ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅହମ୍ମଦାବାଦର ବୋପଲ ଠାରେ ଇନ୍‍-ସ୍ପେସ୍‍ ମୁଖ୍ୟାଳୟର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


ଇନ୍‍-ସ୍ପେସ୍‍ର ଶୁଭାରମ୍ଭ ଭାରତୀୟ ମହାକାଶ ଶିଳ୍ପ ନିମନ୍ତେ ଏକ ‘ମହାଶୂନ୍ୟ ଦର୍ଶନ’ ଭଳି ମୁହୂର୍ତ୍ତ

‘ଇନ୍‍- ସ୍ପେସ୍‍ ମହାକାଶ ପାଇଁ , ଇନ୍‍- ସ୍ପେସ୍‍ ପ୍ରଗତି ପାଇଁ ଏବଂ ଇନ୍‍ -ସ୍ପେସ୍‍ ଅଗ୍ରଣୀ ହେବାର ଲକ୍ଷ୍ୟ ହାସଲ ପାଇ’

‘ ଏହି କାର୍ଯ୍ୟକ୍ରମରେ ଘରୋଇ କ୍ଷେତ୍ର କେବଳ ଏକ ଭେଣ୍ଡର ଭାବେ କାର୍ଯ୍ୟ କରିବେନାହିଁ ବରଂ ମହାକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବିଜୟୀର ଭୂମିକା ନିର୍ବାହ କରିବେ ।’

‘ଯେତେବେଳେ ସରକାରୀ ମହାକାଶ ପ୍ରତିଷ୍ଠାନମାନଙ୍କର ସାମର୍ଥ୍ୟ ଏବଂ ଭାରତର ଘରୋଇ କ୍ଷେତ୍ରର ଆଗ୍ରହ ଏକତ୍ର ହେବ, ମହାକାଶ ବି ସୀମା ହୋଇ ରହିବନାହିଁ ।’

‘ଆଜି ଆମେ ଆମମାନଙ୍କ ଯୁବଗୋଷ୍ଠୀଙ୍କ ସମ୍ମୁଖରେ ସେମାନଙ୍କ ଯୋଜନାକୁ ସାକାର କରିବା ସକାଶେ କେବଳ ସରକାରୀ ମାର୍ଗକୁ ସର୍ତ୍ତ ରୂପେ ଉପସ୍ଥାପନ କରିବୁନାହିଁ ।’

‘ଆମର ମହାକାଶ ଅଭିଯାନ ସକଳ ପ୍ରକାର ମତଭେଦକୁ ଅତିକ୍ରମ କରିଛି ଏବଂ ଦେଶର ସମସ୍ତ ନାଗରିକଙ୍କ ଅଭିଯାନରେ ପରିଣତ ହୋଇଛି ।’

‘ଦେଶରେ ଏଭଳି ପରିବର୍ତ୍ତନ ଆଣିଥିବାରେ ଇସ୍ରୋ ସମସ୍ତ ସଫଳତାର ଶ୍ରେୟର ଅଧିକାରୀ ।’

‘ଭାରତର ମହାକାଶ କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ଅଭିଯାନର ସର୍ବବୃହତ୍‍ ପରିଚୟରେ ପରିଣତ ହୋଇଛି ।’

‘ବିଶ୍ୱର ମହାକାଶ ଶିଳ୍ପରେ ଭାରତ ଏବେ ତା’ର ଭାଗ ଦାବି ବୃଦ୍ଧି କରିବ ଏବଂ ଘରୋଇ କ୍ଷେତ୍ର ଏହି ଦିଗରେ ସବୁଠାରୁ ମୁଖ୍ୟ ଭୂମିକା ଗ୍ରହଣ କରିବେ ।’

