ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ
azadi ka amrit mahotsav

ଜାତିସଂଘ ଜଳବାୟୁ ପରିବର୍ତ୍ତନ ଚୁକ୍ତିର କାର୍ଯ୍ୟକାରିତା ସଂକ୍ରାନ୍ତ ଭାରତର ନୂଆ ଜାତୀୟ କାର୍ଯ୍ୟସୂଚୀ ଓ ଉପଲବ୍ଧି (ଏନଡିସି)କୁ କ୍ୟାବିନେଟର ଅନୁମୋଦନ

ଏହାକୁ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀକୁ ପ୍ରଦାନ କରାଯିବ

କୋପ୍‌-୨୬ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ “ପଞ୍ଚାମୃତ” ଏହି ସଦ୍ୟତମ ଏନଡିସିରେ ପ୍ରତିଫଳିତ ହୋଇଛି, ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନର ଧାରାକୁ ରୋକିବା ପାଇଁ ଭାରତର ସଂକଳ୍ପ କୋପ୍‌-୨୬ରେ ଘୋଷଣା କରିଥିଲେ

୨୦୩୦ ସୁଦ୍ଧା ଭାରତ ତାହାର ଜିଡିପିର ୪୫% ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରା ହ୍ରାସ କରିବାକୁ ସଂକଳ୍ପବଦ୍ଧ

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ସୂତ୍ର “ଲାଇଫ”କୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାକୁ ଗୁରୁତ୍ୱ

“ଲାଇଫ” ବା “ଲାଇଫ ଷ୍ଟାଇଲ ଫର ଏନ୍‌ଭିରୋନମେଣ୍ଟ’ର ଅର୍ଥ ପରିବେଶର ସୁରକ୍ଷା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ

Posted On: 03 AUG 2022 2:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ  ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀ(ୟୁଏନ୍‌ଏଫସିସିସି)କୁ ଅବଗତ କରାଇବା ପାଇଁ ଉଦ୍ଦିଷ୍ଟ ଭାରତର  ନୂଆ  କାର୍ଯ୍ୟସୂଚୀ ଓ ଉପଲବ୍ଧି (ଏନ୍‌ଡିସି)କୁ ଅନୁମୋଦନ କରାଯାଇଛି ।

ଏହି ଅଦ୍ୟତନ(ଅପଡେଟେଡ୍‌) ଏନ୍‌ଡିସିରେ ପ୍ୟାରିସ୍ ଚୁକ୍ତି ଅନୁସାରେ ଜଳବାୟୁ ପରିବର୍ତ୍ତନ ରୋକିବାକୁ କି ପ୍ରକାର ସବିଶେଷ ଜାତୀୟ ପଦକ୍ଷେପ ଓ ଯୋଜନାମାନ ପ୍ରସ୍ତୁତ କରାଯାଇଛି ତାହା ସ୍ଥାନ ପାଇଛି ।  ଭାରତର ଏହି କାର୍ଯ୍ୟାନୁଷ୍ଠାନ ଦେଶର ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ । ଏଥିରେ ଅଭିବୃଦ୍ଧି ଧାରାକୁ ଅବ୍ୟାହତ ରଖିବା ସହିତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଗୁରୁତ୍ୱ ପାଇଛି । ୟୁଏନ୍‌ଏଫ୍‌ସିସିସିର ସର୍ତ୍ତ ଅନୁସାରେ ନିଜର ଜରୁରୀ ଆବଶ୍ୟକତା ପୂରଣ ନୀତିରେ ଭାରତ ଜୈବିକ ଇନ୍ଧନ ବ୍ୟବହାର କରିବ; ତେବେ ଏ କ୍ଷେତ୍ରରେ ଅଙ୍ଗାରକାମ୍ଳ ନିର୍ଗମନ କିପରି କମିବ ସେ ଦିଗରେ ଧ୍ୟାନ ଦେବ ।

