ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

‘କୋଭିଡ ଟିକାଦାନ ଅମୃତ ମହୋତ୍ସବ’ ବିପୁଳ ଜନତାଙ୍କୁ ସାଥିରେ ନେଇ ଜନ ଅଭିଯାନ ଭାବେ କାର୍ଯ୍ୟକାରୀ ହେଉଛି


୨୧୧ କୋଟିରୁ ଅଧିକ ଡୋଜ ଟିକା ପ୍ରଦାନ ଜନ ଭାଗିଦାରୀ ଓ ଦେଶର ସମ୍ମିଳିତ ଇଚ୍ଛା ଶକ୍ତିକୁ ପ୍ରଦର୍ଶିତ କରୁଛି: ଡକ୍ଟର ମନସୁଖ ମାଣ୍ଡଭିୟ

ଦୈନିକ ହାରାହାରି ଟିକାଦାନ ସଂଖ୍ୟା ୨୮ଲକ୍ଷରୁ ଅଧିକରେ ପହଞ୍ଚିଛି

ପ୍ରତିଦିନ ହାରାହାରି ୨୨ଲକ୍ଷ ଲୋକଙ୍କୁ ପ୍ରିକସନ /ବୁଷ୍ଟର ଡୋଜ ଟିକା ଦିଆଯାଉଛି

ସମଗ୍ର ଦେଶରେ ୮.୮ଲକ୍ଷରୁ ଅଧିକ ଟିକାଦାନ କେନ୍ଦ୍ର କାର୍ଯ୍ୟ କରୁଛି

ଜାତୀୟ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମରେ କୋର୍ବେଭାକ୍ସକୁ ‘ହେଟେରେଲୋଗସ ପ୍ରିକସନ’ ଡୋଜ ଭାବେ ସାମିଲ କରାଯାଇଛି

Posted On: 26 AUG 2022 5:41PM by PIB Bhubaneshwar

ଭାରତରେ ୨୧୧ କୋଟିରୁ ଅଧିକ କୋଭିଡ ଟିକା ଲୋକଙ୍କୁ ଦିଆଯିବା ସହିତ ଦେଶ ଟିକାକରଣ କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏ ସମ୍ପର୍କରେ ସୂଚନାଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟାତ୍ମକ ଓ ପ୍ରଗତିଶୀଳ ନେତୃତ୍ୱ ବଳରେ ଦେଶର ମିଳିତ ଇଚ୍ଛାଶକ୍ତି ଦ୍ୱାରା ଜନ ଭାଗିଦାରୀ ମାଧ୍ୟମରେ ଭାରତ ଏହି ସଫଳତା ଅର୍ଜନ କରିଛି ।

୨୦୨୨ ଜୁଲାଇ ୧୩ତାରିଖରେ ପ୍ରଧାନମନ୍ତ୍ରୀ ଏକ ଟୁଇଟ୍‌ରେ କହିଥିଲେ ଯେ,“କୋଭିଡ-୧୯ର ମୁକାବିଲାରେ ଟିକାଦାନ ଏକ ସଫଳ ମାଧ୍ୟମ । ଆଜିର କ୍ୟାବିନେଟ ନିଷ୍ପତ୍ତି ଭାରତର ଟିକାକରଣ ପ୍ରକ୍ରିୟାକୁ ବଢାଇବା ସହିତ ଏକ ସୁସ୍ଥ ଭାରତ ଗଠନର ସହାୟକ ହେବ ।”

“କୋଭିଡ ଟିକାକରଣ ଅମୃତ ମହୋତ୍ସବ” ଦେଶରେ ୨୦୨୨ ଜୁଲାଇ ୧୫ତାରିଖରେ ଆରମ୍ଭ ହୋଇଥିଲା । ଜାତୀୟ କୋଭିଡ ଟିକାକରଣ ଅଭିଯାନକୁ ଆହୁରି ଅଧିକ ସଫଳ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ କାଳରେ ଲୋକଙ୍କୁ ପ୍ରିକସନ ବା ବୁଷ୍ଟର ଭାବେ ଏହି ପ୍ରିକସନ ଡୋଜ ୧୮ବର୍ଷ ବୟସରୁ ଅଧିକ ଲୋକମାନଙ୍କୁ ପ୍ରଦାନ କରାଯାଇଛି । ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାମାସ (ସେପ୍ଟେମ୍ବର) ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । 

ଆଜି ଏହି ଅଭିଯାନ ୪୨ ଦିନରେ ପ୍ରବେଶ କରିଛି । ଏଯାଏ ୧୪.୭ କୋଟି ପ୍ରିକସନ ଡୋଜ ଲୋକଙ୍କୁ ଦିଆଯାଇଛି । ସେଥିମଧ୍ୟରେ ଏହି ଅଭିଯାନ କାଳରେ ଅତିରିକ୍ତ ୯.୬କୋଟି ପ୍ରିକସନ ଡୋଜ ପ୍ରଦାନ କରାଯାଇଛି । 

ଆହୁରି ମଧ୍ୟ ଦୈନିକ ହାରାହାରି ଟିକା ପ୍ରଦାନ (ଡୋଜ ସଂଖ୍ୟା) ୨୭.୭୭ ଲକ୍ଷକୁ ବୃଦ୍ଧି ପାଇଛି । ଅଭିଯାନର ଆରମ୍ଭ ପୂର୍ବରୁ ଏହି ଦୈନିକ ଡୋଜ ପ୍ରଦାନ ହାର ଥିଲା ୧୧. ୪ଲକ୍ଷ । ଏଥିରେ ହାରାହାରି ଦୈନିକ ପ୍ରିକସନ ଡୋଜ ପ୍ରଦାନ ସଂଖ୍ୟା ୨୨ଲକ୍ଷରେ ପହଞ୍ଚିଛି । 