‘ଭାରତ ଏକ ନୂତନ

Posted On: 10 JUN 2022 6:22PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ବୋପଲ ଠାରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ବୈଧିକରଣ କେନ୍ଦ୍ର ( ଇନ୍‍- ସ୍ପେସ୍‍) ମୁଖ୍ୟାଳୟର ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ସେଠାରେ ଇନ୍‍- ସ୍ପେସ୍‍ ଏବଂ ବିଭିନ୍ନ ଘରୋଇ କମ୍ପାନୀମାନଙ୍କ ମଧ୍ୟରେ ମହାକାଶ ଭିତ୍ତିକ ପ୍ରୟୋଗ ଏବଂ ସେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ କେତେଗୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଦେଶର ମହାକାଶ କ୍ଷେତ୍ରରେ ଘରୋଇ ସଂସ୍ଥାମାନଙ୍କୁ କାର୍ଯ୍ୟ କରିବା ସକାଶେ ପ୍ରୋତ୍ସାହିତ ଓ ସକ୍ଷମ କରାଇବା ନିମନ୍ତେ ଏହି ସଂସ୍ଥା ବିଶେଷ ଭାବେ ସହାୟକ ହେବ ଏବଂ ସେଥିପାଇଁ ସକଳ ପ୍ରକାର ସୁଯୋଗ ପ୍ରଦାନ କରିବ। ଭାରତର ପ୍ରଜ୍ଞାଯୁକ୍ତ ଯୁବଗୋଷ୍ଠୀଙ୍କୁ ଏହା ମହାକାଶ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ପ୍ରଚୁର ସୁଯୋଗ ପ୍ରଦାନ କରିବ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ ଏବଂ ମହାକାଶ ଶିଳ୍ପ ସହିତ ଜଡ଼ିତ ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏକବିଂଶ ଶତାବ୍ଦୀରେ ଆଧୁନିକ ଭାରତର ଯାତ୍ରା ସହିତ ଆଜି ଏକ ଉଲ୍ଲେଖନୀୟ ଅଧ୍ୟାୟ ଯୋଡ଼ିହୋଇଗଲା । ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଓ ବୈଧିକରଣ କେନ୍ଦ୍ର ( ଇନ୍‍- ସ୍ପେସ)ର ମୁଖ୍ୟାଳୟ ସ୍ଥାପନ ହେବା ଅବସରରେ ସେ ସମସ୍ତ ଦେଶବାସୀ ତଥା ବୈଜ୍ଞାନିକ ସମୁଦାୟଙ୍କୁ ଅଭିନନ୍ଦନ ଜଣାଇଥିଲେ । ଇନ୍‍- ସ୍ପେସ୍‍ର ଶୁଭାରମ୍ଭକୁ ପ୍ରଧାନମନ୍ତ୍ରୀ ଭାରତୀୟ ମହାକାଶ ଶିଳ୍ପ ନିମନ୍ତେ ଏକ ‘ମହାକାଶ ଦର୍ଶନ’ଭଳି ମୁହୂର୍ତ୍ତ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦେଶର ବିକାଶ ଏବଂ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଭଗୀରଥ ଭଳି ଭୂମିକା ଗ୍ରହଣ କରିବ । ସେ କହିଲେ ଯେ “ଇନ୍‍- ସ୍ପେସ୍‍ ଭାରତର ଯୁବଗୋଷ୍ଠୀଙ୍କୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ ଏବଂ ଦେଶର ଶ୍ରେଷ୍ଠ ମସ୍ତିଷ୍କଧାରୀମାନେ ସେମାନଙ୍କର ପ୍ରଜ୍ଞାକୁ ପ୍ରଦର୍ଶନ କରିବାର ସୁୂଯୋଗ ପାଇପାରିବେ । ସେମାନେ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥାନ୍ତୁ ଅବା ଘରୋଇ କ୍ଷେତ୍ରରେ, ଇନ୍‍- ସ୍ପେସ୍‍ ସେମାନଙ୍କ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବ” ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ଯେ “ ଇନ୍‍- ସ୍ପେସର୍‍ ଭାରତୀୟ ମହାକାଶ ଶିଳ୍ପକୁ ବୈପ୍ଳବିକ ଗତି ପ୍ରଦାନ କରିବାର କ୍ଷମତା ରହିଛି । ତେଣୁ ମୁଁ କେବଳ ଏତିକି କହିବାକୁ ଚାହେଁ, ‘ଏହି ମହାକାଶ ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକୁ ଲକ୍ଷ୍ୟ କର ।’ ଇନ୍‍- ସ୍ପେସ୍‍ ମହାକାଶ ପାଇଁ ଇନ୍‍- ସ୍ପେସ୍‍ ପ୍ରଗତି ପାଇଁ ଏବଂ ଇନ୍‍- ସ୍ପେସ୍‍ ସର୍ବାଧୁନିକ ଗବେଷଣା ପାଇଁ ।’