ଜାତିସଂଘ ମାର୍ଫତରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଭାବ ରୋକିବାକୁ ବିଭିନ୍ନ ରାଷ୍ଟ୍ରମାନଙ୍କ ସମ୍ମିଳନୀ (କୋପ୍‌)ନିୟମିତ ଭାବେ ଆୟୋଜିତ ହେଉଛି । ବ୍ରିଟେନର ଗ୍ଲାସ୍‌ଗୋରେ ଅନୁଷ୍ଠିତ କୋପ୍‌-୨୬ରେ ଭାରତ ବିଶ୍ୱ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସମଗ୍ର ପୃଥିବୀକୁ ଏକ ପଞ୍ଚସୂତ୍ରୀ ଯୋଜନା ଦେଇଥିଲା ଯାହା  ପଞ୍ଚାମୃତନାମରେ ପରିଚିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂତ୍ର ପ୍ରଦାନ କରିଥିଲେ । ଭାରତ ସେହି ପଞ୍ଚାମୃତ ସୂତ୍ରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ କାର୍ଯ୍ୟ କରୁଛି । ଏବେ ଭାରତ ତାହାର ଏହି କାର୍ଯ୍ୟକ୍ରମ/ଯୋଜନାକୁ ଅଦ୍ୟତନ (ଅପଡେଟ୍‌) କରି ସେଥିରେ ୨୦୭୦ ସୁଦ୍ଧା ତାହାର ଅଙ୍ଗାରକାମ୍ଳ (କାର୍ବନ)ନିର୍ଗମନ ହାରକୁ ଶୂନରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି ।

ପୂର୍ବରୁ ଭାରତ ୨୦୧୫ ଅକ୍ଟୋବର ୨ରେ ୟୁଏନ୍‌ଏଫ୍‌ସିସିସିକୁ ଏହାର ଏନ୍‌ଡିସି ପ୍ରଦାନ କରିଥିଲା । ଏଥିରେ ଆଠଟି ଲକ୍ଷ୍ୟ ଥିଲା  । ସେଥିରୁ ତିନୋଟି ଯଥା ଅକ୍ଷୟଶକ୍ତି ଉତ୍ପାଦନ ମାଧ୍ୟମରେ ନିଜର ବିଜୁଳି ଆବଶ୍ୟକତାର ୪୦% ପୂରଣ କରିବାକୁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ, ୨୦୦୫ ସ୍ତର ଅନୁସାରେ ନିଜ ଜିଡିପିର ୩୩ରୁ ୩୫ଭାଗ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ, ତଥା ନୂତନ ଜଙ୍ଗଲ ଓ ସବୁଜିମା ସୃଷ୍ଟି ମାଧ୍ୟମରେ ଆଉ ଅତିରିକ୍ତ ୨.୫ରୁ ୩ ବିଲିୟନ ଟନ୍‌ର କାର୍ବନ ସିଙ୍କ୍ ସୃଷ୍ଟି ଗୁରୁତ୍ୱ ପାଇଥିଲା ।

ନୂଆ ଏନ୍‌ଡିସି ଅନୁସାରେ ୨୦୦୫ ବର୍ଷ ତୁଳନାରେ ୨୦୩୦ ସୁଦ୍ଧା ଭାରତ ତାହାର ଜିଡିିପିର ୪୫ ଶତାଂଶ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାକୁ ସଂକଳ୍ପ ବଦ୍ଧ । ସେହିଭଳି ୨୦୩୦ ସୁଦ୍ଧା ଭାରତ ମଧ୍ୟ ଅଣ ପାରମ୍ପରିକ ଉତ୍ସରୁ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ତାହାର ବିଜୁଳି ଉତ୍ପାଦନ କ୍ଷମତାକୁ ୫୦% ବୃଦ୍ଧି କରିବ । ଆଜି କ୍ୟାବିନେଟରେ ଅନୁମୋଦିତ ଏନ୍‌ଡିସିରେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପ୍ରତିଫଳିତ ହୋଇଛି ।  ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଗରିବ ଓ ବିପଦାପନ୍ନ ଲୋକଙ୍କୁ ସୁରକ୍ଷିତ ରଖିବା ସହିତ ଜୀବନ ଶୈଳୀ ପରିବର୍ତ୍ତନ, ନିରନ୍ତର ବିକାଶ ଏବଂ ସମସ୍ତଙ୍କୁ ଜଳବାୟୁ ନ୍ୟାୟ ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ଅପ୍‌ଡେଟେଡ୍ ଏନ୍‌ଡିସିରେ କୁହାଯାଇଛି ଯେ ପରମ୍ପରା ଭିତ୍ତିରେ, ସଂରକ୍ଷଣ ମୂଲ୍ୟବୋଧ ଅନୁସାରେ, ସର୍ବନିମ୍ନ ଆବଶ୍ୟକତା ପୂରଣ ଲକ୍ଷ୍ୟରେ ସୁସ୍ଥ ଓ ନିରନ୍ତର ଜୀବନ ଯାପନ  ପ୍ରଚାର ନିମନ୍ତେ ଏହା  ଉପସ୍ଥାପିତ ହେଉଛି ଏବଂ ଲାଇଫକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାକୁ ପ୍ରସ୍ତାବ ରଖିଛି । ଲାଇଫ୍‌ର ଅର୍ଥ ଲାଇଫ ଷ୍ଟାଇଲ ଫର ଏନ୍‌ଭିରୋନ୍‌ମେଣ୍ଟ (ପରିବେଶ ପାଇଁ ଜୀବନ ଶୈଳୀ) ଯାହା ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ।

