ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଜିଠାରୁ ଆରମ୍ଭ ଭାରତର ଜି୨୦ ଅଧ୍ୟକ୍ଷତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On: 01 DEC 2022 9:59AM by PIB Bhubaneshwar

ପୂର୍ବରୁ ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ୧୭ଟି ରାଷ୍ଟ୍ର ଏହାର ଉଦ୍ଦେଶ୍ୟକୁ ସାକାର କରିବା ନିମନ୍ତେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି – ବିଶେଷ କରି ସାମୂହିକ ଆର୍ଥିକ ସ୍ଥିରତା, ଅନ୍ତରାଷ୍ଟ୍ରୀୟ ଟିକସ ବ୍ୟବସ୍ଥାର ସୁସଂଗତିକରଣ, ରାଷ୍ଟ୍ରମାନଙ୍କ ଋଣଭାର ଉପଶମ ସମେତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ଏଥିରେ ସାମିଲ । ଏହିସବୁ ସଫଳତାରୁ ଆମେ ସଭିଏଁ ଉପକୃତ ହେବୁ ଏବଂ ଏହି ଧାରାକୁ ଆଗେଇ ନେବୁ ।

କିନ୍ତୁ, ଆଜି ଯେତେବେଳେ ଭାରତ ଏହି ଗୁରୁ ଦାୟିତ୍ୱ ବହନ କରୁଛି, ମୁଁ ନିଜକୁ ନିଜେ ପ୍ରଶ୍ନ କରୁଛି – ଜି-୨୦କୁ ଆହୁରି ଆଗେଇ ନେଇ ହେବ କି? ଆମେ କ’ଣ ମୌଳିକ ମାନସିକତାକୁ ଆହୁରି ତ୍ୱରାନ୍ୱିତ କରିବାରେ ଉତ୍‌ପ୍ରେରକ ଭୂମିକା ଗ୍ରହଣ କରିପାରିବା, ଯଦ୍ୱାରା ଏଥିରୁ ସମଗ୍ର ମାନବ ସମାଜ ସାମଗ୍ରିକ ଭାବେ ଉପକୃତ ହୋଇପାରିବ ?

ମୋର ଦୃଢ଼ ବିଶ୍ୱାସ ଯେ ଆମେ ତାହା କରିପାରିବା ।

ଆମର ମାନସିକତା ଆମର ପାରିପାର୍ଶ୍ଵିକ ପରିସ୍ଥିତି ଦ୍ୱାରା ହିଁ ଗଢ଼ାହୋଇଛି । ଯଦିଚ ସମଗ୍ର ଇତିହାସରେ ମାନବ ଜାତି ସଦାସର୍ବଦା ଅଭାବ ଭିତରେ ଜୀବନ ବଞ୍ଚିଆସିଛି । ଆମେ ସୀମିତ ସମ୍ବଳ ସକାଶେ ପରସ୍ପର ମଧ୍ୟରେ ଲଢ଼େଇ କରିଛୁ, କାରଣ ଅନ୍ୟମାନଙ୍କୁ ବଞ୍ଚିତ କରିବା ଉପରେ ଆମର ଜୀବନ ନିର୍ଭରଶୀଳ । ଚିନ୍ତାଧାରା, ଆଦର୍ଶ ଓ ପରିଚୟକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ଏବଂ ପ୍ରତିଯୋଗିତା ଏକ ଧାରା ପାଲଟିଛି । 

