୀୟ ସେନାର ସାହସୀ captain ଶିବା ଚୌହାନ୍ ସିଆଚିନ୍ରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ଅଧିକାରୀ ଅଟନ୍ତି । ସିଆଚିନ୍ରେ ଯେଉଁଠି ପାରଦ ମାଇନସ୍ ସିକ୍ସଟି (-୬୦) ଡିଗ୍ରୀ ପର୍ଯ୍ୟନ୍ତ ଖସିଆସେ । ସେଠାରେ ଶିବା ତିନିମାସ ପର୍ଯ୍ୟନ୍ତ ଅବସ୍ଥାପିତ ରହିବେ ।

ବନ୍ଧୁଗଣ, ଏହି ସୂଚୀ ଏତେ ଲମ୍ବା ଯେ ଏଠାରେ ସମସ୍ତଙ୍କର ଚର୍ଚ୍ଚା କରିବା ସମ୍ଭବପର ନୁହେଁ । ଏହିପରି ସମସ୍ତ ମହିଳା, ଆମର ଝିଅମାନେ ଆଜି ଭାରତ ଏବଂ ଭାରତର ସ୍ୱପ୍ନ ତଥା ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିଚାଲିଛନ୍ତି । ନାରୀଶକ୍ତିର ଏହି ଉର୍ଜ୍ଜା ହିଁ ବିକଶିତ ଭାରତର ପ୍ରାଣବାୟୁ ।

ମୋର ପ୍ରିୟ ଦେଶବାସୀଗଣ, ବର୍ତମାନ ସମୟରେ ସମଗ୍ର ବିଶ୍ୱରେ ସ୍ୱଚ୍ଛ ଉର୍ଜା, renewable engergyର ଖୁବ୍ ଚର୍ଚ୍ଚା ହେଉଛି । ମୁଁ, ଯେତେବେଳେ ବିଶ୍ୱର ବିଭିନ୍ନ ବ୍ୟକ୍ତିତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରେ, ସେତେବେଳେ ସେମାନେ renewable engergy କ୍ଷେତ୍ରରେ ଭାରତର ଅଭୂତପୂର୍ବ ସଫଳତା ବିଷୟରେ ନିଶ୍ଚୟ ଚର୍ଚ୍ଚା କରନ୍ତି। ବିଶେଷକରି, ଭାରତ ସୌର ଶକ୍ତି କ୍ଷେତ୍ରରେ ଯେଉଁ କ୍ଷୀପ୍ରଗତିରେ ଆଗକୁ ବଢ଼ିଚାଲିଛି, ତାହା ଏକ ବିରାଟ ଉପଲବଧି ନିଶ୍ଚୟ ।

ଭାରତର ଲୋକମାନେ ତ ଶତାବ୍ଦୀ ଶତାବ୍ଦୀ ଧରି ସୂର୍ଯ୍ୟଙ୍କ ସହିତ ସମ୍ବନ୍ଧ ରଖିଆସିଛନ୍ତି । ଆମ ଦେଶରେ ସୂର୍ଯ୍ୟଙ୍କର ଶକ୍ତିକୁ ନେଇ ଯେଉଁ ବୈଜ୍ଞାନିକ ମତ ରହିଛି, ସୂର୍ଯ୍ୟ ଉପାସନାର ଯେଉଁ ପରମ୍ପରା ଅଛି, ଅନ୍ୟ ଦେଶରେ ସେଭଳି ବହୁତ କମ୍ ଦେଖାଯାଏ । ମୁଁ ବହୁତ ଖୁସି ଯେ ଆଜି ପ୍ରତ୍ୟେକ ଦେଶବାସୀ ସୌରଶକ୍ତିର ମହତ୍ୱକୁ ବୁଝିବା ସଙ୍ଗେ ସଙ୍ଗେ clean energy କ୍ଷେତ୍ରରେ ନିଜର ଯୋଗଦାନ ଦେବାକୁ ଚାହୁଁଛି । ‘ସବକା ପ୍ରୟାସ’ର ଏହି ଉତ୍ସାହ ଆଜି ଭାରତର ସୌର ମିଶନକୁ ଆଗକୁ ନେଇଚାଲିଛି । ମହାରାଷ୍ଟ୍ର ପୁନେର ଗୋଟିଏ ଉତମ ପ୍ରୟାସ ପ୍ରତି ମୋର ଧ୍ୟାନ ଆକର୍ଷିତ ହୋଇଛି । ଏଠାକାର MSR Oiive Housing Societyର ଲୋକମାନେ ସ୍ଥିର କରିଛନ୍ତି ଯେ ସେମାନେ ସୋସାଇଟିରେ ପିଇବା ପାଣି, Lift ଏବଂ ଲାଇଟ ଆଦି ସାମୂହିକ ଭାବେ ବ୍ୟବହୃତ ହେଉଥିବା ସାମଗ୍ରୀଗୁଡ଼ିକୁ ଏବେ Solar Envery ଦ୍ୱାରା ଚଲାଇବେ । ତା’ପରେ ସୋସାଇଟିର ସମସ୍ତେ ମିଶି ସୌର ପ୍ୟାନେଲ ଲଗାଇଲେ । ଏବେ ଏହି ସୌର ପ୍ୟାନେଲ ଗୁଡ଼ିକରୁ ପ୍ରତିବର୍ଷ ପ୍ରାୟ ନବେହଜାର କିଲୋୱାଟ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହେଉଛି । ୟାଦ୍ୱାରା ପ୍ରତିମାସରେ ପ୍ରାୟ ଚାଳିଶ ହଜାର ଟଙ୍କା ସଂଚୟ ହୋଇପାରୁଛି । ଏହି ସଂଚୟର ଲାଭ Societyର ସବୁ ଲୋକ ପାଉଛନ୍ତି ।

ବନ୍ଧୁଗଣ, ପୁନେ ଭଳି ଦାମନ୍-ଦୀବ୍ରେ ଯେଉଁ ଦୀବ୍ ଅଛି, ଯାହା ଗୋଟିଏ ସ୍ୱତନ୍ତ୍ର ଜିଲ୍ଲା, ସେଠାକାର ଲୋକମାନେ ଗୋଟିଏ ଅଦ୍ଭୁତ କାମ କରି ଦେଖାଇଛନ୍ତି । ଆପଣମାନେ ଜାଣିଥିବେ ଦୀବ୍ ସୋମନାଥର ପାଖରେ ଅବସ୍ଥିତ । ଦୀବ୍ ଭାରତର ପ୍ରଥମ ଜିଲ୍ଲା ଯେଉଁଠି ଦିନବେଳା ଶତପ୍ରତିଶତ କାମ Clean Energy ଦ୍ୱାରା କରାଯାଉଛି । ଦୀବ୍ର ଏହି ସଫଳତାର ମୂଳମନ୍ତ୍ର ହେଉଛି ‘ସବକା ପ୍ରୟାସ’ । ସମୟ ଥିଲା ଏଠି ବିଜୁଳି ଉତ୍ପାଦନର ସଂସାଧନ ଗୋଟିଏ ଆହ୍ୱାନ ଥିଲା । ଲୋକମାନେ ଏହି ଆହ୍ୱାନର ମୁକାବିଲା ପାଇଁ ସୌରଶକ୍ତିକୁ ବାଛିଲେ । ଏଠାରେ ପଡ଼ିଥିବା ଅନୁର୍ବର ଜମି ତଥା ଅନେକ କୋଠା ଉପରେ ସୌର ପ୍ୟାନେଲ ଲଗାହେଲା । ଏଠାରେ ଦିନରେ ଯେତିକି ବିଦ୍ୟୁତ ଶକ୍ତି ଆବଶ୍ୟକ, ତା’ଠାରୁ ଅଧିକ ଶକ୍ତି ଏହି ପ୍ୟାନେଲଗୁଡ଼ିକ ଦ୍ୱାରା ଉତ୍ପାଦିତ ହେଉଛି । ଏହି ସୌର ପ୍ରକଳ୍ପ ଦ୍ୱାରା ବିଦ୍ୟୁତ ଶକ୍ତି କିଣିବାରେ ଖର୍ଚ୍ଚ ହେଉଥିବା ଧନରୁ ପ୍ରାୟ ବାଉନ କୋଟି ଟଙ୍କାର ସଂଚୟ ହୋଇପାରୁଛି । ଏହାଦ୍ୱାରା ପରିବେଶର ସୁରକ୍ଷା ମଧ୍ୟ ହୋଇପାରୁଛି ।

