ଜାହାଜ ଚଳାଚଳ ମନ୍ତ୍ରଣାଳୟ

ଡିସେମ୍ବର ମାସରେ ମାସିକ ରେକର୍ଡ କାର୍ଗୋ ପରିବହନ ସହ ୨୦୨୨କୁ ବିଦାୟ ଦେଲା ପାରାଦୀପ ବନ୍ଦର

Posted On: 02 JAN 2023 11:01AM by PIB Bhubaneshwar

ପାରାଦୀପ ବନ୍ଦର ପାଇଁ ନୂଆବର୍ଷ ୨୦୨୩ର ଆଗମନ ବେଶ ଉତ୍ସାହର ସହ ହୋଇଛି । ଟିମ ପିପିଏ କାର୍ଗୋ ପରିବହନ କ୍ଷେତ୍ରରେ ଦେଶର ସମସ୍ତ ପ୍ରମୁଖ ବନ୍ଦରର କାର୍ଗୋ ପରିବହନ ଇତିହାସ ତୁଳନାରେ ଡିସେମ୍ବର ମାସରେ ସବୁଠାରୁ ଅଧିକ କାର୍ଗୋ ପରିବହନ କରି ୨୦୨୨କୁ ବିଦାୟ ଦେଇଛି । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୨୦୨୨ରେ ପାରାଦୀପ ବନ୍ଦରରୁ ରେକର୍ଡ ୧୨.୬ ଏମଏମଟି କାର୍ଗୋ ପରିବହନ ହୋଇଛି । ପିପିଏ ଅଧ୍ୟକ୍ଷ ଶ୍ରୀ ପିଏଲ ହରନାଧ ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଟିମ ପିପିଏକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ନୂଆବର୍ଷ ୨୦୨୩ ରେ ବନ୍ଦର ୧୦୦ ଏମଏମଟି କାର୍ଗୋ ପରିବହନ ଲକ୍ଷ୍ୟ ଅତିକ୍ରମ କରିବାକୁ ପ୍ରସ୍ତୁତ ହୋଇଛି । ଚଳିତ ଆର୍ଥିକ ବର୍ଷରେ ମଧ୍ୟ ବନ୍ଦର ୧୨୫ ଏମଏମଟିରୁ ଅଧିକ କାର୍ଗୋ ପରିବହନ ରେକର୍ଡ ହାସଲ ପାଇଁ ଲକ୍ଷ୍ୟ ରଖିଛି । ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ପିପିଏ ୯୬.୮୧ ଏମଏମଟି କାର୍ଗୋ ପରିବହନ କରିଥିଲା । ସୂଚନାଯୋଗ୍ୟ ଗତ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ୮୩.୬ ଏମଏମଟି କାର୍ଗୋ ପରିବହନ ହୋଇଥିଲା । ଚଳିତ ବର୍ଷ ବନ୍ଦରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ଗତ ବର୍ଷ ତୁଳନାରେ ୧୫.୫ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି । ଉପକୂଳ ତାପଜ କୋଇଲା ପରିବହନ କ୍ଷେତ୍ରରେ ଗତ ଆର୍ଥିକ ବର୍ଷ ତୁଳନାରେ ୬୮.୧୧ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଏହା ବନ୍ଦରରୁ ପରିବହନ ହୋଇଥିବା ସମୁଦାୟ କାର୍ଗୋର ପ୍ରାୟ ୩୧.୫୬ ପ୍ରତିଶତ ଥିଲା । ପାରାଦୀପ ବନ୍ଦର ଦେଶର ଉପକୂଳ ନୌପରିବହନ କେନ୍ଦ୍ର ଭାବେ ଉପସ୍ଥିତି ଜାହିର କରିବାରେ ଲାଗିଛି ଏବଂ ଏଥିରେ ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ହରିଆଣା ସ୍ଥିତ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକରେ ସାମୁଦ୍ରିକ ପଥରେ କୋଇଲା ପହଞ୍ଚାଇବା ଯୋଜନା ମଧ୍ୟ ସାମିଲ ରହିଛି । 

 

SR



(Release ID: 1888041) Visitor Counter : 176