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଦୀର୍ଘ ସମୟ ଧରି ଘରୋଇ କ୍ଷେତ୍ରକୁ ମହାକାଶ ଶିଳ୍ପ କ୍ଷେତ୍ରରେ କେବଳ ଭେଣ୍ଡର ଭାବେ ବିବେଚନା କରାଯାଇ ଆସୁଥିଲା । ତେଣୁ ଏହି ଶିଳ୍ପରେ ଘରୋଇ ସେକ୍ଟରମାନଙ୍କ ପ୍ରଗତିକୁ ତାହା ରୋକିଆସିଥିଲା ବୋଲି କୁହାଯାଇପାରେ । ପ୍ରଧାନମନ୍ତ୍ରୀ କହିଲେ ଯେ କେବଳ ବଡ଼ ବଡ଼ ଚିନ୍ତାଧାରା ଦ୍ୱାରା ହିଁ ବିଜୟ ଲାଭ କରାଯାଇପାରେ । ମହାକାଶ ଗବେଷଣା କ୍ଷେତ୍ରରେ ସଂସ୍କାର କରାଯିବା ଦ୍ୱାରା, ସେଥିରେ ଥିବା ସକଳ ପ୍ରକାର ନିୟନ୍ତ୍ରଣ ବ୍ୟବସ୍ଥାର ଉଚ୍ଛେଦକରଣ କରାଯାଉଛି । ଇନ୍‍- ସ୍ପେସ୍‍ ମାଧ୍ୟମରେ ଘରୋଇ ଶିଳ୍ପସଂସ୍ଥାମାନଙ୍କୁ ଏ ଦିଗରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ଦେଶ ଏବେ କେବଳ ବିଜୟ ହେବା ଲାଗି ଅଭିଯାନ ଆରମ୍ଭ କରିଛି । ଘରୋଇ କ୍ଷେତ୍ର ଏବେ ଆଉ କେବଳ ଭେଣ୍ଡର ହୋଇ ରହିବେନାହିଁ ଅପରନ୍ତୁ ମହାକାଶ କ୍ଷେତ୍ରରେ ସେମାନେ ଜଣେ ଜଣେ ବିରାଟ ବିଜୟୀ ହୋଇ ମୁଣ୍ଡ ଟେକିବେ । ଯେତେବେଳେ ସରକାରୀ ମହାକାଶ ଗବେଷଣା ପ୍ରତିଷ୍ଠାନମାନଙ୍କର ସାମର୍ଥ୍ୟ ଏବଂ ଭାରତର ଘରୋଇ ସେକ୍ଟରର ଆଗ୍ରହ ମିଳିତ ହେବେ, ସେତେବେଳ ମହାକାଶ ଆଉ ଶେଷସୀମା ହୋଇ ରହିବନାହିଁ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ । 