ବନ୍ଧୁଗଣ, ପୁନେ ଏବଂ ଦୀବ୍ର ଲୋକମାନେ ଯାହା କରିଦେଖାଇଲେ, ସେଭଳି ପ୍ରୟାସ ଦେଶର ଆହୁରି ଅନେକ ସ୍ଥାନରେ ମଧ୍ୟ ଜାରି ରହିଛି । ଆମେ ଭାରତୀୟମାନେ ପରିବେଶ ଏବଂ ପ୍ରକୃତିକୁ ନେଇ କେତେ ସମ୍ବେଦନଶୀଳ ଏବଂ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଆମେ କେତେ ସଚେତନ ତାହା ଏହି ପ୍ରୟାସରୁ ଜଣାପଡ଼େ । ଏ ପ୍ରକାରର ସମସ୍ତ ପ୍ରୟାସକୁ ମୁଁ ହୃଦୟରୁ ପ୍ରଶଂସା କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ସମୟ ସହିତ ତାଳଦେଇ, ସ୍ଥିତି ପରିସ୍ଥିତି ଅନୁସାରେ ଅନେକ ପରମ୍ପରା ବିକଶିତ ହୁଏ । ଏହି ପରମ୍ପରାଗୁଡ଼ିକ ଆମ ସଂସ୍କୃତିର ସାମର୍ଥ୍ୟକୁ ବଢ଼ାଇବା ସଙ୍ଗେ ସଙ୍ଗେ ନିତ୍ୟ ନୂତନ ପ୍ରାଣଶକ୍ତି ମଧ୍ୟ ପ୍ରଦାନ କରିଥାଏ । କିଛିମାସ ପୂର୍ବରୁ କାଶୀରେ ଏହିଭଳି ଏକ ପରମ୍ପରା ଆରମ୍ଭ ହୋଇଛି କାଶୀ-ତାମିଲ ସଂଗମ୍ ଦ୍ୱାରା କାଶୀ ଏବଂ ତାମିଲଭାଷୀ କ୍ଷେତ୍ର ମଧ୍ୟରୁ ଶହ ଶହ ବର୍ଷଧରି ରହିଆସିଥିବା ଐତିହାସିକ ଏବଂ ସାଂସ୍କୃତିକ ସମ୍ବନ୍ଧଗୁଡ଼ିକ Celebrate କରାଗଲା। ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭାବନା ଆମ ଦେଶକୁ ମଜଭୁତ୍ କରୁଛି । ଆମେମାନେ ଜଣେ ଅନ୍ୟଜଣଙ୍କ ବିଷୟରେ ଜାଣୁଛେ, ଶିଖୁଛେ ଫଳରେ ଏକତାର ଭାବନା ପ୍ରଗାଢ଼ ହେଉଛି। ଏକତାର ଏହିଭଳି ଉତ୍ସାହ ସହିତ ଆସନ୍ତା ମାସରେ ଗୁଜରାଟର ବିଭିନ୍ନ ଭାଗରେ “ସୌରାଷ୍ଟ୍ର-ତାମିଲ ସଂଗମମ୍” ଅପ୍ରେଲ ୧୭ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ‘ମନ୍ କି ବାତ୍’ର ଶ୍ରୋତାମାନେ ନିଶ୍ଚୟ ଭାବୁଥିବେ ଯେ ଗୁଜରାଟର