ଏହି ନୂତନ ଏନ୍‌ଡିସି ଭାରତର ସ୍ୱାର୍ଥ, ପରିବେଶ ଓ ଜଳବାୟୁ ପରିବର୍ତ୍ତନରେ ଜରୁରୀ ଆବଶ୍ୟକତାଗୁଡିକୁ ବିଚାରକୁ ନେଇ ଅତ୍ୟନ୍ତ ସତର୍କତାର ସହ ପ୍ରସ୍ତୁତି ହୋଇଛି । ତେବେ ଦାୟିତ୍ୱବୋଧ ସହିତ ଦେଶର ସାମର୍ଥ୍ୟକୁ ଏଥିରେ ଗୁରୁତ୍ୱପ୍ରଦାନ କରାଯାଇଛି । ଦେଶର ନିରନ୍ତର ବିକାଶଧାରାକୁ ଅବ୍ୟାହତ ରଖି ଯଥାସମ୍ଭବ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିବା ଦିଗରେ ଆମେ ଯେଉଁ ଅଙ୍ଗୀକାର ପ୍ରକାଶ କରିଥିଲୁ ସେ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

କୋପ୍‌-୨୬ରେ ପ୍ରଧାନମନ୍ତ୍ରୀ ବିଶ୍ୱ ସବୁଦାୟକୁ ଏକ ଏକକ ଶବ୍ଦ ବିଶିଷ୍ଟ ଆନ୍ଦୋଳନ (ୱାନ ୱାର୍ଡ ମୁମେଣ୍ଟ) ପାଇଁ ଆହ୍ୱାନ ଦେଇଥିଲେ । ସେହି ଶବ୍ଦଟି ଥିଲା ଲାଇଫ’(L, I, F, E,)ବା  ଲାଇଫ ଷ୍ଟାଇଲ ଫର ଏନ୍‌ଭିରୋନମେଣ୍ଟ। ସରଳ ଭାଷାରେ ପରିବେଶ ପାଇଁ ଜୀବନ ଶୈଳୀ । ଆମ ପୃଥିବୀର ସ୍ୱାର୍ଥ ଅନୁକୂଳ ଜୀବନ ଶୈଳୀ ଆମେ ଆପଣାଇଲେ ଆମର ଆବଶ୍ୟକତା ପୂରଣ ହେବ ଏବଂ ବସୁଧାର କୌଣସି କ୍ଷତି ହେବ ନାହିଁ । ଏନ୍‌ଡିସିରେ  ନାଗରିକ କେନ୍ଦ୍ରୀୟ ଆଭିମୁଖ୍ୟ ନେଇ ଜଳବାୟୁ  ପରିବର୍ତ୍ତନର ମୁକାବିଲାକୁ ଗୁରୁତ୍ୱ ଦିଆଯାଇଛି ।

