ବୟନ ଶିଳ୍ପ ମନ୍ତ୍ରଣାଳୟ

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି : ଝୋଟ ବସ୍ତାରେ ହେବ ଖାଦ୍ୟ ଶସ୍ୟ ଓ ଚିନିର ବାଧ୍ୟତାମୂଳକ ପ୍ୟାକେଜିଂ


ସରକାରଙ୍କ ନିଷ୍ପତ୍ତି ଫଳରେ ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଝୋଟ ଉତ୍ପାଦନକାରୀ ରାଜ୍ୟର ଚାଷୀ, ଶ୍ରମିକ ଓ ଝୋଟ କଳମାନେ ହେବେ ଉପକୃତ

ଝୋଟ ପ୍ୟାକେଜିଂ ସାମଗ୍ରୀ ଆଇନ, ୧୯୮୭ ଅଧୀନରେ ଝୋଟ ବର୍ଷ ୨୦୨୨-୨୩ ଲାଗି ଝୋଟ ପ୍ୟାକେଜିଂ ସାମଗ୍ରୀ ପାଇଁ ସଂରକ୍ଷଣ ମାନଦଣ୍ଡ ଜାରି

ଝୋଟ ବର୍ଷ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଖାଦ୍ୟଶସ୍ୟ ଓ ଚିନିର ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ଉପଯୋଗ ଲାଗି ସଂରକ୍ଷଣ ମାନଦଣ୍ଡକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟିର ଅନୁମୋଦନ

ଝୋଟ ମିଲ୍‌ ଓ ସହାୟକ ୟୁନିଟରେ ୪୦ ଲକ୍ଷ ଚାଷୀ ପରିବାର, ୩.୭ ଲକ୍ଷ ଶ୍ରମିକଙ୍କୁ ସହାୟତା ଲାଗି ନିଷ୍ପତ୍ତି

ପ୍ୟାକିଂ ନିମନ୍ତେ ସରକାର ବାର୍ଷିକ ୯ହଜାର କୋଟି ଟଙ୍କାର ଝୋଟ ବସ୍ତା କିଣିଥାନ୍ତି ଯାହାଫଳରେ ଝୋଟ ଚାଷୀ, ଶ୍ରମିକମାନଙ୍କ ଉତ୍ପାଦ ବିକ୍ରି ଲାଗି ଗ୍ୟାରେଣ୍ଟିଯୁକ୍ତ ବଜାର ସୁବିଧା ସୁନିଶ୍ଚିତ ହୋଇଥାଏ

ସରକାରଙ୍କ ଏହି ନିଷ୍ପତ୍ତି ଆତ୍ମନିର୍ଭରଶୀଳ ଭାରତର ପ୍ରୟାସ ଅନୁରୂପ ଘରୋଇ ଝୋଟ ଉତ୍ପାଦକୁ ସମର୍ଥନ କରିବ

Posted On: 22 FEB 2023 4:54PM by PIB Bhubaneshwar

ଭାରତ ସରକାର ଝୋଟ ବର୍ଷ ୨୦୨୨-୨୩ ଲାଗି ଚାଉଳ, ଗହମ ଓ ଚିନିର ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ମାନଦଣ୍ଡକୁ ମଞ୍ଜୁର କରିଛନ୍ତି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବାଧ୍ୟତାମୂଳକ ମାନଦଣ୍ଡ ଖାଦ୍ୟଶସ୍ୟର ପ୍ୟାକେଜିଂ ଲାଗି ସମ୍ପୂର୍ଣ୍ଣ ସଂରକ୍ଷଣ ପ୍ରଦାନ କରିଥାଏ। ଝୋଟ ବସ୍ତାରେ ଚିନିର ପ୍ୟାକେଜିଂ ଲାଗି ୨୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଏଥିରେ ରହିଛି । ଯାହାକି ଓଡ଼ିଶା, ପଶ୍ଚିମବଙ୍ଗ ଭଳି ଝୋଟ ଉତ୍ପାଦନକାରୀ ରାଷ୍ଟ୍ର ପାଇଁ ଏକ ବଡ଼ ପ୍ରୋତ୍ସାହନ ସାବ୍ୟସ୍ତ ହେବ।

ଝୋଟ ଉଦ୍ୟୋଗ ଭାରତର ରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ। ବିଶେଷ କରି ପଶ୍ଚିମବଙ୍ଗରେ ୭୫ଟି ଝୋଟ କଳ ଚାଲିଥାଏ। ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଜୀବିକା ଅର୍ଜନ କରିଥାନ୍ତି। ଏବେ ସରକାର ନେଇଥିବା ନିଷ୍ପତ୍ତି ଝୋଟ କ୍ଷେତ୍ରରେ ନିୟୋଜିତ ପ୍ରାୟ ୪୦ ଲକ୍ଷ ଚାଷୀ ପରିବାରଙ୍କୁ ସହାୟତା କରିବ। ଏହାଦ୍ବାରା ଓଡ଼ିଶା, ବିହାର, ଆସାମ, ତ୍ରିପୁରା, ମେଘାଳୟ, ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ଝୋଟ କ୍ଷେତ୍ରକୁ ମଧ୍ୟ ସହାୟତା ମିଳିପାରିବ।

