ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ଆଇଭରୀ କୋଷ୍ଟ ଠାରେ ମରୂଭୂମିକରଣ (ଡେଜର୍ଟିଫିକେସନ) ନିରାକରଣ ଲାଗି ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀର ୧୫ତମ ଅଧିବେଶନକୁ ସମ୍ବୋଧିତ କଲେ ଶ୍ରୀ ଭୂପେନ୍ଦ୍ର ଯାଦବ


ବିଜ୍ଞାନ ଓ ପ୍ରଯୁକ୍ତି ସହାୟତାରେ ଜନ ଆବଶ୍ୟକତାକୁ ସମନ୍ବିତ କରିବା ଏବଂ ସ୍ଥାନୀୟ ଓ ସ୍ବଦେଶୀ ଜ୍ଞାନର ଶକ୍ତିକୁ ଏକୀକୃତ କରିବା ଲାଗି ଆହ୍ବାନ

‘‘ଉପଭୋଗ ଆଧାରିତ ଦୃଷ୍ଟିକୋଣ ଠାରୁ ଆମେ ସମସ୍ତେ ମିଳିତ ଭାବେ ଦୂରେଇ ଯିବାର ଆବଶ୍ୟକତା ରହିଛି, ପରିବେଶ ପାଇଁ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ବର୍ତ୍ତମାନ ସମୟର ଆବଶ୍ୟକତା : ଶ୍ରୀ ଭୂପେନ୍ଦ୍ର ଯାଦବ

‘‘ବିଶ୍ବ ଦ୍ରୁତ ଗତିରେ ଅବଶିଷ୍ଟ ଅଙ୍ଗାରକାମ୍ଳ ବଜେଟ୍‌କୁ ଉପଯୋଗ କରୁଛି, ଆମେ ଖୁବଶୀଘ୍ର ପ୍ୟାରିସ ଚୁକ୍ତିରେ ନିର୍ଦ୍ଧାରିତ ତାପମାତ୍ରା ସୀମାର ନିକଟବର୍ତ୍ତୀ ହୋଇଛୁ’’

Posted On: 10 MAY 2022 5:34PM by PIB Bhubaneshwar

 

ଆମକୁ ଧାରଣ କରି ରଖିଥିବା ଭୂମିର ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ବ, ଏହାଦ୍ବାରା ଆମେ ବିଶ୍ବ ତାପମାତ୍ରା ବୃଦ୍ଧିର ନିରାକରଣ କରିପାରିବା । ଏହା କହିଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ । ଆଇଭରୀ କୋଷ୍ଟ ଠାରେ ମରୂଭୂମିକରଣ (ଡେଜର୍ଟିଫିକେସନ) ନିରାକରଣ ଲାଗି ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀ (ୟୁଏନସିସିଡି)ର ୧୫ତମ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ ।

କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ଦୃଢ଼ ମତବ୍ୟକ୍ତ କରି କହିଥିଲେ ଯେ ଭୂମି ଅବକ୍ଷୟ ଲଗାତାର ଭାବେ ବଢ଼ି ବଢ଼ି ଚାଲିଛି । ତଥାପି ବିଶ୍ବବାସୀ ଉପଭୋଗ ଆଧାରିତ ଜୀବନଶୈଳୀ ଆପଣାଇଛନ୍ତି ଏବଂ ସେମାନେ ଭୂମିକୁ ଆହୁରି ଶୋଷଣ କରିବା ଲାଗି ଚାହୁଁଛନ୍ତି । ଶ୍ରୀ ଯାଦବ କହିଥିଲେ ଯେ, ‘‘ଆମ ସମସ୍ତଙ୍କୁ ଉପଭୋଗ ଆଧାରିତ ଦୃଷ୍ଟିକୋଣ ଠାରୁ ଦୂରେଇବାକୁ ପଡ଼ିବ । ୟୁଜ୍‌ ଆଣ୍ଡ୍‌ ଥ୍ରୋ (ବ୍ୟବହାର କରି ଫିଙ୍ଗିଦିଅ) ମାନସିକତା ପରିତ୍ୟାଗ କରିବାକୁ ହେବ ।

