ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମଧ୍ୟ ପ୍ରଦେଶର ଉଜ୍ଜୟିନୀ ସ୍ଥିତ ଶ୍ରୀ ମହାକାଳ ଲୋକ ଠାରେ ମହାକାଳ ଲୋକ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ପ୍ରଧାନମନ୍ତ୍ରୀ ଦେଶ ନିମନ୍ତେ ଉତ୍ସର୍ଗ କରିଛନ୍ତି


ପ୍ରଧାନମନ୍ତ୍ରୀ ଗର୍ଭ ଗୃହ ଭିତରେ ପୂଜା ଏବଂ ଆରତୀ କରିଛନ୍ତି

ଐତିହ୍ୟ ସଂରଚନା ଗୁଡିକର ସୁରକ୍ଷା ଏବଂ ପୁନରୁଦ୍ଧାର ପାଇଁ ଏହି ପ୍ରକଳ୍ପ ସ୍ୱତନ୍ତ୍ର ଗୁରୁତ୍ୱ ଦେବା ନିମନ୍ତେ ଲକ୍ଷ୍ୟ ରଖିଛି

ସମ୍ପୂର୍ଣ୍ଣ ପ୍ରକଳ୍ପର ସମୁଦାୟ ବ୍ୟୟ ଆକଳନ ପ୍ରାୟ ୮୫୦ କୋଟି ଟଙ୍କା

ଏଠାରେ ଏବେ ବାର୍ଷିକ ୧.୫ କୋଟି ପାଦ ଚିହ୍ନ ପଡୁଥିବା ବେଳେ ତାହାର ପରିମାଣ ଦୁଇ ଗୁଣ ହେବ ବୋଲି ଆଶା କରା ଯାଉଛି

Posted On: 11 OCT 2022 7:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଦେଶର ଉଜ୍ଜୟିନୀ ସ୍ଥିତ ଶ୍ରୀ ମହାକାଳ ଲୋକ ଠାରେ ମହାକାଳ ଲୋକ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମହାକାଳ ମନ୍ଦିରକୁ ପାରମ୍ପରିକ ପୋଷାକ ଧୋତି ପିନ୍ଧି ପହଂଚିଥିଲେ । ସେ ନନ୍ଦୀ ଦ୍ୱାର ଦେଇ ମହାକାଳ ଲୋକ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଅନ୍ତରୀଣ ଗର୍ଭଗୃହରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ସେଠାରେ ପୂଜା ଏବଂ ଆରତୀ କରିଥିଲେ । ପ୍ରଧାନମନ୍ତ୍ରୀ କିଛି ସମୟ ଧ୍ୟାନରେ ବସି ମନ୍ତ୍ର ଗୁଡିକୁ ଜପ କରିଥିଲେ । ଏହି ମହତ୍ୱପୂର୍ଣ୍ଣ ଅବସରର ଆଧ୍ୟାତ୍ମିକ ମହତ୍ୱକୁ ଜାରି ରଖି ଶ୍ରୀ ମୋଦୀ ପବିତ୍ର ନନ୍ଦୀ ମୂର୍ତ୍ତିଙ୍କର ନିକଟରେ ମଧ୍ୟ ବସିଥିଲେ ଏବଂ କର ଯୋଡି ପ୍ରାର୍ଥନା କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମହାକାଳ ଲୋକକୁ ଦେଶକୁ ଉତ୍ସର୍ଗ କରି ଫଳକକୁ ଅନାବରଣ କରିଥିଲେ । ପ୍ରଧାନମନ୍ତ୍ରୀ ମନ୍ଦିରର ସାଧୁ ମାନଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ ଏବଂ ସେମାନଙ୍କ ସହିତ ସେ ସଂକ୍ଷେପରେ ଆଲୋଚନା ମଧ୍ୟ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମହାକାଳ ଲୋକ ମନ୍ଦିର ପରିସରରେ ଚାଲି ଚାଲି ବୁଲିଥିଲେ, ପରିଦର୍ଶନ କରିଥିଲେ ଏବଂ ସପ୍ତର୍ଷି ମଣ୍ଡଳ , ମଣ୍ଡପମ୍‌, ତ୍ରିପୁରାସୁର ବଧ ଏବଂ ନବଗଡକୁ ବୁଲି ଦେଖିଥିଲେ । ପ୍ରଧାନମନ୍ତ୍ରୀ କାନ୍ଥରେ ହୋଇଥିବା ଚିତ୍ର ମଧ୍ୟ ଦେଖିଥିଲେ, ଯେଉଁଥିରେ ଶିବ ପୁରାଣରେ ବର୍ଣ୍ଣିତ ଅନେକ କାହାଣୀ, ଯେମିତିକି ସୃଷ୍ଟି ଗଢ଼ାଯିବାର କାର୍ଯ୍ୟ, ଗଣେଷଙ୍କର ଜନ୍ମ ବୃତ୍ତାନ୍ତ, ସତୀ ଏବଂ ଦକ୍ଷଙ୍କର କାହାଣୀ ଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ଶ୍ରୀ ମୋଦୀ ଏହା ପରେ ଏହି ଅବସରରେ ପ୍ରଦର୍ଶିତ କରା ଯାଇଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ । ସେ ମାନସରୋବର ଠାରେ ମାଲଖମ୍ବ ପ୍ରଦର୍ଶନ ମଧ୍ୟ ଦେଖିଥିଲେ । ଏହା ପରେ ସେ ଭାରତ ମାତା ମନ୍ଦିର ମଧ୍ୟ ଦର୍ଶନ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ଅବସରରେ ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଦେଶର ଉଜ୍ଜୟିନୀ ସ୍ଥିତ ଶ୍ରୀ ମହାକାଳ ଲୋକ ଠାରେ ମହାକାଳ ଲୋକ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଦେଶକୁ ଉତ୍ସର୍ଗ କରିଥିଲେ । ମହାକାଳ ଲୋକ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ, ବିଶ୍ୱ ସ୍ତରୀୟ ଆଧୁନିକ ସୁବିଧା ଗୁଡିକ ପ୍ରଦାନ କରି ଏହି ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀ  ମାନଙ୍କର ଅନୁଭବକୁ ସମୃଦ୍ଧ କରିବାରେ ସହାୟତା କରିବ । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଏହି ସମଗ୍ର ଅଂଚଳରେ ଲାଗି ରହୁଥିବା ଭିଡକୁ କମ୍ କରିବା ଏବଂ ଐତିହ୍ୟ ସଂରଚନା ଗୁଡିକର ସଂରକ୍ଷଣ ଏବଂ ପୁନରୁଦ୍ଧାର ଉପରେ ସ୍ୱତନ୍ତ୍ର ରୂପରେ ଗୁରୁତ୍ୱ ଦେବା । ଏହି ପ୍ରକଳ୍ପ ଅଧୀନରେ ମନ୍ଦିର ପରିସରକୁ ପାଖାପାଖି ସାତ ଗୁଣ ବିସ୍ତାର କରା ଯିବ । ଏହି ସମ୍ପୂର୍ଣ୍ଣ ପ୍ରକଳ୍ପର ମୋଟ ଆକଳିତ ବ୍ୟୟ ପ୍ରାୟ ୮୫୦ କୋଟି ଟଙ୍କା ଅଟେ । ଏଠାରେ ଏବେ ବାର୍ଷିକ ୧.୫ କୋଟି ପାଦ ଚିହ୍ନ ପଡୁଥିବା ବେଳେ ତାହାର ପରିମାଣ ଦୁଇ ଗୁଣ ହେବ ବୋଲି ଆଶା କରା ଯାଉଛି । ଏହି ଉନ୍ନୟନ ମୂଳକ କାର୍ଯ୍ୟକୁ ଦୁଇଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ କରା ଯିବା ପାଇଁ ଯୋଜନା ରହିଛି ।