ସ୍ୱରାଷ୍ଟ୍ର ସହ ତାମିଲନାଡ଼ୁର କ’ଣ ସମ୍ବନ୍ଧ ରହିଛି? ବାସ୍ତବରେ ଶହ ଶହ ବର୍ଷ ପୂର୍ବେ ସୌରାଷ୍ଟ୍ରର ଅନେକ ଲୋକ ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ବସବାସ କରୁଥିଲେ । ଆଜି ବି ଏମାନଙ୍କୁ ସୌରାଷ୍ଟ୍ରୀ ତାମିଲ୍ ବୋଲି କୁହାଯାଏ । ସେମାନଙ୍କର ଖାଦ୍ୟପେୟ, ଚାଲିଚଳନ, ସାମାଜିକ ସଂସ୍କାର ଆଦିରେ ଆଜି ମଧ୍ୟ କେଉଁଠି କେମିତି ସୌରାଷ୍ଟ୍ରର ଝଲକ ଦେଖିବାକୁ ମିଳେ । ଏହି ଆୟୋଜନକୁ ନେଇ ତାମିଲନାଡୁର ଅନେକ ଲୋକ ମୋ ନିକଟକୁ ପ୍ରଶଂସାଭରା ଚିଠିଗୁଡ଼ିଏ ଲେଖିଛନ୍ତି । ମଦୁରାଇରେ ରହୁଥିବା ଜୟଚନ୍ଦ୍ରନଜୀ ବହୁତ ଭାବୁକ ହୋଇ ଚିଠିଟିଏ ଲେଖିଛନ୍ତି । ସେ ଲେଖିଛନ୍ତି - “ହଜାର ବର୍ଷ ପରେ, କେହିଜଣେ ପ୍ରଥମକରି ସୌରାଷ୍ଟ୍ର-ତାମିଲର ଏହି ସମ୍ବନ୍ଧ ବିଷୟ ମନେପକାଇଛି, ସୌରାଷ୍ଟ୍ରରୁ ଆସି ତାମିଲନାଡୁରେ ବସବାସ କରୁଥିବା ଏହି ଲୋକମାନଙ୍କ କଥା ପଚାରିଛି ।” ଜୟଚନ୍ଦ୍ରନଜୀଙ୍କର ଏଇକଥା, ହଜାର ହଜାର ତାମିଲ ଭାଇଭଉଣୀମାନଙ୍କର ଅଭିବ୍ୟକ୍ତି ।

ବନ୍ଧୁଗଣ, ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ମୁଁ ଆସାମ ସହିତ ଯୋଡ଼ିହୋଇଥିବା ଗୋଟିଏ କଥା କହିବାକୁ ଚାହେଁ । ଏ ମଧ୍ୟ ‘ଏକ୍ ଭାରତ – ଶ୍ରେଷ୍ଠ ଭାରତ’ର ଭାବନାକୁ ମଜଭୁତ୍ କରେ । ଆପଣମାନେ ଜାଣନ୍ତି ଯେ ଆମେ ବୀର ଲାସିତ ବୋରଫକନ ଜୀଙ୍କର ଚାରିଶହତମ ଜୟନ୍ତୀ ପାଳନ କରୁଛୁ । ବୀର ଲାସିତ ବୋରପୁକନ୍ ଅତ୍ୟାଚାରୀ ମୋଗଲ ସାମ୍ରାଜ୍ୟ କବଳରୁ ଗୁଆହାଟୀକୁ ମୁକ୍ତ କରିଥିଲେ । ଆଜି ଦେଶ ଏହି ମହାନ୍ ଯୋଦ୍ଧାଙ୍କର ଅଦମ୍ୟ ସାହସ ସହିତ ପରିଚିତ ହେଉଛି । କିଛିଦିନ ପୂର୍ବରୁ ଲାସିତ ବୋର ଫୁକନଙ୍କ ଜୀବନୀ ଉପରେ ଆଧାରିତ ପ୍ରବନ୍ଧ ଲେଖନ ଅଭିଯାନ ଆୟୋଜିତ ହୋଇଥିଲା । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରାୟ ପଇଁଚାଳିଶ ଲକ୍ଷ ଲୋକ ଏଥିପାଇଁ ପ୍ରବନ୍ଧମାନ ପଠେଇଥିଲେ । ଆପଣ ଏକଥା ଜାଣି ଆହୁରି ଖୁସି ହେବେ ଯେ ଏବେ ଏହା ଗିନିଜ୍ ରେକର୍ଡ଼ ହୋଇସାରିଛି । ସବୁଠାରୁ ବଡ଼ ଏବଂ ପ୍ରସନ୍ନତାର କଥା ହେଲା – ବୀରଲାସିତ ବୋରଫୁକନଙ୍କ ବିଷୟରେ ଏ ଯେଉଁ ପ୍ରବନ୍ଧଗୁଡ଼ିକ ଲେଖାହେଲା ସେଗୁଡ଼ିକ ତେଇଶଟି ଭିନ୍ନ ଭିନ୍ନ ଭାଷାରେ ଲେଖାଯାଇଛି । ଏଗୁଡ଼ିକ ମଧ୍ୟରେ ଅସମୀୟା ଭାଷାକୁ ଛାଡ଼ି ହିନ୍ଦୀ, ଇଂରାଜୀ, ବଙ୍ଗଳା, ବୋଡ଼ୋ, ନେପାଳୀ, ସଂସ୍କୃତ, ସାଁତାଲୀ ଆଦି ଭାଷାଗୁଡ଼ିକରେ ଲୋକମାନେ ପ୍ରବନ୍ଧ ପଠାଇଛନ୍ତି । ଏହି ପ୍ରୟାସରେ ଭାଗନେଇଥିବା ସବୁ ଲୋକଙ୍କୁ ମୁଁ ହୃଦୟର ସହ ପ୍ରଶଂସା କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଯେତେବେଳେ କାଶ୍ମୀର ବା ଶ୍ରୀନଗର କଥା ଉଠେ, ସର୍ବପ୍ରଥମେ ତା’ର ସୁନ୍ଦର ପାହାଡ଼ ପର୍ବତ ଓ ଡାଲ ହ୍ରଦର ଚିତ୍ର ଆମ ଆଖି ଆଗକୁ ଆସେ । ଆମେ ସମସ୍ତେ ଡାଲ୍ ହ୍ରଦର ଶୋଭା ଦର୍ଶନ କରିବାକୁ ଚାହୁଁ, କିନ୍ତୁ ଡାଲ୍ ହ୍ରଦ ବିଷୟରେ ଆଉ ଗୋଟେ ବିଶିଷ୍ଟ କଥା ଅଛି । ଡାଲ୍ ହ୍ରଦ ତା’ର ସ୍ୱାଦିଷ୍ଟ Lotous Steams- ପଦ୍ମ ନାଡ଼ ଓ ପଦ୍ମ କାକୁଡ଼ି ପାଇଁ ମଧ୍ୟ ପ୍ରସିଦ୍ଧ । ଏହାକୁ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ଜାଣନ୍ତି । କାଶ୍ମୀରରେ ଏହାକୁ ‘ନାଦରୁ’ କୁହାଯାଏ । କାଶ୍ମୀରର ନାଦରୁର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଚାହିଦାକୁ ଦେଖି ଡାଲ୍ ହ୍ରଦରେ ‘ନାଦରୁ’ ଚାଷ କରୁଥିବା କୃଷକମାନେ ଗୋଟିଏ FPO ଗଠନ କରିଛନ୍ତି । ଏହି EPOରେ ପ୍ରାୟ ଦୁଇଶହ ପଚାଶ କୃଷକ ଯୋଗଦେଇଛନ୍ତି । ଆଜି ଏହି କୃଷକମାନେ ନିଜର ନାଦରୁକୁ ବିଦେଶକୁ ରପ୍ତାନୀ କରିବା ଆରମ୍ଭ କଲେଣି । ଏଇ କିଛିଦିନ ତଳେ ଏହି କୃଷକମାନେ ଦୁଇଛେକ ନାଦରୁ UPEକୁ ରପ୍ତାନୀ କରିଛନ୍ତି । ଏହି ସଫଳତା ପାଇଁ କାଶ୍ମୀରର ସୁନାମ ବଢ଼ିବା ସଙ୍ଗେ ସଙ୍ଗେ ଶହଶହ କୃଷକଙ୍କ ଆମଦାନୀ ମଧ୍ୟ ବଢ଼ିଛି।

