ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଲିର ଜି-୨୦ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ


ଅଧିବେଶନ-1: ଖାଦ୍ୟ ଓ ଶକ୍ତି ସୁରକ୍ଷା

Posted On: 15 NOV 2022 10:25AM by PIB Bhubaneshwar

ନମସ୍କାର,

ଏକ ଆହ୍ୱାନମୂଳକ ବୈଶ୍ୱିକ ବାତାବରଣ ମଧ୍ୟରେ ଜି-୨୦ର ଦୃଢ ନେତୃତ୍ୱ ନେଇଥିବା ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଜଳବାୟୁ ପରିବର୍ତ୍ତନ, କୋଭିଡ ବୈଶ୍ୱିକ ମହାମାରୀ, ୟୁକ୍ରେନ ଘଟଣାକ୍ରମ ଓ ବିଶ୍ୱର ଅନ୍ୟାନ୍ୟ ଘଟଣାବଳୀ ବିଶ୍ୱରେ ଧ୍ୱଂସ ଲୀଳା ରଚିଛି । ବିଶ୍ୱ ଯୋଗାଣ ବ୍ୟବସ୍ଥା ଧ୍ୱଂସ ହୋଇଯାଇଛି । ସମଗ୍ର ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ନେଇ ଜଟିଳ ପରିସ୍ଥିତି ଉପୁଜିଛି । ପ୍ରତ୍ୟେକ ଦେଶର ଗରିବ ନାଗରିକମାନଙ୍କ ନିମନ୍ତେ ପରିସ୍ଥିତି ଖୁବ୍ କଠିନ । ଦୈନନ୍ଦିନ  ଜୀବନ  ସେମାନଙ୍କ ପାଇଁ ଏକ ସଂଗ୍ରାମ ଭଳି । ଦିପଟୁ ମାଡ ସହିବା ପାଇଁ ସେମାନଙ୍କ ପାଖରେ ଆର୍ଥିକ ସାମର୍ଥ୍ୟ ନାହିଁ । ଦିପଟୁ ଅସୁବିଧାର ମୁକାବିଲା କରିବା ପାଇଁ ସେମାନଙ୍କର ଆର୍ଥିକ ସାମର୍ଥ୍ୟର ଅଭାବ ରହିଛି । ଆମେ ଏକଥା ମଧ୍ୟ ଅସ୍ୱୀକାର କରିପାରିବା ନାହିଁ ଯେ ଜାତିସଂଘ ଭଳି ବହୁଦେଶୀୟ ଅନୁଷ୍ଠାନ ଏହାର ମୁକାବିଲା କରିବାରେ ଅସଫଳ ହୋଇଛି । ଏଥିରେ ସକାରାତ୍ମକ ସଂସ୍କାର ଆଣିବାରେ ଆମେ ସମସ୍ତେ ବିଫଳ ହୋଇଛୁ । ସେଥିପାଇଁ ଆଜି ବିଶ୍ୱ ଜି-୨୦ ଠାରୁ ଅନେକ ଆଶା ରଖିଛି ।

ମହାମହିମ ଗଣ,

ମୁଁ ବାରମ୍ବାର କହିଛି ଯେ ଆମକୁ ୟୁକ୍ରେନରେ ଯୁଦ୍ଧ ବିରତି ଓ କୂଟନୀତିକ କଥାବାର୍ତ୍ତାର ରାସ୍ତା ବାହାର କରିବାକୁ ହେବ । ଗତ ଶତାବ୍ଦୀରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବିଶ୍ୱକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲା । ତତ୍କାଳୀନ ନେତୃବୃନ୍ଦ ସେତେବେଳେ ଶାନ୍ତିର ପଥ ଖୋଜିବା ଦିଗରେ ଅକ୍ଳାନ୍ତ ଉଦ୍ୟମ କରିଥିଲେ । ଏବେ ଆମ ବେଳ କିଛି କରିବା ପାଇଁ । କୋଭିଡ ପରେ ବିଶ୍ୱସ୍ଥିତି ସଜାଡିବା ପାଇଁ ଦାୟିତ୍ୱ ଆମ ଉପରେ ନ୍ୟସ୍ତ ହୋଇଛି । ବିଶ୍ୱରେ ଶାନ୍ତି, ସଦ୍‌ଭାବ ଓ ନିରାପତ୍ତା ପାଇଁ ସମ୍ବଳିତ ସଂକଳ୍ପ ଓ ସମୁଚିତ ପଦକ୍ଷେପ ହେଉଛି ବର୍ତ୍ତମାନର ଆବଶ୍ୟକତା। ମୋ ଦୃଢ ବିଶ୍ୱାସ ଯେ ଆସନ୍ତାବର୍ଷ ଯେତେବେଳେ ଜି-୨୦ ଶିଖର ସମ୍ମିଳନୀ ବୁୁଦ୍ଧ ଓ ଗାନ୍ଧୀଙ୍କ ପବିତ୍ର ମାଟିରେ ହେବ, ଆମେ ବିଶ୍ୱକୁ ଶାନ୍ତିର ଏକ ମଜବୁତ ବାର୍ତ୍ତା ଦେଇପାରିବା ।

