ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ଓଏମସି) ଦ୍ବାରା କିଣାଯିବାକୁ ଥିବା ଇଥାନଲ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି


ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ କିଣାଯିବ ଇଥାନଲ

୨୦୨୨-୨୩ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ପାଇଁ ରାଷ୍ଟ୍ରାୟତ୍ତ ଓଏମସିଗୁଡ଼ିକୁ ଦିଆଯିବାକୁ ଥିବା ଇଥାନଲ ଦରରେ ସଂଶୋଧନ

Posted On: 02 NOV 2022 3:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଇଥାନଲ ଦର ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଆଖୁର ବିଭିନ୍ନ କଞ୍ଚାମାଲରୁ ଇଥାନଲ ପ୍ରସ୍ତୁତ ହୋଇଥାଏ। ୧ ଡିସେମ୍ବର ୨୦୨୨ରୁ ୩୧ ଅକ୍ଟୋବର ୨୦୨୩ ମଧ୍ୟରେ ପଡ଼ୁଥିବା ଇଥାନଲ ଯୋଗାଣ ବର୍ଷ (ଇଏସୱାଇ)୨୦୨୨-୨୩ ସମୟରେ ଆଗାମୀ ୨୦୨୨-୨୩ ଚିନି ଋତୁ ପାଇଁ ଇବିପି କାର୍ଯ୍ୟକ୍ରମ ଅଧୀନରେ ଏହି ଦରବୃଦ୍ଧି କରାଯାଇଛି । ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରାୟତ୍ତ ତୈଳ ବିପଣ କମ୍ପାନୀ (ଓଏମସି) ଦ୍ବାରା ଇଥାନଲ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି ମିଳିଛି ।

  1. ସି ହେଭୀ ମୋଲାସେସ (ତରଳ) ମାର୍ଗରେ ଉତ୍ପନ୍ନ ହେଉଥିବା ଇଥାନଲ ଦର ଲିଟର ପିଛା ୪୯.୪୧ ଟଙ୍କାରୁ ଲିଟର ପିଛା ୪୬.୬୬ ଟଙ୍କାକୁ ବୃଦ୍ଧି କରାଯାଇଛି ।
  2. ବି ହେଭି ମୋଲାସେସ ମାର୍ଗରେ ଉତ୍ପନ୍ନ ଇଥାନଲ ଦର ଲିଟର ପିଛା ୫୯.୦୮ ଟଙ୍କାରୁ ଲିଟର ପିଛା ୬୦.୭୩ ଟଙ୍କାକୁ ବୃଦ୍ଧି କରାଯାଇଛି ।
  • III. ଆଖୁ ରସ/ଚିନି/ଚିନି ରସ ମାର୍ଗରେ ଉତ୍ପାଦିତ ହେଉଥିବା ଇଥାନଲ ଦର ଲିଟର ପିଛା ୬୩.୪୫ ଟଙ୍କାରୁ ଲିଟର ପିଛା ୬୫.୬୧ ଟଙ୍କାକୁ ବୃଦ୍ଧି କରାଯାଇଛି ।
  1. ଏହା ଅତିରିକ୍ତ, ଜିଏସଟି ଏବଂ ପରିବହନ ଶୁଳ୍କ ମଧ୍ୟ ଦେବାକୁ ପଡ଼ିବ ।

 

ସବୁ ଡିଷ୍ଟିଲେରୀଗୁଡ଼ିକ ଏହି ଯୋଜନାର ଲାଭ ପାଇବା ଲାଗି ସକ୍ଷମ ହେବେ ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ଇବିପି କାର୍ଯ୍ୟକ୍ରମର ପାଇଁ ଇଥାନଲ ଯୋଗାଣ କରିବେ ବୋଲି ଆଶା କରାଯାଉଛି । ଇଥାନଲ ଯୋଗାଣକାରୀମାନଙ୍କୁ ପାରିଶ୍ରମିକ ଦିଆଯିବା ପରେ ଆଖୁ ଚାଷୀଙ୍କ ବକେୟା ପାଉଣା ତୁରନ୍ତ ମିଳିପାରିବ ବୋଲି ଆଶା କରାଯାଉଛି । ଏହା ଆଖୁ ଚାଷୀଙ୍କ ସମସ୍ୟା ଦୂର କରିବାରେ ସହାୟକ ହେବ ।