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏନ୍‌ଟିଏଜିର ସୁପାରିଶ କ୍ରମେ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ‘କୋର୍ବେଭାକ୍ସ’କୁ ହେଟରଲୋଗସ ପ୍ରିକସନ ଡୋଜ ଭାବେ ସାମିଲ କରାଯାଇଛି । ଏହା କୋଭାସିଲ୍ଡ ଓ କୋଭାକ୍ସିନର ସମଜାତୀୟ ନ ହେଲେ ମଧ୍ୟ ବିଶେଷଜ୍ଞ କମିଟିର ସୁପାରିସ ଅନୁସାରେ ଏହା ବୁଷ୍ଟର ଡୋଜଭାବେ ବ୍ୟବହୃତ ହେଉଛି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆବଶ୍ୟକତା ଅନୁସାରେ ବୁଷ୍ଟର ଡୋଜ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି ଏବଂ ଏହି ଟିକାର ଅଭାବ ନାହିଁ । ଏବେ ଦ୍ୱିତୀୟ ଡୋଜ ଟିକା ନେବାର ୨୬ ସପ୍ତାହ ବା ୬ମାସ ପରେ ବୁଷ୍ଟର ଡୋଜ ନେଇ ହେବ । 

କେନ୍ଦ୍ର ସରକାରଙ୍କ ‘କୋଭିଡ ଟିକାଦାନ ଅମୃତ ମହୋତ୍ସବ ଜନ ଅଭିଯାନ’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି । ଏହି ପ୍ରକ୍ରିୟାରେ ଜନସାଧାରଣଙ୍କୁ ବିପୁଳ ଭାବେ ସାମିଲ କରାଯାଉଛି । ସମଗ୍ର ଦେଶରେ ଏଥିପାଇଁ ୮, ୮୬, ୫୮୫ ସ୍ୱତନ୍ତ୍ର ଟିକାଦନା କେନ୍ଦ୍ର ଖୋଲାଯାଇଛି । ସେଥିମଧ୍ୟରୁ ରେଳଷ୍ଟେସନରେ ୪୦୫୨, ବସ୍ ଷ୍ଟାଣ୍ଡରେ ୮୭୭୬, ବିମାନବନ୍ଦରରେ ୩୬୭, ସ୍କୁଲ ଓ କଲେଜରେ ୧, ୧୧, ୭୦୦, ବିଭିନ୍ନ ଧାର୍ମିକ ସ୍ଥଳକୁ ଯାଇଥିବା ରାସ୍ତାରେ ୪୬୫୪ ଓ ଅନ୍ୟାନ୍ୟ ସ୍ଥାନରେ ୭, ୫୭, ୦୩୬ଟି ଟିକାଦାନ କେନ୍ଦ୍ର ଅନ୍ତର୍ଭୁକ୍ତ । ଚାରିଧାମ ଯାତ୍ରା ବାଟରେ ଉତ୍ତରାଖଣ୍ଡ, ଅମରନାଥ ଯାତ୍ରା ପାଇଁ ଜାମ୍ମୁ ଓ କାଶ୍ମୀର, କାଉଡିଆ ଯାତ୍ରା ନିମନ୍ତେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ମେଳା ମହୋତ୍ସବ ସ୍ଥଳରେ ସ୍ୱତନ୍ତ୍ର ଟିକାଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ସରକାରଙ୍କ ବ୍ୟାପକ ଜନୁ ସଚେତନତା ଅଭିଯାନ ଫଳରେ ଦେଶବ୍ୟାପୀ କୋଭିଡ ବୁଷ୍ଟର ଟିକା ନେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ ଏହି ସ୍ୱତନ୍ତ୍ର ଟିକାଦାନ ଅଭିଯାନକୁ ନିବିଡଭାବେ ନିରୀକ୍ଷଣ କରୁଛନ୍ତି । ତାଙ୍କ ନେତୃତ୍ୱରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କ ସହ ଉଚ୍ଚସ୍ତରୀୟ ବୈଠକମାନ ନିୟମିତ ଆୟୋଜନ କରାଯାଇ ଟିକାଦାନ ଅଭିଯାନର ପ୍ରଗତି ସମୀକ୍ଷା କରାଯାଉଛି। ଏଥିରେ ସମ୍ପୃକ୍ତ ପ୍ରାଦେଶିକ ସରକାର ଓ ପ୍ରଶାସନକୁ ଟିକାଦାନ ସମ୍ପର୍କରେ ଆବଶ୍ୟକ ଦିଗ୍‌ଦର୍ଶନ ଦିଆଯାଉଛି। ଏହି ପ୍ରକ୍ରିୟାକୁ ଅଧିକ ସଫଳ ଓ ସୁସଂହତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯଥାସମ୍ଭବ ଯୋଗାଇ ଦେଉଛନ୍ତି । ତମାଦି(ସମୟ ଅତିକ୍ରାନ୍ତ) କୋଭିଡ ଟିକା ଯେପରି ଲୋକଙ୍କୁ ଦିଆ ନ ଯାଏ ସେଥିପାଇଁ ବିଶେଷ ନଜର ରଖିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଉପରେ ମଧ୍ୟ ତୀକ୍ଷ୍ମଣ ନଜର ରଖାଯାଇଛି ।

****

TKM/SLP



(Release ID: 1854770) Visitor Counter : 208