ପ୍ରଧାନମନ୍ତ୍ରୀ କହିଲେ ଯେ ପୂର୍ବରୁ ପ୍ରଚଳିତ ବ୍ୟବସ୍ଥା ଅନୁସାରେ, ଭାରତର ଯୁବଗୋଷ୍ଠୀଙ୍କୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟକୁ ସାକାର କରିବା ସକାଶେ ପର୍ଯ୍ୟାପ୍ତ ସୁଯୋଗ ମିଳିପାରୁନଥିଲା । ଭାରତର ଯୁବ ସମୁଦାୟ ଦେଶ ପାଇଁ ନବସୃଜନର ପ୍ରତୀକ, ଶକ୍ତି ବହନର ଉତ୍ସ ଏବଂ ଅନୁସନ୍ଧାନର ମାନସିକତା ସେମାନଙ୍କ ଠାରେ ଭରପୂର ରହିଛି । ଦେଶର ଏହା ଦୁର୍ଭାଗ୍ୟ ଯେ ସମୟ ଥିଲା ଯେତେବେଳେ ନିୟନ୍ତ୍ରଣ ଏବଂ ନିଷେଧାଦେଶ ମଧ୍ୟରେ ଥିବା ତଫାତ୍‍କୁ ଭୁଲି ଯାଇଥିଲେ । ଆଜି ଆମେ ଆମର ଯୁବଗୋଷ୍ଠୀଙ୍କ ସମ୍ମୁଖରେ କେବଳ ଏହି ସର୍ତ୍ତ ବାଢ଼ିପାରିବା ନାହିଁ ଯେ କେବଳ ସରକାରୀ ମାର୍ଗରେ ହିଁ ସେମାନଙ୍କର ଚିନ୍ତାଧାରା ଓ ଯୋଜନା ସାକାର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ ଉଲ୍ଲେଖ କରିଥିଲେ । ଏ ସଂପର୍କରେ ଅଧିକ ବ୍ୟାଖ୍ୟା କରି ସେ କହିଲେ ଯେ ଏଭଳି ନିୟନ୍ତ୍ରଣର ସମୟ ଗତ ହୋଇପାରିଛି ଏବଂ ଯୁବ ସମୁଦାୟଙ୍କ ସମ୍ମୁଖରୁ ସରକାର ଏଭଳି ନିୟନ୍ତ୍ରଣ ହଟାଇ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଉଦାହରଣ ଦେଇ ସେ ପ୍ରତିରକ୍ଷା ଉତ୍ପାଦନ, ଆଧୁନିକ ଡ୍ରୋନ୍‍ ନୀତି, ଜିଓ-ସ୍ପାଟିଆଲ୍‍ ଡାଟା ଗାଇଡ଼ଲାଇନ୍ସ ଏବଂ ଟେଲିକମ୍‍- ଆଇଟି ସେକ୍ଟରରେ ଯେକୌଣସି ସ୍ଥାନରେ ରହି କାର୍ଯ୍ୟ କରିବାର ସୁବିଧା କରାଯିବା ସରକାରଙ୍କ ଚିନ୍ତାଧାରାକୁ ସ୍ପଷ୍ଟ କରୁଛି । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ଭାରତର ଘରୋଇ ସେକ୍ଟର ପାଇଁ ସର୍ବାଧିକ ଇଜ୍‍ ଅଫ୍‍ ଡୁଇଂ ବିଜିନେସର ବାତାବରଣ ସୃଷ୍ଟି କରିବା ହେଉଛି ଆମର ପ୍ରୟାସ ଯଦ୍ୱାରା ଘରୋଇ ସେକ୍ଟର ମଧ୍ୟ ଦେଶବାସୀଙ୍କୁ ସମାନ ଭାବେ ଇଜ୍‍ ଅଫ୍‍ ଲିଭିଂର ସୁଯୋଗ ପ୍ରଦାନ କରିପାରିବେ । 

