ସ୍ଵତନ୍ତ୍ର ସେବା ଓ ଫିଚର

ରେପୋ ଦର ଆଉ ୫୦ ବେସିସ ପଏଣ୍ଟ ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ


ମୋଟ୍‌ ରେପୋ ଦର ୫.୪%ରେ ପହଞ୍ଚିଲା

ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୨% ରହିବାର ପୂର୍ବାନୁମାନ

ଭାରତ ବିଲ ପେମେଣ୍ଟ ସିଷ୍ଟମ ବ୍ୟବହାର କରି ବିଲ୍‌ ପଇଠ କରିପାରିବେ ପ୍ରବାସୀ ଭାରତୀୟ

ଆର୍ଥିକ ବଜାରକୁ ସୁଦୃଢ଼ କରିବା ଏବଂ ଆର୍ଥିକ ସେବା ଆଉଟସୋର୍ସିଂରେ ରହିଥିବା ବିପତ୍ତି ପରିଚାଳନା ପାଇଁ ବିଭିନ୍ନ ପଦକ୍ଷେପ ଘୋଷଣା କଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ସୁଧ ହାର ଡେରିଭେଟିଭ୍ସର ଉପଯୋଗ ପ୍ରସଙ୍ଗର ଅନୁଧ୍ୟାନ କରିବ ମୂଦ୍ରା ନୀତି ସମିତି

Posted On: 05 AUG 2022 1:26PM by PIB Bhubaneshwar

.୪୦%କୁ ବଢ଼ିଲା ରେପୋ ଦର

ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ଦରରେ ୫୦ ବେସିସ ପଏଣ୍ଟ ବୃଦ୍ଧି କରିଛି । ଏହି ଦର ଆଧାରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ଋଣ ପ୍ରଦାନ କରିଥାଏ। ବିଶ୍ବ ଅର୍ଥବ୍ୟବସ୍ଥାର ପ୍ରତିକୂଳ ସ୍ଥିତି, ଘରୋଇ ଆର୍ଥିକ ଗତିବିଧିର ସହନଶୀଳତା, ଉଚ୍ଚ ମୁଦ୍ରାସ୍ଫୀତି ହାର ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ରେପୋ ଦରରେ ଆଉ ୫୦ ପ୍ରତିଶତ ବୃଦ୍ଧି ସହିତ ଏହାକୁ ୫.୪୦%ରେ ନିର୍ଦ୍ଧାରିତ କରାଯାଇଛି ।

ମୁଦ୍ରାସ୍ଫୀତି ଏବଂ ମୁଦ୍ରାସ୍ଫୀତି ଜନିତ ପ୍ରତ୍ୟାଶା ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ସମିତି ଏହି ନିଷ୍ପତ୍ତି ନେଇଛି । ଅନଲାଇନରେ ମୁଦ୍ରା ନୀତି ବିବରଣୀ ପ୍ରଦାନ କରି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ‘‘ମୁଦ୍ରାସ୍ଫୀତି ଜନିତ ପ୍ରତ୍ୟାଶାକୁ ନିରନ୍ତର ଉଚ୍ଚ ମୁଦ୍ରାସ୍ଫୀତି ଅସ୍ଥିର କରିପାରେ ଏବଂ ଏହା ମଧ୍ୟମକ୍ରମରେ ଅଭିବୃଦ୍ଧିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।’’ ଗଭର୍ଣ୍ଣରଙ୍କ ଅଭିଭାଷଣ ଏହି ଲିଙ୍କରେ ଦେଖିହେବ : https://youtu.be/2VXCSN9Ypes.

ଅତିରିକ୍ତ ପଦକ୍ଷେପ

ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଅତିରିକ୍ତ ୫ଟି ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି ଯାହାକି ନିମ୍ନରେ ଦିଆଗଲା

