କ୍ୟାବିନେଟ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ମହଙ୍ଗା ସହାୟତାରେ ୪% ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି


ବର୍ଦ୍ଧିତ ଡିଏ ଓ ଡିଆର ଜାନୁଆରୀ ପହିଲା ୨୦୨୩ରୁ ପିଛିଲା ଭାବେ ଲାଗୁ ହେବ

Posted On: 24 MAR 2023 9:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କ ମହଙ୍ଗା ସହାୟତା (ଡିଆର) ବୃଦ୍ଧିକୁ ମଞ୍ଜୁର କରାଯାଇଛି । ବର୍ଦ୍ଧିତ ଡିଏ ଏବଂ ଡିଆର  ଜାନୁଆରୀ ପହିଲା ୨୦୨୩ ଠାରୁ ପିଛିଲା ଭାବେ ଲାଗୁ ହେବ । ବର୍ତ୍ତମାନ ମୂଳ ଦରମା/ପେନସନରେ ଡିଏ/ଡିଆର ଦର ୩୮% ରହିଛି । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଥିରେ ଅତିରିକ୍ତ ୪% ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ବୃଦ୍ଧି ଯୋଗୁ ସରକାରଙ୍କ ରାଜକୋଷ ଉପରେ ବାର୍ଷିକ ୧୨,୮୧୫.୬୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ।

ଏହାଦ୍ୱାରା ପ୍ରାୟ ୪୭.୫୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୯.୭୬ ଲକ୍ଷ ପେନସନଭୋଗୀ ଲାଭାନ୍ୱିତ ହେବେ ।

ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସକୁ ଆଧାର କରି ଗ୍ରହଣ କରାଯାଇଥିବା ସୂତ୍ର ଅନୁଯାୟୀ ଡିଏ ଓ ଡିଆର ବୃଦ୍ଧି କରାଯାଇଛି ।

*****

P.S.

 



(Release ID: 1910540) Visitor Counter : 229