ପ୍ରତିରକ୍ଷା ମନ୍ତ୍ରଣାଳୟ

ଏରୋ ଇଣ୍ଡିଆ ୨୦୨୩ ଅବସରରେ ବେଙ୍ଗାଲୁରୁ ଠାରେ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସମ୍ମିଳନୀ ଆୟୋଜିତ


ଏକ ଜଟିଳ ବିଶ୍ୱ ସ୍ତରୀୟ ସୁରକ୍ଷା ଦୃଷ୍ଟିକୋଣରୁ ଦ୍ରୁତ ଗତିରେ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ସହଯୋଗ ବୃଦ୍ଧି କରିବାକୁ ଆହ୍ୱାନ ଦେଲେ ଶ୍ରୀ ରାଜନାଥ ସିଂ

ଭାରତ ନିୟମ ଉପରେ ଆଧାରିତ ଆନ୍ତର୍ଜାତିକ ବ୍ୟବସ୍ଥାର ସମର୍ଥକ, ଯାହାକି ନିରପେକ୍ଷତା, ସହଯୋଗ ଏବଂ ସମାନତା ଉପରେ ପର୍ଯ୍ୟବେସିତ : ଶ୍ରୀ ରାଜନାଥ ସିଂହ

“ସମୃଦ୍ଧି ପାଇଁ ସାମୂହିକ ସୁରକ୍ଷା ଅନିବାର୍ଯ୍ୟ ଅଟେ, ଆତଙ୍କବାଦ ଭଳି ବିପଦ ଗୁଡିକୁ ମୁକାବିଲା କରିବା ପାଇଁ ନୂତନ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି"

ବନ୍ଧୁତ୍ୱ ଦେଶଗୁଡିକ ପାଇଁ ଜାତୀୟ ପ୍ରାଥମିକତା ଏବଂ ସାମର୍ଥ୍ୟକୁ ସୁହାଇବା ଭଳି ଭାରତ ଉନ୍ନତ ପ୍ରତିରକ୍ଷା ସହଭାଗିତା ପ୍ରଦାନ କରେ

Posted On: 14 FEB 2023 12:58PM by PIB Bhubaneshwar

ଫେବୃଆରୀ ୧୪, ୨୦୨୩ ରେ ବେଙ୍ଗାଲୁରୁ ଠାରେ ଏରୋ ଇଣ୍ଡିଆ ୨୦୨୩ ଅବସରରେ ଆୟୋଜିତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ମାନଙ୍କ ସମ୍ମିଳନୀରେ ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ୨୭ ଟି ଦେଶର ପ୍ରତିରକ୍ଷା ଏବଂ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିଲା “ପ୍ରତିରକ୍ଷା କ୍ଷେତ୍ରରେ ବର୍ଦ୍ଧିତ ନିୟୋଜନ ଜରିଆରେ ଭାଗିଦାରୀ ସମୃଦ୍ଧି” (ସେୟାର୍‌ଡ ପ୍ରସ୍ପରିଟି ଥ୍ରୋ ଏନ୍‌ହାନ୍ସଡ ଏନଗେଜମେଂଟସ ଇନ୍ ଡିଫେନ୍ସ - ସ୍ପିଡ୍‌) । ଏଥିରେ ସାମର୍ଥ୍ୟ ନିର୍ମାଣ ପାଇଁ ସହଯୋଗକୁ ଗଭୀର କରିବା (ନିବେଶ, ଗବେଷଣା ଏବଂ ଉନ୍ନୟନ, ମିଳିତ ଉଦ୍ୟୋଗ, ସହ - ବିକାଶ, ସହ - ଉତ୍ପାଦନ ଏବଂ ପ୍ରତିରକ୍ଷା ଉପକରଣ ଗୁଡିକର ବ୍ୟବସ୍ଥା ମାଧ୍ୟମରେ), ଏହା ସହିତ ତାଲିମ, ସ୍ଥାନ, ଏଆଇ ଏବଂ ସାମୁଦ୍ରିକ ସୁରକ୍ଷା ବିକଶିତ କରିବା ପାଇଁ ଏଥି ସମ୍ବନ୍ଧିତ ଦିଗ ଗୁଡ଼ିକର ସମାଧାନ କରିବାକୁ ଉଦ୍ୟମ କରିଥିଲା ।

