ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ


ବିଦ୍ୟାର୍ଥୀଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଶିକ୍ଷାନୁଷ୍ଠାନରେ ଭେଦଭାବ ଦୂରୀକରଣ ଉପରେ ଗୁରୁତ୍ୱ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ଭାବନାତ୍ମକ କଲ୍ୟାଣ ସୁନିଶ୍ଚିତ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ସଂକଳ୍ପବଦ୍ଧ : ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ପରିଚାଳନା ମାର୍ଗଦର୍ଶିକାର ବ୍ୟାପକ ରୂପରେଖ ପ୍ରସ୍ତୁତ କରିବା ଲାଗି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Posted On: 20 MAR 2023 8:59PM by PIB Bhubaneshwar

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଶିକ୍ଷାନୁଷ୍ଠାନରେ ଭେଦଭାବ ଦୂରୀକରଣ ଉପରେ ଆଧାରିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁଭାଷ ସରକାରଙ୍କ ସମେତ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ବିଭାଗ, ସିବିଏସଇ, ଏଆଇସିଟିଇ, ୟୁଜିସିର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

ଶ୍ରୀ ପ୍ରଧାନ ଏହି ବୈଠକରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କୁ ସହଭାଗୀ ଉତ୍ତରଦାୟିତ୍ୱ ସହିତ ଏକ ପ୍ରଭାବୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଅଂଶୀଦାରମାନଙ୍କ ଠାରୁ ଅନଲାଇନ ମାଧ୍ୟମରେ ମରାମର୍ଶ ଓ ମତାମତ ଗ୍ରହଣ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନତା, ଜାତିଗତ ସମ୍ବେଦନଶୀଳତା, ଶିକ୍ଷାଜନିତ ଚାପ ହ୍ରାସ କରିବା, ସୁଦୃଢ଼ ପରାମର୍ଶ ପ୍ରଣାଳୀ ବିକଶିତ କରିବା ଆଦି ବିଭିନ୍ନ ବିଷୟ ଉପରେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଶିକ୍ଷା ମନ୍ତ୍ରଣାଳୟ ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଏବଂ ଭାବନାତ୍ମକ କଲ୍ୟାଣ ସୁନିଶ୍ଚିତ କରିବା ଲାଗି ସଂକଳ୍ପବଦ୍ଧ ରହିଛି ।

ଶିକ୍ଷା ମନ୍ତ୍ରଣାଳୟ ଶିକ୍ଷା ସହ ଜଡ଼ିତ ଚାପକୁ ହ୍ରାସ କରିବା ଲାଗି ବିଭିନ୍ନ ସମୟରେ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରିଛି । ଏସବୁ ପଦକ୍ଷେପ ମଧ୍ୟରେ ସମବୟସ୍କ ସାଥୀଙ୍କ ଠାରୁ ଶିକ୍ଷା ଲାଭ କରିବା, ୧୩ଟି କ୍ଷେତ୍ରୀୟ ଭାଷାରେ ଜ୍ଞାନକୌଶଳର ଶୁଭାରମ୍ଭ, ୧୩ଟି ଭାଷାରେ ପ୍ରବେଶିକା ପରୀକ୍ଷା, ଛାତ୍ରଛାତ୍ରୀଙ୍କୁ ମାନସିକ ସହାୟତା ପ୍ରଦାନ କରିବା ଲାଗି ମନୋଦର୍ପଣ ଯୋଜନା, ମାନସିକ ସ୍ୱାସ୍ଥ୍ୟ ସହ ଜଡ଼ିତ ପ୍ରସଙ୍ଗର ନିରାକରଣ, ଚିହ୍ନଟ ଏବଂ ନିବାରଣ ମୂଳକ ଉପାୟ ଉପରେ ଦିଶାନିର୍ଦ୍ଦେଶ ଆଦି ସାମିଲ ରହିଛି ।

ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ଜୀବନ ମାନସିକ ଓ ବ୍ୟବହାରିକ ପରିବର୍ତ୍ତନର ଏକ ମହତ୍ୱପୂର୍ଣ୍ଣ ପର୍ଯ୍ୟାୟ, ଯେଉଁଥିରେ ସାମାଜିକ ଅନ୍ତଃକ୍ରିୟା, ସମ୍ପର୍କ ଓ କ୍ୟାରିଅର ସହ ଜଡ଼ିତ ଜଟିଳତା ସାମିଲ ରହିଥାଏ। ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବା ଭଳି ବିଭିନ୍ନ ପ୍ରସଙ୍ଗ ରହିଛି ଏବଂ ଏହା ଶିକ୍ଷାଜନିତ ଚାପ, ସମବୟସ୍କ ସାଥୀଙ୍କ ଚାପ, ଅତ୍ୟଧିକ ପ୍ରତିଯୋଗିତାମୂଳକ ବାତାବରଣ, ବ୍ୟବହାର ସମ୍ବନ୍ଧୀୟ ପ୍ରସଙ୍ଗ, ପ୍ରଦର୍ଶନର ପ୍ରସଙ୍ଗ, ଚାପ, କ୍ୟାରିଅର ଚିନ୍ତା, ଅବସାଦ ଆଦି ଭଳି ବ୍ୟାପକ ଦିଗକୁ ସାମିଲ କରିଥାଏ।

ଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତଥା ଛାତ୍ରଛାତ୍ରୀଙ୍କ ମାନସିକ ଓ ଭାବନାତ୍ମକ କଲ୍ୟାଣ ନିମନ୍ତେ, ବିଦ୍ୟାଳୟ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ବିଭିନ୍ନ ଦିଗକୁ ସାମିଲ କରି ଶିକ୍ଷା ମନ୍ତ୍ରଣାଳୟ ସାମଗ୍ରିକ ରୂପରେ ଏକ ପରିଚାଳନା ମାର୍ଗଦର୍ଶିକାର ବ୍ୟାପକ ଫ୍ରେମୱର୍କ ବା ରୂପରେଖ ପ୍ରସ୍ତୁତ କରୁଛି ।

ଏହି ଫ୍ରେମୱର୍କ ଛାତ୍ରଛାତ୍ରୀଙ୍କୁ ନିଜର କ୍ଷତି ପହଞ୍ଚାଇବା/ସେମାନଙ୍କ ଠାରେ ଆତ୍ମ-ବିନାଶକାରୀ ପ୍ରବୃତ୍ତି ଜନ୍ମାଇବା ଭଳି ମନୋବୈଜ୍ଞାନିକ ସଂକଟକୁ ଉତ୍ପନ୍ନ କରୁଥିବା କୌଣସି ପ୍ରକାରର ଶାରୀରିକ, ସାମାଜିକ, ଭେଦଭାବପୂର୍ଣ୍ଣ, ସାଂସ୍କୃତି ଏବଂ ଭାଷାଗତ ବିପଦ କିମ୍ବା ଆକ୍ରମଣରୁ ସୁରକ୍ଷା ଦେବା ଲାଗି ଉପାୟ ଓ ବ୍ୟବସ୍ଥାକୁ ଏକ ସଂସ୍ଥାଗତ ରୂପ ପ୍ରଦାନ କରିବ ।

ଏଥିରେ ସମାବେଶୀ, ସମନ୍ୱିତ ଓ ଭେଦଭାବମୁକ୍ତ ବାତାବରଣର ନିର୍ମାଣ, ଶିକ୍ଷକମାନଙ୍କୁ ସମ୍ବେଦନଶୀଳ କରିବା ଓ ସେମାନଙ୍କ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ, ପରାମର୍ଶ ଓ ସହାୟତା ବ୍ୟବସ୍ଥା, ତତ୍କାଳ ହସ୍ତକ୍ଷେପର ଆବଶ୍ୟକତାକୁ ଶୀଘ୍ର ଚିହ୍ନଟ କରିବା ବ୍ୟବସ୍ଥା, ଛାତ୍ରଛାତ୍ରୀ-ଶିକ୍ଷକମାନଙ୍କ ମଧ୍ୟରେ ଘନିଷ୍ଠତା ଥିବା ଇଣ୍ଟରଆକ୍ଟିଭ ସମୁଦାୟକୁ ପ୍ରୋତ୍ସାହନ ଦେବା, ପାଠ୍ୟକ୍ରମ ଅଭ୍ୟାସ ଅଧୀନରେ ଦଳଗତ ଗତିବିଧିକୁ ସାମିଲ କରିବା, ପ୍ରଭାବୀ ଓ ତ୍ୱରିତ ଅଭିଯୋଗ ନିବାରଣ ବ୍ୟବସ୍ଥା, ଶାରୀରିକ ଫିଟନେସ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ, ପୁଷ୍ଟିସାଧନ ଉପରେ ଗୁରୁତ୍ୱ, ଶିକ୍ଷାନୁଷ୍ଠାନର ପ୍ରମୁଖ, ଶିକ୍ଷକ ଏବଂ ମାତାପିତା ଆଦିଙ୍କ ଦ୍ୱାରା ଘରୋଇ ଭାବେ ଯୋଡ଼ିବା ଏବଂ ଅନୁଧ୍ୟାନ କରିବା ସାମିଲ ହେବ ।

******

P.S.



(Release ID: 1909333) Visitor Counter : 106