ଆର୍ଥିକ ବଜାରକୁ ଆହୁରି ବିକଶିତ କରିବା ଲାଗି ଷ୍ଟାଣ୍ଡଆଲୋନ ପ୍ରାଥମିକ ଡିଲରଙ୍କୁ ପ୍ରୋତ୍ସାହନ

ଷ୍ଟାଣ୍ଡଆଲୋନ୍‌ ପ୍ରାଥମିକ ଡିଲର (ଏସପିଡି)ମାନେ ଏବେ ସମସ୍ତ ବିଦେଶୀ ମୁଦ୍ରା ବଜାର-କାରବାର (ମାର୍କେଟ ମେକିଂ) ସୁବିଧା ପ୍ରଦାନ କରିବାରେ ସକ୍ଷମ ହେବେ । ତେବେ ଏଥିପାଇଁ କେତେକ ବିବେକପୂର୍ଣ୍ଣ ମାର୍ଗଦର୍ଶିକାକୁ ପାଳନ କରିବାକୁ ହେବ । ବର୍ତ୍ତମାନ ଏହି ସୁବିଧା କେବଳ ଅଧିକୃତ ବର୍ଗ-୧ ଡିଲରମାନଙ୍କୁ ମିଳୁଛି । ଏହା ଗ୍ରାହକମାନଙ୍କୁ ନିଜ ବିଦେଶୀ ମୁଦ୍ରା ବିପତ୍ତି ପରିଚାଳନା ନିମନ୍ତେ ବଜାର ନିର୍ମାତା ବା ମାର୍କେଟ ମେକରମାନଙ୍କର ଏକ ବ୍ୟାପକ ସମୂହ ପ୍ରଦାନ କରିବ ।  ଏହାଦ୍ବାରା ଭାରତରେ ବିଦେଶୀ ମୁଦ୍ରା ବଜାରର ପରିସର ମଧ୍ୟ ବୃଦ୍ଧି ପାଇବ । ଅଫଶୋର ରୁପୀ (ବିଦେଶୀ ଭାରତୀୟ ମୁଦ୍ରା) ଓଭରନାଇଟ୍‌ ଇଣ୍ଡେକ୍ସଡ୍‌ ସ୍ବାପ ବଜାରରେ ପ୍ରବାସୀ ଭାରତୀୟ ଏବଂ ଅନ୍ୟ ମାର୍କେଟ ମେକରମାନଙ୍କ ସହିତ କାରବାର କରିବା ଲାଗି ଏସପିଡିମାନଙ୍କୁ ଅନୁମତି ମିଳିବ । ଏହି ପଦକ୍ଷେପ ଚଳିତ ବର୍ଷ ଫେବୃଆରୀ ମାସରେ ବ୍ୟାଙ୍କମାନଙ୍କ ପାଇଁ ଘୋଷଣା କରାଯାଇଥିବା ଏକ ସମାନ ପଦକ୍ଷେପ ଅନୁକୂଳ ହେବ । ଏହା ଅନଶୋର ଏବଂ ଅଫଶୋର (ଦେଶରେ ଏବଂ ବିଦେଶରେ) ଓଆଇଏସ ବଜାରରେ ରହିଥିବା ବିଭାଜନକୁ ଦୂର କରିବା ସହିତ ମୁଦ୍ରା ମୂଲ୍ୟ ଆବିଷ୍କାରରେ (ପ୍ରାଇସ ଡିସ୍‌କଭରୀରେ) ସୁଧାର ଆଣିବ ବୋଲି ଆଶା କରାଯାଉଛି।

ଆର୍ଥିକ ବଜାର ବିକାଶରେ ଏସପିଡିମାନଙ୍କର ଭୂମିକାକୁ ବିଚାର କରି ଏସବୁ ପଦକ୍ଷେପ ଗ୍ରହଣ କରାଯାଉଛି ।

ଆର୍ଥିକ ସେବା ଆଉଟସୋର୍ସିଂରେ ବିପତ୍ତି ପରିଚାଳନା ଏବଂ ଆଚରଣ ସଂହିତା

ବିନିୟନ୍ତ୍ରିତ ସଂସ୍ଥାମାନଙ୍କ ଦ୍ବାରା ଆର୍ଥିକ ସେବା ଆଉଟସୋର୍ସିଂର ଏକ ବର୍ଦ୍ଧିତ ଧାରା ସମ୍ପ୍ରତି ଦେଖିବାକୁ ମିଳୁଛି । ଏହାକୁ ଧ୍ୟାନରେ ରଖି, ଭାରତୀୟ ରିଜର୍ଭ ବ୍ୟାଙ୍କ ସାର୍ବଜନୀନ ଟିପ୍ପଣୀ ବା ପବ୍ଲିକ କମେଣ୍ଟ ପାଇଁ ଆର୍ଥିକ ସେବା ଆଉଟସୋର୍ସିଂରେ ବିପତ୍ତି ପରିଚାଳନା ଏବଂ ଆଚାର ସଂହିତା ଉପରେ ମାଷ୍ଟର ମାର୍ଗଦର୍ଶିକାର ଡ୍ରାଫ୍ଟ ଜାରି କରିବାକୁ ଯାଉଛି । ବିପତ୍ତି ପରିଚାଳନା ଢାଞ୍ଚାକୁ ମଜବୁତ କରିବା ଏବଂ ବର୍ତ୍ତମାନର ମାର୍ଗଦର୍ଶିକାକୁ ସୁସଙ୍ଗତ ଓ ସୁଦୃଢ଼ କରିବା ଲାଗି ଏହା କରାଯାଉଛି ।

