ରେଳ ମନ୍ତ୍ରଣାଳୟ

ଶ୍ରୀ ଅନିଲ କୁମାର ଲାହୋଟି ରେଳ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି

Posted On: 01 JAN 2023 12:10PM by PIB Bhubaneshwar

ଶ୍ରୀ ଅନିଲ କୁମାର ଲାହୋଟି ଆଜି ରେଳ ବୋର୍ଡ (ରେଳ ମନ୍ତ୍ରଣାଳୟ)ର ନୂତନ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । କ୍ୟାବିନେଟ ନିଯୁକ୍ତି କମିଟି ଶ୍ରୀ ଅନିଲ କୁମାର ଲାହୋଟିଙ୍କର ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି । ଏହା ପୂର୍ବରୁ ଶ୍ରୀ ଅନିଲ କୁମାର ଲାହୋଟି ରେଳ ବୋର୍ଡର ସଦସ୍ୟ (ଭିତ୍ତିଭୂମି) ଭାବରେ କାର୍ଯ୍ୟ କରି ସାରିଛନ୍ତି ।

ଶ୍ରୀ ଲାହୋଟି ଇଣ୍ଡିଆନ୍ ରେଲୱେ ସର୍ଭିସ୍ ଅଫ୍ ଇଞ୍ଜିନିୟର୍ସ, ୧୯୮୪ ବ୍ୟାଚ୍‌ର ଅଧିକାରୀ ଅଟନ୍ତି । ସେ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ଭାରତୀୟ ରେଳ ପରିଚାଳନା ସେବାର ସ୍ତର -୧୭ର ପ୍ରଥମ ପ୍ୟାନେଲରେ ସ୍ଥାନିତ ହୋଇ ସାରିଛନ୍ତି । ସେ ମାଧବ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ, ଗ୍ୱାଲିଅରରୁ ସିଭିଲ ଇଞ୍ଜିନିୟରିଂରେ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି ଏବଂ ରୁରକି ବିଶ୍ୱବିଦ୍ୟାଳୟ (ଆଇଆଇଟି, ରୁରକି) ରୁ ମାଷ୍ଟର ଅଫ୍ ଇଞ୍ଜିନିୟରିଂ (ଷ୍ଟ୍ରକଚର୍ସ) କରିଛନ୍ତି । ରେଳବାଇରେ ତାଙ୍କର ୩୬ ବର୍ଷରୁ ଅଧିକ ଅବଧିର ସେବା ସମୟରେ ସେ କେନ୍ଦ୍ରୀୟ ରେଳ, ଉତ୍ତର ରେଳ, ଉତ୍ତର କେନ୍ଦ୍ରୀୟ ରେଳ, ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ରେଳବାଇ ଏବଂ ରେଳ ବୋର୍ଡରେ ବିଭିନ୍ନ ପଦବୀରେ ରହି କାର୍ଯ୍ୟ କରିଛନ୍ତି ।

ଏହା ପୂର୍ବରୁ ଶ୍ରୀ ଲାହୋଟି କେନ୍ଦ୍ରୀୟ ରେଳବାଇର ଜେନେରାଲ୍ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି ଏବଂ ପଶ୍ଚିମ ରେଳବାଇର ଜିଏମ ପଦର ଅତିରିକ୍ତ ଦାୟିତ୍ୱ ମଧ୍ୟ ମଧ୍ୟ କିଛି ମାସ ସମ୍ଭାଳିଛନ୍ତି । ଜେନେରାଲ୍ ମ୍ୟାନେଜର ଭାବରେ ତାଙ୍କର କାର୍ଯ୍ୟକାଳରେ ସର୍ବାଧିକ କିଷାନ୍ ରେଳ ଚଲାଇବା ସହିତ ଅର୍ଜନ ହୋଇଥିବା ରାଜସ୍ୱ କ୍ଷେତ୍ରରେ ସର୍ବାଧିକ ମାଲ ପରିବହନ ଏବଂ ପାର୍ସଲ୍ ଟ୍ରାଫିକ୍ (ଟନ୍ ରେ) ହାସଲ କରିବାର ଶ୍ରେୟ ପ୍ରାପ୍ତ ହୋଇଛି । ଅଣ ଭଡ଼ା ସୁଯୋଗ, ସ୍କ୍ରାପ୍ ବିକ୍ରୟ ଏବଂ ବ୍ୟାପକ ଟିକେଟ୍ ଯାଂଚ ଅଭିଯାନ ଦ୍ୱାରା ସେ ରାଜସ୍ୱ ସଂଗ୍ରହରେ ରେକର୍ଡ ଉନ୍ନତି ଆଣିଥିଲେ । ସେ ମୁମ୍ବାଇରେ ଶୀତତାପ ନିୟନ୍ତ୍ରିତ ଉପ- ନଗରୀୟ ସେବା ଗୁଡିକର ସମ୍ପ୍ରସାରଣର ଉଦ୍‌ବେଗଜନକ ସମସ୍ୟାର ସଫଳତାପୂର୍ବକ ପରିଚାଳନା ଏବଂ ସମାଧାନ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ, କେନ୍ଦ୍ରୀୟ ରେଳବାଇ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରିତା ଏବଂ କମିଶନିଂ କାର୍ଯ୍ୟରେ ଏକ ବଡ ଧରଣର ସୁଧାର ଆସିଥିଲା ଏବଂ ମୁମ୍ବାଇର ଡିଭା ଏବଂ ଥାନେ ମଧ୍ୟରେ ଦୀର୍ଘ ପ୍ରତୀକ୍ଷିତ ୫ମ ଏବଂ ୬ଷ୍ଠ ଲାଇନକୁ ଆରମ୍ଭ କରା ଯାଇଥିଲା ।