ତାଙ୍କ ଉଦ୍‌ଘାଟନୀ ଭାଷଣରେ ରକ୍ଷା ମନ୍ତ୍ରୀ ଦିନକୁ ଦିନ ଜଟିଳ ହେଉଥିବା ବିଶ୍ୱ ସୁରକ୍ଷା ଦୃଶ୍ୟପଟରେ ଅଧିକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ , କାର୍ଯ୍ୟକ୍ରମର ବିଷୟବସ୍ତୁ 'ସ୍ପିଡ୍‌' ବର୍ତ୍ତମାନ ସମୟର ବିଶେଷତାକୁ ବର୍ଣ୍ଣିତ କରେ ଯେଉଁଥିରେ ଭୂ - ରାଜନୈତିକ ଏବଂ ସୁରକ୍ଷା ବାସ୍ତବତା ଏ ପର୍ଯ୍ୟନ୍ତ ପୂର୍ବରୁ କେବେହେଲେ ଦେଖା ଯାଇ ନଥିବା ଗତିରେ ପରିବର୍ତ୍ତିତ ହେବାରେ ଲାଗିଛି । ଏହିପରି ଦ୍ରୁତ ଗତିରେ ହେଉଥିବା ପରିବର୍ତ୍ତନ ଗୁଡିକର ଜବାବ ଦେବାକୁ ସେ ବାସ୍ତବ - ସମୟ ଭିତ୍ତିକ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ ।

ଅର୍ଥ ବ୍ୟବସ୍ଥା, ସୁରକ୍ଷା, ସ୍ୱାସ୍ଥ୍ୟ କିମ୍ବା ଜଳବାୟୁ କ୍ଷେତ୍ରରେ ଯେ କୌଣସି ବଡ଼ ଧରଣର ପରିବର୍ତ୍ତନ ବିଶ୍ୱରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରେ ଏବଂ ଯେତେବେଳେ କୌଣସି ଅଞ୍ଚଳର ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ଆସେ, ସେତେବେଳେ ସମଗ୍ର ବିଶ୍ୱ ଏହାର ପ୍ରଭାବକୁ ଏକାଧିକ ଉପାୟରେ ଅନୁଭବ କରିଥାଏ ବୋଲି ଶ୍ରୀ ରାଜନାଥ ସିଂହ ମତ ରଖିଥିଲେ । ସେ ଦର୍ଶାଇ ଥିଲେ ଯେ ଏକ ପରସ୍ପର ସହ ଆଭ୍ୟନ୍ତରୀଣ ଭାବରେ ସଂଯୁକ୍ତ ତଥା ନେଟୱର୍କ ଭିତ୍ତିକ ଦୁନିଆରେ ଝଟକା ଏବଂ ବିଶୃଙ୍ଖଳାର କ୍ଷୀପ୍ର ସଂଚରଣ ଦ୍ୱାରା ନିଜ ଦେଶକୁ ଅନ୍ୟ ଦେଶର ପ୍ରସଙ୍ଗରୁ ଅଲଗା ରଖିବା ଅସମ୍ଭବ ହୋଇ ପଡିଥାଏ । ଏକ ସାଧାରଣ, ନିରାପଦ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ସମସ୍ତଙ୍କ ସମସ୍ୟାର ଉପଯୁକ୍ତ ଭାବରେ ସମାଧାନ ହେବା ପାଇଁ ଶିଖର ସମ୍ମିଳନୀ, ବୈଠକ ଏବଂ କନକ୍ଲେଭ ସମୟରେ ନିୟମିତ ପାରସ୍ପରିକ ଆଲୋଚନା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ରକ୍ଷା ମନ୍ତ୍ରୀ ଏକ ନିୟମ - ଆଧାରିତ ଆନ୍ତର୍ଜାତିକ ବ୍ୟବସ୍ଥା ପାଇଁ ଭାରତର ସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, "ଶକ୍ତି ହିଁ ଠିକ୍ ହେବାର ପ୍ରାଚୀନ ପ୍ରବୃତ୍ତିକୁ ସମସ୍ତ ସାର୍ବଭୌମ ରାଷ୍ଟ୍ର ଗୁଡିକ ମଧ୍ୟରେ ନିଷ୍ପକ୍ଷତା, ସହଯୋଗ, ସମ୍ମାନ ଏବଂ ସମାନତାର ସଭ୍ୟ ଅବଧାରଣା ଦ୍ୱାରା ପ୍ରତିସ୍ଥାପିତ କରା ଯାଇଥାଏ ।“ ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଗୋଟିଏ ରାଷ୍ଟ୍ର ବିରୁଦ୍ଧରେ ଅନ୍ୟ ରାଷ୍ଟ୍ର ମାନଙ୍କର ଗୋଷ୍ଠୀ ବା ମେଣ୍ଟରେ ସାମିଲ ହେବାରୁ ଦୂରେଇ ରହିଥିବା ଯୋଗୁଁ ଭାରତ ସବୁ ଦେଶର ବିଶେଷ କରି ବିକାଶଶୀଳ ରାଷ୍ଟ୍ର ମାନଙ୍କର ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରି ପାରିଛି ।

