ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଅଗଷ୍ଟ ୨୦ ରୁ ୨୪ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

କେନ୍ଦ୍ରମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନରେ ସହଯୋଗୀ ହେବ

ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବେ

ଅଷ୍ଟ୍ରେଲିଆର ଦକ୍ଷତା ଏବଂ ତାଲିମ ମନ୍ତ୍ରୀଙ୍କ ସହ ବୈଠକ

ପ୍ରବାସୀ ଭାରତୀୟ, ଓଡ଼ିଆ ଏବଂ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା

ଅଷ୍ଟ୍ରେଲିଆ-ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର କାର୍ଯ୍ୟକ୍ରମରେ ଯୋଗ ଦେବେ

ପ୍ରମୁଖ ବିଶ୍ୱବିଦ୍ୟାଳୟ, ସ୍କୁଲ ଓ ଶିଳ୍ପାନୁଷ୍ଠାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି

Posted On: 20 AUG 2022 5:10PM by PIB Bhubaneshwar

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି (ଶନିବାର) ଠାରୁ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଗସ୍ତ କରୁଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନରେ ସହଯୋଗୀ ହେବ ।    

     

ଅଗଷ୍ଟ ୨୧ ତାରିଖରେ ସିଡନୀରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ପ୍ରବାସୀ ଭାରତୀୟଙ୍କୁ ଭେଟିବେ । ପରବର୍ତ୍ତୀ ପର୍ଯ୍ୟାୟରେ ଓ୍ୱେଷ୍ଟର୍ଣ୍ଣ ସିଡନୀ ବିଶ୍ୱବିଦ୍ୟାଳୟକୁ ଗସ୍ତ କରିବା ସହ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ଅଷ୍ଟ୍ରେଲିଆର ନବନିଯୁକ୍ତ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେରଙ୍କ ସହ ଭାରତ- ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ । ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ପରିଷଦର ଷଷ୍ଠ ବୈଠକରେ ଯୋଗଦେଇ ଭାରତର ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ନେଇ ମତ ପ୍ରକାଶ କରିବେ । ପରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ରଖିବାର କାର୍ଯ୍ୟସୂଚୀ ରହିଛି । ଏହାବ୍ୟତିତ ଅଷ୍ଟ୍ରେଲିଆର ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହ ଇନଷ୍ଟିଚ୍ୟୁଟ୍ ଅଫ୍ ଆପ୍ଲାଏ ଟେକ୍ନୋଲୋଜିକୁ ଗସ୍ତ କରିବେ । ସିଡନୀ ଠାରେ ଅଷ୍ଟ୍ରେଲିଆରେ ରହୁଥିବା ଭାରତୀୟ ଓ ଓଡ଼ିଆ ଲୋକଙ୍କୁ ଭେଟିବେ । ଏହା ପରେ ଉଲ୍ଲନଗୋଙ୍ଗ୍ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ସାକ୍ଷାତକାର୍ କରିବାର କାର୍ଯ୍ୟକ୍ରମ ରହିଛି ।

 

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମେଲବର୍ଣ୍ଣ ସ୍ଥିତ କାଙ୍ଗନ୍ ଇନଷ୍ଟିଚ୍ୟୁଟ୍ ଓ ଡିକିନ୍ ୟୁନିଭରସିଟିକୁ ଯିବେ । ପରେ ଅଷ୍ଟ୍ରେଲିଆର ଦକ୍ଷତା ଏବଂ ତାଲିମ ମନ୍ତ୍ରୀ ବ୍ରିନଡେନ ଓ’ କୋନ୍ନୋରଙ୍କ ସହ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଦ୍ୱିପାକ୍ଷିକ ବୈଠକରେ ଯୋଡ଼ିହେବେ । ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟରେ ଏକ ବୈଠକରେ ଉପସ୍ଥିତ ରହିବେ । ଅଷ୍ଟ୍ରେଲିଆ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ମୋନାସ୍ ବିଶ୍ୱବିଦ୍ୟାଳୟ ଓ କନସୁଲେଟ୍ ଜେନେରାଲ ଅଫ୍ ଇଣ୍ଡିଆର ପୃଥକ ପୃଥକ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି ।

***



(Release ID: 1853363) Visitor Counter : 166