ଏଠାରେ ମହାକାଳ ପଥରେ ୧୦୮ଟି ସ୍ତମ୍ଭ (ଖମ୍ବ) ରହିଛି, ଯାହା ଭଗବାନ ଶିବଙ୍କର ଆନନ୍ଦ ତାଣ୍ଡବ ସ୍ୱରୂପ (ନୃତ୍ୟ ରୂପ)କୁ ଦର୍ଶାଇ ଥାଏ । ମହାକାଳ ପଥ ଧାରରେ ଭଗବାନ ଶିବଙ୍କର ଜୀବନକୁ ଚିତ୍ରଣ କରୁଥିବା ଅନେକ ଧାର୍ମିକ ମୂର୍ତ୍ତି ସ୍ଥାପିତ କରା ଯାଇଛି । ଏହି ପଥ ସହିତ କାନ୍ଥରେ ତିଆରି ହୋଇଥିବା ଚିତ୍ର ଗୁଡିକ ଶିବ ପୁରାଣରେ ବର୍ଣ୍ଣିତ ଅନେକ କଥା ଉପରେ ଆଧାରିତ କାହାଣୀ, ଯେମିତିକି ସୃଷ୍ଟି ଗଢ଼ାଯିବାର କାର୍ଯ୍ୟ, ଗଣେଷଙ୍କର ଜନ୍ମ ବୃତ୍ତାନ୍ତ, ସତୀ ଏବଂ ଦକ୍ଷଙ୍କର କାହାଣୀ ଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ଏହି ପ୍ଲାଜାର କ୍ଷେତ୍ରଫଳ ୨.୫ ହେକ୍ଟର ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଏହା ଚାରିପଟେ ପଦ୍ମ ଫୁଲର ପୁଷ୍କରିଣୀ ଘେରି ହୋଇ ରହିଛି, ଯେଉଁଥିରେ ପାଣିର ଫୁଆରା ସହିତ ଶିବଙ୍କର ମୂର୍ତ୍ତି ମଧ୍ୟ ରହିଛି । କୃତ୍ରିମ ଜ୍ଞାନ ଏବଂ ତଦାରଖକାରୀ କ୍ୟାମେରା ଗୁଡିକର ସହାୟତାରେ ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର (ଇଂଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଂଟ୍ରୋଲ ସେଂଟର) ଦ୍ୱାରା ଏହି ମନ୍ଦିର ପରିସରକୁ ଚବିଶ ଘଂଟା ତଦାରଖ କରାଯିବ ।

*****

SSP



(Release ID: 1867019) Visitor Counter : 287