"ସମଗ୍ର ବିଶ୍ୱରୁ ନୂତନ ଚିନ୍ତାଧାରା ଆହରଣ ପାଇଁ ଭାରତ ସର୍ବଦା ନିଜକୁ ଉନ୍ମୁକ୍ତ ରଖି ଆସିଛି, ବିଭିନ୍ନ ଚିନ୍ତାଧାରାର ସମ୍ମିଶ୍ରଣ ଏବଂ ପ୍ରତିଯୋଗିତା ଆମକୁ ଏକ ବିଶ୍ୱ ସ୍ତରୀୟ ଚିନ୍ତାଧାରାର କେନ୍ଦ୍ରରେ ପରିଣତ କରିଛି । ଆମର ପ୍ରାଚୀନ ନୈତିକତା ଆମକୁ କେବଳ ପାରସ୍ପରିକ ଲାଭ ପାଇଁ ସହଯୋଗ ଦିଗରେ କାର୍ଯ୍ୟ କରିବାକୁ ମାର୍ଗଦର୍ଶନ କରାଏ ନାହିଁ, ବରଂ ଏକ ପରିବାର ଭାବରେ ସମ୍ପୂର୍ଣ୍ଣ ମାନବତାର ଶିକ୍ଷାପ୍ରଦ ସ୍ୱୀକୃତି ଦେବା ପାଇଁ ଦେଣ - ନେଣ ଦୃଷ୍ଟିକୋଣ ଠାରୁ ଆଗକୁ ଯାଇ କାର୍ଯ୍ୟ କରେ, ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ରାଜନାଥ ସିଂହ କହିଥିଲେ । ସେ କୋଭିଡ୍ - ୧୯ ସହିତ ମୁକାବିଲା ପାଇଁ ବିଶ୍ୱ ସ୍ତରୀୟ ପ୍ରୟାସ ସମ୍ପର୍କରେ ସୂଚାଇ କହିଥିଲେ ଯେ ମହାମାରୀ ଏହି ବିଷୟକୁ ସୂଚାଇ ଦେଇଛି କି ବିଶ୍ୱର ସମୃଦ୍ଧି ବିଭିନ୍ନ କ୍ଷେତ୍ରରେ ସବୁ ଦେଶଙ୍କ ମଧ୍ୟରେ ଅଧିକ ସମନ୍ୱୟ ଆବଶ୍ୟକ କରେ, ଯାହା ମଧ୍ୟରୁ ପ୍ରତିରକ୍ଷା ଏବଂ ନିରାପତ୍ତା ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଅଟେ ।