ପ୍ରବାସୀ ଭାରତୀୟଙ୍କ ପାଇଁ ଖୋଲିବ ଭାରତ ବିଲ ପେମେଣ୍ଟ ସିଷ୍ଟମ

ମାନକୀକୃତ ବିଲ ପଇଠ ପାଇଁ ଭାରତ ବିଲ ପେମେଣ୍ଟ ସିଷ୍ଟମ (ବିବିପିଏସ) ଏକ ଇଣ୍ଟରଅପରେବଲ (ଆନ୍ତଃପରିଚାଳନାଯୋଗ୍ୟ) ପ୍ଲାଟଫର୍ମ । ଏଣିକି ବିଦେଶରୁ ହେଉଥିବା ବିଲ ପରିଶୋଧ ଏହି ବ୍ୟବସ୍ଥାରେ ଗ୍ରହଣଯୋଗ୍ୟ ହୋଇପାରିବ । ଏହି ବ୍ୟବସ୍ଥାକୁ ବ୍ୟବହାର କରି ବିଦେଶରେ ଥିବା ପ୍ରବାସୀ ଭାରତୀୟମାନେ ଭାରତରେ ଥିବା ସେମାନଙ୍କ ପରିବାର ଲୋକଙ୍କ ପକ୍ଷରୁ ଉପଯୋଗିତା (ୟୁଟିଲିଟୀ), ଶିକ୍ଷା ଏବଂ ଏପରି ଅନ୍ୟ ସେବା ପାଇଁ ବିଲ୍‌ ପଇଠ କରିପାରିବେ । ବରିଷ୍ଠ ନାଗରିକମାନଙ୍କୁ ଏହା ବିଶେଷ ଭାବେ ସହାୟକ ହୋଇପାରିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ସମନ୍ବିତ ଲୋକପାଳ ଯୋଜନା (ଆରବି-ଆଇଓଏସ) ୨୦୨୧ ଅଧୀନକୁ ଆସିବେ ଋଣ ସୂଚନା କମ୍ପାନୀ

ଆରବି-ଆଇଓଏସକୁ ଯୋଜନାକୁ ଅଧିକ ବିସ୍ତାରିତ କରିବା ଲାଗି, ଋଣ ସୂଚନା କମ୍ପାନୀ (ସିଆଇସି)ମାନଙ୍କୁ ଆରବି-ଆଇଓଏସ ବ୍ୟବସ୍ଥା ମଧ୍ୟକୁ ଅଣାଯାଉଛି । ଏଥିସହିତ, ଋଣ ସୂଚନା କମ୍ପାନୀମାନଙ୍କ ବିରୋଧରେ ରହିଥିବା ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଆମକୁ ଏକ ମାଗଣା ବିକଳ୍ପ ବ୍ୟବସ୍ଥା ମିଳିପାରିବ ।

ଆହୁରି, ଏହି କମ୍ପାନୀମାନଙ୍କର ଏକ ନିଜସ୍ବ ଅନ୍ତରୀଣ ଲୋକପାଳ (ଆଇଓ) ବ୍ୟବସ୍ଥା ରହିବ । ଏହା ସିଆଇସିମାନଙ୍କ ଅନ୍ତରୀଣ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସୁଦୃଢ଼ କରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସୂଚନା ଦେଇଥିଲେ ।

