ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚେନ୍ନାଇଠାରେ ୪୪ତମ ଚେସ୍ ଅଲିମ୍ପିଆଡର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

Posted On: 28 JUL 2022 9:16PM by PIB Bhubaneshwar

ଗୁଡ୍ ମର୍ଣ୍ଣିଂ ଚେନ୍ନାଇ ! ୱଣକମ୍ ! ନମସ୍ତେ !

ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର ଏନ୍ ରବିଜୀ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏମ. କେ ଷ୍ଟାଲିନଜୀ, ମନ୍ତ୍ରୀଗଣ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ପ୍ରତିନିଧି, ଏଫଆଇଡିଇର ସଭାପତି ଶ୍ରୀ ଆର୍କାଡି ଭୋର୍କୋଭିଚଜୀ, ସମଗ୍ର ବିଶ୍ୱରୁ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ଟିମର ଖେଳାଳୀଗଣ, ଭଦ୍ରମହିଳା ଏବଂ ଭଦ୍ରବ୍ୟକ୍ତି ବୃନ୍ଦ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଭାରତରେ ଆୟୋଜିତ ୪୪ତମ ଚେସ୍ ଅଲିମ୍ପିଆଡକୁ ସ୍ୱାଗତ କରୁଛି । ଚେସର ମୂଳ ଭୂମି ଭାରତକୁ ସବୁଠାରୁ ଅଧିକ ମର୍ଯ୍ୟାଦାବନ୍ତ ଚେସ୍ ଟୁର୍ଣ୍ଣାମେଣ୍ଟ ଆଜି ଆସିଛି । ଭାରତର ଇତିହାସରେ ଏହି ଟୁର୍ଣ୍ଣାମେଣ୍ଟ ଏକ ବିଶେଷ ସମୟରେ ଆସିଛି । ଉପନିବେଶବାଦୀ ଶାସନରୁ ମୁକ୍ତି ପାଇବାର ଆମେ ୭୫ତମ ବର୍ଷ ପୂର୍ତ୍ତି ମନାଉଛୁ । ଏହା ଆମର ଆଜାଦୀ କା ଅମୃତ ମହୋତ୍ସବ । ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଆପଣମାନଙ୍କର ଏଠାକୁ ଆଗମନ ଆମମାନଙ୍କ ପାଇଁ ଗର୍ବ ଓ ଗୌରବର କଥା ।

ବନ୍ଧୁଗଣ,

ସର୍ବ ପ୍ରଥମେ ମୁଁ ଏହି ପ୍ରତିଯୋଗିତାର ଆୟୋଜକମାନଙ୍କୁ ପ୍ରଶଂସା କରିବି । ଏତେ କମ୍ ସମୟ ଭିତରେ ସେମାନେ ଏଭଳି ଏକ ଅଭୂତପୂର୍ବ ବ୍ୟବସ୍ଥା କରିପାରିଛନ୍ତି! ଆମେ ଭାରତରେ ସଦୈବ “ଅତିଥି ଦେବୋ ଭବ” ଭାବନାରେ ବିଶ୍ୱାସ କରୁ ଯାହାର ଅର୍ଥ ହେଲା ଅତିଥି ଆମମାନଙ୍କ ପାଇଁ ଈଶ୍ୱର ସଦୃଶ । ଆଜକୁ ହଜାର ହଜାର ବର୍ଷ ପୂର୍ବେ ସନ୍ଥ ଥିରୁଭଲ୍ଲୁଭର କହିଥିଲେ : “ଇରୁନ ଦେମ୍ବି ଇଲବାଡବଦୈଲ୍ଲାମ୍- ବିରୁନ- ଦେମ୍ବୀ ବେଡାଣମଇ ସେଦ୍ୟର୍ ପୋରୁଟ୍ଟୁ” । ଏହାର ସରଳ ଅର୍ଥ ହେଲା- ଜୀବନଧାରଣ ପାଇଁ ଏବଂ ଘରଟିଏ ଅର୍ଜିବାର ଏକମାତ୍ର ଅର୍ଥ ହେଲା ଆତିଥ୍ୟ ମନୋଭାବ ପୋଷଣ କରିବା । ତେଣୁ ଆପଣମାନେ ଏଠାରେ କିଭଳି ଖୁସିରେ ଅବସ୍ଥାନ କରିବେ ସେଥିପାଇଁ ଆମେ ସକଳ ପ୍ରକାର ପ୍ରୟାସ କରିବୁ । ଆପଣମାନେ କିପରି ଆପଣମାନଙ୍କର ସର୍ବଶ୍ରେଷ୍ଠ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବେ ସେଥିପାଇଁ ଆମେ ଆପଣମାନଙ୍କୁ ସହାୟକ ହେବୁ ।