ଦୁର୍ଭାଗ୍ୟର କଥା, ଆମେ ଆଜି ସୁଦ୍ଧା ସେହି ଅପରିବର୍ତ୍ତିତ ମାନସିକତା ମଧ୍ୟରେ ଆବଦ୍ଧ ହୋଇ ରହିଆସିଛୁ । ଆମେ ଦେଖିଛୁ ଯେତେବେଳେ ରାଷ୍ଟ୍ର - ରାଷ୍ଟ୍ର ମଧ୍ୟରେ କୌଣସି ଭୂଖଣ୍ଡ କିମ୍ବା ସମ୍ପଦ ପାଇଁ ଲଢ଼େଇ ଚାଲେ । ଆମେ ଦେଖିଛୁ ଯେତେବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣକୁ ଅସ୍ତ୍ର ରୂପେ ବ୍ୟବହାର କରାଯାଏ । ପୁଣି ଆମେ ଦେଖୁ କିଛି ବ୍ୟକ୍ତିବିଶେଷଙ୍କ ନିକଟରେ ପ୍ରତିଷେଧକ ଟିକା ମହଜୁଦ ଥାଏ, ଯେତେବେଳେକି କୋଟି କୋଟି ଲୋକ ଆପଦାଗ୍ରସ୍ତ ଅବସ୍ଥାରେ ରହିଥାନ୍ତି ।

କେହି କେହି ଯୁକ୍ତି ବାଢ଼ିପାରନ୍ତି ଯେ ବିବାଦ ଏବଂ ଲୋଭ ହେଉଛି ମଣିଷର ମୌଳିକ ସ୍ୱଭାବ । ମୁଁ ସେଭଳି ଯୁକ୍ତି ସହ ସହମତ ନୁହେଁ । ଯଦି ମଣିଷ ସ୍ୱଭାବତଃ ସ୍ୱାର୍ଥପର ହୋଇଥାଆନ୍ତା, ତେବେ ଏତେସବୁ ଆଧ୍ୟାତ୍ମିକ ପରମ୍ପରାରେ ଐକ୍ୟର ବାର୍ତ୍ତା କେମିତି ସମ୍ଭବ ହୋଇଥାନ୍ତା ?

ସେହିଭଳି ଗୋଟିଏ ପରମ୍ପରା, ଯାହାକି ଭାରତରେ ବେଶ୍ ଲୋକପ୍ରିୟ ଏବଂ ତାହା ହେଉଛି ସମସ୍ତ ଜୀବନ୍ତ ପ୍ରାଣୀ ଏପରିକି ନିର୍ଜୀବ ପଦାର୍ଥ, ସେହି ପାଞ୍ଚଗୋଟି ମୂଳ ତତ୍ତ୍ୱରୁ ହିଁ ଉତ୍ପନ୍ନ ଯାହାକୁ ଆମେ ପଞ୍ଚତତ୍ତ୍ୱ ବୋଲି କହୁ ଏବଂ ସେଗୁଡ଼ିକ ହେଲା - ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ । ଏହି ସକଳ ତତ୍ତ୍ୱ ମଧ୍ୟରେ ସନ୍ତୁଳନ ଓ ସମନ୍ୱୟ ରକ୍ଷା ଆମର ପାର୍ଥିବ, ସାମାଜିକ ଏବଂ ପାରିବେଶିକ ସୁସ୍ଥତା ନିମନ୍ତେ ଏକାନ୍ତ ଅପରିହାର୍ଯ୍ୟ । 

ଭାରତର ଜି-୨୦ ସଂଗଠନର ଅଧ୍ୟକ୍ଷତା ଏହି ସାର୍ବଜନୀନ ଏକତ୍ୱର ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବ । ତେଣୁ ଆମର ମୂଳ ପ୍ରସଙ୍ଗ ହେଉଛି – “ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ” ।

ଏହା କେବଳ ଏକ ସ୍ଲୋଗାନ ନୁହେଁ । ଏହା ସମ୍ପ୍ରତି ମାନବୀୟ ପରିସ୍ଥିତିରେ ଘଟୁଥିବା ପରିବର୍ତ୍ତନକୁ ମଧ୍ୟ ପ୍ରଦର୍ଶିତ କରୁଛି ଯାହାକୁ ଆମେ ସାମୂହିକ ଭାବେ ସ୍ଵୀକାର କରିବାରେ ବିଫଳ ହୋଇଛୁ ।