ରକ୍ଷା ମନ୍ତ୍ରୀ ବିକାଶ ଏବଂ ସମୃଦ୍ଧି ପାଇଁ ସାମୂହିକ ସୁରକ୍ଷାକୁ ଅପରିହାର୍ଯ୍ୟ (ଅତ୍ୟାବଶ୍ୟକ ସର୍ତ୍ତ) ଭାବରେ ବର୍ଣ୍ଣନା କରିଥିଲେ । ଆତଙ୍କବାଦ, ବେଆଇନ ଅସ୍ତ୍ର କାରବାର, ଡ୍ରଗ୍ସ ଚୋରା ଚାଲାଣ, ମାନବ ଚାଲାଣ ଇତ୍ୟାଦି ବିଶ୍ୱର ସୁରକ୍ଷା ପ୍ରତି ବିପଦ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଏହିସବୁ ଆହ୍ୱାନର ମୁକାବିଲା କରିବା ପାଇଁ ନୂତନ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । "ପୁରାତନ ପୈତୃକ କିମ୍ବା ନବ - ଉପନିବେଶବାଦୀ ଦୃଷ୍ଟାନ୍ତ ଗୁଡ଼ିକ ଦ୍ୱାରା ଏଭଳି ସୁରକ୍ଷା ପ୍ରସଙ୍ଗ ଗୁଡ଼ିକର ମୁକାବିଲା କରିବାରେ ଭାରତ ବିଶ୍ୱାସ କରେ ନାହିଁ । ଆମେ ସମସ୍ତ ରାଷ୍ଟ୍ରକୁ ସମାନ ଅଂଶୀଦାର ଭାବରେ ବିବେଚନା କରୁ । ସେଥିପାଇଁ, ଆମେ ଦେଶର ଆଭ୍ୟନ୍ତରୀଣ ସମସ୍ୟାର ବାହ୍ୟ କିମ୍ବା ରାଷ୍ଟ୍ରୋପରି ସମାଧାନ ଉପରେ ବିଶ୍ୱାସ କରୁନାହିଁ । ଆମେ ଉପଦେଶ କିମ୍ବା କ୍ଷତ ସୃଷ୍ଟି କରି ମଲମ ଲେପ ଦେବା ଭଳି ସମାଧାନ ଦେବାରେ ବିଶ୍ୱାସ କରୁନାହିଁ, ଯାହା ସାହାଯ୍ୟର ଆବଶ୍ୟକତା ଥିବା ଦେଶର ଜାତୀୟ ମୂଲ୍ୟବୋଧ ଏବଂ ପ୍ରତିବନ୍ଧକକୁ ସମ୍ମାନ କରେନାହିଁ । ବରଂ, ଆମେ ଆମର ସହଭାଗୀ ଦେଶ ଗୁଡିକର ଦକ୍ଷତା ବିକାଶକୁ ସମର୍ଥନ କରୁଛୁ, ଯଦ୍ଦ୍ୱାରା ସେମାନେ ନିଜ ନିଜ ପ୍ରତିଭା ଅନୁଯାୟୀ ନିଜ ଭାଗ୍ୟ ନିର୍ଦ୍ଧାରଣ କରି ପାରିବେ ବୋଲି ସେ କହିଥିଲେ ।

ଶ୍ରୀ ରାଜନାଥ ସିଂହ ଆହୁରି ମଧ୍ୟ କହିଥିଲେ ଯେ ଏପରି ଦେଶ ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ଧନୀ, ସାମରିକ କିମ୍ବା ବୈଷୟିକ ଜ୍ଞାନକୌଶଳରେ ଅଧିକ ଉନ୍ନତ ଅଟନ୍ତି, କିନ୍ତୁ ଏହା ସେମାନଙ୍କୁ ସମର୍ଥନ ଆବଶ୍ୟକ କରୁଥିବା ରାଷ୍ଟ୍ର ମାନଙ୍କ ସମସ୍ୟା ସମାଧାନ କରିବାର ଅଧିକାର ପ୍ରଦାନ କରେ ନାହିଁ । ସମସ୍ୟାର ସମାଧାନ ଦିଗରେ ଏହି ଶୀର୍ଷରୁ ନିମ୍ନ ପନ୍ଥା ଦୀର୍ଘ କାଳୀନ ଭତ୍ତିରେ ସ୍ଥାୟୀ ହୋଇପାରି ନାହିଁ ଏବଂ ଏହା ପ୍ରାୟତଃ ଋଣ ଯନ୍ତା, ସ୍ଥାନୀୟ ଜନସାଧାରଣଙ୍କ ପ୍ରତିକ୍ରିୟା, ଦ୍ୱନ୍ଦ୍ୱ ଇତ୍ୟାଦି ଆଡ଼କୁ ପଥ କଢ଼ାଇ ନେଇଥାଏ ବୋଲି ସେ କହିଥିଲେ । ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଅନୁଷ୍ଠାନ ଏବଂ ଦକ୍ଷତା ଗଠନ ଦୃଷ୍ଟିରୁ ସହାୟତା ଯୋଗାଇବା ଉପରେ ଧ୍ୟାନ ଦିଆଯିବା ଉଚିତ, ଯାହା ଦ୍ୱାରା ରାଷ୍ଟ୍ର ଗୁଡିକର ସ୍ୱଭାବ ସହିତ ତାଳ ରଖି ନିମ୍ନରୁ ଊର୍ଦ୍ଧ୍ୱ କ୍ରମରେ ସମାଧାନ ଗୁଡିକ ସାଂଗଠନିକ ଭାବରେ ଆସି ପାରିବ । 