ପ୍ରଧାନମନ୍ତ୍ରୀ ଏହି ଅବସରରେ ନିଜର ମତପୋଷଣ କରି କହିଲେ ଯେ “ଜଣେ ବ୍ୟକ୍ତି ବୈଜ୍ଞାନିକ ହୋଇଥାନ୍ତୁ ଅଥବା ଜଣେ କୃଷକ- ଶ୍ରମିକ, ତାଙ୍କୁ ବିଜ୍ଞାନର କଳାକୌଶଳ ବୁଝା ପଡ଼ୁଥାଉ ଅବା ନଥାଉ, ସେହି ସମସ୍ତ ପ୍ରଶ୍ନକୁ ଡେଇଁ ଆମର ମହାକାଶ ଅଭିଯାନ ଦେଶର ସମସ୍ତ ନାଗରିକଙ୍କ ପାଇଁ ଏକ ଅଭିଯାନରେ ପରିଣତ ହେବାକୁ ଯାଉଛି । ଚନ୍ଦ୍ରଯାନ ଅଭିଯାନ ବେଳେ ଆମେ ଭାରତର ଆବେଗିକ ଐକ୍ୟକୁ ଲକ୍ଷ୍ୟ କରିଛୁ ।” ଦେଶର ମହାକାଶ ଗବେଷଣା କାର୍ଯ୍ୟକ୍ରମରେ ଅତ୍ୟାଧୁନିକ ପ୍ରସ୍ତୁତି ସହ ୬୦ରୁ ଅଧିକ ଘରୋଇ କମ୍ପାନୀ ନେତୃତ୍ୱ ନେଉଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ଦେଶର ମହାକାଶ ଗବେଷଣା କ୍ଷେତ୍ରରେ ଏଭଳି ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିବାରୁ ସେ ଏକକ ଭାବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ନାମ ଉଲ୍ଲେଖ କରିଥିଲେ । ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏଭଳି ପ୍ରୟାସ ନିମନ୍ତେ ଇସ୍ରୋର ପ୍ରତିବଦ୍ଧତା ଏବଂ ବିଶେଷ ଜ୍ଞାନ ପ୍ରଶଂସନୀୟ । ଭାରତର ମହାକାଶ କାର୍ଯ୍ୟକ୍ରମ ଆତ୍ମଭିଭର ଭାରତ ଅଭିଯାନର ସର୍ବବୃହତ୍‍ ପରିଚୟ ବୋଲି ସେ କହିଥିଲେ । 

“ସ୍ପେସ୍‍ -ଟେକ୍‍ ଏକବିଂଶ ଶତାବନ୍ଦୀରେ ଏକ ପ୍ରମୁଖ ବିପ୍ଳବର ଆଧାର ହେବାକୁ ଯାଉଛି । ସ୍ପେସ୍‍ -ଟେକ୍‍ କେବଳ ସୁଦୂର ମହାକାଶ ଗବେଷଣା ପାଇଁ ଏକ ପ୍ରଯୁକ୍ତି ହେବାକୁ ଯାଉନାହିଁ ଅପରନ୍ତୁ ଆମର ବ୍ୟକ୍ତିଗତ ପରିସର ପାଇଁ ମଧ୍ୟ ଉପକାରସିଦ୍ଧ ହୋଇପାରିବ” ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି । ସେ କହିଲେ ଯେ ମହାକାଶ ପ୍ରଯୁକ୍ତିକୁ ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରିବା ସକାଶେ ଇନ୍‍ - ସ୍ପେସ୍‍କୁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ଯଦ୍ୱାରା ତାହା ଦେଶର ଜନସାଧାରଣଙ୍କୁ ଉପଲବ୍ଧ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଲେ ଯେ ଘରୋଇ ମହାକାଶ କମ୍ପାନୀମାନଙ୍କ ଦ୍ୱାରା ସଂଗୃହୀତ ଡାଟା ଭବିଷ୍ୟତରେ ସେମାନଙ୍କ ପାଇଁ ବିପୁଳ ଶକ୍ତି ହେବାକୁ ଯାଉଛି । ସେ କହିଲେ ଯେ ବୈଶ୍ୱିକ ମହାକାଶ ଶିଳ୍ପ ଏବେ ୪୦୦ ବିଲିଅନ୍‍ ଆମେରିକୀୟ ଡଲାର ବୋଲି ମୂଲ୍ୟାୟନ କରାଯାଇଛି ଏବଂ ୨୦୪୦ ମସିହା ସୁଦ୍‍ଧା ତାହା ୧ ଟ୍ରିଲିଅନ୍‍ ଡଲାର ହେବାର ସାମର୍ଥ୍ୟ ବହନ କରେ । ତେଣୁ ବିଶ୍ୱ ମହାକାଶ ଶିଳ୍ପରେ ଭାରତ ତାର ଅଂଶ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଆରୋପ କହି ପ୍ରଧାନମନ୍ତ୍ରୀ କହିଲେ ଯେ ଏଥିରେ ଘରୋଇ କମ୍ପାନୀମାନେ ଏବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ସେହିଭଳି ମହାକାଶ ପର୍ଯ୍ୟଟନ ଏବଂ ମହାକାଶ କୂଟନୀତିରେ ମଧ୍ୟ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ପ୍ରାଧାନ୍ୟ ଆରୋପ କରିଥିଲେ । ସେ କହିଲେ ଆମ ଦେଶରେ ଅସୀମ ସୁଯୋଗ ମହଜୁଦ ରହିଛି କିନ୍ତୁ ସୀମିତ ପ୍ରୟାସ ଦ୍ୱାରା ଏଭଳି ଅସୀମ ସୁଯୋଗକୁ କଦାପି ହାସଲ କରାଯାଇପାରିବନାହିଁ । ସମସ୍ତଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନପୂର୍ବକ ସେ କହିଲେ ଯେ ମହାକାଶ କ୍ଷେତ୍ରରେ ଏଭଳି ସଂସ୍କାର ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ଜାରି ରହିବ । ଏଥିପାଇଁ ଘରୋଇ ସେକ୍ଟରମାନଙ୍କ କଥାକୁ ଶୁଣିବାକୁ ହେବ ଏବଂ ବୁଝିବାକୁ ହେବ ଏବଂ ବ୍ୟବସାୟିକ ସମ୍ଭାବନାକୁ ମଧ୍ୟ ଉପଯୁକ୍ତ ଭାବେ ତର୍ଜମା କରାଯିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ଏଥିପାଇଁ ଏକ ବଳିଷ୍ଠ ବ୍ୟବସ୍ଥା କରିଛନ୍ତି । ଇନ୍‍- ସ୍ପେସ୍‍ ଏକ ସିଙ୍ଗଲ ୱିଣ୍ଡୋ, ସ୍ୱାଧୀନ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ ଏବଂ ଘରୋଇ ସେକ୍ଟରମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ।