ଭୂମି ଉପରେ ବିଶ୍ବ ତାପମାତ୍ରା ବୃଦ୍ଧିର ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖି ଶ୍ରୀ ଯାଦବ କହିଥିଲେ ଯେ ଉଭୟ ବିଶ୍ବବାସୀ ଏବଂ ପୃଥିବୀର ସୁରକ୍ଷା ପାଇଁ ଅଙ୍ଗାରକାମ୍ଳ ନିର୍ଗମନ କ୍ଷେତ୍ରରେ ବିକଶିତ ରାଷ୍ଟ୍ରମାନଙ୍କୁ ନେତୃତ୍ବ ନେବାକୁ ପଡ଼ିବ । ଐତିହାସିକ ଏବଂ ସାମ୍ପ୍ରତିକ ଦୃଷ୍ଟିରୁ ବିଶ୍ବ ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ସେମାନଙ୍କର ଅଧିକ ଉତ୍ତରଦାୟିତ୍ବ ରହିଛି ।

ଶ୍ରୀ ଯାଦବ କହିଥିଲେ ଯେ କୋଭିଡ ମହାମାରୀର ପ୍ରଭାବ କାରଣରୁ ବିଶ୍ବ ତାପମାତ୍ରା ବୃଦ୍ଧିର ମୁକାବିଲା ଆହୁରି ଅଧିକ ଜଟିଳ ହୋଇପଡ଼ିଛି । ଆର୍ଥିକ ଚାପ କାରଣରୁ ସାରା ବିଶ୍ବରେ ଜଳବାୟୁ କାର୍ଯ୍ୟାନୁଷ୍ଠାନ (କ୍ଲାଇମେଟ୍‌ ଆକ୍ସନ) କାର୍ଯ୍ୟ ବିଳମ୍ବିତ ହୋଇଛି । ଅନ୍ୟପଟେ ବିଶ୍ବ ଦ୍ରୁତ ଗତିରେ ଅବଶିଷ୍ଟ ଅଙ୍ଗାରକାମ୍ଳ ବଜେଟ୍‌କୁ ଉପଯୋଗ କରୁଛି, ଆମେ ଖୁବଶୀଘ୍ର ପ୍ୟାରିସ ଚୁକ୍ତିରେ ନିର୍ଦ୍ଧାରିତ ତାପମାତ୍ରା ସୀମାର ନିକଟବର୍ତ୍ତୀ ହୋଇଛୁ ଯାହାକି ତୃତୀୟ କାର୍ଯ୍ୟ ଗୋଷ୍ଠୀର ଆଇପିସିସି ରିପୋର୍ଟରେ ଦର୍ଶାଯାଇଛି ।

୨୦୧୯ ପରଠାରୁ ଭାରତ ସିଓପିର ଅଧ୍ୟକ୍ଷତା କରିବା ପ୍ରସଙ୍ଗରେ ଶ୍ରୀ ଯାଦବ ସୂଚନା ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ଭୂମି ସଂରକ୍ଷଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ନେଇଛି । ୨୦୩୦ ସୁଦ୍ଧା ୨୬ ନିୟୁତ ହେକ୍ଟର ଅବକ୍ଷୟ ହୋଇଥିବା ଜମିର ପୁନରୁଦ୍ଧାର ଲକ୍ଷ୍ୟ ହାସଲ ଦିଗରେ ଭାରତ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଅନେକ ବୃହତ କାର୍ଯ୍ୟକ୍ରମ ଘୋଷଣା କରାଯିବା ସହିତ ବର୍ତ୍ତମାନ ଜାରି ରହିଥିବା ଯୋଜନାଗୁଡ଼ିକୁ ସୁଦୃଢ଼ କରାଯାଇଛି । 