ସରକାର ଇଥାନଲ ମିଶ୍ରିତ ପେଟ୍ରୋ (ଇବିପି) କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି ଯେଉଁଥିରେ ଓଏମସି ବା ତୈଳ ବିପଣନ କମ୍ପାନୀଗୁଡ଼ିକ ପେଟ୍ରୋଲରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶ୍ରଣ କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ଶାସିତ ପ୍ରଦେଶ ଆଣ୍ଡାମାନ ନିକୋବାର ଏବଂ ଲାକ୍ଷାଦ୍ବୀପକୁ ଛାଡ଼ି ଦେଲେ ସାରା ଭାରତରେ କାର୍ଯ୍ୟକାରୀ କରାଯାଉଛି । ବିକଳ୍ପ ଏବଂ ପରିବେଶ ଅନୁକୂଳ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ କରିବା ଲାଗି ୧ ଏପ୍ରିଲ ୨୦୧୯ ଠାରୁ ଇବିପି କାର୍ଯ୍ୟକ୍ରମ ଲାଗୁ ହୋଇଛି । ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭରଶୀଳତାକୁ କମାଇବା ଏବଂ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

୨୦୧୪ ପରଠାରୁ ଇଥାନଲର ପ୍ରଶାସନିକ ମୂଲ୍ୟ ସଂକ୍ରାନ୍ତରେ ସରକାର ବିଜ୍ଞପ୍ତି ଜାରି କରିସାରିଛନ୍ତି । ୨୦୧୮ରେ ପ୍ରଥମ ଥର ପାଇଁ, ଇଥାନଲ ଉତ୍ପାଦନ ଲାଗି ଉପଯୋଗ କରାଯିବାକୁ ଥିବା ଫିଡଷ୍ଟକ୍‌ ଆଧାରରେ ଇଥାନଲର ଭିନ୍ନ ଭିନ୍ନ ମୂଲ୍ୟ ସରକାର ଘୋଷଣା କରିଥିଲେ । ଏହିସବୁ ନିଷ୍ପତ୍ତି ଇଥାନଲର ଯୋଗାଣରେ ଉଲ୍ଲେଖନୀୟ ସୁଧାର ଆଣିଥିଲା । ଏହାର ପରିଣାମସ୍ବରୂପ,  ତୈଳ ବିପଣନ କମ୍ପାନୀମାନେ ଅଧିକ ମାତ୍ରାରେ ଇଥାନଲ କିଣିଥିଲେ । ୨୦୧୩-୧୪ ଇଥାନଲ ଯୋଗାଣ ବର୍ଷରେ ଇଥାନଲ କ୍ରୟ ପରିମାଣ ୩୮ କୋଟି ଲିଟରରୁ ବୃଦ୍ଧି ପାଇ ବର୍ତ୍ତମାନ ୨୦୨୧-୨୨ ଇଥାନଲ ଯୋଗାଣ ବର୍ଷରେ ୪୫୨ କୋଟି ଲିଟରରେ ପହଞ୍ଚିଛି (ଇଏସୱାଇ – ବର୍ତ୍ତମାନ ଇଥାନଲ ଯୋଗାଣ ଅବଧି ଗୋଟିଏ ବର୍ଷର ଡିସେମ୍ବର ପହିଲା ଠାରୁ ଆରମ୍ଭ କରି ପରବର୍ତ୍ତୀ ବର୍ଷର ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଧରାଯାଉଥିଲା)। ସରକାର ନଭେମ୍ବର ୨୦୨୨ ସୁଦ୍ଧା ୧୦% ଇଥାନଲ ମିଶ୍ରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ଏହାର ବହୁ ପୂର୍ବରୁ ଜୁନ୍‌ ୨୦୨୨ରେ ଏହି ଲକ୍ଷ୍ୟ ହାସଲ କରାଯାଇ ପାରିଥିଲା।

ଏହାଛଡ଼ା ସରକାର ୨୦୩୦ ସୁଦ୍ଧା ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସେହି ନିର୍ଦ୍ଧାରିତ ଲକ୍ଷ୍ୟ ଅବଧିର ସୀମାକୁ ଏବେ ୨୦୨୫-୨୬ ଇଥାନଲ ଯୋଗାଣ ବର୍ଷକୁ କମାଇ ଦେଇଛନ୍ତି ଏବଂ ‘‘ଭାରତରେ ଇଥାନଲ ମିଶ୍ରଣ ପାଇଁ ରୋଡମ୍ୟାପ ୨୦୨୦-୨୫’’କୁ ସାର୍ବଜନୀନ କରାଯାଇଛି ।

