ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଟିଭି ଓ ଡିଜିଟାଲ ମିଡିଆରେ ଜୁଆ କାରବାର ବିଜ୍ଞାପନ ପ୍ରସାରଣକୁ ନେଇ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଉଦବେଗ


ପୂର୍ବରୁ ମାର୍ଗଦର୍ଶିକା ଜାରି ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଚିନ୍ତାଜନକ : ମନ୍ତ୍ରଣାଳୟ

ଜୁଆ ବିଜ୍ଞାପନ ବିରୋଧରେ ଜାରି ହେଲା ସାନି ମାର୍ଗଦର୍ଶିକା

ସମାଚାରକୁ ଛଦ୍ମ ଉତ୍ପାଦ ଭାବେ ବ୍ୟବହାର କରୁଛନ୍ତି ଜୁଆ କାରବାର ସଂସ୍ଥା, ଖବର ପ୍ରସାରଣ ଆଳରେ ଜୁଆ ଖେଳକୁ ଦେଉଛନ୍ତି ପ୍ରୋତ୍ସାହନ

ସାରା ଦେଶରେ ଜୁଆ ନିଷିଦ୍ଧ; ଏହାର ବିଜ୍ଞାପନ କଲେ ଜୋରିମାନା ସହ ଦଣ୍ଡାଦେଶ ଲାଗୁ ହେବା ନେଇ ଟିଭି ଚାନେଲ ଓ ଡିଜିଟାଲ ମିଡିଆ ପ୍ଲାଟଫର୍ମକୁ ସତର୍କ କରାଇ ଦେଲା ମନ୍ତ୍ରଣାଳୟ

ଜୁଆ ବିଜ୍ଞାପନ ଜରିଆରେ ଭାରତୀୟମାନଙ୍କୁ ପ୍ରଲୋଭିତ କରିବା ଠାରୁ ଦୂରେଇ ରହିବାକୁ ଅନଲାଇନ ଜୁଆ ମଧ୍ୟସ୍ଥମାନଙ୍କୁ ମନ୍ତ୍ରଣାଳୟର ନିର୍ଦ୍ଦେଶ

Posted On: 03 OCT 2022 7:38PM by PIB Bhubaneshwar

କେତେକ ଘରୋଇ ଟିଭି ଚାନେଲ ଏବଂ ଡିଜିଟାଲ ମିଡିଆରେ ଜୁଆ ଖେଳ ଓ ସଟ୍ଟାବାଜି ସମ୍ପର୍କରେ ପ୍ରକାଶ ପାଉଥିବା ବିଜ୍ଞାପନକୁ ନେଇ ଉଦବେଗ ପ୍ରକାଶ କରିଛି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଏଭଳି ବିଜ୍ଞାପନର ପ୍ରଲୋଭନରେ ପଡ଼ି ସାଧାରଣ ଉପଭୋକ୍ତା, ବିଶେଷ କରି ଯୁବବର୍ଗ ଏବଂ ପିଲାମାନେ ଆର୍ଥିକ ଓ ସାମାଜିକ କ୍ଷତି ସହିବାର ଆଶଙ୍କା ଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ସାନି ମାର୍ଗଦର୍ଶିକା ଜାରି କରାଯାଇଛି । ଗୋଟିଏ ମାର୍ଗଦର୍ଶିକା ଘରୋଇ ଟିଭି ଚାନେଲ ପାଇଁ ଜାରି ହୋଇଥିବା ବେଳେ ଅନ୍ୟଟି ଡିଜିଟାଲ ସମାଚାର ପ୍ରସାରଣକାରୀ ସଂସ୍ଥା ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଜାରି କରାଯାଇଛି । ସେମାନଙ୍କୁ ଅନଲାଇନରେ ଜୁଆ ଖେଳ ବା ବେଟିଂ ସଂକ୍ରାନ୍ତ ବିଜ୍ଞାପନ ଏବଂ ଛଦ୍ମ ବିଜ୍ଞାପନ ଠାରୁ ଦୂରେଇ ରଖିବାକୁ କଡ଼ା ପରାମର୍ଶ ଦିଆଯାଇଛି । ଏଥିପୂର୍ବରୁ ୧୩ ଜୁନ, ୨୦୨୨ରେ ଅନଲାଇନ ଜୁଆ ଖେଳ ଉପରେ ବିଜ୍ଞାପନ ପ୍ରସାରଣ ନକରିବାକୁ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସମ୍ବାଦପତ୍ର, ଘରୋଇ ଟିଭି ଚାନେଲ ଏବଂ ଡିଜିଟାଲ ଖବର ପ୍ରସାରଣକାରୀ ସଂସ୍ଥାମାନଙ୍କୁ ଏକ ମାର୍ଗଦର୍ଶିକା ଜରିଆରେ ସତର୍କ କରାଇ ଦିଆଯାଇଥିଲା।