ବନ୍ଧୁଗଣ,

୪୪ତମ ଚେସ୍ ଅଲିମ୍ପିଆଡରେ ଅନେକ ପ୍ରଥମ ଏବଂ ରେକର୍ଡ଼ ସ୍ଥାପନ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ଚେସ୍ ଉତ୍ପତ୍ତି ଲାଭ କରିଥିବା ଭୂମି ଅର୍ଥାତ୍ ଭାରତରେ ଚେସ୍ ଅଲିମ୍ପିଆଡର ଆୟୋଜିତ କରାଯାଇଛି । ତିନି ଦଶନ୍ଧି ପରେ ଏହା ପ୍ରଥମ ଥର ପାଇଁ ଏସିଆ ମହାଦେଶକୁ ପୁଣି ଥରେ ଫେରିଛି । ଏହି ପ୍ରତିଯୋଗିତାରେ ସର୍ବାଧିକ ସଂଖ୍ୟକ ଟିମ୍ ଅଂଶଗ୍ରହଣ କରୁଛନ୍ତି । ମହିଳା ବର୍ଗରେ ସର୍ବାଧିକ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ଚଳିତ ଥର ପ୍ରଥମ ଥର ପାଇଁ ଚେସ୍ ଅଲିମ୍ପିଆଡର ମଶାଲ ରାଲି ଅନୁଷ୍ଠିତ ହୋଇଛି । ତେଣୁ ଏହି ଚେସ୍ ଅଲିମ୍ପିଆଡର ସ୍ମୃତି ଆମ ମନରେ ସବୁଦିନ ପାଇଁ ରହିବ ।

ବନ୍ଧୁଗଣ,

ଯେହେତୁ ଏହା ଆମର ସ୍ୱାଧୀନତା ପ୍ରାପ୍ତିର ୭୫ତମ ବର୍ଷ ପୂର୍ତ୍ତି, ସେହି କାରଣରୁ ଚେସ୍ ଅଲିମ୍ପିଆଡର ମଶାଲ ରାଲିକୁ ୭୫ଟି ପ୍ରମୁଖ ସ୍ଥାନରେ ଭ୍ରମଣ କରାଯାଇଛି । ଏହା ସତେଇଶ ହଜାର କିଲୋମିଟରରୁ ଅଧିକ ପଥ ଯାତ୍ରା କରିଛି ଏବଂ ତାହା ଯୁବବର୍ଗଙ୍କ ମନରେ ଚେସ୍ ପ୍ରତି ଏକ ବିଶେଷ ଆଗ୍ରହ ଜାତ କରିଛି ଏବଂ ସେମାନଙ୍କୁ ପ୍ରଭାବିତ କରିଛି । ଏହା ମଧ୍ୟ ଗର୍ବର କଥା ଯେ ଭବିଷ୍ୟତରେ ଚେସ୍ ଅଲିମ୍ପିଆଡ ପାଇଁ ହେବାକୁ ଥିବା ମଶାଲ ରାଲି ଭାରତରୁ ହିଁ ଆରମ୍ଭ ହେବ । ସେଥିପାଇଁ ପ୍ରତ୍ୟେକ ଭାରତୀୟଙ୍କ ପକ୍ଷରୁ ମୁଁ ଏଫଆଇଡିଇର ଏଭଳି ଭବ୍ୟତା ପାଇଁ ମୋର ଧନ୍ୟବାଦ ଜ୍ଞାପନ କରୁଛି ।

