ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନ ପଚାରିବା ଓ ଆଶଙ୍କା ବ୍ୟକ୍ତ କରିବା ଅଭ୍ୟାସକୁ ପ୍ରୋତ୍ସାହନ ଦେବା ପାଇଁ ଶିକ୍ଷକମାନଙ୍କୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଆହ୍ୱାନ


ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

Posted On: 05 SEP 2022 1:48PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ସେପ୍ଟେମ୍ବର ୫, ୨୦୨୨) ଗୁରୁଦିବସ ଅବସରରେ ବିଜ୍ଞାନ ଭବନ, ନୂଆଦିଲ୍ଲୀ ଠାରେ ଆୟୋଜିତ ଉତ୍ସବରେ ଦେଶର ବିଭିନ୍ନ ରାଜ୍ୟର ୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓଡ଼ିଶାର ପୁରୀ ଜିଲ୍ଲାର ଶ୍ରୀ ଇଶ୍ୱର ଚନ୍ଦ୍ର ନାୟକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୨ ପ୍ରଦାନ କରିଛନ୍ତି । 

ନିଜ ଶିକ୍ଷକମାନଙ୍କୁ ସ୍ମରଣ କରି କହିଥିଲେ ରାଷ୍ଟ୍ରପତି କହିଥିଲେ, ସେମାନେ କେବଳ ତାଙ୍କୁ ପଢାଇ ନଥିଲେ ବରଂ ଭଲ ପାଇବା ଓ ପ୍ରେରଣା ଯୋଗାଇଥିଲେ । ନିଜ ପରିବାର ଓ ଶିକ୍ଷକମାନଙ୍କ ଦିଗଦର୍ଶନକୁ ପାଥେୟ କରି ସେ ନିଜ ଗାଁର ପ୍ରଥମ କଲେଜ ପଢୁଆ ଝିଅ ହୋଇ ପାରିଥିଲେ । ନିଜ ଜୀବନରେ ହାସଲ କରିଥିବା ଯତକିଞ୍ଚିତ ସଫଳତା ପାଇଁ ଶିକ୍ଷକମାନଙ୍କ ନିକଟରେ ଋଣୀ ବୋଲି ସେ କହିଛନ୍ତି ।   

ବିଜ୍ଞାନ, ଗବେଷଣା ଓ ନବାଚାର ଆଜିର ଜ୍ଞାନ ଅର୍ଥନୀତିରେ ବିକାଶର ଭିତ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି । ସ୍କୁଲ ଶିକ୍ଷା ମାଧ୍ୟମରେ ଏସବୁ କ୍ଷେତ୍ରରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରିବାର ଶିଳାନ୍ୟାସ ହେବ । ତାଙ୍କ ଦୃଷ୍ଟିରେ ମାତୃଭାଷା ମାଧ୍ୟମରେ ବିଜ୍ଞାନ, ସାହିତ୍ୟ କିମ୍ବା ସାମାଜିକ ବିଜ୍ଞାନରେ ମୌଳିକ ପ୍ରତିଭାର ବିକାଶ ଅଧିକ ହୋଇଥାଏ । ମାଆମାନେ ପ୍ରାରମ୍ଭିକ ଜୀବନରେ ଆମକୁ ଜୀବନ ଜୀଇଁବାର କଳା ଶିଖାଇଥାନ୍ତି । ତେଣୁ ମାତୃଭାଷା ପ୍ରକୃତ ମେଧା ବିକାଶରେ ସହାୟକ ହୋଇଥାଏ । ମାଆ ପରେ ଶିକ୍ଷକମାନେ ଆମ ଜୀବନରେ ଶିକ୍ଷାକୁ ଆଗେଇ ନେଇଥାନ୍ତି । ଯଦି ଶିକ୍ଷକମାନେ ମାତୃଭାଷାରେ ଶିକ୍ଷା ଦିଅନ୍ତି ତେବେ ଛାତ୍ରଛାତ୍ରୀମାନେ ସହଜରେ ନିଜ ମେଧା ବିକଶିତ କରିପାରିବେ । ଏଥିପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ରେ ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷାରେ ଭାରତୀୟ ଭାଷା ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । 

ବିଜ୍ଞାନ ଓ ଗବେଷଣା ପ୍ରତି ଛାତ୍ରଛାତ୍ରୀଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଶିକ୍ଷକମାନଙ୍କ ଦାୟିତ୍ୱ । ଜଣେ ଭଲ ଶିକ୍ଷକ ପ୍ରକୃତିରେ ଉପସ୍ଥିତ ଜୀବନ୍ତ ଉଦାହରଣ ମାଧ୍ୟମରେ ଜଟିଳ ତତ୍ତ୍ୱକୁ ସହଜରେ ବୁଝାଇ ପାରିବେ । ଶିକ୍ଷକମାନଙ୍କ ସମ୍ପର୍କରେ ଏକ ପ୍ରସିଦ୍ଧ ଲୋକ ଉକ୍ତିର ଅବଧାରଣା ଦେଇ ସେ କହିଛନ୍ତି “ଜଣେ ସାଧାରଣ ଶିକ୍ଷକ କୁହନ୍ତି, ଜଣେ ଭଲ ଶିକ୍ଷକ ବୁଝାନ୍ତି, ଶ୍ରେଷ୍ଠ ଶିକ୍ଷକ ପ୍ରଦର୍ଶନ କରନ୍ତି ଓ ମହାନ ଶିକ୍ଷକ ପ୍ରେରିତ କରିଥାନ୍ତି ।” ଜଣେ ଆଦର୍ଶ ଶିକ୍ଷକଙ୍କ ନିକଟରେ ଏହି ଚାରିଟି ଗୁଣ ରହିଥାଏ । ପ୍ରକୃତ ଅର୍ଥରେ ଏହି ଆଦର୍ଶ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ଜୀବନ ନିର୍ମାଣ ମାଧ୍ୟମରେ ଦେଶ ନିର୍ମାଣ କରିଥାନ୍ତି ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନ ପଚାରିବା ଓ ଆଶଙ୍କା ବ୍ୟକ୍ତ କରିବାର ଅଭ୍ୟାସକୁ ପ୍ରୋତ୍ସାହନ ଦେବାକୁ ରାଷ୍ଟ୍ରପତି ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଛନ୍ତି । ଅଧିକରୁ ଅଧିକ ପ୍ରଶ୍ନର ଉତ୍ତର ଦେବା ଏବଂ ସନ୍ଦେହ ଦୂର କରିବା ମାଧ୍ୟମରେ ସେମାନେ ନିଜ ଜ୍ଞାନ ମଧ୍ୟ ବୃଦ୍ଧି କରିପାରିବେ । ଜଣେ ଭଲ ଶିକ୍ଷକ କିଛି ନୂଆ ଶିଖିବା ପାଇଁ ସବୁବେଳେ ଆଗ୍ରହୀ ରହିଥାଏ ବୋଲି ସେ କହିଛନ୍ତି । 

 

SR


(Release ID: 1856920) Visitor Counter : 165