ରକ୍ଷା ମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀମାନଙ୍କୁ ସୂଚନା ଦେଇଥିଲେ ଯେ ଭାରତ ଏହାର ବନ୍ଧୁତ୍ୱପୂର୍ଣ୍ଣ ଦେଶ ମାନଙ୍କୁ ଉନ୍ନତ ପ୍ରତିରକ୍ଷା ସହଭାଗିତା ପ୍ରଦାନ କରି ଏହି ନୀତି ସହ କାର୍ଯ୍ୟ କରିବାକୁ ଆଗକୁ ବଢ଼ୁଛି । "ଆମେ ଏକ ସହଭାଗିତା ପ୍ରଦାନ କରୁଛୁ ଯାହା ଜାତୀୟ ପ୍ରାଥମିକତା ଏବଂ ସାମର୍ଥ୍ୟ ସହିତ ଅନୁକୂଳିତ ଅଟେ । ଆମେ ଆପଣ ମାନଙ୍କ ସହିତ ଗଢ଼ିବାକୁ ଚାହୁଁଛୁ, ଆମେ ଆପଣ ମାନଙ୍କ ସହିତ ଶୁଭାରମ୍ଭ କରିବାକୁ ଚାହୁଁଛୁ, ଆମେ ଆପଣ ମାନଙ୍କ ସହିତ ସୃଷ୍ଟି କରିବାକୁ ଚାହୁଁଛୁ ଏବଂ ଆମେ ଆପଣ ମାନଙ୍କ ସହିତ ବିକାଶ କରିବାକୁ ଚାହୁଁଛୁ । ଆମେ ତାଳମେଳ ଭିତ୍ତିକ ସମ୍ପର୍କ ସୃଷ୍ଟି କରିବାକୁ ଚାହୁଁଛୁ, ଯେଉଁଥିରେ ଆମେ ପରସ୍ପରଠାରୁ ଶିଖିବା, ଏକତ୍ର ଆଗକୁ ବଢ଼ିବା ଏବଂ ସମସ୍ତଙ୍କ ପାଇଁ ଏକ ବିଜୟ - ପରିସ୍ଥିତି ସୃଷ୍ଟି କରି ପାରିବା ବୋଲି ସେ କହିବା ସହିତ କ୍ରେତା ଏବଂ ବିକ୍ରେତାଙ୍କ କ୍ରମବର୍ଦ୍ଧିଷ୍ଣୁ ସମ୍ପର୍କକୁ ଏକ ସହ - ବିକାଶ ଏବଂ ସହ - ଉତ୍ପାଦନ ଢାଞ୍ଚାକୁ ଅତିକ୍ରମ କରିବା ପାଇଁ ସରକାରଙ୍କର ଉଦ୍ୟମକୁ ଦୋହରାଇଥିଲେ । 

ଶ୍ରୀ ରାଜନାଥ ସିଂହ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଏରୋ ଇଣ୍ଡିଆ ମାଧ୍ୟମରେ ପ୍ରତିରକ୍ଷା ମନ୍ତ୍ରୀମାନେ ଭାରତରେ ସୃଷ୍ଟି ହେଉଥିବା ଦୃଢ଼ ପ୍ରତିରକ୍ଷା ଉତ୍ପାଦନ ପାରିବେଶିକ ବ୍ୟବସ୍ଥା ବିଷୟରେ ଜ୍ଞାନ ହାସଲ କରି ପାରିଛନ୍ତି । ଅନୁସନ୍ଧାନ, ମନ୍ତବ୍ୟ ଏବଂ ମତାମତ ମାଧ୍ୟମରେ ସେମାନଙ୍କର ଆବଶ୍ୟକତା ଏବଂ ଆଶା ବାଣ୍ଟିବାକୁ ସେ ସେମାନଙ୍କୁ ଅନୁରୋଧ କରିଥିଲେ, ଯାହା ଏହି ଉଦ୍ୟୋଗକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାର ସୁଯୋଗ ପ୍ରଦାନ କରିବ ।

୨୭ ଟି ଦେଶରୁ ପ୍ରତିରକ୍ଷା ଏବଂ ସହକାରୀ ପ୍ରତିରକ୍ଷା ମନ୍ତ୍ରୀ, ୧୫ ଟି ପ୍ରତିରକ୍ଷା ଏବଂ ସେନା ମୁଖ୍ୟ ଏବଂ ୮୦ ଟି ଦେଶର ୧୨ ଜଣ ସ୍ଥାୟୀ ସଚିବଙ୍କ ସମେତ ବିଭିନ୍ନ ଦେଶରୁ ୧୬୦ ରୁ ଅଧିକ ପ୍ରତିନିଧି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।

*****

SSP

 



(Release ID: 1899180) Visitor Counter : 172