ଏହା ସତ୍ତ୍ବେ କେତେକ କ୍ରୀଡ଼ା ଟିଭି ଚାନେଲ ଏବଂ ଓଟିଟି ପ୍ଲାଟଫର୍ମରେ ବିଦେଶୀ ଅନଲାଇନ ଜୁଆ ଖେଳ ବା ବେଟିଂ ସଂକ୍ରାନ୍ତ ବିଜ୍ଞାପନ ପ୍ରସାରଣ କରାଯାଉଛି । ଛଦ୍ମ ସମାଚାର ୱେବସାଇଟ୍‌ ଆଳରେ ମଧ୍ୟ ଏଭଳି ବିଜ୍ଞାପନ ପ୍ରସାରଣ କରାଯାଉଛି । ଫେୟାରପ୍ଲେ, ପରୀମ୍ୟାଚ, ବେଟୱେ, ୱଲ୍ଫ 777, ଏବଂ ୱାନଏକ୍ସବେଟ୍‌ ଭଳି ଅନଲାଇନ ଜୁଆ ବା ବେଟିଂ ପ୍ଲାଟଫର୍ମ ସମ୍ପର୍କରେ ପ୍ରତ୍ୟକ୍ଷ ବିଜ୍ଞାପନ କିମ୍ବା ଛଦ୍ମ ବିଜ୍ଞାପନ ପ୍ରସାରଣ କରାଯାଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି ।

ସାନି ମାର୍ଗଦର୍ଶିକା ମାଧ୍ୟମରେ ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି ଯେ କେତେକ ନ୍ୟୁଜ୍‌ ୱେବସାଇଟକୁ ବ୍ୟବହାର କରି ଛଦ୍ମ ଉତ୍ପାଦ ମାଧ୍ୟମରେ ଏଭଳି ଅନଲାଇନ ବେଟିଂ ସମ୍ପର୍କରେ ଡିଜିଟାଲ ମିଡ଼ିଆରେ ପ୍ରଚାର ପ୍ରସାର କରାଯାଉଛି । ଏଭଳି କ୍ଷେତ୍ରରେ ଛଦ୍ମ ନ୍ୟୁଜ୍‌ ୱେବସାଇଟର ଲୋଗୋ ଏବଂ ବେଟିଂ ପ୍ଲାଟଫର୍ମର ଲୋଗୋ ମଧ୍ୟରେ ସମାନତା ରହୁଥିବା ମନ୍ତ୍ରଣାଳୟ ଜାଣିବାକୁ ପାଇଛି । ଏସବୁ ବେଟିଂ ପ୍ଲାଟଫର୍ମ କିମ୍ବା ନ୍ୟୁଜ୍‌ ୱେବସାଇଟ୍‌ଗୁଡ଼ିକ ଭାରତରେ କୌଣସି ଆଇନଗତ କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜିକରଣ କରିନଥିବା ମନ୍ତ୍ରଣାଳୟକୁ ସୂଚନା ମିଳିଛି । ଏଭଳି ୱେବସାଇଟଗୁଡ଼ିକ ଛଦ୍ମ ଉପାୟରେ ସମାଚାରକୁ ବ୍ୟବହାର କରି ଜୁଆ, ସଟ୍ଟା ଏବଂ ଅନଲାଇନ ବେଟିଂର ପ୍ରସାର କରୁଛନ୍ତି ।