ଆଜି, ଆମେ ବିଶ୍ୱର ସମସ୍ତ ମାନବ ସମାଜ ନିମନ୍ତେ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ ପାଇଁ ଉତ୍ପାଦନ କରିବା ଲାଗି ସକ୍ଷମ । ଆଜି, ଆମେ ନିଜର ବଞ୍ଚିରହିବାର ସ୍ଥିତି ନିମନ୍ତେ ଆଉ ସଂଘର୍ଷ କରିବାର କୌଣସି ଆବଶ୍ୟକତା ନାହିଁ । ଆମ ସମୟ ଏକ ଯୁଦ୍ଧର କାଳ ହେବା ଅନୁଚିତ । ଏହା ବାସ୍ତବ ସତ୍ୟ, ଏହା କଦାଚିତ୍ ହେବା ଉଚିତ ନୁହେଁ!

ଆଜି, ଆମେ ଯେଉଁ ବୃହତ୍ ବିପଦର ସାମ୍ନା କରୁଛୁ – ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଏବଂ ବୈଶ୍ୱିକ ମହାମାରୀ- ପରସ୍ପର ମଧ୍ୟରେ ବିବାଦରେ ଲିପ୍ତ ରହିଲେ ଏସବୁ ସମସ୍ୟାକୁ କଦାପି ସମାଧାନ କରିହେବନାହିଁ, ବରଂ ମିଳିତ ଭାବେ ସେସବୁର ମୁକାବିଲା କରିବା ଆବଶ୍ୟକ । 

ସୌଭାଗ୍ୟର କଥା, ଆଜିର ପ୍ରଯୁକ୍ତି ବିଦ୍ୟା ମଧ୍ୟ ସମଗ୍ର ମାନବ ଜାତି ପାଇଁ ଏହିସବୁ ସମସ୍ୟାର ମୁକାବିଲା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଛି । ଭର୍ଚୁଆଲ୍ ଦୁନିଆରେ ଆମ ମାନଙ୍କ ଉପସ୍ଥିତି ଡିଜିଟାଲ ପ୍ରଯୁକ୍ତିର ବିଶାଳ ଆକାରକୁ ପ୍ରଦର୍ଶିତ କରୁଛି । 

ବିଶ୍ୱର ଏକ ଷଷ୍ଠାଂଶ ଲୋକଙ୍କ ନିବାସ ସ୍ଥଳୀ, ତାହା ପୁଣି ବ୍ୟାପକ ଭାଷା, ଧର୍ମ, ପରମ୍ପରା ଓ ବିଶ୍ୱାସଗତ ବିଭିନ୍ନତା ସତ୍ତ୍ୱେ ; ସେହି ଦୃଷ୍ଟିରୁ ବିଚାର କଲେ ଭାରତ ହେଉଛି ଏକ କ୍ଷୁଦ୍ର ବିଶ୍ୱ ।

ସାମୂହିକ ନିଷ୍ପତ୍ତି ଗ୍ରହଣର ପ୍ରାଚୀନତମ ପରମ୍ପରା ହେଉଛି ଗଣତନ୍ତ୍ରର ମୌଳିକ ଡିଏନଏକୁ ଭାରତର ଅବଦାନ । ଗଣତନ୍ତ୍ରର ଜନନୀଭାବେ, ଭାରତର ରାଷ୍ଟ୍ରୀୟ ସହମତି କୌଣସି ଆଦେଶ ବଳରେ ନୁହେଁ, ବରଂ କୋଟି କୋଟି ନାଗରିକଙ୍କ ମୁକ୍ତ କଣ୍ଠରୁ ନିସୃତ ସ୍ୱର ହିଁ ଏହାର ସ୍ୱରୂପ ।