ବନ୍ଧୁଗଣ,

ଯେଉଁ ସ୍ଥାନରେ ଏହି ଚେସ୍‌ ଅଲିମ୍ପିଆଡ୍‌ ଆୟୋଜିତ ହେଉଛି ତାହା ମଧ୍ୟ ଏଥିପାଇଁ ସବୁଠାରୁ ଉପଯୁକ୍ତ । ତାମିଲନାଡ଼ୁରେ ଅନେକ ମନ୍ଦିର ରହିଛି ଯେଉଁଥିରେ ସୁନ୍ଦର ସୁନ୍ଦର ପ୍ରସ୍ତର କାରୁକାର୍ଯ୍ୟ ରହିଛି ଏବଂ ତାହା ବିଭିନ୍ନ ପ୍ରକାର କ୍ରୀଡ଼ାକୁ ମଧ୍ୟ ସୂଚୀତ କରିଥାଏ । ଆମ ସଂସ୍କୃତିରେ କ୍ରୀଡ଼ାକୁ ସଦାବେଳେ ଦିବତ୍ୱର ସହିତ ବିବେଚନା କରାଯାଇଥାଏ । ବସ୍ତୁତଃ, ତାମିଲନାଡ଼ୁରେ, ଆପଣମାନେ ଚତୁରଙ୍ଗ ବଲ୍ଲବନାଥର ମନ୍ଦିରରେ ଏକଥା ସହଜରେ ଲକ୍ଷ୍ୟ କରିପାରିବେ । ଏହି  ଥିରୁପୁଭାନୁର ମନ୍ଦିର ସଂପର୍କରେ ମଧ୍ୟ ଗୋଟିଏ ଚମତ୍କାର କାହାଣୀ ରହିଛି ଯାହ ଚେସ୍‌ ସହିତ ସଂପର୍କୀତ । ଏପରିକି ଈଶ୍ୱର ମଧ୍ୟ ଜଣେ ରାଜକୁମାରୀ ସହିତ ଚେସ୍‌ ଖେଳିଥିଲେ! ଏହା ସ୍ୱାଭାବିକ, ତାମିଲନାଡ଼ୁର ଚେସ୍‌ ଖେଳ ସହିତ ଏକ ସୁଦୃଢ଼ ଐତିହାସିକ ସଂପର୍କ ରହିଛି । ସେଇଥିପାଇଁ ଏହାକୁ ଭାରତର ଚେସ୍‌ ଶକ୍ତିକେନ୍ଦ୍ର ବୋଲି ବିବେଚନା କରାଯାଇଥାଏ । ଏହି ସହର ଭାରତର ଅନେକ ଚେସ୍‌ ଗ୍ରାଣ୍ଡମାଷ୍ଟରଙ୍କୁ ଜନ୍ମ ଦେଇଛି । ଏହା ଅନେକ ବିଜ୍ଞ ବ୍ୟକ୍ତିଙ୍କୁ ଜନ୍ମ ଦେଇଛି, ଅନେକ ସ୍ପନ୍ଦିତ ସଂସ୍କୃତିକୁ ଜନ୍ମ ଦେଇଛି ଏବଂ ତାମିଲ ହେଉଛି ବିଶ୍ୱର ସର୍ବପ୍ରାଚୀନ ଭାଷା । ମୋର ବିଶ୍ୱାସ ଯେ ଆପଣମାନେ ଚେନ୍ନାଇ, ମହାବଳୀପୁରମ୍‌ ଏବଂ ନିକଟବର୍ତ୍ତୀ ସ୍ଥାନମାନଙ୍କରେ ଏକଥା ନିଜେ ଦେଖିବାର ପର୍ଯ୍ୟାପ୍ତ ଅବସର ପାଇବେ ।

