ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଜିଲ୍ଲାପାଳ ମାନେ ହୋଟେଲ୍ ଏବଂ ରେଷ୍ଟୁରାଂଟ ଦ୍ୱାରା ଲଗା ଯାଇଥିବା ସେବା ଶୁଳ୍କ ନିର୍ଦ୍ଦେଶାବଳୀର ତତ୍କାଳ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବେ : ସିସିପିଏ


ସିସିପିଏ ମୁଖ୍ୟ ସଚିବ ଏବଂ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶାବଳୀର କାର୍ଯ୍ୟାନ୍ୱୟନ ସହିତ ବ୍ୟାପକ ପ୍ରଚାର - ପ୍ରସାର ବ୍ୟବସ୍ଥା କରିବା ନିମନ୍ତେ ଚିଠି ଲେଖିଛନ୍ତି

ଦିଲ୍ଲୀରେ ସେବା ଶୁଳ୍କ ଲାଗୁ ହେବା ନେଇ ସବୁଠାରୁ ଅଧିକ ଅଭିଯୋଗ ଆସିଛି, ନିର୍ଦ୍ଦେଶାବଳୀ ଜାରି ହେବାର ୪ ଦିନ ଭିତରେ ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ମାଧ୍ୟମରେ ମୋଟ ୮୫ଟି ଅଭିଯୋଗ ପଞ୍ଜୀକୃତ ହୋଇଛି

Posted On: 09 JUL 2022 4:12PM by PIB Bhubaneshwar

କେନ୍ଦ୍ର ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ଜିଲ୍ଲାପାଳ ମାନଙ୍କୁ ହୋଟେଲ୍ ଏବଂ ରେଷ୍ଟୁରାଂଟ ଦ୍ୱାରା ସେବା କର ସମ୍ପର୍କିତ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଗୁଡିକୁ ଲାଗୁ କରିବା ସୁନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମ୍ପର୍କିତ ଅଭିଯୋଗ ମିଳିବା ପରେ ଜିଲ୍ଲାପାଳ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ସମ୍ପର୍କରେ ଯାଂଚ କରି ପାରିବେ ଏବଂ ୧୫ ଦିନ ଭିତରେ ପ୍ରାଧିକରଣକୁ ରିପୋର୍ଟ ପ୍ରଦାନ କରିବେ । 

ସିସିପିଏ ସାରା ଭାରତରେ ସମସ୍ତ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ସଚିବ ଏବଂ ଜିଲ୍ଲାପାଳ ମାନଙ୍କୁ ଉପଭୋକ୍ତା ମାନଙ୍କର ସ୍ୱାର୍ଥର ସୁରକ୍ଷା ନିମନ୍ତେ ଏହାର ତତ୍କାଳ କାର୍ଯ୍ୟାନ୍ୱୟନ ସହିତ ନିର୍ଦ୍ଦେଶାବଳୀର ବ୍ୟାପକ ପ୍ରଚାର - ପ୍ରସାର ବ୍ୟବସ୍ଥା କରିବା ନିମନ୍ତେ ଚିଠି ଲେଖିଛନ୍ତି । ଏହି ଚିଠିରେ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆ ଯାଇଛି ଯେ, ସେବା ଶୁଳ୍କ ଲଗାଇବା ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଟେ ଏବଂ ଏହା ଅନୁଚିତ ବ୍ୟବସାୟ ପ୍ରଥା ସୃଷ୍ଟି କରିଥାଏ, ଯେଉଁଥିରେ ଏକ ଶ୍ରେଣୀର ଉପଭୋକ୍ତା ମାନଙ୍କର ଅଧିକାର ଗୁଡିକୁ ପ୍ରଭାବିତ କରା ଯାଇଥାଏ ଏବଂ ଏଭଳି ଅଭିଯୋଗ ଗୁଡିକୁ ପ୍ରାଥମିକତା ଆଧାରରେ ଗ୍ରହଣ କରାଯିବ ଉଚିତ୍ । 