ନିକଟରେ ଗ୍ରହଣ କରାଯାଇଥିବା ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ସାମିଲ ରହିଛି : ଇଥାନଲ ଡିଷ୍ଟିଲେସନ କ୍ଷମତାକୁ ବାର୍ଷିକ ୯୨୩ କୋଟି ଲିଟରକୁ ବଢ଼ାଇବା; ଇଥାନଲ ଅଭାବ ଥିବା ରାଜ୍ୟରେ ବାର୍ଷିକ ୪୩୧ କୋଟି ଲିଟର କ୍ଷମତା ବିଶିଷ୍ଟ ଘରୋଇ ସଂସ୍ଥା ଦ୍ବାରା ସମର୍ପିତ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ଦୀର୍ଘକାଳୀନ ଅଫ-ଟେକ୍‌ ରାଜିନାମା, ଯାହାଦ୍ବାରା ଆସନ୍ତା ବର୍ଷଗୁଡ଼ିକରେ ୨୫ ହଜାରରୁ ୩୦ ହଜାର କୋଟି ଟଙ୍କାର ନିବେଶ  ଆସିବ ବୋଲି ଅନୁମାନ କରାଯାଉଛି, ରେଳବାଇ ଏବଂ ପାଇପଲାଇନ ଜରିଆରେ ଇଥାନଲ ଏବଂ ଇଥାନଲ ମିଶ୍ରିତ ପେଟ୍ରୋଲର ବହୁମୁଖି ପରିବହନ ବ୍ୟବସ୍ଥା । ଏସବୁ ପଦକ୍ଷେପ ବ୍ୟବସାୟିକ ସୁଗମତାକୁ ବଢ଼ାଇବା ସହିତ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲରେ ସହାୟକ ହୋଇପାରିବ ।

ଇଥାନଲ ଉତ୍ପାଦନ ପାଇଁ ଚିନି ହସ୍ତାନ୍ତର କରିବା ଏବଂ ଚିନି ଆଧାରିତ କଞ୍ଚାମାଲ ଯୋଗାଇ ଦେବା ସମେତ ଆଖୁ ଚାଷୀଙ୍କ ବକେୟା ପରିଶୋଧ କରିବା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ଆଖୁ ରସ ଏବଂ ବି ହେଭୀ ମୋଲାସକୁ ଇଥାନଲରେ ପରିବର୍ତ୍ତନ କରାଯିବା କାରଣରୁ ଚିନି ଋତୁ ଆରମ୍ଭରୁ ବହୁ ପରିମାଣରେ ଇଥାନଲ ଉପଲବ୍ଧ ହୋଇପାରୁଛି । ସେହିପରି ଇଥାନଲ ଯୋଗାଣ ବର୍ଷର ଅବଧିକୁ ପୁନଃପରିଭାଷିତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଏଣିକି ଗୋଟିଏ ବର୍ଷର ୧ ନଭେମ୍ବରରୁ ପରବର୍ତ୍ତୀ ବର୍ଷ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଅବଧିକୁ ଇଥାନଲ ଯୋଗାଣ ବର୍ଷ ଭାବେ ଗ୍ରହଣ କରାଯିବ । ୨୦୨୩ ନଭେମ୍ବର ପହିଲା ପରଠାରୁ ଏହି ନିୟମ ଲାଗୁ ହେବ ।  ଆହୁରି, ଆଖୁର ଉଚିତ୍‌ ଏବଂ ଲାଭଜନକ ମୂଲ୍ୟ (ଏଫଆରପି) ଏବଂ ଚିନିର ଏକ୍ସ-ମିଲ୍‌ ମୂଲ୍ୟ ପରିବର୍ତ୍ତନ କରାଯାଇଥିବା କାରଣରୁ, ବିଭିନ୍ନ ଆଖୁ ଆଧାରିତ କଞ୍ଚାମାଲରୁ ଉତ୍ପାଦିତ ହେଉଥିବା ଇଥାନଲର ଦର ସଂଶୋଧନ କରିବାର ଆବଶ୍ୟକତା ଦେଖା ଦେଇଛି ।

********

P.S.



(Release ID: 1873169) Visitor Counter : 153