ବନ୍ଧୁଗଣ, କାଶ୍ମୀର ଲୋକମାନଙ୍କର କୃଷି ସହିତ ଜଡ଼ିତ ଆଉ ଗୋଟିଏ ପ୍ରୟାସ ମଧ୍ୟ ଏବେ ସଫଳତାର ବାସ୍ନା ଖେଳାଇ ଦେଇଛି । ଆପଣମାନେ ଭାବୁଥିବେ ଯେ ମୁଁ ସଫଳତାକୁ ବାସ୍ନା କାହିଁକି କହୁଛି? କଥାଟି ତ ବାସ୍ନା ବା ସୁଗନ୍ଧର ହିଁ କଥା ନା! ବାସ୍ତବରେ ଜାମ୍ମୁକାଶ୍ମୀରର ଡୋଡା ଜିଲ୍ଲାର ଗୋଟିଏ ଗାଁ ହେଉଛି ‘ଭଦର୍ୱା’ । ଏଠାକାର କୃଷକମାନେ ଦଶକ ଦଶକ ଧରି ମକ୍କା ଚାଷ କରିଆସୁଥିଲେ । କିନ୍ତୁ କିଛି କୃଷକ କିଛି ଅଲଗା କରି ଦେଖାଇବାକୁ ଭାବିଲେ । ସେମାନେ Floriculture ଅର୍ଥାତ୍ ଫୁଲଚାଷ କରିବା ପାଇଁ ଉଦ୍ୟମ କଲେ । ଆଜି ଏଠାକାର ପ୍ରାୟ ଅଢ଼େଇ ହଜାର କୃଷକ Lavender ଚାଷ କରୁଛନ୍ତି । ସେମାନଙ୍କୁ କେନ୍ଦ୍ର ସରକାରଙ୍କ aroma missionରୁ ସାହାଯ୍ୟ ମଧ୍ୟ ମିଳିଛି। ଏହି ନୂଆ ଚାଷ କୃଷକମାନଙ୍କର ଆମଦାନୀକୁ ବହୁତ ବଢ଼େଇଦେଇଛି ଏବଂ ଆଜି Lavender ସଙ୍ଗେ ସଙ୍ଗେ ଏମାନଙ୍କ ସଫଳତାର ସୁଗନ୍ଧ ମଧ୍ୟ ବହୁଦୂର ଯାଏ ବିସ୍ତୃତ ହୋଇପାରିଛି ।

ବନ୍ଧୁଗଣ, ଯେତେବେଳେ କାଶ୍ମୀର କଥା ଉଠେ, ପଦ୍ମଫୁଲ କଥା ଉଠେ, ଫୁଲର କଥା ଉଠେ, ସୁଗନ୍ଧର କଥା ଉଠେ ସେତେବେଳେ ପଦ୍ମ ଉପରେ ବିରାଜମାନ କରୁଥିବା ମା’ ଶାରଦାଙ୍କ ସ୍ମୃତି ଜାଗ୍ରତ ହେବା ତ ସ୍ୱାଭାବିକ କଥା । କିଛିଦିନ ପୂର୍ବରୁ ହିଁ କୁପ୍ୱାଡ଼ାରେ ମା’ ଶାରଦାଙ୍କର ଭବ୍ୟ ମନ୍ଦିରର ଲୋକାର୍ପଣ ହୋଇଛି । ଏ ମନ୍ଦିର ସେହି ରାସ୍ତାରେ ନିର୍ମାଣ କରାଯାଇଛି, ଯେଉଁ ବାଟଦେଇ ଦିନେ ଶାରଦା ପୀଠର ଦର୍ଶନ କରିବାକୁ ଲୋକେ ଯାଉଥିଲେ । ସ୍ଥାନୀୟ ଲୋକମାନେ ଏହି ମନ୍ଦିର ନିର୍ମାଣରେ ବହୁତ ସାହାଯ୍ୟ କରିଛନ୍ତି । ମୁଁ ଜାମ୍ମୁକାଶ୍ମୀରର