ସେବା ଶୁକ୍ଳ ଲାଗୁ କରିବା ସମ୍ପର୍କରେ ଅନେକ ଉପଭୋକ୍ତା ମାନେ ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍‌ରେ ନିଜର ଅଭିଯୋଗ ଦାଖଲ କରିଛନ୍ତି । ୦୧.୦୪.୨୦୨୧ରୁ ୨୦.୦୬.୨୦୨୨ ପର୍ଯ୍ୟନ୍ତ ଉପଭୋକ୍ତା ମାନଙ୍କ ଦ୍ୱାରା ସେବା ଶୁଳ୍କ ଲାଗୁ କରିବା ଉପରେ ୫୩୭ ଅଭିଯୋଗ ଦାଖଲ କରା ଯାଇଛି । ପ୍ରମୁଖ ଅଭିଯୋଗ ଗୁଡିକ ମଧ୍ୟରେ ହୋଟେଲ୍ / ରେଷ୍ଟୁରାଂଟରେ ସେବା କରକୁ ବାଧ୍ୟତାମୂଳକ କରିବା, ସେବା ଶୁଳ୍କ ପ୍ରଦାନକୁ ବିରୋଧ କରିବା ଯୋଗୁଁ ଉପଭୋକ୍ତା ମାନଙ୍କୁ ଲଜ୍ଜିତ କରିବା, କୌଣସି ଅନ୍ୟ ନାମରେ ସେବା ଶୁଳ୍କକୁ ଯୋଡିବା ଏବଂ ଉପଭୋକ୍ତା ମାନଙ୍କ ଠାରୁ ସେବା ଶୁଳ୍କ ଦେୟ ପ୍ରଦାନ ବୈକଳ୍ପିକ ଏବଂ ସ୍ୱେଚ୍ଛାକୃତ ବୋଲି ଲୁଚାଇବା ଇତ୍ୟାଦି ସାମିଲ୍ ଅଟେ । 

୦୫.୦୭.୨୦୨୨ରୁ ୦୮.୦୭.୨୦୨୨ ପର୍ଯ୍ୟନ୍ତ ଅର୍ଥାତ୍ ସିସିପିଏ ଦ୍ୱାରା ନିର୍ଦ୍ଦେଶାବଳୀ ଜାରି ହେବା ପରେ ଏନ୍‌ସିଏଚ୍‌ରେ ୮୫ଟି ଅଭିଯୋଗ ଦାଖଲ ହୋଇଛି । ସେବା ଶୁଳ୍କକୁ ନେଇ ଅଭିଯୋଗ ଆସିଥିବା ଶୀର୍ଷ ୫ଟି ସହର ଗୁଡିକ, ଯଥାକ୍ରମେ ନୂଆଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ, ପୁନେ ଏବଂ ଗାଜିଆବାଦରେ କ୍ରମଶଃ ୧୮, ୧୫, ୧୧, ୪ ଏବଂ ୩ ଟି ଅଭିଯୋଗ ଦାଖଲ ହୋଇଛି । 

ସିସିପିଏର ମୁଖ୍ୟ ଆୟୁକ୍ତ ଶ୍ରୀମତୀ ନିଧି ଖାରେ, ସ୍ପଷ୍ଟ କରିଛନ୍ତି ଯେ, ନିର୍ଦ୍ଦେଶାବଳୀ ଗୁଡିକ ପରାମର୍ଶଭିତିକ ନୁହେଁ ଏବଂ ଆଇନ୍ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଲାଗୁ କରିବା ଯୋଗ୍ୟ ଅଟେ । ଖାଉଟି ସୁରକ୍ଷା ଅଧିନିୟମ, ୨୦୧୯ର ଧାରା ୧୮ (୨) (୧) ଅଧିନରେ ନିର୍ଦ୍ଦେଶାବଳୀ ଜାରି କରା ଯାଇଛି, ଯାହା ସିସିପିଏକୁ ଅନୁଚିତ୍ ବ୍ୟବସାୟ ପ୍ରଥା ଗୁଡିକୁ ରୋକିବା ପାଇଁ ଉପଭୋକ୍ତା ମାନଙ୍କର ସ୍ୱାର୍ଥର ସୁରକ୍ଷା ନିମନ୍ତେ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିବା ପାଇଁ ଅଧିକାର ପ୍ରଦାନ କରିଥାଏ । 

