ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ସ୍ମାରକ ଟେଷ୍ଟ ମ୍ୟାଚର କିଛି ଅଂଶ ଦେଖିଲେ ପ୍ରଧାନମନ୍ତ୍ରୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ


ଭାରତ ଓ ଅଷ୍ଟ୍ରେଲିଆରେ କ୍ରିକେଟ ପ୍ରତି ସାଧାରଣ ଆବେଗ ରହିଛି: ପ୍ରଧାନମନ୍ତ୍ରୀ

Posted On: 09 MAR 2023 12:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଆଲବାନିଜ ଆଜି ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ସ୍ମାରକ ଟେଷ୍ଟ ମ୍ୟାଚର କିଛି ଅଂଶ ଦେଖିଛନ୍ତି ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଆଲବାନିଜଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“କ୍ରିକେଟ, ଭାରତ ଓ ଅଷ୍ଟ୍ରେଲିଆରେ ଏକ ସାଧାରଣ ଆବେଗ! ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚର କିଛି ଅଂଶ ଦେଖିବା ପାଇଁ ନିଜ ପ୍ରିୟ ବନ୍ଧୁ, ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ସହ ଅହମ୍ମଦାବାଦ ଆସି ଖୁସି ଲାଗିଲା । ମୋର ବିଶ୍ୱାସ ଏହା ଏକ ରୋମାଂଚକର ମ୍ୟାଚ ହେବ ।

ଅହମ୍ମଦାବାଦ ଟେଷ୍ଟ ମ୍ୟାଚର ଝଲକ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଅହମ୍ମଦାବାଦରୁ ଆଉ କିଛି ଝଲକ । ଚାରିଆଡେ କ୍ରିକେଟ!

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

“କ୍ରିକେଟ ମାଧ୍ୟମରେ IN- AUS ବନ୍ଧୁତ୍ୱ ଉତ୍ସବ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଅହମ୍ମଦାବାଦ ଠାରେ #INDvsAUS ମ୍ୟାଚର କିଛି ଅଂଶ ଦେଖିଛନ୍ତି ।”

ଷ୍ଟାଡିୟମରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ଯଥାକ୍ରମେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଶ୍ରୀ ଜୟ ଶାହ ଓ ବିସିସିଆଇ ଅଧ୍ୟକ୍ଷ ଶ୍ରୀ ରୋଜର ବିନ୍ନିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଗାୟିକା ସୁଶ୍ରୀ ଫାଲଗୁନି ଶାହଙ୍କ ଦ୍ୱାରା ପ୍ରସ୍ତୁତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ, ଏକତାର ସ୍ୱର ଦେଖିଥିଲେ ।

ପ୍ରଧାନମନ୍ତ୍ରୀ ଟିମ ଇଣ୍ଡିଆର ଅଧିନାୟକ ଶ୍ରୀ ରୋହିତ ଶର୍ମାଙ୍କୁ ଟେଷ୍ଟ କ୍ୟାପ ପ୍ରଦାନ କରିଥିବା ବେଳେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଶ୍ରୀ ଷ୍ଟିଭ ସ୍ମିଥଙ୍କୁ ଟେଷ୍ଟ କ୍ୟାପ ପ୍ରଦାନ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଷ୍ଟାଡିୟମରେ ବିଶାଳ ଜନସମାଗମ ମଧ୍ୟରେ ଗଲ୍ଫ କାର୍ଟରେ ଗାର୍ଡ ଅଫ ଅନର ଗ୍ରହଣ କରିଥିଲେ ।

ଦୁଇ ଦଳର ଅଧିନାୟକ ଟସ ପାଇଁ ପିଚରେ ପହଞ୍ଚିବା ବେଳେ ପ୍ରଧାନମନ୍ତ୍ରୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଷ୍ଟାଡିୟମ ପରିଦର୍ଶନ କରି ଫ୍ରେଣ୍ଡସିପ ହଲ ଅଫ ଫେମ ଆଡକୁ ଅଗ୍ରସର ହୋଇଥିଲେ । ଭାରତୀୟ ଟିମର ପୂର୍ବତନ କୋଚ ଓ ଖେଳାଳି ଶ୍ରୀ ରବି ଶାସ୍ତ୍ରୀ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ ଉପସ୍ଥିତ ରହି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା କ୍ରିକେଟର ସମୃଦ୍ଧ ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ ।

ଏହା ପରେ ଦୁଇ ଦଳର ଅଧିନାୟକ ନିଜ ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ କ୍ରିକେଟ ପଡିଆକୁ ଯାଇଥିଲେ । ଅଧିନାୟକମାନେ ନିଜ ଟିମ ସହ ଦୁଇ ପ୍ରଧାନମନ୍ତ୍ରୀଙ୍କ ପରିଚୟ କରାଇବା ପରେ ଭାରତ ଓ ଅଷ୍ଟ୍ରେଲିଆର ଜାତୀୟ ସଂଗୀତ ଗାନ କରାଯାଇଥିଲା । ପରେ ପ୍ରଧାନମନ୍ତ୍ରୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କ୍ରିକେଟର ଦୁଇ ଶୀର୍ଷ ଟିମ ମଧ୍ୟରେ ଟେଷ୍ଟ ମ୍ୟାଚ ଦେଖିବା ପାଇଁ ପ୍ରେସିଡେଣ୍ଟ ବକ୍ସରେ ପହଞ୍ଚିଥିଲେ ।

SR



(Release ID: 1905367) Visitor Counter : 100