ଆଜି, ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଦୃଷ୍ଟିରୁ ଭାରତ ହେଉଛି ବିଶ୍ୱର ବିଶାଳତମ ରାଷ୍ଟ୍ର । ଆମର ନାଗରିକ କୈନ୍ଦ୍ରିକ ସୁଶାସନର ମଡେଲ ସବୁଠାରୁ ଅବହେଳିତ ନାଗରିକଙ୍କର ମଧ୍ୟ ଯତ୍ନ ନିଏ ଓ ସେମାନଙ୍କୁ ସୁରକ୍ଷା ପ୍ରଦାନ କରେ । ଆଉ ମଧ୍ୟ ଏହା ଆମ ବିଚକ୍ଷଣ ବୁଦ୍ଧିମତ୍ତାଯୁକ୍ତ ଯୁବଗୋଷ୍ଠୀଙ୍କ ସୃଜନଶୀଳତାର ପରିପ୍ରକାଶ ପାଇଁ ଯତ୍ନବାନ ହୋଇଥାଏ । 

ଆମେ କେତେବେଳେ ଉପରୁ ତଳ ଶାସନ ବ୍ୟବସ୍ଥା ଜରିଆରେ ରାଷ୍ଟ୍ରୀୟ ବିକାଶର ପରିକଳ୍ପନା କରିନାହୁଁ, ବରଂ ଏହା ସର୍ବଦା ଏକ ନାଗରିକ ନେତୃତ୍ୱାଧୀନ ‘ଜନ ଆନ୍ଦୋଳନ’ ।

ଜନସାଧାରଣଙ୍କ ପାଇଁ ଡିଜିଟାଲ ଉତ୍ପାଦ ସୃଷ୍ଟି କରିବାରେ ଆମେ ସଦାବେଳେ ପ୍ରଯୁକ୍ତିକୁ ପ୍ରାଧାନ୍ୟ ଦେଇଆସିଛୁ ଏବଂ ତାହା ମୁକ୍ତ ଓ ସମାବେଶୀ । ସାମାଜିକ ସୁରକ୍ଷା, ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ ଇଲେକ୍ଟ୍ରୋନିକ୍ ପେମେଣ୍ଟ ଭଳି ବିଭିନ୍ନ କ୍ଷେତ୍ରରେ ତାହା ବୈପ୍ଳବିକ ପ୍ରଗତି ହାସଲ କରିବା ସହିତ ଲୋକମାନଙ୍କୁ ଏହାର ସୁଫଳ ପ୍ରଦାନ କରିଛି । 

ଏହିସବୁ କାରଣ ଯୋଗୁଁ, ଭାରତର ଅନୁଭୂତି ବୈଶ୍ୱିକ ସମସ୍ୟାବଳୀର ସମାଧାନ ନିମନ୍ତେ ଉପାୟ ବାହାର କରିବାରେ ସହାୟକ ହୋଇପାରିବ ।

ଜି-୨୦ ଅଧ୍ୟକ୍ଷତା ଅବଧି ମଧ୍ୟରେ, ଆମେ ଭାରତର ସ୍ୱକୀୟ ଅନୁଭୂତି, ଅଧ୍ୟୟନ ଏବଂ ମଡେଲଗୁଡ଼ିକୁ ଅନ୍ୟମାନଙ୍କ ପାଇଁ, ବିଶେଷ କରି ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ଉଦାହରଣ ଭାବେ ଉପସ୍ଥାପନ କରିବୁ ।

ଜି-୨୦ରେ ଆମର ଅଗ୍ରାଧିକାର କେବଳ ଜି-୨୦ ସହଯୋଗୀ ରାଷ୍ଟ୍ରଙ୍କ ସହିତ ବିଚାରବିମର୍ଶ ଭିତ୍ତିରେ ନୁହେଁ ବରଂ ଆମର ସହଗାମୀ ବିଶ୍ୱର ଦକ୍ଷିଣ ଗୋଲାର୍ଦ୍ଧର ରାଷ୍ଟ୍ର, ଯେଉଁମାନଙ୍କ ସ୍ୱର ପ୍ରାୟତଃ କର୍ଣ୍ଣଗୋଚର ହୋଇନଥାଏ, ସେମାନଙ୍କୁ ମଧ୍ୟ ଏଥିରେ ସାମିଲ କରିବୁ ।