ଯଦି କୌଣସି ଉପଭୋକ୍ତା ଏହା ଜାଣିବାକୁ ପାଇଥାଏ ଯେ, କୌଣସି ହୋଟେଲ୍ କିମ୍ବା ରେଷ୍ଟୁରାଂଟ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରି ସେବା ଶୁଳ୍କ ଲଗାଉଛି, ତେବେ ଉପଭୋକ୍ତା ସେହି ହୋଟେଲ୍ କିମ୍ବା ରେଷ୍ଟୁରାଂଟକୁ ସେବା ଶୁଳ୍କକୁ ବିଲ୍ ଅର୍ଥରୁ ହଟେଇ ଦେବା ପାଇଁ ଅନୁରୋଧ କରି ପାରିବେ । କିମ୍ବା ଉପଭୋକ୍ତା ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍‌ରେ ୧୯୧୫ରେ କଲ୍ କରି କିମ୍ବା ଏନ୍‌ସିଏଚ୍ ମୋବାଇଲ୍ ଆପ୍ ମାଧ୍ୟମରେ ଅଭିଯୋଗ ଦାଖଲ କରି ପାରିବେ, ଯାହା ପ୍ରାକ୍ ବିବାଦ ସ୍ତରରେ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିଥାଏ । 

ଉପଭୋକ୍ତା ଅନୁଚିତ ବ୍ୟବସାୟ ବ୍ୟବହାରର ବିରୋଧ କରି ଉପଭୋକ୍ତା ଆୟୋଗରେ ଅଭିଯୋଗ ମଧ୍ୟ ଦାଖଲ କରି ପାରିବେ । ଏହାର ତ୍ୱରିତ ଏବଂ ପ୍ରଭାବୀ ନିବାରଣ ନିମନ୍ତେ ଇ - ଦାଖିଲ୍ ପୋର୍ଟାଲ୍ www.edaakhil.nic.in ମାଧ୍ୟମରେ ଇଲେକ୍ଟ୍ରୋନିକ୍ ରୂପରେ ମଧ୍ୟ ଅଭିଯୋଗ ଦାଖଲ କରା ଯାଇ ପାରିବ । ଏହା ସହିତ, ଉପଭୋକ୍ତା ସିସିପିଏ ଦ୍ୱାରା ଯାଂଚ ଏବଂ ଏହା ପରବର୍ତୀ ପ୍ରକ୍ରିୟା ନିମନ୍ତେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଭିଯୋଗ ଦାଖଲ କରି ପାରିବ । ଅଭିଯୋଗ ସିସିପିଏକୁ com-ccpa[at]nic[dot]in ମାଧ୍ୟମରେ ଇ- ମେଲ୍ ଦ୍ୱାରା ମଧ୍ୟ ପଠା ଯାଇ ପାରିବ । 

ସିସିପିଏ ଦ୍ୱାରା ଜାରି କରା ଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଗୁଡିକ ଏବଂ ଖାଉଟି ବ୍ୟାପାର ବିଭାଗ ଦ୍ୱାରା ପୂର୍ବ ନିର୍ଦ୍ଦେଶାବଳୀ ମଧ୍ୟରେ ପାର୍ଥକ୍ୟ ହେଉଛି ଯେ, ମଧ୍ୟବର୍ତୀ ଅବଧିରେ ଖାଉଟି ସୁରକ୍ଷା ଅଧିନିୟମ, ୧୯୮୬କୁ ଉପଭୋକ୍ତା ସୁରକ୍ଷା ଅଧିନିୟମ ୨୦୧୯ରେ ପରିବର୍ତିତ କରି ଦିଆ ଯାଇଥିଲା, ଯାହା ଜୁଲାଇ ୨୦୨୦ରେ ଲାଗୁ ହୋଇ ଥିଲା । ଏହା ଏକ ନୂତନ ବିଧି ବ୍ୟବସ୍ଥା ସୃଷ୍ଟି କରିଛି, ଅର୍ଥାତ୍ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଗଠନ ହୋଇଛି, ଯାହା ଅନୁଚିତ ବାଣିଜ୍ୟ ପ୍ରଥା ବିଷୟରେ ଜାଣିବା ପାଇଁ ସଂସଦ ଦ୍ୱାରା କ୍ଷମତା ପ୍ରାପ୍ତ ହୋଇଛି । ଏଥିପାଇଁ, ନିର୍ଦ୍ଦେଶାବଳୀର କୌଣସି ପ୍ରକାରର ଉଲ୍ଲଂଘନକୁ ଗମ୍ଭୀରତାର ସହିତ ନିଆଯିବ ଏବଂ ଅନୁଚିତ ବ୍ୟବସାୟ ବ୍ୟବହାର ଏବଂ ଉପଭୋକ୍ତା ମାନଙ୍କର ଅଧିକାର ଗୁଡିକୁ ଉଲ୍ଲଂଘନ କରିବା କ୍ଷେତ୍ରରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।   

********

SSP

 

 

 



(Release ID: 1840447) Visitor Counter : 191