ବନ୍ଧୁଗଣ,

କ୍ରୀଡା ସୁନ୍ଦର କାରଣ ସମସ୍ତଙ୍କୁ ଏକଜୁଟ କରାଇବା ନିମନ୍ତେ ଏଥିରେ ଏକ ସ୍ୱାଭାବିକ ଶକ୍ତି ନିହିତ ଥାଏ । କ୍ରୀଡ଼ା ଜନ ଜନ ଭିତରେ ସମାଜ ସମାଜ ଭିତରେ ଲୋକମାନଙ୍କୁ ନିକଟତର କରାଇଥାଏ । କ୍ରାଡ଼ା ଗୋଷ୍ଠୀବଦ୍ଧ ମାନସିକତା ଉଦ୍ରେକ କରିଥାଏ । ଦୁଇବର୍ଷ ପୂର୍ବେ ବିଶ୍ୱ ଶହେ ବର୍ଷ ମଧ୍ୟରେ ଦେଖାଦେଇଥିବା ସର୍ବବୃହତ୍‌ ମହାମାରୀ ସହିତ ଜୁଝିବା ଆରମ୍ଭ କରିଥିଲା । ଦୀର୍ଘ ସମୟ ଧରି ଜୀବନ ଯେପରି ଠପ୍‌ ହୋଇଯାଇଥିଲା । ସେଭଳି ସମୟରେ ସୁଦ୍ଧା, ବିଭିନ୍ନ ପ୍ରକାର କ୍ରୀଡ଼ା ହିଁ ବିଶ୍ୱକୁ ଏକଜୁଟ କରାଇବାରେ ସହାୟକ ହୋଇଥିଲା । ପ୍ରତି ପ୍ରତିଯୋଗିତା ସେହି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥିଲା - ଯେତେବେଳେ ଆମେ ଏକଜୁଟ ହୋଇଥାଉ ସେତେବେଳେ ଆମେ ଅଧିକ ସୁଦୃଢ଼ ହୋଇଥାଉ । ଯେତେବେଳେ ଆମ ଏକତ୍ରିତ ହୋଇଥାଉ ସେତେବେଳେ ଆହୁରି ଉତ୍ତମ ପ୍ରଦର୍ଶନ କରିପାରିଥାଉ । ମୁଁ ଆଜି ଏଠାରେ ସେହି ଭାବନା ଲକ୍ଷ୍ୟ କରିପାରୁଛି । କୋଭିଡ- ପରବର୍ତ୍ତୀ ସମୟ ଆମକୁ ଅଧିକ ସୁସ୍ଥ ଏବଂ ନିରାମୟ ରହିବାର ଗୁରୁତ୍ୱକୁ ହୃଦୟଙ୍ଗମ କରିବାର ଅବସର ପ୍ରଦାନ କରିଛି, ତାହା ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ । ସେଥିପାଇଁ କ୍ରୀଡ଼ା ପ୍ରତିଭାବାନଙ୍କୁ ଉତ୍ସାହିତ କରିବା ଏବଂ କ୍ରୀଡ଼ା ଭିତ୍ତିଭୂମିରେ ନିବେଶ କରିବା ଏକାନ୍ତ ଜରୁରି ହୋଇପଡ଼ିଛି ।

ବନ୍ଧୁଗଣ,

ମୁଁ ଆପଣମାନଙ୍କ ସହିତ ଏହି ଭାବନା ବାଣ୍ଟିବାରେ ବେଶ୍‌ ଆନନ୍ଦ ଅନୁଭବ କରୁଛି ଯେ ବର୍ତ୍ତମାନ ଠାରୁ ଭାରତରେ କ୍ରୀଡ଼ା ପାଇଁ ଆଉ କେବେ ଉତ୍ତମ ଓ ପ୍ରକୃଷ୍ଟ ସମୟ ନଥିଲା । ଅଲିମ୍ପିକ୍ସ, ପାରାଅଲିମ୍ପିକ୍ସ ଏବଂ ଡେଫିଲିମ୍ପିକ୍ସରେ ଭାରତ ତା’ର ଶ୍ରେଷ୍ଠ ପ୍ରଦର୍ଶନ ପ୍ରଦର୍ଶିତ କରିଛି ।

ଆମେ ସେହିସବୁ କ୍ରୀଡ଼ାରେ ଗୌରବର ସହ ସଫଳତା ହାସଲ କରିଛୁ ପୂର୍ବରୁ ଯେଉଁଥିରେ ଆମକୁ ସାଫଲ୍ୟ ମିଳିନଥିଲା । ଆଜି କ୍ରୀଡ଼ାକୁ ଦେଶରେ ଏକ ମହାନ୍‌ ପେଶାଭାବେ ଗ୍ରହଣ କରାଯାଉଛି । ଭାରତର କ୍ରୀଡ଼ା ସଂସ୍କୃତି ମୁଖ୍ୟତଃ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣର ସଫଳ ମିଶ୍ରଣ ଯୋଗୁ ଦିନକୁ ଦିନ ସୁଦୃଢ଼ ହେବାରେ ଲାଗିଛି । ଯୁବପ୍ରତିଭାଙ୍କ ଶକ୍ତି ଏବଂ ଉପଯୁକ୍ତ ବାତାବରଣ । ଆମର ପ୍ରତିଭାବାନ୍‌ ଯୁବ କ୍ରୀଡ଼ାବିତ୍‌ମାନେ, ବିଶେଷ କରି ଦେଶର ଛୋଟ ଛୋଟ ଟାଉନ୍‌ ଏବଂ ଗ୍ରାମମାନଙ୍କୁ ଆସୁଥିବା ଏହିସବୁ ପ୍ରତିଭା ଆମମାନଙ୍କ ପାଇଁ ଗର୍ବ ଓ ଗୌରବ ଅର୍ଜନ କରୁଛନ୍ତି । ଏହା ଅତ୍ୟନ୍ତ ଆନନ୍ଦର କଥା ଯେ ଏଭଳି କ୍ରୀଡ଼ା ବିପ୍ଳବର ଶୀର୍ଷରେ ଦେଶର ମହିଳାମାନେ ରହିଛନ୍ତି । ପ୍ରଶାସନିକ ବ୍ୟବସ୍ଥା, ପ୍ରୋତ୍ସାହନର ଢାଂଚା ଏବଂ ସୁଦୃଢ଼ ଭିତ୍ତିଭୂମି ଏହି କ୍ଷେତ୍ରକୁ ବୈପ୍ଳବିକ ବେଗ ପ୍ରଦାନ କରିଛି ।