ସାରା ଦେଶରେ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ମୃତ୍ତିକା ସ୍ବାସ୍ଥ୍ୟ ଯାଞ୍ଚ କରୁଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ୨୦୧୫ରୁ ୨୦୧୯ ମଧ୍ୟରେ ୨୨୯ ନିୟୁତରୁ ଅଧିକ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଚାଷୀମାନଙ୍କୁ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ଯୋଗୁ ରାସାୟନିକ ସାର ବ୍ୟବହାର ୮-୧୦% ହ୍ରାସ ପାଇବା ସହିତ ଫସଲ ଉତ୍ପାଦକତା ୫-୬% ବୃଦ୍ଧି ପାଇଛି ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ବିଶ୍ବ ପୁନରୁଦ୍ଧାର ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ପାଇଁ ଆହ୍ବାନ ପରେ ଭାରତ ସରକାର ୬ଟି ଫ୍ଲାଗଶିପ୍‌ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏସବୁ ଯୋଜନା ମାଧ୍ୟମରେ ୧୨.୫ ନିୟୁତ ହେକ୍ଟର ଅବକ୍ଷୟ ଭୂମିର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ରଖାଯାଇଛି । ଭାରତର ଗ୍ରାମୀଣ ଜୀବିକା କାର୍ଯ୍ୟକ୍ରମରେ ପ୍ରାକୃତିକ ସମ୍ବଳର ସଂରକ୍ଷଣ ଏବଂ ପୁନରୁଦ୍ଧାର ଉପରେ ଗୁରୁତ୍ବାରୋପ କରାଯାଇଛି । 

ଶ୍ରୀ ଯାଦବ କହିଥିଲେ ଯେ, ବୃକ୍ଷରୋପଣ ଠାରୁ ଭୂମି ପରିବେଶର ପୁନରୁଦ୍ଧାର ଅଧିକ ଜରୁରି । ବିଜ୍ଞାନ ଓ ପ୍ରଯୁକ୍ତି ସହାୟତାରେ ଜନ ଆବଶ୍ୟକତା, ପ୍ରାଥମିକତା, ବିଶେଷଜ୍ଞତାକୁ ସମନ୍ବିତ କରିବା ଏବଂ ସ୍ଥାନୀୟ ଓ ସ୍ବଦେଶୀ ଜ୍ଞାନର ଶକ୍ତିକୁ ଏକୀକୃତ କରିବା ନିମନ୍ତେ ସେ ଆହ୍ବାନ କରିଥିଲେ । ବକ୍ତବ୍ୟ ଶେଷରେ ଭୂମି ସଂରକ୍ଷଣ ପାଇଁ ସାମୂହିକ ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ କରିବା ଦିଗରେ ସବୁ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ଯାଦବ ଆଶାବ୍ୟକ୍ତ କରିଥିଲେ । 

ଆଇଭରୀ କୋଷ୍ଟ ଠାରେ ମରୂଭୂମିକରଣ (ଡେଜର୍ଟିଫିକେସନ) ନିରାକରଣ ଲାଗି ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀର ୧୫ତମ ଅଧିବେଶନ ୯ରୁ ୨୦ ମେ, ୨୦୨୨ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ଏଥିରେ ବିଭିନ୍ନ ରାଷ୍ଟ୍ରର ସରକାରୀ ପ୍ରତିନିଧି, ଘରୋଇ କ୍ଷେତ୍ର, ନାଗରିକ ସମାଜର ନେତୃବର୍ଗମାନେ ଯୋଗ ଦେଇଛନ୍ତି । ମରୁଡ଼ି, ଭୂମି ସଂରକ୍ଷଣ, ଜମି ଅଧିକାର, ଲିଙ୍ଗ ସମାନତା, ଯୁବ ସଶକ୍ତିକରଣ ଆଦି ପ୍ରମୁଖ ବିଷୟ ଉପରେ ସମ୍ମିଳନୀରେ ଆଲୋଚନା ହେଉଛି । ସିଓପି ୧୫- ୟୁଏନସିସିଡିର ୧୯୭ଟି ପକ୍ଷ ରାଷ୍ଟ୍ର ଏହି ସମ୍ମିଳନୀରେ ବିଚାରବିମର୍ଶ ମାଧ୍ୟମରେ ଭୂମି ପୁନରୁଦ୍ଧାର ଏବଂ ମରୁଡ଼ି ମୁକାବିଲା ପାଇଁ ଦୀର୍ଘସ୍ଥାୟୀ ସମାଧାନ ସନ୍ଧାନ କରିପାରିବେ ବୋଲି ଆଶା କରାଯାଉଛି ।

 

***********

P.S.

 



(Release ID: 1824274) Visitor Counter : 135