ଏକ ନୂତନ ଭାରତୀୟ ମହାକାଶ ନୀତି ଦିଗରେ ଏବେ କାର୍ଯ୍ୟ ଚାଲିଛି ଯେଉଁଥିରେ ସରକାରୀ କମ୍ପାନୀ, ମହାକାଶ ଶିଳ୍ପସଂସ୍ଥା, ଷ୍ଟାର୍ଟ ଅପ୍‍ ଏବଂ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କ ଭିତରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇପାରିବ । ଆମେ ଖୁବ୍‍ ଶୀଘ୍ର ଆମ ନୀତିରେ ଉନ୍ନତି ଘଟାଇବୁ ଏବଂ ଇଜ୍‍ ଅଫ୍‍ ଡୁଇଂ ବିଜିନେସ୍‍ର ବାତାବରଣ ସୃଷ୍ଟି କରିବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ମାନବ ସମାଜର ଭବିଷ୍ୟତ, ଏହାର ବିକାଶ .. ଆଗାମୀ ଦିନରେ ଏହି ଦୁଇଟି କ୍ଷେତ୍ର ସବୁଠାରୁ ପ୍ରଭାବୀ ହେବାକୁ ଯାଉଛି । ତାହା ହେଉଛି ମହାକାଶ ଏବଂ ମହାସାଗର । ଭାରତ ଏହି କ୍ଷେତ୍ରରେ କାଳବିଳମ୍ବ ନକରି ଆଗକୁ ଅଗ୍ରସର ହେବାକୁ ଚାହେଁ । ସେ କହିଲେ ଯେ ଏହି କ୍ଷେତ୍ରରେ ଦେଶ ଯେଉଁସବୁ କାର୍ଯ୍ୟକ୍ରମ ସହ ଆଗକୁ ଆଗାଉଛନ୍ତି ଏବଂ ସଂସ୍କାର ଆଣୁଛନ୍ତି ତାହା ସଂପର୍କରେ ଦେଶବାସୀ ଉତ୍ତମ ରୂପେ ଅବଗତ ହେବା ଆବଶ୍ୟକ । ସେ କହିଥିଲେ ଯେ ବିଦ୍ୟାଳୟମାନଙ୍କରେ ଥିବା ଅଟଳ ଟିଙ୍କରିଂ ଲାବ୍‍ ଏହି ଦିଗରେ ଏକ ଭୂମିକା ନିର୍ବାହ କରୁଛି ଏବଂ ଶ୍ରୀହରିକୋଟାଠାରେ ଉପଗ୍ରହ ଉତ୍‍କ୍ଷେପଣକୁ ଦେଖିବା ଲାଗି ୧୦ ହଜାର ଦର୍ଶକ ବସିବାଭଳି ଏକ ଗ୍ୟାଲେରୀ ନିର୍ମାଣ କରାଯାଉଛି ।

ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କହିଲେ ଯେ ଗୁଜରାଟ ଉଭୟ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଦ୍ରୁତ ଗତିରେ ଏକ ପ୍ରମୁଖ ଆନୁଷ୍ଠାନିକ କେନ୍ଦ୍ରରେ ପରିଣତ ହୋଇଚାଲିଛି । ଏହି ପରିପ୍ରେକ୍ଷୀରେ ସେ ଜାମନଗରଠାରେ ସ୍ଥାପିତ ଡବ୍ଲୁଏଚଓ ବୈଶ୍ୱିକ ପାରମ୍ପରିକ ଔଷଧି କେନ୍ଦ୍ର, ରାଷ୍ଟ୍ରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ, ପଣ୍ଡିତ ଦୀନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟ, ରାଷ୍ଟ୍ରୀୟ ନବସୃଜନ ନ୍ୟାସ, ଶିଶୁ ବିଶ୍ୱବିଦ୍ୟାଳୟ, ଭାସ୍କରାଚାର୍ଯ୍ୟ ମହାକାଶ ପ୍ରୟୋଗ ଏବଂ ଜିଓଇନଫର୍ମାଟିକ୍ସ ପ୍ରତିଷ୍ଠାନ- ବିସାଗ ଏବଂ ବର୍ତ୍ତମାନ ସ୍ଥାପିତ ଇନ୍‍- ସ୍ପେସ୍‍ର ନାମ ଉଲ୍ଲେଖ କରିଥିଲେ । ଭାରତର ସମସ୍ତ ଭାଗ, ବିଶେଷ କରି ଗୁଜରାଟର ଯୁବକମାନଙ୍କୁ ଆହ୍ୱାନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ଏହିସବୁ ପ୍ରତିଷ୍ଠାନମାନଙ୍କରୁ ସର୍ବାଧିକ ଫାଇଦା ହାସଲ କରିବା ଉଚିତ ।

୨୦୨୦ ମସିହା ଜୁନ୍‍ ମାସରେ ଇନ୍‍- ସ୍ପେସ୍‍ ପ୍ରତିଷ୍ଠା ବିଷୟ ଘୋଷଣା କରାଯାଇଥିଲା । ଏହା ଏକ ସ୍ୱୟଂଶାସିତ ଏବଂ ସିଙ୍ଗଲ ୱିଣ୍ଡୋ ନୋଡାଲ ଏଜେନ୍ସି ଯାହା ମହାକାଶ ବିଭାଗ ଅଧୀନରେ କାର୍ଯ୍ୟ କରୁଛି ଏବଂ ଏହା ଉଭୟ ସରକାରୀ ଓ ଘରୋଇ ସଂସ୍ଥାମାନଙ୍କ ନିମନ୍ତେ ମହାକାଶ ଗବେଷଣା ଜନିତ କାର୍ଯ୍ୟକୁ ପ୍ରୋତ୍ସାହନ, ଉନ୍ନତିକରଣ ଏବଂ ନିୟନ୍ତ୍ରଣ କରୁଛି । ଘରୋଇ କମ୍ପାନୀମାନଙ୍କ ଦ୍ୱାରା ଇସ୍ରୋର ସମସ୍ତ ଫାସିଲିଟି ଉପଯୋଗ ନିମନ୍ତେ ମଧ୍ୟ ଏହା ସୁଯୋଗ ପ୍ରଦାନ କରୁଛି ।

 

*****

SS



(Release ID: 1833117) Visitor Counter : 171