୨୦୨୧ରୁ ୨୦୩୦ ମଧ୍ୟରେ ଭାରତ କିପରି ସ୍ୱଚ୍ଛ ଇନ୍ଧନ ବ୍ୟବହାର ପର୍ଯ୍ୟାୟକୁ ଯିବ ତାହା ଉଲ୍ଲେଖ କରାଯାଇଛି । ସ୍ୱଚ୍ଛ ଇନ୍ଧନ ଉତ୍ପାଦନ ପାଇଁ ସରକାର ଟିକସ ରିହାତି ସହିତ ଯୋଗାଇ ଦେଉଥିବା ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ ଅଛି । ଜଳ, କୃଷି, ଜଙ୍ଗଲ, ଉର୍ଜା, ଆବାସ, ବର୍ଜ୍ୟବସ୍ତୁ ପରିଚାଳନା, ସର୍କୁଲାର ଇକ୍‌ନମି ଆଦି ବିଭିନ୍ନ କ୍ଷେତ୍ରରେ ସରକାର ଗ୍ରହଣ କରୁଥିବା ପରିବେଶ ଅନୁକୂଳ ପଦକ୍ଷେପ ସମ୍ପର୍କରେ ମଧ୍ୟ ଏନ୍‌ଡିସି ତଥ୍ୟ ରଖିଛି । ଭାରତ କିପରି ପ୍ରଦୂଷଣକାରୀ ଅର୍ଥନୀତିରୁ ନିଜକୁ କ୍ରମଶଃ ଦୂରେଇ ସ୍ୱଚ୍ଛ ଇନ୍ଧନର ବ୍ୟବହାର ପୂର୍ବକ ନିଜର ଅଭିବୃଦ୍ଧି ବଢାଇବା ଦିଗରେ କାମ କରୁଛି ତାହାର ଅନେକ  ଉଦାହରଣ ଏନ୍‌ଡିସିରେ ଉଲ୍ଲେଖ କରାଯାଇଛି ।

୨୦୩୦ସୁଦ୍ଧା ଭାରତୀୟ ରେଳବାଇ ସମ୍ପୂର୍ଣ୍ଣ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରିବା ଫଳରେ ବାର୍ଷିକ ଅଙ୍ଗାରକାମ୍ଳ ନିର୍ଗମନ ୬୦ ନିୟୁତ ଟନ୍ ହ୍ରାସ ପାଇବ । ସେହିଭଳି ଏଲ୍‌ଇଡି ବଲ୍‌ବ ଅଭିଯାନ ଫଳରେ ଅଙ୍ଗାରକାମ୍ଳ ନିର୍ଗମନ ବାର୍ଷିକ ୪୦ ନିୟୁତ ଟନ୍ କମିଥିବା ରିପୋର୍ଟରେ ଦର୍ଶାଯାଇଛି ।

ଭାରତରେ  ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟ ପାଇଁ ମୁଖ୍ୟତଃ ଘରୋଇ ସମ୍ବଳ ବିନିଯୋଗ କରାଯାଉଛି । ତେବେ ଏ କ୍ଷେତ୍ରରେ ଅଧିକ କିଛି କରିବା ପାଇଁ ଅତିରିକ୍ତ ସମ୍ବଳ ଓ ଅତ୍ୟାଧୁନିକ ଟେକ୍‌ନୋଲୋଜିର ଆବଶ୍ୟକତା ରହିଛି । ୟୁଏନ୍‌ଏଫସିସିସି ଏବଂ ପ୍ୟାରିସ ଚୁକ୍ତିର ସର୍ତ୍ତ ଅନୁସାରେ ଏହି ଅର୍ଥ ଓ ଟେକ୍‌ନୋଲୋଜି ବିକାଶଶୀଳ ରାଷ୍ଟ୍ରଙ୍କୁ ଯୋଗାଇ ଦେବା ବିକଶିତ ରାଷ୍ଟ୍ରମାନଙ୍କର ଦାୟିତ୍ୱ । ଭାରତ ମଧ୍ୟ ଏଭଳି ବାହ୍ୟ ଆର୍ଥିକ ସହାୟତା ଓ ଟେକ୍‌ନୋଲୋଜି ଆବଶ୍ୟକ କରୁଛି ।

ଭାରତର ଏନ୍‌ଡିସି କୌଣସି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା କରିବାକୁ ବାଧ୍ୟତାମୂଳକ ନୁହେଁ । ଏହାର ମୂଳ ଲକ୍ଷ୍ୟ ହେଲା ସାମଗ୍ରିକ ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରା ହ୍ରାସ ଓ ସମୟ କ୍ରମେ ଏହାର ଅର୍ଥନୀତିର ଊର୍ଜା ଦକ୍ଷତା ବୃଦ୍ଧି । ଏହା ମଧ୍ୟ ଦେଶର  ଦୁର୍ବଳ ବର୍ଗ  ଅର୍ଥନୀତିର ଦୁର୍ବଳ କ୍ଷେତ୍ରକୁ ସୁରକ୍ଷିତ ରଖିବାକୁ ଚାହେଁ ।

 

*****

TKM/SLP



(Release ID: 1848103) Visitor Counter : 49