ଜୁଆ ଓ ସଟ୍ଟା ଖେଳକୁ ଦେଶର ଅଧିକାଂଶ ଭାଗରେ ବେଆଇନ ଘୋଷଣା କରାଯାଇଥିବାରୁ ଏଭଳି ବେଟିଂ ପ୍ଲାଟଫର୍ମର ବିଜ୍ଞାପନ କରିବା ମଧ୍ୟ ବେଆଇନ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି । ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯, କେବଲ ଟିଭି ନେଟୱର୍କ ନିୟାମକ ଆଇନ ୧୯୯୫ ଏବଂ ଆଇଟି ନିୟମାବଳୀ ୨୦୨୧ରେ ଥିବା ନିୟମ ଓ ବ୍ୟବସ୍ଥାକୁ ମାନିବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷ ବାଧ୍ୟ ଅଟନ୍ତି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏଭଳି ବିଜ୍ଞାପନ ଦେଶରେ ପ୍ରଚଳିତ ଆଇନ ଅନୁକୂଳ ନୁହେଁ । ତେଣୁ ଟିଭି ଚାନେଲ ଏବଂ ଡିଜିଟାଲ ନ୍ୟୁଜ୍‌ ପ୍ରକାଶକମାନେ ଏଭଳି ବେଟିଂ ପ୍ଲାଟଫର୍ମ ଏବଂ ସେମାନଙ୍କ ଛଦ୍ମ ନ୍ୟୁଜ୍‌ ୱେବସାଇଟ୍‌ ସମ୍ପର୍କରେ ବିଜ୍ଞାପନ ପ୍ରସାରଣ ଠାରୁ ଦୂରେଇ ରହିବା ଉଚିତ୍‌ । ଏହି ମାର୍ଗଦର୍ଶିକା ଏବଂ ନିୟମକୁ ପାଳନ ନକଲେ ଜୋରିମାନା, ଦଣ୍ଡାଦେଶ ଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଜୁଆ ବିଜ୍ଞାପନ ଜରିଆରେ ଭାରତୀୟମାନଙ୍କୁ ପ୍ରଲୋଭିତ କରିବା ଠାରୁ ଦୂରେଇ ରହିବାକୁ ଅନଲାଇନ ଜୁଆ ମଧ୍ୟସ୍ଥମାନଙ୍କୁ ମନ୍ତ୍ରଣାଳୟ  ନିର୍ଦ୍ଦେଶ ଦେଇଛି ।

ଏଭଳି ବିଜ୍ଞାପନର ପ୍ରଲୋଭନରେ ପଡ଼ି ସାଧାରଣ ଉପଭୋକ୍ତା, ବିଶେଷ କରି ଯୁବବର୍ଗ ଏବଂ ପିଲାମାନେ ଆର୍ଥିକ ଓ ସାମାଜିକ କ୍ଷତି ସହିବାର ଆଶଙ୍କା ରହିଥିବା ମନ୍ତ୍ରଣାଳୟ କହିଛି । ତଦୁନଯାୟୀ ଅନଲାଇନ କିମ୍ବା ଅଫଲାଇନ ଜୁଆ/ସଟ୍ଟା ସମ୍ପର୍କରେ ବିଜ୍ଞାପନ ପ୍ରଚାର ନକରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।

ଉପଭୋକ୍ତା ବ୍ୟାପାର ବିଭାଗ ସହ ସମନ୍ବୟ ସ୍ଥାପନ କରାଯାଇଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ମାର୍ଗଦର୍ଶିକାପ ପ୍ରସ୍ତୁତ କରାଯାଇଛି ।

ତଳେ ଦିଆଯାଇଥିବା ଲିଙ୍କରେ ଦୁଇଟି ମାର୍ଗଦର୍ଶିକା ପଢ଼ନ୍ତୁ :

ଟିଭି ଚାନେଲ ପାଇଁ ମାର୍ଗଦର୍ଶିକା

: https://mib.gov.in/sites/default/files/Advisory%20to%20Private%20Satellite%20TV%20Channels%2003.10.2022.pdf

 

ଡିଜିଟାଲ ମିଡିଆ ପାଇଁ ମାର୍ଗଦର୍ଶିକା

: https://mib.gov.in/sites/default/files/Advisory%20to%20Digital%20News%20Publishers%20and%20OTT%20Platforms%2003.10.2022%20%281%29.pdf

 

*****

P.S.

 



(Release ID: 1864896) Visitor Counter : 211