 

 

 ମହାମହିମ ଗଣ,

ବୈଶ୍ୱିକ ମହାମାରୀ କାଳରେ ଭାରତ ଏହାର ୧୩୦କୋଟି ନାଗରିକଙ୍କ ନିମନ୍ତେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଥିଲା । ତା’ ସହ ଆବଶ୍ୟକ କରୁଥିବା ଅନେକ ଦେଶକୁ ମଧ୍ୟ ଖାଦ୍ୟଶସ୍ୟ ଯୋଗାଇଥିଲା । ଖାଦ୍ୟ ସୁରକ୍ଷା ପାଇଁ ବର୍ତ୍ତମାନ ସାରର ଅଭାବ ମଧ୍ୟ ଏକ ବିରାଟ ସମସ୍ୟା । ଆଜିର ସାର ସମସ୍ୟା ଆସନ୍ତାକାଲିର ଖାଦ୍ୟ ଜଟିଳତା ଯେଉଁଥିପାଇଁ ଆଜି ବିଶ୍ୱ ନିକଟରେ କୌଣସି ସମାଧାନ ନାହିଁ । ଆମକୁ ଏକ ସହଯୋଗଭିତ୍ତିକ ରାଜିନାମା ବଳରେ ଉଭୟ ସାର ଓ ଖାଦ୍ୟଶସ୍ୟ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବା ଉଚିତ । ଭାରତରେ ସ୍ଥାୟୀ ଓ ନିରନ୍ତର ଖାଦ୍ୟ ସୁରକ୍ଷା ନିମନ୍ତେ ଆମେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେଉଛୁ ଓ ମିଲେଟ ଭଳି ପୁଷ୍ଟିକର ଓ ପାରମ୍ପରିକ ଖାଦ୍ୟଶସ୍ୟ ପୁନଃ ଲୋକପ୍ରିୟ କରାଉଛୁ  । ମିଲେଟ ବା ବାଜରା ଜାତୀୟ ଶସ୍ୟ ବୈଶ୍ୱିକ ପୁଷ୍ଟିହୀନତା ଓ କ୍ଷୁଧା ସମସ୍ୟାର ସମାଧାନ କରିପାରିବ । ଆସନ୍ତାବର୍ଷ ଆମେ ସମସ୍ତେ ନିଶ୍ଚିତ ଭାବେ ଆନ୍ତର୍ଜାତିକ ମିଲେଟ ବର୍ଷକୁ ଖୁବ୍ ଧୂମଧାମରେ ପାଳନ କରିବା ।

ମହାମହିମଗଣ

ଭାରତ ବିଶ୍ୱର ଦ୍ରୁତତମ ଆର୍ଥିକ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଥିବାରୁ ଭାରତର ଶକ୍ତି ସୁରକ୍ଷା ମଧ୍ୟ ବୈଶ୍ୱିକ ଅଭିବୃଦ୍ଧି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ । ଆମେ ନିଶ୍ଚିତଭାବେ ଶକ୍ତିର ଯୋଗାଣ ଉପରେ କୌଣସି କଟକଣା ଲଗାଇବା ଅନୁଚିତ ଓ ଶକ୍ତି ବଜାରକୁ ମଜବୁତ କରି ରଖିବା ନିତ୍ୟାନ୍ତ ଆବଶ୍ୟକ । ଭାରତ ସ୍ୱଚ୍ଛ ଶକ୍ତି ଓ ପରିବେଶ ପାଇଁ ଅଙ୍ଗୀକାରବଦ୍ଧ । ୨୦୩୦ ସୁଦ୍ଧା ଆମର ବିଦ୍ୟୁତ ଉତ୍ପାଦନର ଅର୍ଦ୍ଦେକ ଅକ୍ଷୟ ଶକ୍ତି ଉତ୍ସରୁ ହେବ । ସାମଗ୍ରିକ ଶକ୍ତିର ଅବସ୍ଥାନ୍ତର ନିମନ୍ତେ ସମୟପଯୋଗୀ ଓ କମ୍ ବ୍ୟୟସାପେକ୍ଷ ଆର୍ଥିକ ସହାୟତା   ଓ ନିରନ୍ତର ପ୍ରଯୁକ୍ତି ବିଦ୍ୟା ପ୍ରଦାନ ବିକାଶଶୀଳ ରାଷ୍ଟ୍ରଗୁଡିକୁ କରାଯିବା ଆବଶ୍ୟକ ।

ମହାମହିମଗଣ,

ଜି-୨୦ରେ ଭାରତରେ ସଭାପତିତ୍ୱ କାଳରେ ଆମେ ଏହି ସମସ୍ତ ସମସ୍ୟା ନେଇ ବୈଶ୍ୱିକ ସହମତିରେ କାର୍ଯ୍ୟ କରିବୁ ।

ଧନ୍ୟବାଦ ।

*****

SM/SLP

 



(Release ID: 1876244) Visitor Counter : 162