ଏମଆଇବିଓଆର ବେଞ୍ଚମାର୍କ ସମିତି ଗଠନ କରାଯିବ

ସୁଧ ଦର ଡେରିଭେଟିଭସ୍‌ର ବିକାଶ ଏବଂ ଉପଯୋଗ ସହ ଜଡ଼ିତ ପ୍ରସଙ୍ଗର ଗଭୀର ଅନୁଧ୍ୟାନ ଲାଗି ଏକ ସମିତି ଗଠନ କରିବା ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ଏଥିରେ ମୁମ୍ବାଇ ଆନ୍ତଃବ୍ୟାଙ୍କ ପ୍ରତ୍ୟକ୍ଷ ଦର (ମୁମ୍ବାଇ ଇଣ୍ଟରବ୍ୟାଙ୍କ ଆଉଟରାଇଟ୍‌ ରେଟ୍‌) ପାଇଁ ଏକ ବିକଳ୍ପ ବେଞ୍ଚମାର୍କକୁ ପରିବର୍ତ୍ତିତ ହେବାର ଆବଶ୍ୟକତା ସାମିଲ ରହିଛି । ଏହି ସମିତି ଭବିଷ୍ୟତର ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେବ । ବିକଳ୍ପ ବେଞ୍ଚମାର୍କ ଦର ବିକଶିତ କରିବା ଲାଗି ସାମ୍ପ୍ରତିକ ଅନ୍ତର୍ଜାତୀୟ ପ୍ରୟାସକୁ ଦୃଷ୍ଟିରେ ରଖି ଏହି ଅଧ୍ୟୟନ କରାଯାଉଛି ।

ଅଭିବୃଦ୍ଧି ଆକଳନ ଅପରିବର୍ତ୍ତିତ – ୨୦୨୨-୨୩ ଆର୍ଥିକ ବର୍ଷରେ ୭.୨% ରହିବ ଆର୍ଥିକ ବିକାଶ ହାର

ଏହି ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଆର୍ଥିକ ଅଭିବୃଦ୍ଧି ହାରକୁ ଅପରିବର୍ତ୍ତିତ ରଖିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶ ହାର ୭.୨% ରହିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଆକଳନ କରିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଅଭିବୃଦ୍ଧି ହାର ୧୬.୨ ପ୍ରତିଶତ, ଦ୍ବିତୀୟ ତ୍ରୈମାସରେ ୬.୨ ପ୍ରତିଶତ, ତୃତୀୟ ତ୍ରୈମାସରେ ୪.୧ ପ୍ରତିଶତ; ଏବଂ ଚତୁର୍ଥ ତ୍ରୈମାସରେ ୪.୦ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଛି । ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ ପ୍ରତିଶତ ରହିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ଆକଳନ କରିଛି ।

ମୁଦ୍ରାସ୍ଫୀତି ଉପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ, ସୁବିଧା ପ୍ରଦାନ ପ୍ରତ୍ୟାହାର ପାଇଁ ନିଜର ଆଭିମୁଖ୍ୟରେ ମୁଦ୍ରା ନୀତି ଆଗକୁ ବଢ଼ିବାର ଆବଶ୍ୟକତା ରହିଛି । ଯାହାଫଳରେ ମୁଦ୍ରାସ୍ଫୀତି ମଧ୍ୟମ ଅବଧିରେ ୪.୦ ପ୍ରତିଶତ ଲକ୍ଷ୍ୟ ପାଖାପାଖି ରହିପାରିବ ଏବଂ ଅଭିବୃଦ୍ଧି ହାରକୁ ସମର୍ଥନ ଯୋଗାଇ ଦେବ । ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ କହିଥିଲେ ଯେ ଆମ ଅର୍ଥବ୍ୟବସ୍ଥାର ବିକାଶକୁ ନିରନ୍ତର ପଥରେ ଅଗ୍ରସର କରାଇବା ଲାଗି ମୂଲ୍ୟ ଏବଂ ବିତ୍ତୀୟ ସ୍ଥିରତା ବଜାୟ ରଖିବା ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ପ୍ରତିବଦ୍ଧତାକୁ ଦୋହରାଉଛି ।

ଏଠାରେ ଗଭର୍ଣ୍ଣରଙ୍କ ସମ୍ପୂର୍ଣ୍ଣ ବକ୍ତବ୍ୟ ପଢ଼ନ୍ତୁ; ଏଠାରେ ବିକାଶ ଏବଂ ନିୟାମକ ନୀତିର ବିବରଣୀ ଦିଆଯାଇଛି; ଏବଂ ଏଠାରେ ମୁଦ୍ରା ନୀତିର ବିବରଣୀ ପ୍ରଦାନ କରାଯାଇଛି ।

 

*******

P.S.



(Release ID: 1848715) Visitor Counter : 156