ଆମେ ‘ଏକ ବିଶ୍ୱ’ର ସମସ୍ୟା ସମାଧାନ ଉପରେ ଅଗ୍ରାଧିକାର ପ୍ରଦାନ କରିବୁ । ଏଥି ସହିତ ଆମର ‘ଏକ ପରିବାର’ ଭିତରେ ସମନ୍ଵୟ ରକ୍ଷାପୂର୍ବକ ଭବିଷ୍ୟତ ଆଶା ଚରିତାର୍ଥ କରିବୁ । ବିଶ୍ୱର ଅସୁସ୍ଥତାକୁ ଦୂର କରିବା ନିମନ୍ତେ ଆମେ ପୋଷଣୀୟ ଏବଂ ପରିବେଶ ଅନୂକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବୁ ଯାହାକି ପ୍ରକୃତି ପ୍ରତି ଭାରତର ‘ପ୍ରତିବଦ୍ଧତା’ ଆଧାରରେ ହେବ ।

ମାନବୀୟ ପରିବାର ମଧ୍ୟରେ ସମନ୍ୱୟକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆମେ ବୈଶ୍ୱିକ ଖାଦ୍ୟ, ସାର ଏବଂ ଔଷଧୀୟ ଉତ୍ପାଦ ଯୋଗାଣକୁ ରାଜନୀତିମୁକ୍ତ ରଖିବା ନିମନ୍ତେ ଆହ୍ୱାନ ଜଣାଇବୁ ଯଦ୍ୱାରା ଭୂ-ରାଜନୈତିକ କାରଣରୁ ମାନବୀୟ ସଂକଟ ଉପନୀତ ହେବନାହିଁ । ଆମ ନିଜ ପରିବାର ଭଳି, ଯାହାର ଆବଶ୍ୟକତା ସର୍ବାଧିକ ତାଙ୍କ ପ୍ରତି ଯେଉଁଭଳି ଆମେ ପ୍ରଥମେ ଚିନ୍ତା କରିଥାଉ, ତାହାର ଅନୁରୂପ ପ୍ରଦର୍ଶନ ପାଇଁ ଆମେ ପ୍ରୟାସୀ ହେବୁ ।

ଆମର ଭବିଷ୍ୟତ ବଂଶଧରମାନଙ୍କ ମନରେ ଆଶା ସଂଚାରିବା ନିମନ୍ତେ ଗଣବିଧ୍ୱଂସୀ ମାରଣାସ୍ତ୍ର ଏବଂ ବୈଶ୍ୱିକ ନିରାପତ୍ତା ପ୍ରତି ଉତ୍ପନ୍ନ ବିପଦର ଆଶଙ୍କାକୁ ଦୂର କରିବା ଲାଗି ଆମେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ଅପୋଷ ଆଲୋଚନା କରିବା ପାଇଁ ପ୍ରୋତ୍ସାହିତ କରିବୁ ।

ଭାରତର ଜି-୨୦ କାର୍ଯ୍ୟସୂଚୀ ହେବ ସମାବେଶୀ, ଆକାଂକ୍ଷୀ, କ୍ରିୟାଶୀଳ ଓ ନିଷ୍ପତ୍ତି ଭିତ୍ତିକ । 

ଆସନ୍ତୁ, ଭାରତର ଜି-୨୦ ଅଧ୍ୟକ୍ଷତାକୁ ଉପଶମ, ସମନ୍ଵୟ ଓ ଆଶାର ଅଧ୍ୟକ୍ଷତାରେ ପରିଣତ କରିବା ନିମନ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା । 

ଆସନ୍ତୁ, ଏକ ମାନବକୈନ୍ଦ୍ରିକ ଜଗତିକରଣର ନୂତନ ଆଦର୍ଶକୁ ରୂପ ପ୍ରଦାନ କରିବା ନିମନ୍ତେ ପରସ୍ପର ସହ ହାତ ମିଳାଇ କାର୍ଯ୍ୟ କରିବା ।

 

*****

 



(Release ID: 1880607) Visitor Counter : 234