ଝୋଟ ପ୍ୟାକେଜିଂ ସାମଗ୍ରୀ-ଜେପିଏମ ଆଇନ ଅଧୀନରେ ସଂରକ୍ଷଣ ମାନଦଣ୍ଡ ୩.୭୦ ଲକ୍ଷ ଶ୍ରମିକଙ୍କୁ ସିଧାସଳଖ ରୋଜଗାର ପ୍ରଦାନ କରିବା ସହିତ ୪୦ ଲକ୍ଷ ଚାଷୀ ପରିବାରଙ୍କ ହିତ ରକ୍ଷା କରିଥାଏ। ଜେପିଏମ ଆଇନ, ୧୯୮୭ ଝୋଟ ଚାଷୀ, ଶ୍ରମିକ ଓ ଝୋଟ ସାମଗ୍ରୀ ଉତ୍ପାଦନରେ ଲାଗିଥିବା ଲୋକମାନଙ୍କର ସ୍ବାର୍ଥ ରକ୍ଷା କରିଥାଏ। ଝୋଟ ଉଦ୍ୟୋଗରେ ମୋଟ ଉତ୍ପାଦନର ୭୫ ପ୍ରତିଶତ ଝୋଟ ବସ୍ତା ହୋଇଥାଏ। ଏଥିମଧ୍ୟରୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଓ ରାଜ୍ୟ କ୍ରୟ ଏଜେନ୍ସି (ଏସପିଏଏସ)କୁ ୮୫ ପ୍ରତିଶତ ଯୋଗାଣ କରାଯାଇଥାଏ। ଅବଶିଷ୍ଟକୁ ସିଧାସଳଖ ରପ୍ତାନି କରାଯାଇଥାଏ କିମ୍ବା ବିକ୍ରି କରାଯାଏ।

ସରକାର ପ୍ରତ୍ୟେକ ବର୍ଷ ଖାଦ୍ୟଶସ୍ୟ ପ୍ୟାକେଜିଂ ନିମନ୍ତେ ପ୍ରାୟ ୯,୦୦୦ କୋଟି ଟଙ୍କାର ଝୋଟ ବସ୍ତା କିଣିଥାନ୍ତି। ଏହାଦ୍ବାରା ଝୋଟ ଚାଷୀ, ଶ୍ରମିକମାନଙ୍କ ଉତ୍ପାଦ ବିକ୍ରି ଲାଗି ଗ୍ୟାରେଣ୍ଟିଯୁକ୍ତ ବଜାର ସୁବିଧା ସୁନିଶ୍ଚିତ ହୋଇଥାଏ ।

ହାରାହାରୀ ୩୦ ଲକ୍ଷ ବେଲ୍‌ (୯ଲକ୍ଷ ମେଟ୍ରିକ ଟନ) ଝୋଟ ବସ୍ତା ଉତ୍ପାଦନ ହେଉଥିବା ବେଳେ ଝୋଟ ଚାଷୀ, ଶ୍ରମିକ ଓ ଝୋଟ ଉଦ୍ୟୋଗରେ ନିୟୋଜିତ ଲୋକମାନଙ୍କ ହିତ ରକ୍ଷା ନିମନ୍ତେ ସରକାର ସବୁ ଝୋଟ ବସ୍ତା କିଣିବାକୁ ସଂକଳ୍ପବଦ୍ଧ ଅଛନ୍ତି।

ଏବେ ସଂରକ୍ଷଣ ମାନଦଣ୍ଡ ଭାରତର କଞ୍ଚା ଝୋଟ ଏବଂ ଝୋଟ ପ୍ୟାକେଜିଂ ସାମଗ୍ରୀର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବ, ଯାହାଫଳରେ ଦେଶ ଆତ୍ମନିର୍ଭର ଭାରତର ପରିକଳ୍ପନା ଅନୁରୂପ ସ୍ବାବଲମ୍ବୀ ହୋଇପାରିବ। ଏହା ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଯୋଗଦାନ ଦେଇପାରିବ କାରଣ ଝୋଟ ଏକ ପ୍ରାକୃତିକ, ଜୈବ-କ୍ଷୟଯୋଗ୍ୟ, ନବୀକରଣଯୋଗ୍ୟ ଏବଂ ପୁନଃବ୍ୟବହାର ଯୋଗ୍ୟ ଫାଇବର ହୋଇଥିବାରୁ ଏହା ସମସ୍ତ ଦୀର୍ଘସ୍ଥାୟିତ୍ବ ମାପଦଣ୍ଡକୁ ପୂରଣ କରିଥାଏ।

 

*******

P.S.



(Release ID: 1901545) Visitor Counter : 168