ସେ ଉତ୍ତର ରେଳର ଲକ୍ଷ୍ନୌ ଡିଭିଜନାଲ ରେଳ ପରିଚାଳକ ଭାବରେ କାର୍ଯ୍ୟ କରିଥିଲେ, ଯେଉଁଠାରେ ସେ ଭିଡ ରହୁଥିବା  ଗାଜିଆବାଦ - ପ୍ରୟାଗରାଜ – ଡିଡିୟୁ ମାର୍ଗର ବିକଳ୍ପ ରୂପରେ ଲକ୍ଷ୍ନୌ – ବାରାଣାସୀ - ଡିଡିୟୁ ମାର୍ଗରେ ମାଲ ପରିବହନକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ନେଇଥିଲେ ।  ତାଙ୍କ ସମୟରେ ଲକ୍ଷ୍ନୌ ଡିଭିଜନରେ ଥିବା ଷ୍ଟେସନ ଗୁଡ଼ିକରେ ଯାତ୍ରୀ ମାନଙ୍କ ସୁବିଧା ଏବଂ ସ୍ୱଚ୍ଛତା ମାନଦଣ୍ଡରେ ଯଥେଷ୍ଟ ଉନ୍ନତି ଘଟିଥିଲା ।

ଉତ୍ତର ରେଳବାଇରେ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଏବଂ ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଭାବରେ ସେ ଭିତ୍ତିଭୂମି ପ୍ରକଳ୍ପର ବିକାଶ ନିମନ୍ତେ ବହୁ ସଂଖ୍ୟକ ନୂତନ ଲାଇନ୍‌, ଟ୍ରାକର ଦୋହରୀକରଣ ଏବଂ ମଲ୍ଟି ଟ୍ରାକିଂ, ୟାର୍ଡ ରିମଡେଲିଂ, ଗୁରୁତ୍ୱପୂର୍ଣ୍ଣ ବନ୍ଧ,  ଷ୍ଟେସନ୍ ନିର୍ମାଣ ଇତ୍ୟାଦି କାର୍ଯ୍ୟ କରିଥିଲେ । ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ୍ ଏବଂ ନୂଆଦିଲ୍ଲୀ ଷ୍ଟେସନରେ ପ୍ରସିଦ୍ଧ ଆଜମିରୀ ଗେଟ୍ ପାର୍ଶ୍ୱ ଷ୍ଟେସନ୍ ବିଲ୍ଡିଂ ତାଙ୍କ ଦ୍ୱାରା ଯୋଜନା କରାଯାଇଥିଲା ଏବଂ ନିର୍ମାଣ କରାଯାଇଥିଲା । ସେ ମଧ୍ୟ ନୂଆଦିଲ୍ଲୀ ଷ୍ଟେସନର ବିଶ୍ୱ ସ୍ତରୀୟ  ଷ୍ଟେସନ୍ ଭାବରେ ସ୍ଥଳ ଏବଂ ବାୟୁ ସ୍ଥାନର ବ୍ୟବସାୟିକ ବିକାଶ ସହିତ ପୁନଃ ବିକାଶ ପାଇଁ ଯୋଜନା ସହିତ ଓତପ୍ରୋତଃ ଭାବରେ ଜଡିତ ଥିଲେ । ଶ୍ରୀ ଲାହୋଟି ଆମେରିକାର ପିଟସବର୍ଗର କାର୍ନେଜି ମେଲନ୍ ୟୁନିଭରସିଟି ; ବୋକୋନି ସ୍କୁଲ୍ ଅଫ୍ ମ୍ୟାନେଜମେଂଟ, ମିଲାନ୍‌, ଇଟାଲୀ ; ଏବଂ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜନେସ୍‌, ହାଇଦ୍ରାବାଦରେ  ଷ୍ଟ୍ରାଟେଜିକ୍ ମ୍ୟାନେଜମେଂଟ ଏବଂ ଲିଡରସିପ୍ କାର୍ଯ୍ୟକ୍ରମରେ ତାଲିମ ନେଇଛନ୍ତି । ସେ ହଂକଂ, ଜାପାନ, ୟୁକେ, ଜର୍ମାନୀ ଏବଂ ସ୍ୱିଜରଲ୍ୟାଣ୍ଡରେ ରେଳ ଜମିରେ ବ୍ୟବସାୟିକ ବିକାଶ ସହିତ ଷ୍ଟେସନର ବିକାଶ ଉପରେ ଅଧ୍ୟୟନ କରିଛନ୍ତି । ଟ୍ରାକ ଟେକ୍ନୋଲୋଜି ଏବଂ ଟ୍ରାକ ରକ୍ଷଣାବେକ୍ଷଣ ଯନ୍ତ୍ରର ବିକାଶ ସଂପର୍କରେ ସେ ଅନେକ ଦେଶ ପରିଦର୍ଶନ କରିଛନ୍ତି ।

***

SSP



 

 



(Release ID: 1887889) Visitor Counter : 187