ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଅନଲାଇନ ଜୁଆ ଖେଳର ପ୍ରଚାର କରୁଥିବା ବିଜ୍ଞାପନ ବନ୍ଦ କରିବାକୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶ


ଭାରତୀୟ ଦର୍ଶକଙ୍କ ଉଦ୍ଦେଶ୍ୟରେ ଅନଲାଇନ ଓ ସାମାଜିକ ଗଣମାଧ୍ୟମରେ ଅନଲାଇନ ଜୁଆ ଖେଳ ବିଜ୍ଞାପନ ପ୍ରଦର୍ଶିତ ହେବ ନାହିଁ

ଜୁଆ ପାଇଁ ଉପଭୋକ୍ତାଙ୍କ ଉପରେ ଗମ୍ଭୀର ଆର୍ଥିକ ଓ ସାମାଜିକ ପ୍ରଭାବ ପଡ଼ୁଛି

Posted On: 13 JUN 2022 3:11PM by PIB Bhubaneshwar

ଅନଲାଇନ ଜୁଆ ଖେଳ ପରିଚାଳନା କରୁଥିବା ପ୍ଲାଟଫର୍ମ ସମ୍ପର୍କରେ ପ୍ରଚାର ଓ ପ୍ରସାର କରୁଥିବା ବିଜ୍ଞାପନ ବନ୍ଦ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଦେଶର ସବୁ ଛାପା, ବୈଦ୍ୟୁତିକ ଏବଂ ଡିଜିଟାଲ ଗଣମାଧ୍ୟମ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି ହୋଇଛି । ବର୍ତ୍ତମାନ ସମୟରେ ବିଭିନ୍ନ ଛାପା, ବୈଦ୍ୟୁତିକ, ସାମାଜିକ ଓ ଅନଲାଇନ ଗଣମାଧ୍ୟମରେ ଅନଲାଇନ ବେଟିଂ (ଜୁଆ ଖେଳ) ପରିଚାଳନା କରୁଥିବା ୱେବସାଇଟ/ପ୍ଲାଟଫର୍ମ ସମ୍ପର୍କରେ ସଂଖ୍ୟାଧିକ ବିଜ୍ଞାପନର ପ୍ରଚାରପ୍ରସାର କରାଯାଉଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି ।

ଦେଶର ଅଧିକାଂଶ ଭାଗରେ ଜୁଆ ଖେଳ ଓ ସଟ୍ଟାବାଜିକୁ ବେଆଇନ ଘୋଷଣା କରାଯାଇଛି । ଏହା ସାଧାରଣ ଉପଭୋକ୍ତା, ବିଶେଷ କରି ଯୁବବର୍ଗ ଏବଂ ପିଲାମାନଙ୍କ ଉପରେ ଗମ୍ଭୀର ଆର୍ଥିକ ଓ ସାମାଜିକ ପ୍ରଭାବ ପକାଇଥାଏ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି । ଏଥିରେ ଆହୁରି କୁହାଯାଇଛି ଯେ ଅନଲାଇନ ଜୁଆ ଖେଳ ସମ୍ପର୍କରେ ପ୍ରସାରିତ ହେଉଥିବା ବିଜ୍ଞାପନ ଏହି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଭଳି ପ୍ରଭାବ ପକାଉଛି । ଅନଲାଇନ ବେଟିଂ ଉପରେ ଏହି ବିଜ୍ଞାପନଗୁଡ଼ିକ ବିଭ୍ରାନ୍ତିକର ଏବଂ ଏଥିରେ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ର ନିୟମକୁ ଉଲ୍ଲଙ୍ଘନ କରାଯାଉଛି । ଏହାବ୍ୟତୀତ  କେବୁଲ ଟେଲିଭିଜନ ନେଟୱର୍କ ନିୟନ୍ତ୍ରଣ ଆଇନ, 1995 ଅଧୀନରେ ଧାର୍ଯ୍ୟ ବିଜ୍ଞାପନ ସଂହିତାକୁ ମଧ୍ୟ ଏସବୁ ବିଜ୍ଞାପନରେ ପାଳନ କରାଯାଉନାହିଁ । ଅନୁରୂପ ଭାବେ ପ୍ରେସ କାଉନସିଲ ଆଇନ 1978 ଅଧୀନରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଦ୍ବାରା ନିର୍ଦ୍ଧାରଣ କରାଯାଇଥିବା ସାମ୍ବାଦିକ ଆଚରଣ ସଂହିତା ଅଧୀନରେ ବିଜ୍ଞାପନ ମାନଦଣ୍ଡକୁ ମଧ୍ୟ ଏପରି ବିଜ୍ଞାପନରେ ଉଲ୍ଲଙ୍ଘନ କରାଯାଉଥିବା ମନ୍ତ୍ରଣାଳୟର ମାର୍ଗଦର୍ଶିକାରେ କୁହାଯାଇଛି ।

ବ୍ୟାପକ ଜନହିତରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି ଏବଂ ଅନଲାଇନ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ପ୍ରସାରଣ ଠାରୁ ଦୂରେଇ ରହିବା ଲାଗି ଛାପା, ବୈଦ୍ୟୁତିକ ଗଣମାଧ୍ୟମକୁ ଏଥିରେ ପରାମର୍ଶ ଦିଆଯାଇଛି । ଭାରତରେ ଏବଂ ଭାରତୀୟ ଦର୍ଶକଙ୍କ ଉଦ୍ଦେଶ୍ୟରେ ଏପରି ବିଜ୍ଞାପନ ପ୍ରଚାରପ୍ରସାର ନକରିବା ଲାଗି ଅନଲାଇନ ବିଜ୍ଞାପନ ମଧ୍ୟସ୍ଥ (ଇଣ୍ଟରମିଡିଆରିଜ) ଏବଂ ପ୍ରକାଶକଙ୍କ ସମେତ ଅନଲାଇନ ଓ ସାମାଜିକ ଗଣମାଧ୍ୟମକୁ ମଧ୍ୟ ମାର୍ଗଦର୍ଶିକାରେ ପରାମର୍ଶ ଦିଆଯାଇଛି ।

ଏଥିପୂର୍ବରୁ ଅନଲାଇନ ଗେମିଂର ବିଜ୍ଞାପନ କ୍ଷେତ୍ରରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ)ର ମାର୍ଗଦର୍ଶିକା ଅନୁସରଣ କରିବା ଲାଗି ୪ ଡିସେମ୍ବର, ୨୦୨୦ରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଅନଲାଇନ ଗେମିଂର ଛାପା ଏବଂ ଅଡିଓ-ଭିଜୁଆଲ ବିଜ୍ଞାପନ ପ୍ରସାରଣ ପାଇଁ କ’ଣ କରିବା ଉଚିତ୍‌ ଏବଂ କ’ଣ ନକରିବା ଉଚିତ୍‌ ତାହା ଏହି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଥିଲା।

 

ବିସ୍ତୃତ ମାର୍ଗଦର୍ଶିକା ପଢ଼ିବା ପାଇଁ ନିମ୍ନ ଲିଙ୍କରେ କ୍ଲିକ୍‌ କରନ୍ତୁ :

 

https://mib.gov.in/sites/default/files/Advisory%20on%20online%20betting%20advertisements%2013.06.2022%282%29_0.pdf

 

******

P.S.



(Release ID: 1833580) Visitor Counter : 181