ଲୋକମାନଙ୍କୁ ଏହି ଶୁଭକାର୍ଯ୍ୟ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଏଥର ‘ମନ୍ କି ବାତ୍’ ଏତିକି । ଆସନ୍ତାଥର ଆପଣମାନଙ୍କ ସହିତ ‘ମନ୍ କି ବାତ୍’ର ଶହେତମ ଅଧ୍ୟାୟରେ ସାକ୍ଷାତ ହେବ । ଆପଣମାନେ ସମସ୍ତେ ନିଜର ପରାମର୍ଶ ନିଶ୍ଚୟ ପଠାନ୍ତୁ । ଏହି ମାର୍ଚ୍ଚ ମାସରେ ଆମେମାନେ ହୋଲିଠାରୁ ଆରମ୍ଭ କରି ନବରାତ୍ରି ପର୍ଯ୍ୟନ୍ତ ଅନେକ ପର୍ବ ଓ ଉତ୍ସବରେ ବ୍ୟସ୍ତ ରହିଲେ । ପବିତ୍ର ରମଜାନ୍ ମାସ ମଧ୍ୟ ଆରମ୍ଭ ହୋଇଗଲାଣି । ଆଉ କେତୋଟି ଦିନ ପରେ ଶ୍ରୀରାମ ନବମୀର ମହାନ୍ ପର୍ବ ମଧ୍ୟ ଆସିବ । ତା’ପରେ ପରେ ମହାବୀର ଜୟନ୍ତୀ Good Friday ଏବଂ Easter ମଧ୍ୟ ଆସିବ । ଅପ୍ରେଲ ମାସରେ ଆମେମାନେ ଭାରତର ଦୁଇଜଣ ମହାପୁରୁଷଙ୍କର ଜନ୍ମଦିନ ମଧ୍ୟ ପାଳନ କରୁ । ଏ ଦୁଇଜଣ ହେଲେ ମହାତ୍ମା ଜ୍ୟୋତିବା ଫୁଲେ ଏବଂ ବାବାସାହେବ ଆମ୍ବେଦକର । ଏ ଦୁଇ ମହାପୁରୁଷ ସମାଜରୁ ଭେଦଭାବ ଦୂର କରିବା ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଆଜି ସ୍ୱାଧୀନତାର ଅମୃତ କାଳରେ ଆମେମାନେ ଏଭଳି ମହାପୁରୁଷଙ୍କଠାରୁ ଶିକ୍ଷା ଏବଂ ନିରନ୍ତର ପ୍ରେରଣା ନେବା ଉଚିତ । ଆମେମାନେ ନିଜର କର୍ତବ୍ୟକୁ ସବୁଠାରୁ ଆଗରେ ରଖିବା ଉଚିତ । ବନ୍ଧୁଗଣ କେତେକ ସ୍ଥାନରେ କରୋନା ମଧ୍ୟ ବଢ଼ୁଛି । ତେଣୁ ଆପଣମାନେ ସମସ୍ତେ ସାବଧାନ ରହିବା ଉଚିତ, ସ୍ୱଚ୍ଛତା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ଆସନ୍ତା ମାସରେ ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟରେ ଆମେମାନେ ପୁଣି ଭେଟିବା, ସେପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ । ଧନ୍ୟବାଦ, ନମସ୍କାର ।

RoW



(Release ID: 1910862) Visitor Counter : 160