ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

କେନ୍ଦ୍ର କ୍ରୀଡାମନ୍ତ୍ରୀ ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳଙ୍କ ସହିତ ତୃତୀୟ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ମାସ୍କଟ, ଥିମସଙ୍ଗ ଓ ଜର୍ସି ଉନ୍ମୋଚନ କଲେ


ଜାମ୍ମୁ କାଶ୍ମୀରର କୋଣ ଅନୁକୋଣରେ କ୍ରୀଡା ଭିତ୍ତିଭୂମିର ବିକାଶ ଯୁବବର୍ଗଙ୍କୁ ଖେଳକୁଦ ପାଇଁ ଉତ୍ସାହିତ କରୁଛି: ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ

ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପ୍ରତି ଯୁବ ସମାଜକୁ ପ୍ରୋତ୍ସାହିତ କରିବା ସହିତ ଭାରତକୁ ବିଶ୍ୱସ୍ତରରେ ଏକ କ୍ରୀଡା ଶକ୍ତିରେ ପରିଣତ କରିବ: ଅନୁରାଗ ସିଂହ ଠାକୁର

ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା ଚଳିତମାସ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରର ଗୁଲମାର୍ଗରେ ଅନୁଷ୍ଠିତ ହେବ

Posted On: 04 FEB 2023 3:37PM by PIB Bhubaneshwar

କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଜାମ୍ମୁ -କାଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନାଙ୍କ ସହିତ ତୃତୀୟ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପ୍ରତିଯୋଗିତାର ମାସ୍କଟ, ଥିମ୍ ସଙ୍ଗ୍ ଓ ଜର୍ସିକୁ ଜାମ୍ମୁ ରାଜଭବନଠାରେ ଉନ୍ମୋଚନ କରିଛନ୍ତି।

ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର କହିଥିଲେ ଯେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା ଖେଲୋ ଇଣ୍ଡିଆ ଅଭିଯାନର ଏକ ଅଂଶବିଶେଷ ।  ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚାର ପ୍ରସୂତ ଏକ କାର୍ଯ୍ୟକ୍ରମ ଯାହା ଦେଶରେ ଖେଳକୁଦ ପ୍ରତି ଯୁବସମାଜକୁ ଆକର୍ଷିତ କରି ଭାରତକୁ ବିଶ୍ୱର ଏକ କ୍ରୀଡା ଶକ୍ତିରେ ପରିଣତ କରିବାକୁ ଉଦ୍ଦିଷ୍ଟ ।

 

ଶ୍ରୀ ଠାକୁର ଆହୁରି କହିଥିଲେ,  ଗତ ଆଠବର୍ଷ ଧରି କ୍ରୀଡା ପ୍ରତି ଲୋକଙ୍କର ମନୋଭାବ ବଦଳୁଛି ଏବଂ ପ୍ରତ୍ୟେକ ପରିବାର ନିଜର ପୁଅଝିଅଙ୍କୁ ଖେଳକୁଦ ପ୍ରତି ପ୍ରୋତ୍ସାହିତ କରୁଛନ୍ତି । ଖେଲୋ ଇଣ୍ଡିଆ ଓ ଫିଟ୍ ଇଣ୍ଡିଆ ଅଭିଯାନ ଯୋଗୁଁ ଏହା ସମ୍ଭବ ହୋଇଛି  । ଏହି ଦୁଇ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତରେ କ୍ରୀଡା ଭିତ୍ତିଭୂମିର କେବଳ ବିକାଶ ଘଟିନାହିଁ, ଯୁବ ସମାଜ ଖେଳକୁଦ ପ୍ରତି ପୂର୍ବାପେକ୍ଷା ଅଧିକ ଆକର୍ଷିତ ହୋଇଛନ୍ତି । ଭାରତର ଖେଳାଳିମାନେ  ବଡ ବଡ ପ୍ରତିଯୋଗିତା, ବିଶେଷକରି ଆର୍ନ୍ତଜାତିକସ୍ତରର କ୍ରୀଡା କାର୍ଯ୍ୟକ୍ରମରେ ଭାଗ ନେବା ପୂର୍ବରୁ ଅଗ୍ରଣୀ କ୍ରୀଡାବିତ୍‌ମାନଙ୍କ ସହ ମିଶିବା ବା ଭାବବିନିମୟ କରିବା ସୁଯୋଗ ପାଇ ନିଜର ଆତ୍ମବିଶ୍ୱାସ ବଢାଉଛନ୍ତି । ଏହାଫଳରେ ସେମାନେ ଆନ୍ତର୍ଜାତିକ ସ୍ତରର ଖେଳକୁଦ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଭାରତକୁ ଗର୍ବିତ କରୁଛନ୍ତି । ଆଗରୁ ଆମ କ୍ରୀଡାବିତଙ୍କୁ ଏଭଳି ସୁଯୋଗ ସୁବିଧା ମିଳୁ ନ ଥିଲା ।

ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ଗୁଲମାର୍ଗରେ ଚଳିତମାସ ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବ । ଦେଶ ୨୯ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୫୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେବେ । ଏହା ଦ୍ୱାରା ଜାମ୍ମୁ-କାଶ୍ମୀର ଯୁବକ ଯୁବତୀମାନେ କ୍ରୀଡା ପ୍ରତି ଆକର୍ଷିତ ହେବା ସହିତ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ଘଟିବ । ଖେଳାଳୀ ଓ କ୍ରୀଡା ଅଧିକାରୀମାନେ ଜାମ୍ମୁ-କାଶ୍ମୀରର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁଯୋଗ ପାଇବା ସହିତ ବିଗତ କେତେବର୍ଷ ମଧ୍ୟରେ ଏଠାରେ ଘଟିଥିବା ପରିବର୍ତ୍ତନକୁ ଦେଖିପାରିବେ । ସେମାନେ ଜାମ୍ମୁ-କାଶ୍ମୀରର ପର୍ଯ୍ୟଟନ, ଶାନ୍ତି ଏବଂ ସ୍ଥିରତାର ବ୍ରାଣ୍ଡ ଆମ୍ବାସଡାର ହୋଇପାରିବେ ବୋଲି ଶ୍ରୀ ଠାକୁର କହିଛନ୍ତି ।

ଖେଲୋ ଇଣ୍ଡିଆ କ୍ରୀଡା ପ୍ରତିଯୋଗିତାର ମାସ୍କଟ, ଥିମ୍ ସଙ୍ଗ୍ ଓ ଜର୍ସି ଉନ୍ମୋଚନ ଅବସରରେ ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନାଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଠାକୁର କହିଛନ୍ତି ଯେ ଏହି ପ୍ରତିଯୋଗିତା ସମଗ୍ର ଦେଶକୁ ଏକ ଭଲ ସଙ୍କେତ ପଠାଉଛି । ଏହି ପ୍ରତିଯୋଗିତାର ଆନନ୍ଦ ଓ ଅଭିଜ୍ଞତା ଉଠାଇବାକୁ ସମଗ୍ର ଜାମ୍ମୁ-କାଶ୍ମୀର ଅତ୍ୟନ୍ତ ଆଗ୍ରହର ସହିତ ଅପେକ୍ଷା କରିଛି । ଏହି ପ୍ରତିଯୋଗିତାରେ ଉପଲବ୍ଧ ସୁବିଧା ସୁଯୋଗର ଫାଇଦା ଉଠାଇ ଭାରତର ଯୁବ କ୍ରୀଡାବିତ୍‌ମାନେ ଅଲିମ୍ପିକ୍ସ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗନେବାକୁ ନିଜକୁ ପ୍ରସ୍ତୁତ କରିପାରିବେ ।

ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ଉପରାଜ୍ୟପାଳ ଶ୍ରୀ ସିହ୍ନା କହିଥିଲେ ଯେ ପିଏମ୍‌ଡିପି ଅଧୀନରେ ଜାମ୍ମୁ-କାଶ୍ମୀରର କୋଣ ଅନୁକୋଣରେ କ୍ରୀଡା ଭିତ୍ତିଭୂମିର ଉନ୍ନତି କରାଯାଇଛି । ଏହାଫଳରେ ଯୁବ ସମାଜ କ୍ରୀଡା ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି । ଏହି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ କ୍ରୀଡା ଭିତ୍ତିଭୂମି ଓ ଖେଳକୁଦର ସୁବିଧା କରାଯାଇଛି । ଏଥିରେ ୫୦ଲକ୍ଷ ଯୁବକଯୁବତୀଙ୍କୁ ନିୟୋଜିତ କରିବାର ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ପୂରଣ ହୋଇଛି । ନୂଆ କ୍ରୀଡାନୀତି ମାଧ୍ୟମରେ ଜାମ୍ମୁ-କାଶ୍ମୀର କ୍ରୀଡାବିତ୍‌ମାନଙ୍କୁ ଆକର୍ଷଣୀୟ ନିଯୁକ୍ତି ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ଗୁଲମାର୍ଗରେ ଚଳିତମାସ ୧୦ରୁ ୧୪ତାରିଖ ଯାଏ ଆୟୋଜିତ ହେବାକୁ ଥିବା ଏହି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପ୍ରତିଯୋଗିତାକୁ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ସାହାଯ୍ୟ ସହଯୋଗ ଯୋଗାଉଛି । ଜାମ୍ମୁ-କାଶ୍ମୀର କ୍ରୀଡା ପରିଷଦ ଓ ଜାମ୍ମୁ କାଶ୍ମୀର ଉଇଣ୍ଟର ଗେମ୍ସ ଆସୋସିଏସନ ଏହି ପ୍ରତିଯୋଗିତାକୁ ମିଳିତଭାବେ ଆୟୋଜନ କରୁଛି ।

ସମଗ୍ର ଦେଶରୁ ୧୫୦୦ରୁ ଅଧିକ କ୍ରୀଡାବିତ୍ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ନ’ଟି ଖେଳ ଏଥିରେ ସ୍ଥାନ ପାଇଛି । ଜାମ୍ମୁ-କାଶ୍ମୀରରେ ମଧ୍ୟ ଖେଲୋ ଇଣ୍ଡିଆ ଶୀତକାଳନୀ କ୍ରୀଡା ପ୍ରତିଯୋଗିତା ୨୦୨୦ରେ ସଫଳତାର ସହିତ ଆୟୋଜିତ ହୋଇଥିଲା । ଏବେ ଏହି ଦ୍ୱିତୀୟ ସଂସ୍କରଣକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ସବୁମନ୍ତେ ଉଦ୍ୟମ କରାଯାଉଛି ।

******

TKM/SLP



(Release ID: 1896378) Visitor Counter : 109