ପର୍ଯ୍ୟଟନ ମନ୍ତ୍ରଣାଳୟ
azadi ka amrit mahotsav g20-india-2023

ମାର୍ଚ୍ଚ ୩, ୨୦୨୩ ରେ “ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 02 MAR 2023 7:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩ ମାର୍ଚ୍ଚ ୨୦୨୩ ରେ "ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ । କେନ୍ଦ୍ର ବଜେଟରେ ଘୋଷିତ ପଦକ୍ଷେପଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ମତାମତ ଏବଂ ପରାମର୍ଶ ପାଇବା ଲାଗି ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା ୧୨ ଟି ବଜେଟ୍ ପରବର୍ତ୍ତୀ ୱେବିନାରର ଏହା ଏକ ଅଂଶ ।

ରାଜ୍ୟଗୁଡିକର ସକ୍ରିୟ ଅଂଶଗ୍ରହଣ, ସରକାରୀ କାର୍ଯ୍ୟକ୍ରମର ସମ୍ମିଶ୍ରଣ ଏବଂ ସରକାରୀ-ଘରୋଇ ସହଭାଗିତା ସହିତ ମିଶନ ମୋଡରେ ପର୍ଯ୍ୟଟନର ପ୍ରୋତ୍ସାହନ କରାଯିବ ବୋଲି କେନ୍ଦ୍ର ବଜେଟରେ ଦର୍ଶାଯାଇଛି । ଚ୍ୟାଲେଞ୍ଜ ମୋଡରେ ଅତି କମରେ ୫୦ ଟି ଗନ୍ତବ୍ୟ ସ୍ଥାନ ଚୟନ କରାଯିବ ଏବଂ ପର୍ଯ୍ୟଟନର ଏକ ସମ୍ପୂର୍ଣ୍ଣ ପ୍ୟାକେଜ୍ ଭାବରେ ବିକଶିତ ହେବ । ଦେଖୋ ଆପନା ଦେଶ ଲକ୍ଷ୍ୟ ହାସଲ କରିବା ପାଇଁ କ୍ଷେତ୍ର ଆଧାରିତ ଦକ୍ଷତା ଏବଂ ଉଦ୍ୟୋଗୀ ବିକାଶ ମଧ୍ୟରେ ତାଳମେଳ ରକ୍ଷା କରାଯିବ ।

ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବଜେଟ୍‍ ପରବର୍ତ୍ତୀ ୱେବିନାରରେ ଛଅ ଟି ଅଧିବେଶନ ହେବ ଯାହା କେନ୍ଦ୍ର ବଜେଟରେ ଚିହ୍ନଟ ହୋଇଥିବା ପ୍ରାଥମିକ କ୍ଷେତ୍ରଗୁଡିକୁ ଅନ୍ତର୍ଭୁକ୍ତ କରିବ । ଏହାଛଡା ସଂପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟର ମନ୍ତ୍ରୀ ଏବଂ ସଚିବଙ୍କ ବ୍ୟତୀତ ଭ୍ରମଣ ଏବଂ ଶିଳ୍ପ କ୍ଷେତ୍ରରୁ ଆସିଥିବା ବହୁ ସହଯୋଗୀ, ପର୍ଯ୍ୟଟନ ବିଭାଗର ପ୍ରତିନିଧୀ, ଛାତ୍ର, ଅଗ୍ରଣୀ ଶିଳ୍ପପତି, ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ, ଫିକି ଏବଂ ସିଆଇଆଇ ପରି ସଂସ୍ଥା ତଥା ପର୍ଯ୍ୟଟନ ଏବଂ ଆତିଥ୍ୟ ଶିଳ୍ପ ସଂଘଗୁଡିକର ମୁଖ୍ୟମାନେ ଏହି ଅଧିବେଶନରେ ଯୋଗଦେବେ ଏବଂ ପର୍ଯ୍ୟଟନ କ୍ଷେତ୍ର ପାଇଁ ବଜେଟ୍ ଘୋଷଣାର ଉତ୍ତମ କାର୍ଯ୍ୟକାରିତା ଲାଗି ସେମାନଙ୍କର ପରାମର୍ଶ ଏବଂ ମତାମତ ପ୍ରଦାନ କରିବେ । 

ଅଧିବେଶନଗୁଡିକର ବିଷୟବସ୍ତୁ ହେଉଛି ପର୍ଯ୍ୟଟନ ବିକାଶ ପାଇଁ ଲକ୍ଷ୍ୟସ୍ଥଳ କେନ୍ଦ୍ରିକ ଆଭିମୁଖ୍ୟ, ସମ୍ମିଶ୍ରଣ - ସହଯୋଗର ଶକ୍ତି, ପର୍ଯ୍ୟଟନ କ୍ଷେତ୍ରରେ ସରକାରୀ ଘରୋଇ ସହଭାଗିତାକୁ ମଜବୁତ କରିବା, ପର୍ଯ୍ୟଟନ କ୍ଷେତ୍ରରେ ନବସୃଜନ ଏବଂ ଡିଜିଟାଲାଇଜେସନ୍‌କୁ ବୃଦ୍ଧି କରିବା, ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ସାଂସ୍କୃତିକ ଐତିହ୍ୟ ମାଧ୍ୟମରେ ତୃଣମୂଳ ସ୍ତରରେ ଜୀବନକୁ ପ୍ରଭାବିତ କରିବା । 

ୱେବିନାରକୁ ଆପଣମାନେ ଏହି ଲିଙ୍କ୍‍ ଜରିଆରେ ସିଧାସଳଖ ଦେଖିପାରିବେ :  https://youtube.com/live/cOYm5okQjp0?feature=share

HS



(Release ID: 1903772) Visitor Counter : 130