ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ଲାଇଭ୍‌ ହେଲା ‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ ୨୦୨୨ ପୋର୍ଟାଲ’


ନିଜସ୍ୱ ଧରଣର ଏହି ପ୍ରଥମ ଅଭିଯାନରେ ସାମିଲ ହେବା ଲାଗି ପୌର ପ୍ରଶାସନଗୁଡ଼ିକୁ ଆମନ୍ତ୍ରଣ କଲା ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ

Posted On: 20 MAR 2023 4:11PM by PIB Bhubaneshwar

ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ୨୦ ମାର୍ଚ୍ଚ, ୨୦୨୩ରେ ‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ ୨୦୨୨’’ ପୋର୍ଟାଲ www.cityfinance.in/rankings କୁ ଲାଇଭ କରି ଦିଆଯାଇଛି । ସାରା ଦେଶର ପୌର ପ୍ରଶାସନ (ୟୁଏଲବି)ଗୁଡ଼ିକ ଏବେ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଏବଂ ୧୦୦% ପେପରଲେସ ପ୍ରକ୍ରିୟା ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିପାରିବେ । ସାରା ଦେଶର ପୌରପାଳିକା ସଂସ୍ଥାଗୁଡ଼ିକର ବର୍ତ୍ତମାନର ଆର୍ଥିକ ସ୍ୱାସ୍ଥ୍ୟର ଗୁଣବତ୍ତା ଏବଂ ଆର୍ଥିକ ପ୍ରଦର୍ଶନରେ ସମୟ ଅନୁକୂଳ ସୁଧାର ଆଣିବା ଆଧାରରେ ମୂଲ୍ୟାଙ୍କନ, ଚିହ୍ନଟ ଏବଂ ପୁରସ୍କୃତ କରିବା ଉଦ୍ଦେଶ୍ୟରେ ‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ ୨୦୨୨’କୁ ଶୁଭାରମ୍ଭ କରାଯାଇଛି ।

ଏଥିପୂର୍ବରୁ ୨୮ ଡିସେମ୍ବର, ୨୦୨୨ରେ ଆବାସ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ ୨୦୨୨’ର ମାର୍ଗଦର୍ଶିକା ଉନ୍ମୋଚନ କରିଥିଲେ । ଏହି ମାର୍ଗଦର୍ଶିକା ଅନୁଯାୟୀ, ରେଙ୍କିଙ୍ଗରେ ଅଂଶଗ୍ରହଣ କରୁଥିବା ପୌର ପ୍ରଶାସନଗୁଡ଼ିକୁ ତିନୋଟି ପ୍ରମୁଖ ପୌରପାଳିକା ଆର୍ଥିକ ସ୍ଥିତିର ୧୫ଟି ସଙ୍କେତକ ଆଧାରରେ ମୂଲ୍ୟାଙ୍କନ କରାଯିବ । ମୂଲ୍ୟାଙ୍କନର ମାପଦଣ୍ଡଗୁଡ଼ିକ ହେଉଛି – (୧) ସମ୍ବଳ ସଂଗ୍ରହ, (୨) ବ୍ୟୟ କାର୍ଯ୍ୟ ପ୍ରଦର୍ଶନ ଏବଂ (୩) ରାଜସ୍ୱ ପ୍ରଶାସନ । ନିମ୍ନଲିଖିତ ଚାରିଟି ଜନସଂଖ୍ୟା ଶ୍ରେଣୀ ମଧ୍ୟରୁ କୌଣସି ଗୋଟିଏ ଅଧୀନରେ ସହରମାନଙ୍କୁ ସେମାନଙ୍କ ସ୍କୋର ଆଧାରରେ ରେଙ୍କ ପ୍ରଦାନ କରାଯିବ। ଏହି ଚାରିଟି ଶେଣୀ ହେଉଛି (୧) ୪ ନିୟୁତରୁ ଅଧିକ (୨) ୧-୪ ନିୟୁତ ମଧ୍ୟରେ (୩) ୧ ଲକ୍ଷରୁ ୧୦ ଲକ୍ଷ (୪) ୧୦୦,୦୦୦ରୁ କମ୍‌ । ପ୍ରତ୍ୟେକ ଜନସଂଖ୍ୟା ଶ୍ରେଣୀରେ ଶୀର୍ଷ ୩ ସହରକୁ ଜାତୀୟ ସ୍ତର ସହିତ ପ୍ରତ୍ୟେକ ରାଜ୍ୟ/ରାଜ୍ୟ କ୍ଲଷ୍ଟରରେ ମାନ୍ୟତା ପ୍ରଦାନ କରାଯିବ ଏବଂ ପୁରସ୍କୃତ କରାଯିବ।

‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ’ରେ ଅଂଶଗ୍ରହଣ କରିବାର ଶେଷ ତାରିଖ ୩୧ ମେ, ୨୦୨୩। ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁ ଥିବା ପୌର ପ୍ରଶାସନଗୁଡ଼ିକ ଆବଶ୍ୟକ ଡାଟା/ଦସ୍ତାବିଜ (ଅଡିଟ୍‌ ଯାଞ୍ଚ ହୋଇଥିବା ଆକାଉଣ୍ଟ, ବାର୍ଷିକ ବଜେଟ ଏବଂ ନିଜ ଆଡ଼ୁ ରିପୋର୍ଟ କରାଯାଇଥିବା ପ୍ରଦର୍ଶନ ମେଟ୍ରିକ୍ସ ସହିତ) www.cityfinance.in. ୱେବସାଇଟରେ ପ୍ରସ୍ତୁତ ଅନଲାଇନ ସୁବିଧା ମାଧ୍ୟମରେ ଦାଖଲ କରିପାରିବେ । ପ୍ରକଳ୍ପ ଅନୁଧ୍ୟାନ ୟୁନିଟ୍‌ ରୂପରେ ଭାରତର ଗୁଣବତ୍ତା ନିୟନ୍ତ୍ରଣ (କ୍ୟୁସିଆଇ) ଡେଟା ସଂଗ୍ରହ ପ୍ରକ୍ରିୟା ସମୟରେ ୟୁଏଲବି/ରାଜ୍ୟମାନଙ୍କୁ ରକ୍ଷଣାବେକ୍ଷଣ ସହାୟତା ପ୍ରଦାନ କରିବ । ଡେଟାର ପ୍ରାମାଣୀକରଣ ଓ ସତ୍ୟତା ଯାଞ୍ଚ ପରେ ଅନ୍ତିମ ରେଙ୍କିଙ୍ଗ ଜୁଲାଇ ୨୦୨୩ରେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି ।

ସିଟୀ ଫାଇନାନ୍ସ ରେଙ୍କିଙ୍ଗ ନୀତି ନିର୍ମାତାମାନଙ୍କୁ ପୌର ପ୍ରଶାସନଗୁଡ଼ିକର ଆର୍ଥିକ ସ୍ଥିତି ସଂକ୍ରାନ୍ତରେ ମହତ୍ୱପୂର୍ଣ୍ଣ ଅନ୍ତର୍ଦୃଷ୍ଟି ପ୍ରଦାନ କରିବ । ପୌର ପ୍ରଶାସନଗୁଡ଼ିକୁ ଆର୍ଥିକ ରେଙ୍କିଙ୍ଗରେ ଭାଗ ନେବା ଦ୍ୱାରା ମଧ୍ୟ ଲାଭ ମିଳିବ, କାରଣ ସେମାନେ ଅନ୍ୟ ସହରମାନଙ୍କ ତୁଳନାରେ ନିଜ ପ୍ରଦର୍ଶନକୁ ମୂଲ୍ୟାଙ୍କନ କରିବାରେ ସକ୍ଷମ ହୋଇପାରିବେ। ଯଦ୍ଦ୍ୱାରା ସେମାନଙ୍କୁ ଭବିଷ୍ୟତରେ ସୁଧାର ପାଇଁ ମଧ୍ୟ ପ୍ରେରଣା ମିଳିପାରିବ ।

 

**********

P.S.



(Release ID: 1908938) Visitor Counter : 94