ବନ୍ଧୁଗଣ,

ଆଜି ଆନ୍ତର୍ଜାତିକ କ୍ରୀଡ଼ା ନିମନ୍ତେ ଏକ ଶୁଭ ଦିନ । ଆଜି ଏଠାରେ ଭାରତରେ ୪୪ଶ ଚେସ୍‌ ଅଲିମ୍ପିଆଡ୍‌ ଆରମ୍ଭ ହେଉଛି । ସେପଟେ ବ୍ରିଟେନ୍‌ରେ ୨୨ଶ ରାଜ୍ୟଗୋଷ୍ଠୀ କ୍ରୀଡା ମଧ୍ୟ ଆଜିଠାରୁ ଶୁଭାରମ୍ଭ ହେବାକୁ ଯାଉଛି । ବିଶ୍ୱର ଅନେକ ଭାଗରୁ ଆସିଥିବା ହଜାର ହଜାର କ୍ରୀଡ଼ାବିତ୍‌ ସେମାନଙ୍କର ରାଷ୍ଟ୍ର ପାଇଁ ଗୌରବ ଅର୍ଜନ କରିବା ସକାଶେ ପ୍ରତିସ୍ପର୍ଦ୍ଧୀ ହୋଇଛନ୍ତି । ମୁଁ ସେମାନଙ୍କୁ ସମସ୍ତଙ୍କର ସର୍ବଶୁଭ କାମନା କରୁଛି ।

ବନ୍ଧୁଗଣ,

ପ୍ରକୃତ କ୍ରୀଡ଼ାରେ କେହି କେବେ ପରାଜିତ ହୋଇନଥାଏ । କେବଳ ବିଜୟୀ ଏବଂ ଭବିଷ୍ୟତର ବିଜୟୀ ହିଁ ରହିଥାନ୍ତି । ୪୪ଶ ଚେସ୍‌ ଅଲିମ୍ପିଆଡ଼ ପାଇଁ ଏଠାରେ ଏକତ୍ରିତ ହୋଇଥିବା ସମସ୍ତ ଟିମ୍‌ ଏବଂ ଅଂଶଗ୍ରହଣକାରୀଙ୍କୁ ମୁଁ ମୋର ସର୍ବଶୁଭ କାମନା କରୁଛି । ମୁଁ ଆଶା କରୁଛି ଭାରତର ସ୍ମୃତିକୁ ଆପଣମାନେ ନିଜ ସାଥିରେ ବହନ କରିବେ ଏବଂ ତାହା ଆପଣମାନଙ୍କ ସହିତ ଆଗାମୀ ଦିନରେ ମଧ୍ୟ ରହିବ । ଭାରତ ସଦାବେଳେ ଆପଣମାନଙ୍କୁ ଦୁଇ ହସ୍ତ ପ୍ରସାରଣ କରି ସ୍ୱାଗତ କରିବ । ଆପଣମାନଙ୍କର ସର୍ବଶୁଭ ମନାସୁଛି ! ଏବଂ ଏଥିସହିତ ୪୪ଶ ଚେସ୍‌ ଅଲିମ୍ପିଆଡ୍‌କୁ ଆନୁଷ୍ଠାନିକ ଶୁଭାରମ୍ଭ ହେଲାବୋଲି ଘୋଷଣା କରୁଛି । ଏବେ ଖେଳ ଆରମ୍ଭ ହେଉ !

SS/DD



(Release ID: 1846104) Visitor Counter : 139